Unknown

 

 

 

 

 

 

 

 

 

ମହାମାନବ ଗାନ୍ଧିଜୀ

ପଣ୍ଡିତ ଶ୍ରୀ ବିନାୟକ ମିଶ୍ର

 

ସୂଚୀପତ୍ର

 

୧.

ଛାତ୍ର ଜୀବନ

୨.

ସତ୍ୟଲାଭ ଜୀବନ

୩.

ମହାତ୍ମା ଜୀବନ ପଥେ

୪.

ମହାତ୍ମା ଜୀବନ (ପ୍ରଥମ ଭାଗ)

୫.

ମହାତ୍ମା ଜୀବନ (ଦ୍ୱିତୀୟ ଭାଗ)

୬.

ଆତ୍ମ ଦର୍ଶନ

Image

 

ଗାନ୍ଧିଜୀଙ୍କ ଜୀବନର ବିଶେଷ ଘଟଣା

 

୧୮୬୯

ପୋର ବନ୍ଦର କାଥିଆବାଡ଼ରେ ଜନ୍ମ ।

୧୮୮୭–୯୧

ଇଂଲଣ୍ଡରେ ଆଇନ ଅଧ୍ୟୟନ ।

୧୮୯୩–୧୯୯୩

ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ।

୧୯୧୪

ଭାରତକୁ ପ୍ରତ୍ୟାବର୍ତ୍ତନ ।

୧୯୧୯–୨୧

ଅସହଯୋଗ ଆନ୍ଦୋଳନ ।

୧୯୨୨

କାରାରୁଦ୍ଧ ।

୧୯୨୩

କାରା ମୁକ୍ତି ।

୧୯୨୪

କଂଗ୍ରେସର ସଭାପତି ।

୧୯୩୦

ଅସହଯାଗ ଆନ୍ଦୋଳନ, ଦାଣ୍ଡି ଲୁଣ ଆଇନ ଭଙ୍ଗ, ସତ୍ୟାଗ୍ରହ, ଏରୱାଡ଼ା ଜେଲରେ କାରାରୁଦ୍ଧ ।

୧୯୩୧

ଗାନ୍ଧି ଇରଉଇନ୍‌ ଚୁକ୍ତି, ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗଦାନ ।

୧୯୩୨

ପୁନା ଚୁକ୍ତି ।

୧୯୩୩

ଅସ୍ପୃଶ୍ୟତା ନିବାରଣ ଗସ୍ତ ।

୧୯୩୪

କଂଗ୍ରେସରୁ ଅବସର ଗ୍ରହଣ ।

୧୯୩୯

ରାଜକୋଟ ଅନଶନ ।

୧୯୪୨

କାରାରୁଦ୍ଧ ।

୧୯୪୪

ଗାନ୍ଧି ଜିନ୍ନା ଆଲୋଚନା ।

୧୯୪୭

ପୂର୍ବ ବଙ୍ଗ ଓ କଲିକତାରେ ଶାନ୍ତି ମିଶନ୍‌ ।

୧୯୪୮

ଦିଲ୍ଲୀ ଉପବାସ । ଦେହ ତ୍ୟାଗ ।

Image

 

ଛାତ୍ର ଜୀବନ

 

ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତ ଅଛି, ଅସ୍ତ ଗଲେ ଘୋର ଅନ୍ଧକାର ମାଡ଼ି ଆସେ । ମନୁଷ୍ୟ ସଂସାରର ଜଞ୍ଜାଳରୁ ଅନ୍ତର ହୋଇ ବିଶ୍ରାମ ଖୋଜେ । କିନ୍ତୁ ୧୩୫୪ ସାଲର ମାଘ କୃଷ୍ଣ ପଞ୍ଚମୀ ଦିନ (ଇଂରାଜୀ ୩୦।୧।୧୯୪୮) ବିଶ୍ୱର ଗୋଟିଏ ମହାସୂର୍ଯ୍ୟ ଘନ କୋଳରେ ଲୁଚକାଳି ଖେଳି ଅଛନ୍ତି । କୋଟି କୋଟି ନରନାରୀ ବିଶ୍ରାମ ଛାଡ଼ି ଅବିରତ ତାହାଙ୍କୁ ଖୋଜିବାରେ ଲାଗି ଅଛନ୍ତି । ସେହି ମହାସୂର୍ଯ୍ୟ ମହାମାନବ ବାପୁଜୀ । ହେ ନରନାରୀ ! ସେ ସୂର୍ଯ୍ୟ ଆମ ହୃଦୟରେ ଲୁଚି ଅଛନ୍ତି-। ଅନ୍ତରର ବାହାରେ ଅନ୍ୟ କୌଣସି ସ୍ଥାନରେ ଲୁଚି ନାହାନ୍ତି । ଅନ୍ତର ଚିରିଦିଅ ଦେଖିବ–ଅନ୍ଧକାର ମଧ୍ୟରେ ତାଙ୍କର ଉଜ୍ଜ୍ୱଳତମ ଶ୍ୟାମ ମୂର୍ତ୍ତି ବିରାଜିତ । ଦୁଃଖହରା ମୋହନ ବଂଶୀର ଧ୍ୱନି, ପତିତର ସେବାରେ ପତିତପାବନ ବାନା, ଲାଞ୍ଛିତ ଜାତିର ଉଦ୍ଧାର ପାଇଁ ରାମମୂର୍ତ୍ତି ଧାରଣ ପ୍ରଭୃତି ଶତ ଶତ ଗୁଣ ଆମର ସ୍ମୃତିପଟରେ ଦାଉ ଦାଉ ଜଳୁଅଛି । ମାଟିର ଘଟ ସିନା ସେ ଛାଡ଼ି ଅଛନ୍ତି; କିନ୍ତୁ ତାହାଙ୍କର ଅବିନାଶୀ ଆତ୍ମା ଗୁଣକର୍ମ ସଙ୍ଗେ ବିଶ୍ୱ ମାନବର ଅନ୍ତର ଅଧିକାର କରି ବସିଅଛି । ଭୌତିକ ଚକ୍ଷୁକୁ ଆଉ ସେ ଦେଖା ଦେବେ ନାହିଁ । କାରଣ, ଆମେ ତାହାଙ୍କୁ ଅନ୍ତରରେ ଆବଦ୍ଧ କରି ରଖିଅଛୁ । ଅନ୍ତର ଖୋଲିବୁ, ତା’ଙ୍କୁ ଦେଖିବୁ ।

 

କରମଚାନ୍ଦ ଓରଫ କାବା ଗାନ୍ଧିଙ୍କ ସନ୍ତାନ ଗାନ୍ଧିଜୀ । ସେ ମନୁଷ୍ୟ ଯୋନିରୁ ଇଂ ୧୮୬୯ ସାଲ ଅକ୍ଟୋବର ୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସେ ବୁଝିଥିଲେ–‘‘ସର୍ବ ଶରୀର ମଧ୍ୟେ ସାର । ଦୁର୍ଲ୍ଲଭ ନର କଳେବର ।’’ ଏଣୁ ସେ ଟଙ୍କା ଅର୍ଜି ବିଳାସ ଭୋଗ କରିବା ପାଇଁ ପାଠ ପଢ଼ୁନଥିଲେ, ମନୁଷ୍ୟ ଜୀବନ ସାର୍ଥକ କରିବା ପାଇଁ ପାଠ ପଢ଼ୁଥିଲେ । ଆମେ ଯାହା ପଢ଼ୁ ତା’କୁ କାମରେ ଲଗାଉ ନାହୁଁ । ସେ ପୁସ୍ତକ ପଢ଼ି ଯାହା ଶିଖୁଥିଲେ ତଦନୁସାରେ ନିଜ ଜୀବନକୁ ଗଢ଼ୁଥିଲେ, ସତ୍ୟ ଓ ନ୍ୟାୟରେ ଜୀବନ ଅତିବାହିତ କରିବା ଶ୍ରେୟସ୍କର ମଣି ସେ ସର୍ବଦା ନ୍ୟାୟପଥ ଧରି ଚଳୁଥିଲେ । ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହି ଅଛନ୍ତି :–

‘‘ମମ ଯୋନିର୍ମହଦ୍‌ବ୍ରହ୍ମ ସ୍ତସ୍ମିନ୍ ଗର୍ଭଂ ଦଧାମ୍ୟହଂ

ସମ୍ଭବଃ ସର୍ବଭୂତାନାଂ ତତୋ ଭବତିଂ ଭାରତ ।’’

ଶ୍ରୀକୃଷ୍ଣ ଯୋନି ପରମ ବ୍ରହ୍ମ । ସମଗ୍ର ବିଶ୍ୱ ତାହାଙ୍କ ଯୋନିରୁ ଉତ୍ପନ୍ନ । କିପରି ?ଗୋଟିଏ ବଟ ବୀଜ ଭାଙ୍ଗି ଦେଖ । ତହିଁରେ ସୂକ୍ଷ୍ମ ଚାରା ଦେଖାଯିବ । ସେହି ଚାରା ବିକଶିତ ହୋଇ ବିଶାଳ ବଟ ବୃକ୍ଷରେ ପରିଣତ ହୁଏ, ସେପରି ଏକ ପରମ ସୂକ୍ଷ୍ମ ବ୍ରହ୍ମ ଅଛନ୍ତି, ଯହିଁରୁ ସମଗ୍ର ବିଶ୍ୱର ଉତ୍ପତ୍ତି ଘଟୁଅଛି । ବିଶାଳ ସାଗର ଅଛି; ତହିଁରେ ସାନ ବଡ଼ ବିଭିନ୍ନ ତରଙ୍ଗ ଉଠୁଅଛି । ସାଗର ଭୌତିକ ଚକ୍ଷୁକୁ ଦେଖାଯାଏ । କିନ୍ତୁ ସାଗର ସଦୃଶ ବିଶ୍ୱବ୍ୟାପୀ ପରମ ବ୍ରହ୍ମ ଭୌତିକ ଚକ୍ଷୁକୁ ଦେଖା ନ ଯାଇ ଅନ୍ତରର ଚକ୍ଷୁକୁ ଦେଖା ଯାଆନ୍ତି । ସାଗରରୁ ଜଳକଣା ଆସି ବୃଷ୍ଟିରୂପରେ ଭୂପୃଷ୍ଠରେ ପଡ଼େ । ଭୂପୃଷ୍ଠର କେତେ ଜଳବିନ୍ଦୁ ନଦୀକୁ ଯାଇ ସମୁଦ୍ରରେ ମିଶନ୍ତି, କେତେକ ଜଳ ଖାଲଖଣାରେ ଜମା ରହି ପଚୁଥାଏ । ସେପରି ସାଗରରୂପୀ ପରମ ବ୍ରହ୍ମଙ୍କ ଠାରୁ ଜୀବମାନେ ଉତ୍ପନ୍ନ ହୋଇ କେତେକ ସଂସାରରେ ନାନା କ୍ଳେଶ ଭୋଗ କରନ୍ତି, କେତେକ ପରମ ବ୍ରହ୍ମରେ ଲୀନ ହୁଅନ୍ତି । ‘‘ଭକତି କୃଷ୍ଣପାଦେ ଲାଭ । ମନୁଷ୍ୟ ଜନ୍ମର ଏ ଲାଭ’’- ଏହି ନୀତି ଧରି ସତ୍ୟ ଓ ନ୍ୟାୟ ପଥରେ ଚଳିଲେ ପରମ ବ୍ରହ୍ମଙ୍କୁ ଯେ କୌଣସି ବ୍ୟକ୍ତି ଉପଲବ୍‌ଧି କରିପାରେ । କିନ୍ତୁ ଭକ୍ତି ଗୋଠଖଣ୍ଡିଆ କାଳୀଗାଈ ନୁହେଁ । ଭକ୍ତିକୁ ହୃଦୟରେ ବାନ୍ଧି ରଖିବାକୁ ହେଲେ ଅନ୍ୟାନ୍ୟ ଗୁଣକର୍ମ ଲୋଡ଼ାହୁଏ, ତଥାପି ଭକ୍ତି ଜୀବନର ମୂଳ ଭିତ୍ତି । ବାଲ୍ୟକାଳର ମାତୃପିତୃ ଭକ୍ତି ବାପୁଜୀଙ୍କୁ ମହାତ୍ମାରେ ପରିଣତ କରି ପାରିଲା । ସେ ସ୍କୁଲରେ ପଢ଼ୁଥିବା ବେଳେ ପିତାମାତା ତାହାଙ୍କୁ ବିବାହ-ବନ୍ଧନରେ ବାନ୍ଧି ଦେଲେ । କିନ୍ତୁ ବାପୁଜୀ ମାତା-ପିତାଙ୍କ ବିଦ୍ରୋହୀ ହୋଇ ନାହାନ୍ତି । ବିବାହ ସରିଲା, ନିଜ ସ୍ତ୍ରୀଙ୍କୁ କଥା କହିବା ପାଇଁ ପ୍ରଥମେ ପ୍ରଥମେ ତା’ଙ୍କୁ ଲାଜ ମାଡ଼ିଲା । ପରେ କ୍ରମଶଃ ପତ୍ନୀ କୌସ୍ତୁରୀବାଈଙ୍କ ସଙ୍ଗେ ତାହାଙ୍କର ପ୍ରେମ ଗାଢ଼ ହେବାକୁ ଲାଗିଲା । ଏହି ଅନୁଭବରୁ ସେ ଏକ ଅପୂର୍ବ ଶିକ୍ଷାଲାଭ କଲେ । ବାଲ୍ୟକାଳରେ ଇନ୍ଦ୍ରିୟବାସନା ନ ଥାଏ । ପତ୍ନୀଙ୍କୁ ଖେଳସଙ୍ଗିନୀ ରୂପରେ ପାଇ ସେ ଆନନ୍ଦ ଅନୁଭବ କଲେ । ପରଘର ଝିଅ ମନରେ ଆନନ୍ଦ ଜନ୍ମାଇ ପାରିଲେ;କାହିଁକି ? ପ୍ରତ୍ୟେକ ମନୁଷ୍ୟ ଏକ ପରମାତ୍ମାର ସନ୍ତାନ । ପରିବାର ମଧ୍ୟରେ ରହି ଭାଇ ଭଉଣୀ ମଧ୍ୟରେ ସ୍ନେହ ଆପେ ଆପେ ଜାତ ହୁଏ, ସେପରି ଯେ କୌଣସି ବ୍ୟକ୍ତିର ସଂସ୍ପର୍ଶରେ ଆସିଲେ ତାହା ପ୍ରତି ସ୍ନେହଜାତ ହେବା ସ୍ୱାଭାବିକ । ସ୍ନେହ ମନୁଷ୍ୟକୁ ଯଥାର୍ଥ ସୁଖ ଦିଏ । ସ୍ନେହ ଚରିତ୍ର ଗଠନର ଏକ କାରଣ । ସ୍ନେହ ଅଭାବରୁ ଅନେକଙ୍କର ଦାମ୍ପତ୍ୟ-ଜୀବନ ବିଷମୟ ହୁଏ । କିନ୍ତୁ ସ୍ନେହର ପ୍ରଭାବରେ ମହାତ୍ମାଜୀ ଯେପରି ଏକପତ୍ନୀକ ବ୍ରତ ଚିତ୍ତର ଦୃଢ଼ତା ସହିତ ପାଳନ କରିଥିଲେ, କସ୍ତୁରୀବା ତତୋଧିକ ପତିବ୍ରତା ହୋଇଥିଲେ । ଦାମ୍ପତ୍ୟ ଜୀବନରେ ସୁଖ ଦୁଃଖର କାରଣ ପ୍ରାଞ୍ଜଳ ଭାବରେ ଉପଲବ୍ଧି କରାଯାଏ, ଏଣୁ ଚୈତନ୍ୟ ମହାପ୍ରଭୁ ମାଧୁର୍ଯ୍ୟ-ଭକ୍ତିରେ ଶ୍ରୀକୃଷ୍ଣଙ୍କୁ ଆରାଧନା କରିବା ପାଇଁ ଉପଦେଶ ଦେଇ ଅଛନ୍ତି । କୌଣସି ଯୁବତୀର ପର ପୁରୁଷ ପ୍ରତି ଯେତେବେଳେ ପ୍ରଗାଢ଼ ଅନୁରାଗ ଜନ୍ମେ, ସେତେବେଳେ ବର୍ଷା-ଅନ୍ଧାର; କଣ୍ଟା ବଣ; ସମାଜ ବନ୍ଧନ ପ୍ରଭୃତି କିଛି ସେ ମାନେ ନାହିଁ । ଅନୁରାଗ ତାହା ମନରେ ଥିବାରୁ ସମସ୍ତ କ୍ଳେଶ ସେ ପାଶୋରି ପାରେ । ଭଗବାନଙ୍କ ଠାରେ ସେପରି ଅନୁରାଗ ଯେ ରଖି ପାରିବ ତାହାଠାରେ ସଂସାରର କ୍ଳେଶ ନିଶ୍ଚୟ ହାର ମାନିବ । ମନର ମୂଳରେ ଏ ଜଗତ । ଖରାରେ କାମ କରିବାକୁ ଆମର ଅଭ୍ୟାସ ନାହିଁ । ଆମେ ଖରାରେ ବାଟ ଚାଲିବା ପାଇଁ ମଧ୍ୟ ଡରୁଁ । ମାଟିଆ-ଜାତିକୁ ଗ୍ରୀଷ୍ମ-କାଳର ପ୍ରଖର ଖରାରେ କାମ କରିବାକୁ ସୁଖ ଲାଗେ । ଚିତ୍ତରେ ବିଚାର କରି ପାରିଲେ ସୁଖ ଦୁଃଖ ମଧ୍ୟରେ ଭେଦ ରହେ ନାହିଁ । କିନ୍ତୁ ସଂସାରର ଜଞ୍ଜାଳରେ ରହି ଏତେ କଥା ବିଚାର କରିବାକୁ ବେଳ ନାହିଁ; ପୁଣି ବିଚାର କରିବାକୁ ସମସ୍ତଙ୍କର ତ ଶକ୍ତି ନ ଥାଏ । ଏଣୁ ଈଶ୍ୱରଙ୍କଠାରେ ଅନୁରାଗ ଓ ଭକ୍ତି ରଖି ସତ୍ୟ ଓ ନ୍ୟାୟର ପଥରେ ଚାଲୁଥିଲେ ଦୁଃଖ ଆପେ ଆପେ ଅନ୍ତର ହୁଏ । ସେଥିପାଇଁ ଅର୍ଜ୍ଜୁନ କହିଲେ :–

‘‘ଜାନାମି ଧର୍ମଂ ନଚମେ ପ୍ରବୃତ୍ତିଃ ଜାନାମ୍ୟଧର୍ମଂ ନ ଚ ମେ ନିବୃତ୍ତଃ ।

ତ୍ୱୟା ହୃଷୀକେଶ ହୃଦିସ୍ଥିତେନ ଯଥା ନିଯୁକ୍ତୋସ୍ମି ତଥା କରୋମି ।।’’

ଧର୍ମ ମନୁଷ୍ୟ ଜାଣେ, କିନ୍ତୁ ତାହା ଆଚରଣ କରିବାକୁ ମନ ବଳେ ନାହିଁ । ଅଧର୍ମ କଅଣ; ମନୁଷ୍ୟ ଜାଣେ । କିନ୍ତୁ ତାହା ଛାଡ଼ିବାକୁ ମନ ବଳେ ନାହିଁ । ଭଗବାନ ହୃଦୟରେ ଅଛନ୍ତି; ସେ ଯେଉଁ କାମରେ ଲଗାନ୍ତି ସେହି କାମ ଆମେ କରୁଁ–ଏପରି ଦୃଢ଼ ବିଶ୍ୱାସ ଜନ୍ମିଲେ ପ୍ରକୃତ ସୁଖ ମିଳେ । କିନ୍ତୁ ଏ ବିଶ୍ୱାସ ସମସ୍ତଙ୍କର ଜନ୍ମେ ନାହିଁ । ‘‘ଏ ଆତ୍ମା ଅହଙ୍କାରରେ ବନ୍ଦୀ । ଅଦୃଷ୍ଟବଶ ନିରବଧି ।’’ ‘ମୁଁ’ ପଦାର୍ଥ ଅନ୍ତରରେ ଥିଲେ ଈଶ୍ୱର କାମ କରାଉ ଅଛନ୍ତି । ଏପରି ଦୃଢ଼ ବିଶ୍ୱାସ ଏ ହୃଦୟରେ ଜନ୍ମେ ନାହିଁ । ଯେ କ୍ଷୁଧାରେ ଆତୁର ହୁଏ ନାହିଁ; ସନ୍ତାନ-ବିୟୋଗରେ ଅଧୀର ହୁଏ ନାହିଁ, ତାହାରି ହୃଦୟରେ ଈଶ୍ୱରଙ୍କର ପ୍ରକାଶ ହୁଏ । ୧୯୪୪ସାଲରେ ମହାତ୍ମାଜୀଙ୍କର ପତ୍ନୀ-ବିୟୋଗ ହେଲା । କିନ୍ତୁ ତିଳେମାତ୍ର ଶୋକ ତାହାଙ୍କୁ ବିଚଳିତ କରି ପାରି ନାହିଁ; ତାହାଙ୍କ ହୃଦୟରେ ଈଶ୍ୱରଙ୍କର ଯଥାର୍ଥ ପ୍ରକାଶ ଘଟିଥିଲା । ଏଣୁ ଯନ୍ତ୍ରଚାଳିତ କର୍ମପରି ତାହାଙ୍କର ସମସ୍ତ କର୍ମ କେବଳ ଧର୍ମମୂଳକ ହେଉଥିଲା । ‘ମୁଁ ଖାଇବି, ମୁଁ ରହିବି’ ପ୍ରଭୃତି ଚିନ୍ତା ତ୍ୟାଗକରି ଏକନିଷ୍ଠ ଈଶ୍ୱର ଭକ୍ତି ଆସିଲେ ହୃଦୟରେ ଈଶ୍ୱରଙ୍କର ପ୍ରକାଶ ହୁଏ । ଏପରି ଭକ୍ତି କିପରି ଆସେ ?

‘‘ଶ୍ରଦ୍ଧୟା ପରୟା ତପ୍ତଃ ତପସ୍ତତ୍ ତ୍ରିବିଧଂ ନରୈଃ ।

ଅଫଳାକାଙ୍‌କ୍ଷିଭିର୍ଯୁକ୍ତେଃ ସାତ୍ତ୍ୱିକଂ ପରିଚକ୍ଷ୍ୟତେ ।।’’

ତପର ଅର୍ଥ କାୟକ୍ଳେଶ ସହି ସାଧୁକର୍ମ କରିବା । ଉତ୍କୃଷ୍ଟ ଶ୍ରଦ୍ଧା ସହକାରେ ଜଗତରେ ତିନି ପ୍ରକାରେ ତପସ୍ୟା ବା କର୍ମ କରାଯାଇ ପାରେ । ନିଜେ ସୁଖରେ ରହିବା ପାଇଁ ଅନେକ ଲୋକ ଜଗତରେ ଚୋରି ଡକାୟତ କର୍ମ କରନ୍ତି । ଏହା ନିନ୍ଦନୀୟ ତାମସିକ କର୍ମ । ଜୀବନ ନିର୍ବାହ ପାଇଁ ସମାଜ ଚଳିତ ବୃତ୍ତି ଅବଲମ୍ବନ କରି ଯେଉଁ କର୍ମ କରାଯାଏ ତାହା ରାଜସିକ । ଚଷା ଚାଷ କରେ, ତେଲି ତେଲ ପ୍ରସ୍ତୁତ କରେ–ଏ ସମସ୍ତ ରାଜସିକ ବୃତ୍ତି ସମାଜ ଅନୁମୋଦନ କରେ । କୌଣସି ଫଳ-କାମନା ନ କରି ଯେଉଁ କାମ କରାଯାଏ, ତାହା ସାତ୍ତ୍ୱିକ । ନିଜ ପାଇଁ କାମ କଲେ ଫଳରେ କାମନା ଅବଶ୍ୟ ରହିବ । ପର ପାଇଁ କାମ କଲେ ଫଳର ଅଭିଳାଷ ଆଦୌ ଜନ୍ମିବ ନାହିଁ । ସାତ୍ତ୍ୱିକ ଗୁଣର ବିକାଶ ଘଟିବ ଓ ହୃଦୟରେ ଈଶ୍ୱର ପ୍ରକାଶ ପାଇବେ । କର୍ମ ନ କଲେ ପରନିନ୍ଦା; ପରଛିଦ୍ର ପ୍ରଭୃତି ହୃଦୟ ଅଧିକାର କରି ସାତ୍ତ୍ୱିକ ଗୁଣର ବିକାଶ ପକ୍ଷରେ ବାଧା ଜନ୍ମାଇବ । ସାଧୁ କର୍ମ କଲେ ଅହଙ୍କାର ଦୂର ହୋଇ ଈଶ୍ୱର ବିଶ୍ୱାସ ମଧ୍ୟ ବେଳୁଁବେଳ ଦୃଢ଼ତର ହେବ । ‘ମୁଁ କରୁଚି’–ଏପରି ବିଶ୍ୱାସ କର୍ମୀ ଲୋକର ଅନେକ ସମୟରେ ଦୂର ହୋଇଥାଏ । କାଠ କାଟିବା ପାଇଁ ବଣକୁ ଘରୁ ବାହାରିବା ବେଳେ ଝୁଣ୍ଟି ପଡ଼ିଲେ ‘ମୁଁ କରୁଚି’ ବିଶ୍ୱାସ ରହେ ନାହିଁ । ସେତେବେଳେ ଈଶ୍ୱର ଥିବାର ବିଶ୍ୱାସ ଜନ୍ମେ । କିନ୍ତୁ ସାଧାରଣ ଲୋକ ପର ମୁହୂର୍ତ୍ତରେ ପାସୋରି ଦିଏ । ସାତ୍ତ୍ୱିକ ଗୁଣର ବିକାଶ ଯାହାଠାରେ ଘଟିଥାଏ ସେ ପାସୋରି ପାରେ ନାହିଁ । ସମସ୍ତଙ୍କ ହୃଦୟରେ ସାତ୍ତ୍ୱିକ ଗୁଣ ଅଛି, ନରଘାତକ ହତ୍ୟା କରିବାକୁ ଉଦ୍ୟତ ହେବାବେଳେ ତାହାର ସାତ୍ତ୍ୱିକ ଗୁଣ ତାହାକୁ ବାରଣ କରୁଥାଏ । ମାତ୍ର ପ୍ରବଳ ତାମସିକ ଗୁଣ ସେହି ମନାକୁ ଘେନେ ନାହିଁ । ମାନବ ସମାଜରେ ପରସ୍ପର ଆତ୍ମା ସମ୍ବନ୍ଧ ହୋଇଥିବାରୁ ଜଣେ ଅନ୍ୟକୁ ହତ୍ୟା କରିବା ପାଇଁ ବିବେକ ପ୍ରବର୍ତ୍ତାଏ ନାହିଁ । ଆତ୍ମାକୁ ଚିହ୍ନି ପାରିଲେ ମନୁଷ୍ୟ ସର୍ବଜ୍ଞ ହୋଇପାରେ । ଆତ୍ମାକୁ ଚିହ୍ନିବା ପାଇଁ ଭକ୍ତି, ପରୋପକାର ପ୍ରଭୃତି ଲୋଡ଼ା ହୁଏ । ମହାତ୍ମାଜୀ ଗୀତା ପ୍ରଭୃତି ଅନେକ ଧର୍ମ-ଶାସ୍ତ୍ର ପଢ଼ି ସାରନୀତି ମାନି ଚଳୁଥିଲେ । କେବଳ ଅର୍ଥ ବୁଝିବା ପାଇଁ ସେ ପଢ଼ୁ ନ ଥିଲେ । ଚରିତ୍ର ବିଶୁଦ୍ଧ ନୋହେଲେ ଗୀତା-ଉପନିଷଦ୍ ପ୍ରଭୃତିର ମର୍ମ ଗ୍ରହଣ କରିବା ମଧ୍ୟ କଠିନ । ସେ ପିଲାଦିନୁ ଅଳ୍ପ ମୂଲ୍ୟର ରାମଚରିତ ପ୍ରଭୃତି କିଣି ପଢ଼ୁଥିଲେ ଓ ରାମଙ୍କ ପରି ଆଦର୍ଶ ଜୀବନଯାପନ କରିବା ପାଇଁ ସତତ ତତ୍ପର ଥିଲେ । ଏଣୁ ତାହାଙ୍କ ଅନ୍ତରରେ ପରମାତ୍ମାଙ୍କର ଆବିର୍ଭାବ ଘଟିଥିଲା । ତାହାଙ୍କର ସମସ୍ତ ଗୁଣକର୍ମ ଆମର ହୃଦୟରେ ନିହିତ ଅଛି । ମଧ୍ୟାହ୍ନରେ ନିଜର ପ୍ରଖର କିରଣରେ ସୂର୍ଯ୍ୟ ନିଜକୁ ଆବୃତ କରି ମନୁଷ୍ୟର ଚକ୍ଷୁକୁ ସ୍ପଷ୍ଟରୂପେ ଦେଖା ଦିଅନ୍ତି ନାହିଁ । ତାହାଙ୍କର ଆତ୍ମା ଯେତେଦିନ ପର୍ଯ୍ୟନ୍ତ ମାଟିର ଘଟରେ ଥିଲା ତେତେଦିନ ପର୍ଯ୍ୟନ୍ତ ଆମେ ତାହାଙ୍କୁ ଚିହ୍ନିପାରୁ ନ ଥିଲୁ । ମାଟିର ଘଟ ସେ ଛାଡ଼ି ଚାଲି ଯାଇ ଅଛନ୍ତି । ଆଉ ଆବରଣ ନାହିଁ । ତାହାଙ୍କ ଅନ୍ତରର ରୂପ ଏଥର ସମଗ୍ର ବିଶ୍ୱ ଦେଖି ପାରୁଅଛି ।

ମହାତ୍ମାଜୀ ବିବାହ କଲେ । ନିଜର ପତ୍ନୀ କିପରି ପତିବ୍ରତା ହେବେ, ତାହା ସେ ପାଞ୍ଚିଲେ । ଏଣୁ ତାଙ୍କ ବିନାନୁମତିରେ ଅନ୍ୟତ୍ର ଯିବା ପାଇଁ ସ୍ତ୍ରୀଙ୍କୁ ନିଷେଧ କଲେ । କିନ୍ତୁ କସ୍ତୁରୀବାଈ ସେ କଟକଣା ମାନନ୍ତି ନାହିଁ । ବାପୁଜୀ ଯେତିକି ଦବାନ୍ତି କସ୍ତୁରୀବାଈ ତେତିକି ଅମାନିଆ ଆଚରଣ କରନ୍ତି । ଦୁହିଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଏ, ପୁଣି କିଛିଦିନ ଉତ୍ତାରେ ଉଭୟଙ୍କ ମଧ୍ୟରେ ମଧୁର ଭାବ ଜାଗି ଉଠେ । ଏ ତ ସେହି ବୃନ୍ଦାବନ ଲୀଳା । ଶୀତ ନ ଥିଲେ ଖରାର ଗୁଣ କିଏ ବୁଝନ୍ତା ? ସଂସାରରେ ଆଲୁଅ ଅନ୍ଧାର ପରି ପ୍ରୀତି-ବିବାଦ ଅଛି । ବିବାଦ ଉତ୍ତାରୁ ପୁଣି ଯେଉଁ ପ୍ରୀତି ଜନ୍ମେ ତାହା ମଧୁରତର ହୁଏ । କିନ୍ତୁ ବିବାଦ ଉତ୍ତ୍ୟକ୍ତ ହେଲେ ତାହା ବିଷମୟ ହୁଏ । ଉତ୍ତ୍ୟକ୍ତ ହେଉ ନ ଥିଲା କାହିଁକି ? କସ୍ତୁରୀବାଈଙ୍କର ପତିଭକ୍ତି ଯୋଗୁଁ ପତି ମନା କଲା ବେଳେ ସେ ଯୁକ୍ତିତର୍କ କରି ପତିଙ୍କ ମନା ମାନିବେ ନାହିଁ ବୋଲି କହୁ ନ ଥିଲେ । ଅଥଚ ଦେବ ମନ୍ଦିର ପ୍ରଭୃତିକୁ ଯିବା ପାଇଁ ସୁଯୋଗ ଆସିଲେ ସେ ବିନାନୁମତିରେ ଚାଲି ଯାଆନ୍ତି । ଯଥାର୍ଥ ସ୍ୱାଧୀନତା ଏହାକୁ କହନ୍ତି । ଆତ୍ମାର କଲ୍ୟାଣ ନିମନ୍ତେ ମାନବ ରଚିତ ଆଇନ ଲଙ୍ଘନ କରିବା ବିଧେୟ ବୋଲି ତାହାଙ୍କ ପତ୍ନୀଙ୍କ ସ୍ୱଭାବରୁ ବାପୁଜୀ ଶିଖିଥିଲେ । ଯେ ଦୋଷୀ ସେ ଦୋଷର କ୍ଷାଳନ ପାଇଁ ନାନା ଯୁକ୍ତିତର୍କ କରେ । କସ୍ତୁରୀବାଈଙ୍କର ଚରିତ୍ରରେ କଳଙ୍କ ନ ଥିଲା । ଏଣୁ ତାହା ପୋଛିବା ପାଇଁ ସେ ମନ ବଳାଉ ନ ଥିଲେ । ଏଥିରୁ ବାପୁଜୀଙ୍କୁ ଯେଉଁ ଶିକ୍ଷା ମିଳିଥିଲା ତାହାକୁ ସେ ଭବିଷ୍ୟତରେ ରାଜନୀତିରେ ପ୍ରୟୋଗ କରିଥିଲେ । ଜନସାଧାରଣଙ୍କ ହିତ ପାଇଁ ବ୍ରିଟିଶ୍‍ ସରକାରଙ୍କ ଆଇନ ନ ମାନିବା ଓ ଅଦାଲତରେ ଆଇନ-ଅମାନ୍ୟକାରୀ ଆତ୍ମପକ୍ଷ ସମର୍ଥନ ନ କରିବା ପାଇଁ ଗାନ୍ଧିଜୀ ଯେଉଁ ନୀତି ଗଢ଼ିଥିଲେ ତାହା ତାହାଙ୍କ ପାରିବାରିକ ଜୀବନର ସଦୃଶ ନୁହେଁ କି ?

ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ପଢ଼ିବା ବେଳେ ବାପୁଜୀ ଓ ତାଙ୍କର ବଡ଼ ଭାଇଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ବିବାହ ବଡ଼ ଭାଇଙ୍କ ଶିକ୍ଷାରେ ବାଧା ଜନ୍ମାଇଲା । ସେ ବିଦ୍ୟାଳୟ ଛାଡ଼ିଲେ, କିନ୍ତୁ ବାପୁଜୀଙ୍କ ଚିତ୍ତକୁ ବିଚଳିତ କରିପାରିଲା ନାହିଁ । କାହିଁକି ? ନିର୍ଲିପ୍ତ ଭାବରେ ଜୀବନ ଅତିବାହିତ କରିବା ତାହାଙ୍କର ସ୍ୱଭାବସିଦ୍ଧ ହୋଇଥିଲା । ସ୍ତ୍ରୀ ସଙ୍ଗରେ ଥିବାବେଳେ ସେ ଇନ୍ଦ୍ରିୟାସକ୍ତ ହେଉଥିଲେ । ଅନ୍ୟବେଳେ ଇନ୍ଦ୍ରିୟାସକ୍ତି ତାହାଙ୍କ ଚିତ୍ତରେ ସ୍ଥାନ ପାଉ ନ ଥିଲା । ଏଣୁ ସେ ଭଲ ପଢ଼ୁଥିଲେ, ପୁରସ୍କାର ପାଇଥିଲେ ଓ ବୃତ୍ତି ପାଇଥିଲେ । ପୁରସ୍କାର ବା ବୃତ୍ତି ପାଇଲେ ତାହାଙ୍କ ହୃଦୟ ଆନନ୍ଦରେ ଉତ୍‌ଫୁଲ୍ଲ ନୋହି ଆଶ୍ଚର୍ଯ୍ୟରେ ଅଭିଭୂତ ହୋଇ ପଡ଼ୁଥିଲା । ଯାହାର ଅହଙ୍କାର ଥାଏ କାର୍ଯ୍ୟ ସିଦ୍ଧିରେ ସେ ଆନନ୍ଦରେ ନାଚେ, ବାପୁଜୀଙ୍କର ଅହଙ୍କାର ନ ଥିଲା । ଉତ୍‌ଫୁଲ୍ଲ ହେବେ କାହିଁକି ? ‘‘ମନ ପ୍ରସାଦଃ ସୌମ୍ୟତ୍ୱଂ ମୌନମାତ୍ମା ବିନିଗ୍ରହଃ । ଭାବସଂଶୁଦ୍ଧି ରିତ୍ୟେତତ୍ତପୋ ମାନସମୁଚ୍ୟତେ ।।’’ –ମନର ପ୍ରସନ୍ନତା, ସୌମ୍ୟତା, ମୌନଓ ଆତ୍ମସଂଯମ ଯାହାର ଥାଏ ସେ ଇଷ୍ଟକର ଘଟନା ଘଟିଲେ ଉତ୍‌ଫୁଲ୍ଲ ଅଥବା ଅନିଷ୍ଟକର ଘଟନା ଘଟିଲେ ଶୋକରେ ଅଧୀର ହୁଏ ନାହିଁ । କିନ୍ତୁ ଅନ୍ୟାୟର ବିରୋଧରେ ସେ ଚିର ବିଦ୍ରୋହୀ ଥିଲେ । ଧର୍ମିଷ୍ଠ ଓ ନ୍ୟାୟନିଷ୍ଠ ବ୍ୟକ୍ତି ପକ୍ଷରେ ଏହା ସ୍ୱଭାବସିଦ୍ଧ । କୌଣସି ଶିକ୍ଷକ ଗାଳି ଦେଲେ ସେ ସହି ପାରୁ ନ ଥିଲେ । ମାଡ଼ ଖାଇବାଟା ତା’ଙ୍କୁ ଯେତେ କାଟୁ ନ ଥିଲା, ଦୋଷ ଘଟିଥିବାର ଜାଣି ପାରିଲେ ତାହାଙ୍କୁ ଅଧିକ କାଟୁଥିଲା । କେହି ଦୋଷ ଦେଖାଇଲେ ତାହାଙ୍କୁ ଯେ ସଂଶୋଧନ କରେ ସଂସାରରେ ସେ ଏକା ବଡ଼ ଲୋକ ହୁଏ । (Great men hear of their faults and mend their ways).

ସଂସର୍ଗର ପ୍ରଭାବରେ ମନୁଷ୍ୟର ଚରିତ୍ର ଗଢ଼ି ହୋଇ ଯାଏ । ବାପୁଜୀଙ୍କ ପକ୍ଷରେ ସର୍ବଦା କେବଳ ସାଧୁ-ସଂସର୍ଗ ଥିଲା, ଏପରି ନୁହେଁ । ଇଂରେଜୀ ଶିକ୍ଷାର ପ୍ରଭାବରେ ଦଳେ ସମାଜ-ସଂସ୍କାରକ ଏ ଦେଶରେ ବାହାରି ଥିଲେ । ହୃଦୟ ମଧ୍ୟରେ କି ମହତ୍ ଗୁଣ ଥିବାରୁ ଇଂରେଜ ଜାତି ବଡ଼ ହୋଇଥିଲେ ତାହା ସେମାନେ ବୁଝି ନ ପାରି ଇଂରେଜ ଜାତି ପରି ମଦମାଂସ ଖାଇଲେ ଦେଶ ସଭ୍ୟ ହୋଇ ପାରିବ ବୋଲି ସେହି ସଂସ୍କାରକମାନଙ୍କ ମନରେ ଧାରଣା ଜନ୍ମିଥିଲା-। ଉକ୍ତ ସଂସ୍କାରକ ଦଳରୁ ଜଣେ ବାପୁଜୀଙ୍କ ବନ୍ଧୁ ହୋଇ ପଡ଼ିଲେ । ବାପୁଜୀ ବନ୍ଧୁଙ୍କୁ ସୁଧାରିବା ପାଇଁ ଆଶା ପୋଷିଥିଲେ । କିନ୍ତୁ ନିଜେ କାଳର ସ୍ରୋତରେ ଭାସିବା ଦଶା ଉପସ୍ଥିତ ହେଲା । ପିତା-ମାତାଙ୍କ ଅଜଣାରେ ପାଞ୍ଚଥର ଏକ ବର୍ଷ ମଧ୍ୟରେ ସେ ବନ୍ଧୁଙ୍କ ପାଲରେ ପଡ଼ିଥିଲେ । କିନ୍ତୁ ଉକ୍ତ କାଳ ମଧ୍ୟରେ ନିଜର ସ୍ୱଭାବକୁ ମନ ମଧ୍ୟରେ ସେ ବାଣ୍ଟୁଥିଲେ । ତାହାଙ୍କର କୁଳ ବୈଷ୍ଣବ ଧର୍ମାବଲମ୍ବୀ । ମଦମାଂସର ସୀମା ମାଡ଼ିବେ ନାହିଁ, ପୁଣି ସମସ୍ତଙ୍କ ଅଜଣାରେ କୌଣସି କାର୍ଯ୍ୟ କରିବା କାପୁରୁଷର ଲକ୍ଷଣ । ଏହିପରି ନାନା କଥା ଚିନ୍ତା କରି ସମାଜ ଗର୍ହିତ ବ୍ୟବହାର ଛାଡ଼ି ଦେଇଥିଲେ । ଯୌବନକାଳ ଉଚ୍ଛୃଙ୍ଖଳ । ପିଲାଦିନୁ ହୃଦୟରେ ଭକ୍ତିର ବୀଜ ନ ଥିଲେ ସେ କାଳ ସ୍ରୋତରେ ଭାସି ଯାଇଥାଆନ୍ତେ । ମହାମାନବିକତା ତାହାଙ୍କ ଠାରେ ଫୁଟି ନ ଥାଆନ୍ତା । ଧର୍ମର ବିପ୍ଳବ ଭାରତରେ ଚିରକାଳ ଲାଗି ରହିଥିଲା । ପରିଶେଷରେ ଭକ୍ତି ସବୁ ଧର୍ମର ସାର ବୋଲି ଅବଧାରିତ ହେବାରୁ ସମସ୍ତ ବିପ୍ଳବ ଶାନ୍ତ ହେଲା । ଭକ୍ତି ଥିଲେ ଯେ କୌଣସି ଧର୍ମ ମନୁଷ୍ୟ ପକ୍ଷରେ କଲ୍ୟାଣକର । ‘‘ଆକାଶାତ୍ ପତିତଂ ତୋୟଂ ଯଥା ଗଚ୍ଛତି ସାଗରଂ; ସର୍ବ ଦେବଂ ନମସ୍କାରେ କେଶବଂ ପ୍ରତିଗଚ୍ଛତି ।’’ ବର୍ଷା ହେଲେ ଆକାଶରୁ କେତେ ସ୍ଥାନରେ କେତେ ପାଣି ପଡ଼େ । କିନ୍ତୁ ସବୁ ବୃଷ୍ଟି-ବିନ୍ଦୁ ସାଗରର ଗର୍ଭରେ ଯାଇ ମିଳିତ ହୁଏ । ସେପରି ଯେ କୌଣସି ଧର୍ମ ଆଶ୍ରୟ କରି ସେହି ଧର୍ମର ଦେବତାଙ୍କୁ ଭକ୍ତି ସହକାରେ ପ୍ରାର୍ଥନା କଲେ ସେହି ପ୍ରାର୍ଥନା ଏକ ଅଦ୍ୱିତୀୟ ଈଶ୍ୱରଙ୍କ ଠାରେ ଯାଇ ପହଞ୍ଚିବ । ଏ ଜ୍ଞାନ ସେତେବେଳେ ଅବଶ୍ୟ ବାପୁଜୀଙ୍କର ନ ଥିଲା । କିନ୍ତୁ ପିତୃମାତୃ-ଭକ୍ତି ସେତେବେଳେ ତାହାଙ୍କର କର୍ଣ୍ଣଧାର ହୋଇଥିଲା । ବୁଦ୍ଧି ଯୌବନରେ ଅପରିପକ୍ୱ, ଇନ୍ଦ୍ରିୟର ତାଡ଼ନା ମଧ୍ୟ ଅଦମ୍ୟ । ଯଦି ହୃଦୟରେ ଭକ୍ତି ନ ଥାଏ ତେବେ ମନୁଷ୍ୟ ଅନାୟାସରେ ବାଟବଣା ହୁଏ । କେବଳ ଭକ୍ତିର ସାହାଯ୍ୟରେ ବାପୁଜୀ ଉଦ୍ଧାର ପାଇଲେ । ସଙ୍ଗେ ସଙ୍ଗେ ତହିଁରୁ ଶିକ୍ଷା ଲାଭ କଲେ । କାହାରି ସଙ୍ଗରେ ଘନିଷ୍ଠ ବନ୍ଧୁ ହେଲେ ତାହାର ଦୋଷକୁ ଆମେ ଯେତେ ଶୀଘ୍ର ଗ୍ରହଣ କରୁ ତାହାର ଗୁଣକୁ ତେତେ ଶୀଘ୍ର ଶିଖିବା ପାଇଁ ଆମେ ଉଦ୍ୟମ କରୁ ନାହୁଁ, ଏଣୁ ଆତ୍ମାରେ ପରମେଶ୍ୱରଙ୍କୁ ବନ୍ଧୁ କରି ରଖିବାକୁ ହେଲେ ଅରଣ୍ୟରେ ଏକାକୀ ରହିବା ଉଚିତ ଅଥବା ବିଶ୍ୱ ମାନବ ପ୍ରତି ମିତ୍ରତା କରିବା ଉଚିତ । କିନ୍ତୁ କୌଣସି ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ସଙ୍ଗେ ଘନିଷ୍ଟ ବନ୍ଧୁତା କରିବା ଉଚିତ ନୁହେଁ । ଏହିପରି ଅନ୍ତର୍ଯ୍ୟାମୀ ପୁରୁଷଙ୍କୁ ସେ ଅନ୍ତରରେ ଚିହ୍ନି ପାରିଥିଲେ–‘‘ସକଳ ଭୂତେ ମୁଁ ବସଇ । ଅନ୍ତରେ ଅନ୍ତର୍ଯ୍ୟାମୀ ହୋଇ’’ ।

ବାପୁଜୀଙ୍କ ପିତୃ-ବିୟୋଗ ଉତ୍ତାରୁ ତାହାଙ୍କୁ କଲେଜରେ ପଢ଼ିବାକୁ ହେଲା । କିନ୍ତୁ ବି: ଏ: ପାସ୍ କରିବା ପର୍ଯ୍ୟନ୍ତ ସେ କଲେଜରେ ପଢ଼ି ନାହାନ୍ତି । ପ୍ରଥମ ସନ୍ତାନ ଜନ୍ମର ଅଳ୍ପ କେତେ ମାସ ଉତ୍ତାରେ ତାହାଙ୍କୁ ବିଲାତ ଯିବାକୁ ପଡ଼ିଲା । ସେତେବେଳେ ବିଲାତ ଯିବା ଲୋକ ଜାତି ବାସନ୍ଦ ହେଉଥିଲା, ଜାତି ଭାଇମାନେ ରୋକିଲେ । କିନ୍ତୁ ବାପୁଜୀ ତାଙ୍କ ମନା ଘେନିଲେ ନାହିଁ । ତା’ଙ୍କ ମା’ଙ୍କଠାରୁ ଅନୁମତି ପାଇ ନ ଥିଲେ ସେ ବିଲାତ ଯାଇପାରି ଥାଆନ୍ତେ କି ନାହିଁ, କହି ହେବ ନାହିଁ । ମା’ଙ୍କୁ ରାଜି କରାଇବା ପାଇଁ ବାପୁଜୀଙ୍କର ଯେଉଁ ଉଦ୍ୟମ ତାହା ତାହାଙ୍କ ମାତୃଭକ୍ତିର ନିଦର୍ଶନ । ମଦମାଂସ ଖାଇବେ ନାହିଁ ବୋଲି ଶପଥ କରିବାରୁ ମାଆ ତା’ଙ୍କୁ ଅନୁମତି ଦେଇଥିଲେ-। ଇଂରାଜୀ ୧୮୮୮ ସାଲ ସେପ୍ଟେମ୍ବର ୪ ତାରିଖ ଦିନ ବମ୍ୱେଇ ଠାରୁ ସେ ବିଲାତ ଯାତ୍ରା କରିଥିଲେ । ବିଲାତରେ ନିଜ ଶପଥକୁ ଅକ୍ଷରେ ଅକ୍ଷରେ ପାଳିଥିଲେ । ନିଜର ସତ୍ୟ ରକ୍ଷା କରିବା ପାଇଁ ତାହାଙ୍କର ଯେଉଁ ପଣ ତାହା ରାମଚରିତ ପାଠର ପ୍ରଭାବରେ ଘଟିଥିଲା । କୌଣସି ପୁସ୍ତକ ପଢ଼ିବାବେଳେ ଯେଉଁ କଥା ଜାଣିଲେ ଚିତ୍ତ ପ୍ରସାଦ-ଗୁଣରେ ଅଭିଭୂତ ହୁଏ ସେହି କଥା ଅନୁସାରେ ଜୀବନ ଅତିବାହିତ କରିବା ପାଇଁ ଉଦ୍ୟମ କଲେ ଯଥାର୍ଥ ମାନବିକତାର ବିକାଶ ଘଟେ-। କଥା ସହିତ କାର୍ଯ୍ୟର ସାମଞ୍ଜସ୍ୟ ସର୍ବଦା ରହିବା ଉଚିତ । ବାପୁଜୀ ବିଲାତରେ ଥିବା ବେଳେ ତାଙ୍କର ମା ପାଖରେ ନ ଥିଲେ । ସେ ମଦମାଂସ ଖାଇଥିଲେ ମା ଜାଣିପାରି ନ ଥାଆନ୍ତେ । ତା’ଙ୍କର କିଛିକ୍ଷତି ଘଟି ନ ଥାଆନ୍ତା । କିନ୍ତୁ ସତ୍ୟ ରକ୍ଷା କରିବା ସାର ଧର୍ମ ବୋଲି ବିଶ୍ୱାସ ଜନ୍ମିଥିବାରୁ ସେ ସତ୍ୟ-ଭ୍ରଷ୍ଟ ହୋଇ ନ ଥିଲେ ।

ବିଲାତରେ ରହି ଆଇନ ବହି ପଢ଼ିବା ସଙ୍ଗେ ସଙ୍ଗେ ବାପୁଜୀ ଅନ୍ୟ ବହିମାନ ମଧ୍ୟ ପଢ଼ୁ ଥାଆନ୍ତି । ଯାହା ପଢ଼ନ୍ତି ତାହା କି ପରିମାଣରେ ସତ୍ୟ ତାହା ମନ ମଧ୍ୟରେ ସେ ସର୍ବଦା ବାଣ୍ଟୁ ଥାଆନ୍ତି । ଖାଦ୍ୟ-ବିଚାର ସମ୍ବନ୍ଧରେ ସେ ଅନେକ ବହି ପଢ଼ିଥିଲେ । ସୋଲ୍‌ଟଙ୍କ ବହି ପଢ଼ି ନିରାମିଷ ଅନ୍ନ ଆହାର କରିବା ଶ୍ରେୟସ୍କର ବୋଲି ସେ ମଣିଥିଲେ । ହାଉଆଡ୍‍ ଉଇଲିଅମଙ୍କ ‘ଆହାର ନୀତି’ ନାମକ ବହିରେ ପୃଥିବୀରେ ମହାତ୍ମାମାନେ ନିରାମିଷାଶୀଓ ଅନ୍ନାହାରୀ ହୋଇଥିବାର କଥା ଲେଖାଥିଲା, ଏହା ତାହାଙ୍କ ପ୍ରାଣକୁ ଅଧିକ ସ୍ପର୍ଶ କରିଥିଲା । ଏ ପର୍ଯ୍ୟନ୍ତ ଧର୍ମ ବିଶ୍ୱାସରେ ବାପୁଜୀ ନିରାମିଷାଶୀ ଥିଲେ । ବର୍ତ୍ତମାନ ସ୍ୱାସ୍ଥ୍ୟ-ଦୃଷ୍ଟିରୁ ନିରାମିଷ ଖାଦ୍ୟପ୍ରତି ତାହାଙ୍କର ଆସ୍ଥା ଦୃଢ଼ତର ହେଲା । ମିତାହାର ଚରିତ୍ର ଶୁଦ୍ଧିର ପ୍ରଧାନ କାରଣ–ଏ କଥା ବାପୁଜୀଙ୍କ ଜୀବନରେ ପ୍ରମାଣିତ ହୋଇଅଛି ।

କେବଳ ଗୋଟିଏ ନୀତି ମାନି ଚଳିଲେ ମହାମାନବିକତା ଫୁଟେ ନାହିଁ । ସତ୍ୟ ରକ୍ଷା କରିବା, ଅନ୍ତରରେ ଭକ୍ତି ବହିବା, ଚିତ୍ତ ପ୍ରସନ୍ନ ରଖିବା, ମିତାହାରୀ ହେବା ପ୍ରଭୃତି ପୂର୍ବୋକ୍ତ ସ୍ୱଭାବ ସହିତ ମିତବ୍ୟୟୀ ହେବା ମଧ୍ୟ ଉଚିତ । ବିଲାତରେ ରହି ନାଚ ଶିଖି, ବାଜା ବଜାଇବା ଜାଣି ସଭ୍ୟ ହେବା ପାଇଁ ବାପୁଜୀଙ୍କର ପହିଲେ ମନ ବଳିଥିଲା । କିନ୍ତୁ ତିନିମାସ ଉତ୍ତାରେ ତାଙ୍କର ମନ ବଦଳି ଯାଇଥିଲା । ଛାତ୍ର ଜୀବନରେ ଅଧ୍ୟୟନ ପ୍ରଧାନ କର୍ତ୍ତବ୍ୟ ମଣି ନାଚିବା ବଜାଇବା ଛାଡ଼ି ଦେଲେ । ସେ ଯାହା ବ୍ୟୟ କରୁଥିଲେ ତାହାର ହିସାବ ସେ ଲେଖି ରଖୁଥିଲେ । ନାଚ-ବଜା ଶିଖିବାରେ ତା’ଙ୍କର ଅଧିକ ଖର୍ଚ୍ଚ ପଡ଼ିଗଲା । ଏଣୁ ଚିତ୍ତରେ ବାଣ୍ଟି ତାହା ଛାଡ଼ି ଦେଲେ । ଯେଉଁଠାରୁ କଲେଜକୁ ଯିବାପାଇଁ ଗାଡ଼ିଭଡ଼ା ଲାଗିବ ନାହିଁ, ସେଠାରେ ବସାକରି ରହିଲେ । ନିଜେ ରୋଷେଇ କରି ଖାଇଲେ । କାରଣ, ନିଜ ପରିବାରଙ୍କ କଥା ଯେତେବେଳେ ସେ ଭାବିଥିଲେ ସେତେବେଳେ ତାଙ୍କର ଚେତା ଆସିଥିଲା । ଦେଶରେ ମାଆ-ଭାଇ କଷ୍ଟରେ ଦିନ କାଟୁଥିବା ବେଳେ ହୋଟଲରେ ବା କାହାରି ଗୃହରେ ରହି ଲଣ୍ଡନ ସହରରେ ଆରାମ ଉପଭୋଗ କରିବା ଶ୍ରେୟସ୍କର ନୁହେଁ ବୋଲି ଗାନ୍ଧିଜୀ ମଣିଥିଲେ । ପ୍ରଥମେ ଆତ୍ମୀୟ ସ୍ୱଜନଙ୍କ କ୍ଳେଶ ଏପରି ଉପଲବ୍‌ଧି କରି ପାରି ଥିବାରୁ ଭବିଷ୍ୟତରେ ବିଶ୍ୱ ମାନବର କ୍ଳେଶ ସେ ହୃଦୟଙ୍ଗମ କରି ପାରିଥିଲେ । ଏଣୁ ବିଶ୍ୱର ଆତ୍ମା ସଙ୍ଗେ ନିଜ ଆତ୍ମାକୁ ମିଳାଇବାରେ ସମର୍ଥ ହୋଇ ମହାମାନବରେ ପରିଣତ ହେଲେ ।

ମନୁଷ୍ୟଠାରେ ଲଜ୍ଜା, ଭୟ ପ୍ରଭୃତି ଗୁଣ ମଧ୍ୟ ଅଛି । ସେଗୁଡ଼ିକ ନିରର୍ଥକ ନୁହେଁ । ଲଜ୍ଜା ଓ ଭୟ ନ ଥିଲେ ମନୁଷ୍ୟ ଉଚ୍ଛୃଙ୍ଖଳ ହୋଇପଡ଼େ । ବିଚାର କରିବାର କ୍ଷମତା ଜନ୍ମିବ କାହୁଁ ? ବାପୁଜୀ ପହିଲେ ପହିଲେ ବିଲାତରେ ସଭା ସମିତିରେ ବକ୍ତୃତା ଦେବା ପାଇଁ ସଂକୋଚ ବୋଧ କରୁଥିବା କଥା ସେ ଆତ୍ମ ଚରିତରେ ଲେଖି ଅଛନ୍ତି । କାଳେ ଭାଷାରେ ଦୋଷ ରହିବ ଅଥବା ଅଯଥା କଥା କହି ପକାଇବେ–ଏହି ଆଶଙ୍କାରେ ତାହାଙ୍କ ହୃଦୟ ସଦା ଘାଣ୍ଟି ହେଉଥାଏ । ଏଣୁ ବଡ଼ ବଡ଼ ଲେଖକଙ୍କ ରଚନା ପଢ଼ି ଯଥାର୍ଥ କଥା ସଂଯତ ଭାଷାରେ କହିବା ପାଇଁ ସେ ଉଦ୍ୟମ କରିଥିଲେ । ଅତୀତ ବକ୍ତା ବା ଲେଖକଙ୍କର ମନୋହର ଅଭିବ୍ୟକ୍ତିକୁ ଆୟତ୍ତ କରି ପାରିଲେ ସୁଲେଖକ ବା ସୁବକ୍ତା ହେବା କଠିନ କଥା ନୁହେଁ । ଓଳିଆରୁ ପଡ଼ିବା ବେଳେ ଧାନ ଗଜା ହୋଇ ନ ଥାଏ । ମାତୃଗର୍ଭରୁ ପିଲା ଭାଷା ଶିଖି ନ ଥାଏ । ଜଗତରେ ଜନ୍ମ ଲଭି ବୟୋଜ୍ୟେଷ୍ଠମାନଙ୍କ ଠାରୁ କଥା କହିବା ରୀତି ସେ ଶିଖେ । କିନ୍ତୁ ଅପରକୁ ମୁଗ୍‌ଧ କରି ପାରିବା ଭଳି ଭାଷା ଶିଖିବାକୁ ହେଲେ ଅତୀତ ଲେଖକମାନଙ୍କ ଲେଖା ପଢ଼ିବା ଉଚିତ । ସେମାନଙ୍କ ଅଭିବ୍ୟକ୍ତିକୁ ସୁନ୍ଦରତର କରିବା ଓ ନିଜେ ସୁନ୍ଦର ଅଭିବ୍ୟକ୍ତି ସୃଷ୍ଟି କରିବା ଶକ୍ତି ଅତୀତ ସାହିତ୍ୟ ନ ପଢ଼ିଲେ ଜନ୍ମେ ନାହିଁ । ଲାଜଭୟ ନ ଥିଲେ ସଭ୍ୟତାର ବିକାଶ ଘଟେ ନାହିଁ, ଲାଜଭୟ ସଭ୍ୟତା-ବିକାଶ ପକ୍ଷରେ ଯେପରି ଚରିତ୍ର-ଗଠନରେ ମଧ୍ୟ ସେପରି ଅନୁକୂଳ । ଲାଜଭୟ ମନୁଷ୍ୟର ଜୀବନକୁ ସଂଯତ କରେ । ଜୀବନ ସଂଯତ ହେଲେ ତତ୍ପରେ ଜ୍ଞାନର ଉତ୍ସ ସ୍ୱତଃ ଉଛୁଳି ପଡ଼େ । ବାପୁଜୀଙ୍କର ଜୀବନରେ ଏହାର ପ୍ରତ୍ୟକ୍ଷ ପ୍ରମାଣ ଅଛି । ସେ ନାନାବିଧ ଚରିତ୍ର-ପରୀକ୍ଷାରୁ ଉତ୍ତୀର୍ଣ୍ଣ ହେବା ଉତ୍ତାରୁ ୧୮୯୧ ସାଲରେ ବାରିଷ୍ଟର ପଦ ପାଇଲେ । ତତ୍ପରେ ବିଲାତରୁ ଫେରିଥିଲେ । ‘‘ତୁଳସୀ ଦି ପତ୍ରରୁ ବାସେ’’-। ବାଲ୍ୟକାଳର ଅଭ୍ୟାସ ରକ୍ତରେ ବଦ୍ଧମୂଳ ହେଲେ ତେଣିକି ମନୁଷ୍ୟ ଯନ୍ତ୍ର ପରି ଚାଳିତ ହୁଏ । ବିଲାତରେ ପୁସ୍ତକ ପଢ଼ି ପରୀକ୍ଷା ଦେବା ଛାତ୍ର ଜୀବନ ଶେଷ କରି ଜୀବନର କର୍ମ-ଜ୍ଞାନ ପଢ଼ା ଆରମ୍ଭ କରିଥିଲେ ।

Image

 

ସତ୍ୟ ଲାଭ-ଜୀବନ

 

ବିଲାତରୁ ଫେରି ବାପୁଜୀ ବୋମ୍ବେଇରେ ପହଞ୍ଚିଲେ । ଫେରୁଥିବାର ସମ୍ବାଦ ପାଇ ତା’ଙ୍କ ବଡ଼ ଭାଇ ସେଠାକୁ ଯାଇଥିଲେ । ଫେରିବା ପୂର୍ବରୁ ତାହାଙ୍କର ମାତୃ-ବିୟୋଗ ଘଟିଥିଲା । କାଳେ ମନକଷ୍ଟରେ ପଢ଼ାପଢ଼ିରେ ବ୍ୟାଘାତ ଘଟିବ–ଏପରି ଆଶଙ୍କା କରି ବଡ଼ ଭାଇ ବିଲାତକୁ ମାତୃ-ବିୟୋଗ ସମ୍ବାଦ ପଠାଇ ନ ଥିଲେ । ବୋମ୍ବେଇରେ ପହଞ୍ଚିବାରୁ ବାପୁଜୀଙ୍କୁ ସମ୍ବାଦ ଦେଲେ-। ବାପୁଜୀ ମର୍ମାହତ ହେଲେ । କିନ୍ତୁ ଅଶ୍ରୁ ତ୍ୟାଗ ନ କରି ଘରକୁ ଆସି ମାତୃ-ଅଶୌଚର ଶୁଦ୍ଧିକ୍ରିୟା ପାଳିଲେ । ବିଲାତ ଯାଇଥିବା ଅପରାଧରେ ଦଳେ ତାହାଙ୍କୁ ଜାତି ବାସନ୍ଦ କଲେ । ଆଉ ଦଳେ କୌଣସି ଆପତ୍ତି କରି ନ ଥିଲେ । ବଡ଼ ଭାଇଙ୍କ ଅନୁରୋଧରେ ଜାତିରେ ମିଶିବା ପାଇଁ ବାପୁଜୀଙ୍କୁ ସଂସ୍କାର-କ୍ରିୟା ଆଚରିବାକୁ ପଡ଼ିଥିଲା । ଫଳରେ ସମାଜରେ ନୂତନ ଦଳର ସୃଷ୍ଟି ହେଲା ନାହିଁ । ଯେଉଁ ସଂସ୍କାରକ ସମାଜକୁ ଅବଜ୍ଞା କରି କୁସଂସ୍କାର ଦୂର କରିବା ନିମନ୍ତେ ଜିଦ୍‌ଧରି ବସନ୍ତି ସେମାନେ ସମାଜର ଉପକାର କରିବା ଦୂରେ ଥାଉ, ବରଂ ଅପକାର କରି ବସନ୍ତି ।

 

ସାଧୁ ସଙ୍ଗରେ ମନୁଷ୍ୟର ଚରିତ୍ରର ଯେ ସାଧୁ ହୁଏ, ତାହାରି ଜ୍ୱଳନ୍ତ ପ୍ରମାଣ ବାପୁଜୀଙ୍କ ଜୀବନରେ ଘଟିଛି । ରେବାଶଙ୍କର ଜଗଜୀବନଙ୍କ ସଙ୍ଗ ଲାଭ କରି ସଂସାରର କର୍ମ-କ୍ଷେତ୍ରରେ ହରିଙ୍କୁ ଉପଲବ୍‌ଧି କରିବାର ବିଶ୍ୱାସ ବାପୁଜୀଙ୍କ ହୃଦୟରେ ଜାଗିଥିଲା ।

 

‘‘ହସରେ ଖେଳରେ ହରିଙ୍କି ଦେଖିବି ଯେବେ

ଜୀବନ ମୋହର ସଫଳ ମଣିବି ତେବେ ।’’

 

ଜଗଜୀବନଙ୍କ ଭଜନରୁ ଉଦ୍ଧୃତ ପଦଟି ବାପୁଜୀଙ୍କ ଚିତ୍ତରେ ଦୃଢ଼ରୂପେ ଅଙ୍କିତ ହୋଇ ଯାଇଥିଲା । ଏ ଭଜନ ଅନ୍ୟ କାହାରି ମୁଖରୁ ଶୁଣିଥିଲେ ତାହାଙ୍କର ପ୍ରାଣସ୍ପର୍ଶୀ ହୋଇ ପାରି ଥାଆନ୍ତା କି ନା, ସନ୍ଦେହଜନକ । ଜଗଜୀବନଙ୍କର ଅଗାଧ ଶାସ୍ତ୍ରଜ୍ଞାନ ଥିବା ସଙ୍ଗେ ସଙ୍ଗେ ଚରିତ୍ର ଆଦର୍ଶ ସ୍ଥାନୀୟ ଥିଲା । ଏଣୁ ତାଙ୍କ ଭଜନ ବାପୁଜୀଙ୍କ ହୃଦୟକୁ ଅନାୟାସରେ ଆକର୍ଷଣ କରି ପାରିଥିଲା । ଅଗାଧ ଧନ ବା ପାଣ୍ଡିତ୍ୟ ଥିଲେ ମଧ୍ୟ ଚରିତ୍ର-ଶୁଦ୍ଧି ନ ଥିଲେ ଅପରର ପ୍ରାଣକୁ ଧନ ବା ପାଣ୍ଡିତ୍ୟରେ ମୁଗ୍‌ଧ କରି ହୁଏ ନାହିଁ । ଆଦର୍ଶ ଚରିତ୍ର ମନୁଷ୍ୟକୁ ମୁକୁଟ ହୀନ ଅଧୀଶ୍ୱରରେ ପରିଣତ କରିପାରେ । ଜଗଜୀବନଙ୍କଠାରୁ ବାପୁଜୀ ଶିଖିଥିଲେ–

‘‘ଆଶା ନ କରି କର୍ମଫଳେ, ଶରଣ ମୋ ପଦ କମଳେ । ’’

 

ବିଲାତରୁ ଫେରି ବାପୁଜୀଙ୍କୁ ସଂସାର-ଜଞ୍ଜାଳ ମୁଣ୍ଡାଇବାକୁ ପଡ଼ିଲା । ନିଜ ପୁଅଟିର ଓ ଭାଇଙ୍କ ପୁଅମାନଙ୍କ ଶିକ୍ଷାଭାର ସ୍ୱହସ୍ତରେ ଆନନ୍ଦରେ ଗ୍ରହଣ କରିଥିଲେ । ବାଳକବାଳିକାମାନଙ୍କ ଗହଣରେ ଚିତ୍ତର ପ୍ରସାଦ-ଗୁଣ ବଢ଼େ । କିନ୍ତୁ ଗୃହ-ଖର୍ଚ୍ଚ ପାଇଁ ଅର୍ଥର ପ୍ରୟୋଜନ ପଡ଼ିବାରୁ ବାରିଷ୍ଟରି କରିବା ପାଇଁ ବୋମ୍ବେଇ ଯିବାକୁ ବାଧ୍ୟ ହେଲେ । ଓକିଲାତି କରିବା ତାଙ୍କ ଚରିତ୍ର-ବିରୁଦ୍ଧ, ଏହା ସେ ବୁଝି ପାରି ନ ଥିଲେ । କୂଟନୀତିରେ ଅନଭିଜ୍ଞ ବ୍ୟକ୍ତି ଓକିଲ ବୃତ୍ତିକୁ ଅନୁପଯୁକ୍ତ । ବୋମ୍ବେଇରେ ଓକିଲବୃତ୍ତି ତାହାଙ୍କୁ ଆଦୌ ପୋଷେଇଲା ନାହିଁ । ସେଠାରୁ ରାଜକୋଟକୁ ଆସି ଓକିଲାତି ଆରମ୍ଭ କଲେ । ଏଠାରେ ଜୀବନର ପ୍ରଥମ ଧକ୍‌କା ତାହାଙ୍କୁ ଖାଇବାକୁ ପଡ଼ିଥିଲା । ଜଣେ ଇଂରେଜ ଅଫିସରଙ୍କ ଅଦାଲତରେ ତାହାଙ୍କ ଭାଇଙ୍କ ବିରୋଧରେ କୌଣସି ଅଭିଯୋଗ ଥିଲା । ସେ ସାହେବଟି ସହିତ ବିଲାତରେ ବାପୁଜୀଙ୍କର ପରିଚୟ ଥିଲା । ଭାଇଙ୍କ ସୁପାରିସ୍‍ରେ ଦୁଇଚାରି ପଦ କଥା କହିବା ପାଇଁ ବାପୁଜୀ ସାହେବଙ୍କ ପାଖକୁ ଗଲେ । କିନ୍ତୁ ସାହେବ ଦୁର୍ବ୍ୟବହାର କଲେ । କ୍ଷମତା ପାଇଲେ ମନୁଷ୍ୟ କିପରି ପଶୁ ପାଲଟି ଯାଏ ତାହା ବୁଝିବାକୁ ଆଉ ବାକି ରହିଲା ନାହିଁ । ଯାହା ହେଉ, ଏଠାରେ ବାପୁଜୀ ମାସିକ ପ୍ରାୟ ଟ୩୦୦ଙ୍କା ରୋଜଗାର କରିଥିଲେ । କିନ୍ତୁ ସେତେବେଳେ ସେଠାରେ ଯେଉଁ ପରିସ୍ଥିତି ଥିଲା ତହିଁରେ ବାସ କରିବାକୁ ତାହାଙ୍କୁ ସୁଖ ଲାଗିଲା ନାହିଁ, ଏହି ସମୟରେ ଏକ ମକଦ୍ଦମା ସଂକ୍ରାନ୍ତରେ ତାହାଙ୍କୁ ଆଫ୍ରିକା ଯିବାକୁ ପଡ଼ିଲା । ସେ ନେଟାଲରେ ଯାଇ ପହଞ୍ଚିଲେ । ଯାତ୍ରା ପୂର୍ବରୁ ତାହାଙ୍କର ଦ୍ୱିତୀୟ ସନ୍ତାନ ଜାତ ହୋଇ ସାରିଥିଲେ । ନେଟାଲରୁ ଡରବାନ କଚେରି ଦେଖିବାକୁ ଯାଇଥିଲେ । ମାଜିଷ୍ଟ୍ରେଟଙ୍କର ବାପୁଜୀଙ୍କ ଉପରେ ନଜର ପଡ଼ିଗଲା । ମୁଣ୍ଡରୁ ଟୋପି କାଢ଼ି ପକାଇବା ପାଇଁ ସାହେବ କହିଲେ । ବାପୁଜୀ ଟୋପି ନ କାଢ଼ି କଚେରି ଛାଡ଼ି ପଳାଇ ଆସି ସେଠାରେ ଶ୍ୱେତାଙ୍ଗମାନଙ୍କ ମଧ୍ୟରେ ପ୍ରବର୍ତ୍ତିତ ଭାରତୀୟ ବିଦ୍ୱେଷ ଅନୁସନ୍ଧାନରେ ଜାଣିଲେ ଓ ‘ପଗଡ଼ି କାଢ଼ିବା’ ହୁକୁମ ବିଷୟରେ ସେ ଖବର କାଗଜରେ ଖଣ୍ଡିଏ ଚିଠି ପ୍ରକାଶ କରିଥିଲେ, ଅନ୍ୟାୟ ବିରୁଦ୍ଧରେ ଲଢ଼େଇ କରିବା ପାଇଁ ଏଠାରେ ‘‘ଅୟମାରମ୍ଭାୟ ଶୁଭଂ ଭବତୁ’’ ହେଲା ।

 

ଗନ୍ତବ୍ୟ ସ୍ଥାନ ପ୍ରିଟୋରିଆ ଯିବା ବେଳକୁ ପଥରେ ରେଳ ଗାଡ଼ିରେ ଆଉ ଗୋଟିଏ ଘଟଣା ଘଟିଗଲା । ଜଣେ ଶ୍ୱେତାଙ୍ଗ ଯାତ୍ରୀ ଆସି ପ୍ରଥମ ଶ୍ରେଣୀ ଗାଡ଼ିରୁ ଉତ୍ତୁରି ଯିବାପାଇଁ ତାହାଙ୍କୁ କହିଲା । ସେ ଓହ୍ଲାଇ ନ ପଡ଼ିବାରୁ ପୁଲିସ ସାହାଯ୍ୟରେ ଧକ୍‌କା ଦିଆଇ ତାହାଙ୍କୁ ଉତ୍ତାରି ଦେଲା । ଏପରି ଲାଞ୍ଛନା ଆଫ୍ରିକାରେ କେବଳ ବାପୁଜୀ ଅନୁଭବ କଲେ ତାହା ନୁହେଁ । ଆମ ଭାରତବର୍ଷରେ କେତେ ବଡ଼ଲୋକ ଏପରି ଲାଞ୍ଛନା ସହି ଦ୍ୱାର କିଳି କାନ୍ଦନ୍ତି । କିନ୍ତୁ ଏ ଲାଞ୍ଛନା ବାପୁଜୀଙ୍କ ହୃଦୟରେ ପ୍ରତିକାର-ଚିନ୍ତାର ବୀଜ ରୋପଣ କରିଥିଲା । ଜେନେରାଲ ମେନେଜରଙ୍କ ପାଖକୁ ତାରଦ୍ୱାରା ଅଭିଯୋଗ ପଠାଇଥିଲେ । ତତ୍ପରେ ଚାର୍ଲସ୍‌ ଟାଉନରେ ପହଞ୍ଚି ସେଠାରୁ ଜୋହାନସବର୍ଗ ଯିବା ପଥରେ ସାମାନ୍ୟ ଗାଡ଼ିବାଲା ମଧ୍ୟ ତାହାଙ୍କୁ ଶ୍ୱେତାଙ୍ଗମାନଙ୍କ ସଙ୍ଗରେ ବସାଇ ଦେଲା ନାହିଁ । ଅଧିକ ଆଶ୍ଚର୍ଯ୍ୟର କଥା ଯେ ଶ୍ୱେତାଙ୍ଗଟି ବାପୁଜୀଙ୍କୁ ଛେଳି ବିଚାରି ତାହାଙ୍କ ପ୍ରତି ଯଥେଚ୍ଛା ବ୍ୟବହାର କରିବାକୁ ଲାଗିଲା । ବିଡ଼ି ଖାଇ ଧୂଆଁ ଛାଡ଼ିବାର ସୁବିଧା ପାଇଁ ବାହାର ଆସନରୁ ଉଠି ନିଜର ଭିତର ଆସନକୁ ଆସିବା ପାଇଁ ବାପୁଜୀଙ୍କୁ ଶ୍ୱେତାଙ୍ଗଟି କହିଲା । ବାପୁଜୀ ନ ଆସିବାରୁ ଉପରେ ବିଧା ବୃଷ୍ଟି କଲା ଓ ତାହାଙ୍କ ବାହାକୁ ଧରି ଓଟାରିଲା । କିନ୍ତୁ ବାପୁଜୀ ଜାଗା ପାଖ ପିତ୍ତଳ ବାଡ଼କୁ ଭିଡ଼ି ଧରି ଆସନ ଛାଡ଼ିଲେ ନାହିଁ, ଅନ୍ୟାନ୍ୟ ଯାତ୍ରୀମାନଙ୍କର ଦୟା ହେଲା । ସେମାନେ ଓଟାରିବା ପାଇଁ ବାରଣ କଲେ । ଏହିଠାରେ ଅହିଂସା ଲଢ଼େଇର ପ୍ରତ୍ୟକ୍ଷ ଫଳ ସେ ପ୍ରଥମେ ଅନୁଭବ କରିଥିଲେ । ନିଜ ଅନୁଭବ-ଜ୍ଞାନ ପ୍ରତି ପରର ଶତ ସମାଲୋଚନାରେ ଅନାସ୍ଥା ଜନ୍ମେ ନାହିଁ, ଏଣୁ ଅସହଯୋଗ-ଆନ୍ଦୋଳନର ଅହିଂସା-ମନ୍ତ୍ରକୁ ବିଳାସୀ ରାଜନୀତିଜ୍ଞମାନେ ଯେତେ ସମାଲୋଚନା କଲେ ମଧ୍ୟ ବାପୁଜୀ ତାହା ଛାଡ଼ୁ ନ ଥିଲେ । ସୁନାକୁ ଯେତିକି ପୋଡ଼ିବ ତେତିକି ସେ ଦାଉ ଦାଉ ଝଟକିବ । ଏଣୁ ଅତ୍ୟାଚାରିତ ହୋଇ ହିଂସାର ପ୍ରତିଶୋଧ ନେବା ପାଇଁ ଆଦୌ ତାଙ୍କର ପ୍ରବୃତ୍ତି ନ ଥିଲା ।

 

‘‘ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍‌ ।

ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।।’’

 

ଦୁଷ୍କୃତ ଲୋକଙ୍କୁ ମାରିବା ପାଇଁ ଓ ସାଧୁମାନଙ୍କୁ ତାରିବା ପାଇଁ ଈଶ୍ୱର ଅବତାର ଗ୍ରହଣ କରନ୍ତି । ଦୁଷ୍କୃତ ଲୋକ କିଏ, ନିଜର ଭୋଗ ବିଳାସ ପାଇଁ ନିରୀହ ଲୋକକୁ ଯେ ପୀଡ଼ା ଦିଏ ସେ ଦୁଷ୍କୃତ ଲୋକ । କୌଣସି ରାଜା ଆତ୍ମଦର୍ଶୀ ହେଲେ ସେ ଅସ୍ତ୍ରରେ ଦୁଷ୍କୃତ ଲୋକର ବିନାଶ କରିପାରେ । କିନ୍ତୁ ଭାରତରେ ସବୁ ରାଜାମାନେ ଯେତେବେଳେ ଅତ୍ୟାଚାରୀ ହେଲେ ସେତେବେଳେ ବୁଦ୍ଧ-ଅବତାର କେବଳ ଅହିଂସା ମନ୍ତ୍ର ପ୍ରଚାର କରିଥିଲେ । ଯୀଶୁଖ୍ରୀଷ୍ଟ ମଧ୍ୟ କେବଳ ଅହିଂସା-ମନ୍ତ୍ର ପ୍ରଚାର କରିଥିଲେ । ସେମାନଙ୍କ ଅହିଂସା ମନ୍ତ୍ର କ୍ରମଶଃ ଲୋକେ ଉପଲବ୍‌ଧି କଲେ ଓ ତାହା କୋଟି କୋଟି ନରନାରୀଙ୍କ ପ୍ରାଣ ଅଧିକାର କଲା । ସତ୍ୟ କେତେବେଳେ ହେଲେ ବିଲୁପ୍ତ ହୁଏ ନାହିଁ, ବାପୁଜୀ ଯଦି ଶ୍ୱେତାଙ୍ଗଙ୍କଠାରେ ପ୍ରତିହିଂସା ପ୍ରୟୋଗ କରି ଥାଆନ୍ତେ ତେବେ ସେଠାରେ ତାଙ୍କର ପ୍ରାଣହାନି ଘଟିବା ଅସମ୍ଭବ ନ ଥିଲା । ସେ କେବଳ ଅହିଂସା-ମନ୍ତ୍ର ଯୋଗୁଁ ପ୍ରାଣ ରକ୍ଷା ପାଇଲେ କହିବାକୁ ହେବ । ଯେ ପାଷାଣ୍ଡ ଆଘାତ କରିଥିଲା ପଛେ ତାହା ହୃଦୟର ଅବସ୍ଥା କିପରି ହେଲା ତାହା ଆମର ଜାଣିବାର ଉପାୟ ନାହିଁ । କିନ୍ତୁ ନିର୍ଦ୍ଦୋଷକୁ ଦଣ୍ଡ ଦେଇ ପ୍ରାଣ ଅନୁତପ୍ତ ହୁଏ କି ନା ତାହା ପାଠକମାନେ ନିଜ ହୃଦୟକୁ ପଚାରିବା ଉଚିତ ।

 

ବାପୁଜୀ ପ୍ରିଟୋରିଆରେ ପହଞ୍ଚିଲେ । ଭାରତୀୟମାନଙ୍କ ପ୍ରତି ସେଠାରେ କିପରି ଦୁର୍ବ୍ୟବହାର କରାଯାଏ ସେ ବିଷୟରେ ଦିନକୁ ଦିନ ତାଙ୍କର ଅଭିଜ୍ଞତା ବଢ଼ିଲା । ତାହାଙ୍କର ହୃଦୟରେ ସଂକୀର୍ଣ୍ଣତା ଆଦୌ ନ ଥିଲା । ଖ୍ରୀଷ୍ଟୀୟାନମାନଙ୍କ ସଙ୍ଗେ ମିଶିଲେ । ଗୀର୍ଜାକୁ ଗଲେ । ଖ୍ରୀଷ୍ଟ ଧର୍ମର ଅନେକ ଗ୍ରନ୍ଥ ପଢ଼ିଲେ । କିନ୍ତୁ ତାହାକୁ ନିରପେକ୍ଷ ସମାଲୋଚକ ହୋଇ ପଢ଼ୁ ଥାଆନ୍ତି-। ଖ୍ରୀଷ୍ଟୀୟାନମାନେ ହିନ୍ଦୁ ଧର୍ମ ଛାଡି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ପାଇଁ ଅନେକ ପ୍ରବର୍ତ୍ତାଇଲେ ମଧ୍ୟ ସେ ହିନ୍ଦୁ ଧର୍ମ ଛାଡ଼ି ପାରିଲେ ନାହିଁ । ମା ଲଗାଇ ଦେଇଥିବା ବେକର ତୁଳସୀ ମାଳି ଛିଣ୍ଡାଇ ଖ୍ରୀଷ୍ଟ ଧର୍ମ ଗ୍ରହଣ କଲେ ମା’କୁ ଅବମାନନା କରାହେବ ବୋଲି ତାହାଙ୍କର ପୂର୍ଣ୍ଣ ବିଶ୍ୱାସ ଥାଏ । ଗର୍ଭଧାରିଣୀ ମା ପ୍ରତି ପ୍ରଗାଢ଼ ଭକ୍ତି ନ ଥିଲେ ମାତୃଭୂମି ପ୍ରତି ଭକ୍ତି ଜନ୍ମି ଥାଆନ୍ତା କିପରି । ପ୍ରକୃତିର ଏକ ନିୟମରେ ବିଶ୍ୱ ପରିଚାଳିତ ହେଉଅଛି । ଯାହାର ହୃଦୟରେ ଭକ୍ତି ନ ଥିବାରୁ ଗର୍ଭଧାରିଣୀ ମା ପ୍ରତି ଅନାସ୍ଥା ଦେଖାଏ ସେ ଦେଶଭକ୍ତ ହେବା ଅସମ୍ଭବ । ପୁଣି ନିଜ ବିଶାଳ ହିନ୍ଦୁ ଧର୍ମର ତତ୍ତ୍ୱ ନ ବୁଝି ସହସା ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ଅବିବେକର କାର୍ଯ୍ୟ ହୋଇ ଥାଆନ୍ତା । ସେ ବିଶେଷ ବିଚାର କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରି ନ ଥିଲେ ବୋଲି ମୋର ବିଶ୍ୱାସ ହୁଏ ନାହିଁ । ସଚ୍ଚରିତ୍ରତା ଫଳରେ ମାନବ ଜାତିର ସାର ଧର୍ମର ଉତ୍ସ ସ୍ୱତଃ ତାହାଙ୍କ ହୃଦୟ-କନ୍ଦରରୁ ଉଛୁଳୁ ଥିଲା । ସାଧୁ ଜୀବନ ଯାପନ କରିବା ପ୍ରତ୍ୟେକ ଧର୍ମର ଚରମ ଲକ୍ଷ୍ୟ । ସାଧୁ ଜୀବନ ଯାପନ କଲେ ସଂକୀର୍ଣ୍ଣତା ବା ସାମ୍ପ୍ରଦାୟିକତା ସ୍ୱତଃ ଉତ୍ପାଟିତ ହେବ ।

 

ବାପୁଜୀ ପ୍ରିଟୋରିଆରେ ପହଞ୍ଚି ଭାରତୀୟମାନଙ୍କ ଦୁରବସ୍ଥା ଶୁଣି ଓ ପ୍ରତ୍ୟକ୍ଷ କରି ଆକୁଳ ହୋଇ ପଡ଼ିଲେ । ସେଠାକାର କୁଲି ଓ ଦୋକାନୀମାନଙ୍କୁ ଘେନି ସେ ଗୋଟିଏ ସଂଘ ଗଢ଼ିଲେ । ଇଂରାଜୀ ଭାଷାରେ ଅନଭିଜ୍ଞ କେତେକ ଲୋକଙ୍କୁ ପ୍ରତ୍ୟହ ଇଂରାଜୀ ମଧ୍ୟ ପଢ଼ାଇଲେ । ‘‘କୃପାଳୁ ସର୍ବଲୋକ ହିତ । ଶୁଚି ପବିତ୍ର ଦୃଢ଼ବ୍ରତ ।’’ ସବୁ ତାହାଙ୍କ ଠାରେ ଠୁଳ ହେବାର ଦେଖିଲୁ । ଲୋକଙ୍କ ଦୁର୍ଦ୍ଦଶା ଘୁଞ୍ଚାଇବା ପାଇଁ କର୍ତ୍ତୃପକ୍ଷଙ୍କ ସଙ୍ଗେ ଚିଠିପତ୍ରର ଆଦାନ ପ୍ରଦାନ ମଧ୍ୟ ଚଳାଇ ଥିଲେ । ଏହିପରି କାର୍ଯ୍ୟ କରି ସେଠାରେ ସେ ବିଖ୍ୟାତ ହେଲେ । ସେଠାକାର ଶ୍ୱେତାଙ୍ଗମାନେ ତାହାଙ୍କୁ କୁଲି ବାରିଷ୍ଟର ଆଖ୍ୟା ଦେଲେ ।

 

‘‘ଅୟଂ ନିଜଃ ପରୋବେତ୍ତି ଗଣାନାଂ ଲଘୁଚେତସାଂ

ଉଦାର ଚରିତାନାନ୍ତୁ ବସୁଧୈବ କୁଟୁମ୍ବକଂ ।’’

 

ଏ ମୋର, ସେ ପରର–ଏପରି ବିଚାର ଲଘୁଚେତାମାନଙ୍କର ଥାଏ । ଯେଉଁମାନଙ୍କର ଚରିତ ଉଦାର ସେମାନେ ପୃଥିବୀର ସମସ୍ତଙ୍କୁ ନିଜର କୁଟୁମ୍ବ ମନେ କରନ୍ତି । ଏ କଥା ଭୂତବାଦୀ ଶ୍ୱେତାଙ୍ଗମାନଙ୍କର ବୁଝିବା ପାଇଁ ସାମର୍ଥ୍ୟ ନ ଥିଲା ।

 

ଭାରତୀୟମାନଙ୍କ ଦୁର୍ଦ୍ଦଶା-ମୋଚନରେ ଲାଗିଥିଲେ ମଧ୍ୟ ଯେଉଁ ମକଦ୍ଦମା ସଂକ୍ରାନ୍ତରେ ବାରିଷ୍ଟରମାନଙ୍କୁ ସାହାଯ୍ୟ କରିବାକୁ ଯାଇଥିଲେ ବାପୁଜୀ ତାହା ପାସୋରି ଦେଇ ନ ଥିଲେ । ମକଦ୍ଦମାଟି ବଡ଼ ଜଟିଳ ଥିଲା । ପକ୍‌କା ପକ୍‌କା ବାରିଷ୍ଟରମାନେ ମକଦ୍ଦମା ଲଢ଼ୁଥିଲେ । ସେମାନେ ଲଥି ସଜାଇବା ପାଇଁ ଯେଉଁ ଉପଦେଶ ଦିଅନ୍ତି ତାହାକୁ ଶିରୋଧାର୍ଯ୍ୟ କରି କାଗଜ ପତ୍ର ପଢ଼ି ମନପ୍ରାଣ ଢାଳି ଲଥି ସଜାନ୍ତି । ସେପରି କରିବାରୁ ଜଟିଳ ମକଦ୍ଦମାରୁ ସତ୍ୟ କିପରି ଆବିଷ୍କାର କରିବାକୁ ହୁଏ ତାହା ଶିଖିଲେ । ବାରିଷ୍ଟରମାନଙ୍କ ନିର୍ଦ୍ଦେଶ କ୍ରମେ ଚଳି ନ ଥିଲେ ଶିଖିପାରି ନ ଥାଆନ୍ତେ । ଏଣୁ ଅପରିପକ୍ୱ ବୁଦ୍ଧିରେ ପ୍ରବୀଣ ଲୋକଙ୍କ ସଙ୍ଗେ ଯୁକ୍ତିତର୍କ ନ କରି ସେମାନଙ୍କ ନିର୍ଦ୍ଦେଶ କ୍ରମେ ଚଳିବା ଉଚିତ । ବାପୁଜୀ ପ୍ରବୀଣ ବାରିଷ୍ଟରମାନଙ୍କ ନିର୍ଦ୍ଦେଶ ମାନି ଲଥି ସଜାଇ ଦେଖିଲେ ଯେ ମକଦ୍ଦମାରେ ଆପଣା ମକ୍‌କେଲର ଜୟ ସୁନିଶ୍ଚିତ । କିନ୍ତୁ ମକଦ୍ଦମା କେତେ ଦିନ ଚାଲିବ ତାହାର ଠିକଣା ନାହିଁ । ମକଦ୍ଦମା ବେଶୀଦିନ ଲାଗି ରହିଲେ ବାରିଷ୍ଟରମାନଙ୍କର ଲାଭ । କିନ୍ତୁ ବାଦୀ ପ୍ରତିବାଦୀ ସର୍ବସ୍ୱାନ୍ତ ହେବେ । ଏଣୁ ରଫା ହୋଇ ତୁଟିଗଲେ ଦୁଇ ପକ୍ଷର ମଙ୍ଗଳ । ରଫା ପାଇଁ ଯତ୍ନ କରି କୃତକାର୍ଯ୍ୟ ହେଲେ ତହିଁରେ ତାଙ୍କର ବିଶ୍ୱାସ ଜନ୍ମିଲା ଯେ, ମକଦ୍ଦମାରେ ଲଢ଼ିବା ଅପେକ୍ଷା ରଫାରେ ତୁଟାଇବା ଶ୍ରେୟସ୍କର । ଏଣିକି ଯେତେ ମକ୍‌କେଲ ମକଦ୍ଦମା ଲଢ଼ିବା ପାଇଁ ତାହାଙ୍କ ନିକଟକୁ ଆସିଲେ ସମସ୍ତଙ୍କ ମକଦ୍ଦମା ସାଲିସିରେ ତୁଟାଇଲେ । ନିଜର ଆୟରେ ମଧ୍ୟ ବାଧା ପଡ଼ିଲା ନାହିଁ, ଏହିପରି କର୍ମକ୍ଷେତ୍ରରେ ପଶି ଯେଉଁ ସତ୍ୟ ଉପଲବ୍‌ଧି କରୁଥାଆନ୍ତି ତାହାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ତତ୍ପର ହେଉ ଥାଆନ୍ତି, ଏଣୁ ଭାରତରେ ପଞ୍ଚାୟତ ଶାସନ ପ୍ରତିଷ୍ଠା କରିବା ପାଇଁ ସେ ଯତ୍ନଶୀଳ ଥିଲେ । ପ୍ରାଚୀନ ଭାରତରେ ମଧ୍ୟ ଏପରି ଶାସନ ଥିଲା ।

 

‘‘ସତ୍ତ୍ୱଂ ରଜସ୍ତମ ଇତି ଗୁଣା ପ୍ରକୃତିସମ୍ଭବାଃ ।

ନିବଧ୍ନନ୍ତି ମହାବାହୋ ଦେହେ ଦେହିନମବ୍ୟୟଂ ।’’

 

ମନୁଷ୍ୟ ସଂସାରରେ ସତ୍ତ୍ୱ, ରଜ, ତମ ତିନିଗୁଣରେ ଆବଦ୍ଧ । ତମଗୁଣରେ ବସି ରହି ପେଟ ପୋଷିବାକୁ ଇଚ୍ଛା କଲେ ହୃଦୟ ଚିରକାଳ ଅନ୍ଧାରରେ ବୁଡ଼ି ରହି ଥାଏ । ରଜ-ଗୁଣରେ କାମ କରି ଯେଉଁ ସତ୍ୟ ଉପଲବ୍‌ଧି କରିବ ତାହାକୁ ଜୀବନରେ ପାଳି ପାରିଲେ ସତ୍ତ୍ୱ-ଗୁଣର ବିକାଶ ଘଟେ । ଯେତେବେଳେ ଜନସାଧାରଣଙ୍କର ସତ୍ତ୍ୱଗୁଣ ଫୁଟି ଉଠିବ ସେତେବେଳେ ପୃଥିବୀ ସ୍ୱର୍ଗରେ ପରିଣତ ହେବ ।

 

ମକଦ୍ଦମା ନିଷ୍ପତ୍ତି ପାଇବା ଉତ୍ତାରେ ପ୍ରିଟୋରିଆ ଛାଡ଼ି ଦେଶକୁ ଫେରିବା ପାଇଁ ଉଦ୍ୟତ ହେବା ମୁହୂର୍ତ୍ତରେ ସଂବାଦ-ପତ୍ର ପଢ଼ି ଜାଣିଲେ ଯେ ନେଟାଲର ଶାସନ-ସଭାକୁ ସଭ୍ୟ ନିର୍ବାଚନ କରିବାର ଯେଉଁ ଅଧିକାର ସେଠାକାର ଭାରତୀୟମାନଙ୍କର ଅଛି ତାହା କାଢ଼ି ନେବା ପାଇଁ ପ୍ରସ୍ତାବ ଚାଲିଅଛି । ହଠାତ୍‌ ଚମକି ପଡ଼ି ଦେଶ ଭାଇମାନଙ୍କୁ ଏହାର ହାଲ ପଚାରିବାରୁ ସେମାନେ ଉତ୍ତର ଦେଲେ ଯେ ଚଷା କି ଜାଣେ ପଶାର କଥା । ବହୁ ସନ୍ଧାନରେ ତଥ୍ୟ ଅବଗତ ହୋଇ କହିଲେ ଯେ ଏ ପ୍ରସ୍ତାବକୁ ନାକଚ ନ କଲେ ଭାରତୀୟମାନଙ୍କ ସମ୍ମାନ-ହାନି ଘଟିବ । ଏଥିପାଇଁ ଚେଷ୍ଟା କରିବ କିଏ ? ଲୋକମାନେ ବାପୁଜୀଙ୍କୁ ଆଉ ମାସେ ରହିବା ପାଇଁ ଅନୁରୋଧ କରି ତାହାଙ୍କ ଦକ୍ଷିଣାର ପ୍ରଶ୍ନ ଉଠାଇଲେ । କିନ୍ତୁ ବାପୁଜୀ ଉତ୍ତର ଦେଲେ ‘‘ମୋର ଦକ୍ଷିଣା ଲୋଡ଼ା ନାହିଁ, ଆପଣମାନଙ୍କ ସେବକ ରୂପେ କାମ କରିବାକୁ ଇଚ୍ଛା କରେ । କେବଳ ଏଣିକି ତେଣିକି ଯିବା ଆସିବାର ଓ ଅନ୍ୟାନ୍ୟ ପ୍ରୟୋଜନୀୟ ଖର୍ଚ୍ଚ ପାଇଁ ଅର୍ଥ ଲୋଡ଼ା । ’’ ଶ୍ରୋତାମାନଙ୍କ ଚିତ୍ତରେ ତୁମୂଳ ଆନନ୍ଦ ଜାତ ହେଲା । ଏଥିପାଇଁ ଅର୍ଥର ଅଭାବ ଘଟିବ ନାହିଁ ବୋଲି ଜବାବ ଦେଲେ । ସରକାରଙ୍କ ସଙ୍ଗେ ଲଢ଼ିବା ପାଇଁ ଏଠାରେ ବାପୁଜୀ ରଣ-କ୍ଷେତ୍ରରେ ଅବତୀର୍ଣ୍ଣ ହେଲେ । ଏବେ ସୀତାଙ୍କ ସତୀତ୍ୱର ଅଗ୍ନି-ପରୀକ୍ଷା ଉପସ୍ଥିତ ହେଲା । ପରୀକ୍ଷା ଯାହାର ଛାତ୍ର-ଜୀବନରେ ସରିଯାଏ ପୂର୍ଣ୍ଣ ମାନବିକତା ତାହା ଠାରେ ପ୍ରକାଶ ପାଏ ନାହିଁ । କର୍ମ-ଜୀବନରେ ଭୀଷଣ ପରୀକ୍ଷା-ଗୃହକୁ ଯାଇ ଯେ ଉତ୍ତୀର୍ଣ୍ଣ ହୋଇ ଆସେ ସେ ଯଥାର୍ଥ ମନୁଷ୍ୟ । ଛାତ୍ର-ଜୀବନରେ ସତ୍ୟର ଲକ୍ଷଣ ପୁସ୍ତକପଢ଼ି ବା ଗୁରୁ ମୁଖରୁ ଶୁଣି ବୁଝାଯାଏ । କର୍ମ ଜୀବନରେ ତାହାର ସ୍ୱରୂପ ଉପଲବ୍‌ଧି କରାଯାଏ ।

 

ସାଧାରଣଙ୍କ ହିତ ପାଇଁ କାମ ଆରମ୍ଭ କରିବାରୁ ସେଠାରେ କୁରୁ-ପାଣ୍ଡବ ବିବାଦ ଆଉ ରହିଲା ନାହିଁ । ଅର୍ଥାତ୍‌ ହିନ୍ଦୁ, ମୁସଲମାନ, ପାର୍ସି, ଗୁଜରାଟୀ ପ୍ରଭୃତି ସାମ୍ପ୍ରଦାୟିକ ଭେଦ ଉଠିଗଲା । ସମସ୍ତେ ଏକ ପ୍ରାଣରେ କାମ କଲେ । ଆପତ୍ତି ଦରଖାସ୍ତ ଶାସନ-ସଭାକୁ ପଠାଗଲା । କିନ୍ତୁ ଫଳ ହେଲା ନାହିଁ, ତଥାପି କେତେକ ଶ୍ୱେତାଙ୍ଗ ନେତାଙ୍କର ଚେତା ଆସିଥିଲା । ବର୍ତ୍ତମାନ ବାପୁଜୀ ସେଠାରେ ସ୍ଥାୟୀ ଭାବରେ ରହି ‘‘ମନ୍ତ୍ରଂ ସାଧୟେତ୍‌ ବା ଶରୀରଂ ପାତୟେତ୍‌’’ ନୀତି ଅବଲମ୍ବନ କରିବା ପାଇଁ କୃତସଂକଳ୍ପ କଲେ । ସେଠାରେ ବାରିଷ୍ଟରି କରିବା ପାଇଁ ଅନୁମତି ପାଇଲେ । ‘‘ଯେଉଁ ଦେଶକୁ ଯାଇ ସେ ଦେଶର ଫଳ ଖାଇ’’–ନୀତି ଧରି କେତେକ ଅନ୍ୟାୟ ପ୍ରଥା ମାନିବାରୁ ଅନୁମତି ପାଇଲେ । ଗୁରୁତର କାର୍ଯ୍ୟ ହାସଲ କରିବା ଲକ୍ଷ୍ୟ ହୋଇଥିବାରୁ କ୍ଷୁଦ୍ର ଅନ୍ୟାୟ କଥା ମାନି ଯାଇଥିଲେ ମଧ୍ୟ ଚିତ୍ତରୁ କେବେ ପାସୋରି ନ ଥିଲେ । ସେଠାରେ ଲଢ଼ିବା ପାଇଁ ଯେଉଁ ଅନୁଷ୍ଠାନ ଗଢ଼ିଲେ ତାହାର ନାମ ‘କଂଗ୍ରେସ’ ଦିଆଗଲା । ଏଥିରେ କାହାରି କାହାରି ଆପତ୍ତି ଥିଲା । ମାତ୍ର ‘କଂଗ୍ରେସ’ ସେତେବେଳେ ଭାରତର ପ୍ରାଣ ହୋଇଥିବାରୁ ବାପୁଜୀ ସେହି ନାମକୁ ପସନ୍ଦ କରିଥିଲେ-। କାରଣ ପିତା ସଙ୍ଗେ ପୁତ୍ରର ନୈସର୍ଗିକ ସମ୍ବନ୍ଧକୁ ଛାଡ଼ିବା ପାଇଁ ସେ ମନ ବଳାଇ ନ ଥିଲେ । କଂଗ୍ରେସ ଗଢ଼ିବା ପୂର୍ବରୁ ଦୀନବନ୍ଧୁ ଆଣ୍ଡୃଜ୍ ସାହେବଙ୍କ ସହିତ ତାହାଙ୍କର ପରିଚୟ ହୋଇ ଯାଇଥିଲା ।

 

ଆଫ୍ରିକାରେ ଗିରିମାଟିଆ ଭାରତୀୟମାନଙ୍କ ପ୍ରତି ଘୋର ଅନ୍ୟାୟ ବ୍ୟବହାର କରାଯାଉଥିଲା । ପ୍ରାୟ ୧୮୬୦ ସାଲରେ ଗୋରାମାନେ ନେଟାଲରେ ଆଖୁ-ଚାଷ ଆରମ୍ଭ କରିବାପାଇଁ ଭାରତରୁ କୁଲି ନେଲେ । ସେତେବେଳେ କୁଲିମାନେ ପୂରାପୂରି ପାଞ୍ଚବର୍ଷ ଆଫ୍ରିକାରେ ରହିବା ପାଇଁ ଚୁକ୍ତି-ପତ୍ର ଲେଖି ଦେଉଥିଲେ । ଚୁକ୍ତି-କାଳ ପୂରିଲେ ଇଚ୍ଛା କଲେ ସେମାନେ ସେଠାରେ ସ୍ଥାୟୀ ଭାବରେ ବସବାସ କରିପାରିବେ ଓ ଜମିରେ ମାଲିକସତ୍ତ୍ୱ ପାଇବେ ବୋଲି ସେମାନଙ୍କୁ ଆଶା ମଧ୍ୟ ଦିଆ ଯାଉଥିଲା । ଏହି କୁଲିମାନଙ୍କୁ ଗିରିମାଟିଆ କହନ୍ତି । ଏମାନେ ସେଠାରେ କୃଷିର ବହୁତ ଉନ୍ନତି ସାଧନ କଲେ । ସେମାନେ ମିତବ୍ୟୟୀ ଥିବାରୁ ହାତରେ ଦି’ ପଇସା ସଞ୍ଚୟ କରି କ୍ରମଶଃ ଜମିଦାର ହେଲେ । କ୍ରମଶଃ ଭାରତରୁ ବ୍ୟବସାୟୀମାନେ ଗଲେ । ଏହା ଗୋରାମାନଙ୍କର ଅସହ୍ୟ ହେଲା । ଏଣୁ ସେମାନେ ତିନୋଟି ସର୍ତ୍ତରେ ଗିରିମାଟିଆଙ୍କର ସର୍ବନାଶ କରିବାକୁ ଉଦ୍ୟତ ହୋଇ ପଡ଼ିଥିଲେ:–

 

(୧)

ଚୁକ୍ତିକାଳ ପୂରିଲେ ଗିରିମାଟିଆମାନେ ଭାରତକୁ ଫେରିଯିବେ କିମ୍ବା

(୨)

ପ୍ରତି ଦୁଇବର୍ଷରେ ସାନି ଚୁକ୍ତିରେ ଅଧିକ କିଛି ପାଉଣା ପାଇ ବନ୍ଧା ହେଉଥିବେ ଏବଂ

(୩)

କେହି ଭାରତକୁ ଫେରିବା ପାଇଁ ବା ସାନି ଚୁକ୍ତି କରିବା ପାଇଁ ଅମଙ୍ଗ ହେଲେ ସେ ବର୍ଷକୁ ୨୫ ପାଉଣ୍ଡ ବା ଟ୩୭୫ଙ୍କା ଟିକସ ଦେବ ।

 

ଭାରତର ବଡ଼ଲାଟ ଲର୍ଡ ଏଲଗିନ୍‌ଙ୍କ ପାଖକୁ ଏ ପ୍ରସ୍ତାବ ଆସିବାବେଳେ ଏହାର ବିରୁଦ୍ଧରେ ସମଗ୍ର ଦକ୍ଷିଣ ଆଫ୍ରିକାରେ ତୁମୂଳ ଆନ୍ଦୋଳନ ଚାଲିଥାଏ । ବଡ଼ଲାଟ ୨୫ ପାଉଣ୍ଡ ବଦଳରେ ୩ ପାଉଣ୍ଡ ଟିକସ ଅସୁଲ କରିବା ପାଇଁ ମଙ୍ଗି ଗଲେ । କିନ୍ତୁ କୁଲିର ବାର୍ଷିକ ଆୟ ଟ୯୭ଙ୍କା ମାତ୍ର । ବାର୍ଷିକ ଟ୩୫ଙ୍କା ତାହାଠାରୁ ଆଦାୟ କରିବା ଗର୍ହିତ କାର୍ଯ୍ୟ–ଏକଥା ବଡ଼ଲାଟଙ୍କ ମସ୍ତିଷ୍କରେ ପ୍ରବେଶ କଲା ନାହିଁ । ୨୫ ପାଉଣ୍ଡ ବଦଳରେ ୩ ପାଉଣ୍ଡ ହେବାରୁ କୁଲିମାନେ ଟିକିଏ ଆଶ୍ୱସ୍ତ ହେଲେ । କିନ୍ତୁ ବାପୁଜୀଙ୍କ ମନ ମାନିଲା ନାହିଁ । ଏହିଠାରେ ‘‘ହତ୍ୱା ବା ପ୍ରାପ୍‌ସ୍ୟସି ସ୍ୱର୍ଗଂ ଜିତ୍ୱା ବା ଭୋଙ୍‌କ୍ଷ୍ୟସେ ମହୀଂ’’–ନୀତି ଧରି ଅହିଂସା-ଯୁଦ୍ଧ ସେ ଆରମ୍ଭ କଲେ । ବହୁ ଗିରିମାଟିଆ ଗୁଳି–ଚୋଟରେ ମଲେ । ପ୍ରାୟ ଦଶ ହଜାରରୁ ଅଧିକ କଏଦୀ ହୋଇଥିଲେ । ଏ ଲଢ଼େଇ ପ୍ରାୟ କୋଡ଼ିଏ ବର୍ଷ ଚଳାଇବା ଉତ୍ତାରୁ ଜୟଲାଭ ହେଲା । ମାନନୀୟ ୰ ଗୋଖ୍‌ଲେ ଏବଂ ଅନ୍ୟାନ୍ୟ ସ୍ୱଦେଶୀ ଓ ବିଦେଶୀ ସହୃଦୟଗଣ ଏ ଲଢ଼ାଇରେ ବାପୁଜୀଙ୍କୁ ସାହାଯ୍ୟ କରିଥିଲେ-। ମଞ୍ଜି ପୋତିବା ଦିନ ଗଛ ଉଠି ଫଳ ଫଳେ ନାହିଁ । ଆତ୍ମ-ବିଶ୍ୱାସ ରଖି ଧେର୍ଯ୍ୟ ଧରି କାମ କଲେ ସିଦ୍ଧି-ଲାଭ ଅସମ୍ଭବ ନୁହେଁ । ସେଥି ସଙ୍ଗେ ଉଦାରତା, ସହିଷ୍ଣୁତା ଓ ସତ୍ୟକୁ. ଅବଲମ୍ବନ କରିବା ମଧ୍ୟ ଉଚିତ ।

 

ଆନ୍ଦୋଳନ ଦକ୍ଷିଣ ଆଫ୍ରିକାରେ ଚାଲୁଥିବା ବେଳେ ଛ’ମାସ ପାଇଁ ସେଠା କଂଗ୍ରେସକୁ ଅନୁମତି ମାଗି ବାପୁଜୀ ଦେଶକୁ ଆସିଥିଲେ । ସେତେବେଳେ ସେ ଆଦମ୍‌ଜୀ ମିଆଁ ଖାଁଙ୍କ ଉପରେ କଂଗ୍ରେସର ଭାର ଅର୍ପଣ କରିଥିଲେ । ଏହି ମିଆଁ ସାହେବଙ୍କର ବିଶ୍ୱବିଦ୍ୟାଳୟର କୌଣସି ଉପାଧି ନ ଥିଲା । କିନ୍ତୁ ଅଧ୍ୟବସାୟ, ମଧୁର ସ୍ୱଭାବ ଓ ଶିଷ୍ଟାଚାରରେ କଂଗ୍ରେସର ଯାବତୀୟ କାର୍ଯ୍ୟ ସୁଚାରୁରୂପେ ସୁପରିଚାଳନା କରିଥିଲେ । ଏଥିରୁ ବାପୁଜୀ ବୁଝି ପାରିଥିଲେ ଯେ ଶାସକ ହେବା ପାଇଁ ବିଶ୍ୱବିଦ୍ୟାଳୟର ଉପାଧି ଲୋଡ଼ା ହୁଏ ନାହିଁ । ଆମର ଶାସ୍ତ୍ରରେ ମଧ୍ୟ ଅଛି ଯେ, ଆତ୍ମଜ୍ଞାନରେ ସର୍ବଜ୍ଞାନର ଅଧିଷ୍ଠାନ । ଯେ ଆତ୍ମାକୁ ଚିହ୍ନି ପାରିବ ସେ ସବୁକଥା ଜାଣି ପାରିବ । ମୋତେ ଜଣେ ମାଇଲେ କାଟେ, ଅତଏବ ଅପରକୁ ମାଇଲେ ତାହାକୁ କାଟୁଥିବ–ଏପରି ବିଚାର ଯାହାର ସହସା ଆସିପାରେ ସେ ପରକୁ ମାରିପାରେ ନାହିଁ । ଏହାକୁ ଆତ୍ମ-ଜ୍ଞାନ କହନ୍ତି ।

 

ଆଫ୍ରିକାରୁ ଆସି ବାପୁଜୀ କଲିକତାରେ ପହଞ୍ଚିଲେ । ସେଠାରୁ ବୋମ୍ବେଇ ଯାତ୍ରା କଲେ-। ବାଟରେ ଏଲାହାବାଦଠାରେ ଉତ୍ତୁରି ‘ପାୟୋନିୟର’ ସମ୍ବାଦପତ୍ରର ସମ୍ପାଦକଙ୍କ ସଙ୍ଗେ ସାକ୍ଷାତ୍ କଲେ । ଦକ୍ଷିଣ ଆଫ୍ରିକାର ହାଲ୍‍ କିପରି ଏହି ସମ୍ବାଦ-ପତ୍ରରେ ପ୍ରକାଶିତ ହେବା ତାହା ସାକ୍ଷାତ୍‌ର ଲକ୍ଷ୍ୟ ଥିଲା । ତତ୍ପରେ ରାଜକୋଟଠାରେ ପହଞ୍ଚି ଖଣ୍ଡିଏ ବହିରେ ଆଫ୍ରିକାର ଅବସ୍ଥା ବର୍ଣ୍ଣନା କଲେ-। ଏହାର ମଲାଟ ନେଳିଆ ହୋଇଥିବାରୁ ଲୋକେ ଏହାକୁ ‘ନୀଳ ପୁସ୍ତିକା’ କହିଲେ-। ଏହି ବହି ଚାରିଆଡ଼େ ପଠା ଯାଇଥିଲା । ରାଜକୋଟ ପିଲାମାନେ ଏ ବହି ବାନ୍ଧି ଠିକଣା ପ୍ରଭୃତି ଲେଖି ମୁଖ୍ୟ ମୁଖ୍ୟ ଲୋକମାନଙ୍କ ପାଖକୁ ଡାକରେ ପଠାଇ ଥିଲେ । ପିଲାମାନଙ୍କୁ ସ୍ୱେଚ୍ଛାସେବକପଣ ଶିଖାଇବା ପାଇଁ ବାପୁଜୀ ସେମାନଙ୍କ ହାତରେ ଏ କାମ କରାଇ ନେଇଥିଲେ । ଏ ସମୟରେ ବୋମ୍ବେଇରେ ପ୍ଲେଗ ରୋଗ ବ୍ୟାପିଥିଲା । ଏ ମଡ଼କ ରାଜକୋଟକୁ କିପରି ନ ବ୍ୟାପିବ ତାହାର ପ୍ରତିକାର ଚିନ୍ତାକରି ସେ ଗୋଟିଏ କମିଟି ଗଢ଼ିଥିଲେ । ପ୍ରତି ଗଳି, ଘର ଓ ପାଇଖାନା କିପରି ସଫା ସୁତୁରା ରହିବ ତାହା ଦେଖିବା ଏହି କମିଟିର କାର୍ଯ୍ୟ ଥିଲା । ବାପୁଜୀ ନିଜେ ଅନେକଙ୍କର ପାଇଖାନା ଦେଖି ଅଛନ୍ତି । ଯେଉଁମାନେ ବଡ଼ ଲୋକ ବୋଲାଉ ଥିଲେ ସେମାନଙ୍କ ପାଇଖାନା ଓ ଘରଦ୍ୱାର ବେଶୀ କଦର୍ଯ୍ୟ ଥିଲା; ହେବାର ମଧ୍ୟ କଥା । ବଡ଼ଲୋକମାନେ ନିଜେ ପରିଶ୍ରମ ନ କରି ଚାକରବାକରଙ୍କ ଉପରେ ସବୁ ନିର୍ଭର କରୁଥିଲେ । କିନ୍ତୁ ଦରିଦ୍ର ଲୋକେ ନିଜେ ପରିଶ୍ରମ କରନ୍ତି । ସେମାନଙ୍କ ଘରଦ୍ୱାର ସଫାସୁତୁରା ନ ରହିବ କାହିଁକି ?

 

ରାଜକୋଟରୁ ବାପୁଜୀ ବୋମ୍ବେଇ ଗଲେ । ସେଠାରୁ ସେ ଭିଣୋଇଙ୍କି ଦେଖିବାକୁ ଗଲେ । ତା’ଙ୍କ ଭିଣୋଇ ସେତେବେଳେ ଅସୁସ୍ଥ ଥିଲେ । ଭିଣୋଇଙ୍କର ରୋଗ କଠିନ ଓ ଆର୍ଥିକ ଅବସ୍ଥା ଶୋଚନୀୟ ଥିଲା । ଚିକିତ୍ସାର ସୁବିଧା ନଥିବାରୁ ସେ ଭଉଣୀ ଭିଣୋଇଙ୍କି ରାଜକୋଟର ଆପଣା ଘରକୁ ନେଲେ । ସେଠାରେ ଭିଣୋଇଙ୍କର ବହୁତ ସେବା ଶୁଶ୍ରୂଷା ଆନନ୍ଦରେ କରିଥିଲେ । ପିତା ଅସୁସ୍ଥ ଥିଲାବେଳେ ପିଲାଦିନେ ତାହାଙ୍କର ସେବା ଶୁଶ୍ରୂଷା କରି ବାପୁଜୀ ତହିଁରେ ଅଭ୍ୟସ୍ତ ହୋଇ ପଡ଼ିଥିଲେ । . ଏବେ କୁଣ୍ଠିତ ହୁଅନ୍ତେ କାହିଁକି ? Charity begins at home ଯେ ଆପଣାର ପରିବାରର ଲୋକଙ୍କୁ ସେବା କରିବାକୁ ଶିଖି ନାହିଁ ସେ ପରର ସେବା କରି ପାରିବ ନାହିଁ, ଏଣୁ ସଭାରେ ମନ ଭୁଲାଣିଆ ବକ୍ତୃତା ଦେଲେ ବା ସମ୍ବାଦପତ୍ରରେ ‘ହାତୀ ଛତି ଦେବି’ କହିଲେ ସେ ଶ୍ରେଷ୍ଠ ଦେଶଭକ୍ତ ନୋହି ଆପଣା ପରିବାରଟିକୁ ସୁଖଶାନ୍ତିରେ ଚଳାଉଥିବା ବ୍ୟକ୍ତି ପ୍ରକୃତ ଦେଶଭକ୍ତ ।

 

ବାପୁଜୀ ପୁନା ଯାଇଥିଲେ । ସେଠାରେ ଲୋକମାନ୍ୟ ତିଳକ, ଗୋଖଲେ ଓ ଅଧ୍ୟାପକ ରାମକୃଷ୍ଣ ଭଣ୍ଡାରକାର ପ୍ରମୁଖ ନେତାମାନେ ବାପୁଜୀଙ୍କୁ ଆଫ୍ରିକାର ଆନ୍ଦୋଳନ ପାଇଁ ସହାନୁଭୂତିର ପ୍ରତିଶ୍ରୁତି ଦେଲେ । ମାନ୍ଦ୍ରାଜ ଗଲେ ସେଠାରେ ସୁବ୍ରାହ୍ମଣ୍ୟ ଆୟର ପ୍ରମୁଖ ନେତାମାନେ ତାଙ୍କ କାର୍ଯ୍ୟର ଗୁରୁତ୍ୱ ଉପଲବ୍‌ଧି କଲେ । କିନ୍ତୁ କଲିକତାର କୌଣସି ବଙ୍ଗାଳୀ ସମ୍ବାଦ-ପତ୍ରର ସମ୍ପାଦକ ବା ନେତା ସୁରେନ୍ଦ୍ରନାଥ ବନ୍ଦୋପାଧ୍ୟାୟଙ୍କଠାରୁ କୌଣସି ସହାନୁଭୂତି ପାଇ ନ ଥିଲେ, ଅଥଚ ଷ୍ଟେଟସ୍‌ମ୍ୟାନ ଓ ଇଂଲିଶମ୍ୟାନର ସମ୍ପାଦକମାନେ ତାହାଙ୍କଠାରୁ ଆଫ୍ରିକାରେ ଭାରତୀୟମାନଙ୍କ ଅବସ୍ଥା ଶୁଣି ନିଜ ନିଜ କାଗଜମାନଙ୍କରେ ଆଲୋଚନା ଚଳାଇ ଥିଲେ. ।

 

କଲିକତାରେ ଥିବାବେଳେ ବାପୁଜୀଙ୍କୁ ଦକ୍ଷିଣ ଆଫ୍ରିକାରୁ ଡକରା ଆସିଲା । ସେ ପିଲାପିଲିଙ୍କୁ ସଙ୍ଗରେ ଘେନି ଆଫ୍ରିକା ଯାତ୍ରା କଲେ । ଜାହାଜରେ ଯାଉ ଯାଉ ପ୍ରବଳ ଝଡ଼ ହୋଇଥିଲା । ପ୍ରକୃତିର ଏହି ଝଡ଼ ଭବିଷ୍ୟତ୍‍ କୃତ୍ରିମ ଝଡ଼ର ସୂଚନା ଦେଇଥିଲା । କିନ୍ତୁ ବାପୁଜୀ ସେତେବେଳେ ବୁଝିପାରି ନ ଥିଲେ । ବୁଝିଥିଲେ ମଧ୍ୟ ସେ ଟିକିଏ କାତର ହୋଇ ନ ଥାଆନ୍ତେ । ଝଡ଼ବେଳେ ସବୁ ଯାତ୍ରୀ ପ୍ରାଣ ଭୟରେ ଆକୁଳ ହେଲେ । କିନ୍ତୁ ତାହାଙ୍କ ହୃଦୟରେ ତିଳେ ମାତ୍ର ଭୟର ଚିହ୍ନ ନ ଥାଏ । ଚବିଶ ଘଣ୍ଟା ଉତ୍ତାରେ ଝଡ଼ ଚାଲିଗଲା, ଶୁଣି ସମସ୍ତେ ଆନନ୍ଦ-ଉତ୍ସାହରେ ମାତିଲେ । ଝଡ଼ବେଳେ ସମସ୍ତେ ଏକପ୍ରାଣ ହୋଇ ପଡ଼ିଥିଲେ । ଭେଦାଭେଦ କିଛି ନ ଥିଲା । ସମସ୍ତଙ୍କ ମୁଖରେ ‘‘ତ୍ରାହି’’ ‘‘ତ୍ରାହି’’ ରବ । ଝଡ଼ ଚାଲିଗଲା ଆନନ୍ଦ ଆସିଲା । ବିପଦର ଅନ୍ୟ ପାରିରେ ସୁଖ ଶାନ୍ତି ଥାଏ, ଏ କଥା ପ୍ରକୃତିର ଲୀଳାରୁ ସାଧାରଣ ମନୁଷ୍ୟ ବୁଝିପାରେ ନାହିଁ ।

 

ଜାହାଜ ଡରବାନ ବନ୍ଦରରେ ଲାଗିଲା । କିନ୍ତୁ ଯାତ୍ରୀମାନଙ୍କୁ ଜାହାଜରୁ ଓହ୍ଲାଇବା ପାଇଁ ଅନୁମତି ଦିଆଗଲା ନାହିଁ । ବୋମ୍ବେଇରେ ପ୍ଲେଗ ସଞ୍ଚରି ଥିବାରୁ ସଂକ୍ରାମକ ରୋଗର ଜୀବାଣୁ ଜାହାଜରେ ଆସିପାରିଥିବା ଗୋଟାଏ ଛଳନା ପ୍ରକାଶ କରାଗଲା । ତେଇଶି ଦିନ ପର୍ଯ୍ୟନ୍ତ ଜୀବାଣୁ ପ୍ରକାଶ ପାଏ ନାହିଁ, ଏଣୁ ବୋମ୍ବେଇ ଛାଡ଼ିବା ଦିନଠାରୁ ତେଇଶି ଦିନ ପୂରିବାକୁ ବାକି ଥିବା ପାଞ୍ଚଦିନତକ ବନ୍ଦରରେ ପଡ଼ି ରହିବ । ତତ୍ପରେ ଡାକ୍ତର ଆସି ପରୀକ୍ଷା କଲେ ସଂକ୍ରାମକ ଜୀବାଣୁ ନ ଥିବାର ପ୍ରମାଣ ମିଳିଲେ ଯାତ୍ରୀମାନେ ଉତ୍ତୁରି ପାରିବେ । ଏହି ପାଞ୍ଚଦିନ ମଧ୍ୟରେ ଫେରିଯିବା ପାଇଁ କେତେକ ଗୋରା ବାପୁଜୀଙ୍କୁ ଉପଦେଶ ଦେଇ, ନ ଗଲେ ଭବିଷ୍ୟତ୍‍ ଶାସ୍ତିର ଧମକ ଦେଉ ଥାଆନ୍ତି । ଏହାର କାରଣ-ଭାରତର ସମ୍ବାଦ-ପତ୍ରମାନଙ୍କରେ ପ୍ରକାଶିତ ଆଫ୍ରିକାର ଅବସ୍ଥା । ଗୋରାମାନଙ୍କ ଏପରି କାର୍ଯ୍ୟକୁ ଓକିଲ ମି:.ଲାଟନ ନିନ୍ଦାବାଦ କରୁ ଥାଆନ୍ତି । ତେଇଶିଦିନ ପୂରିବାରୁ ଯାତ୍ରୀମାନେ ଉତ୍ତୁରିଲେ । ପୂର୍ବରୁ ମି:.ଏସକୋମ୍ ସାହେବ ସଞ୍ଜ ହେଲେ ବାପୁଜୀଙ୍କୁ ଓ ତାଙ୍କ ପରିବାରଙ୍କୁ ଜାହାଜରୁ ଉତ୍ତାରିବା ପାଇଁ କପ୍ତାନଙ୍କ ପାଖକୁ ଖବର ପଠାଇଥିଲେ । କାରଣ, ତା’ଙ୍କ ବିରୁଦ୍ଧରେ ଏପରି ଚକ୍ରାନ୍ତ ଚାଲିଥିଲା ଯେ, ଦିନବେଳେ ସହଜରେ ଚିହ୍ନି ହୋଇ ଜୀବନ ହରାଇ ଥାଆନ୍ତେ । ତତ୍ପରେ ମି:. ଲାଟନ ସଞ୍ଜ ପୂର୍ବରୁ ଆସିଗଲେ । ବାପୁଜୀଙ୍କ ପତ୍ନୀ ଓ ପିଲାମାନେ ଗାଡ଼ିରେ ଯାଇ ରୁସ୍ତମଜୀ ଶେଠଙ୍କ ଘରେ ନିରାପଦରେ ପହଞ୍ଚିଲେ । ଲାଟନ୍ ଓ ବାପୁଜୀ ଚାଲି ଚାଲି ଗଲେ । ବାଟରେ ‘‘ଗାନ୍ଧୀ’’, ‘‘ଗାନ୍ଧୀ’’ ହୁରି ପକାଇ ଗୋରା ଟୋକାମାନେ ରୁଣ୍ଡ ହୋଇ ସଙ୍ଗେ ସଙ୍ଗେ ଚାଲିଲେ । ସେମାନଙ୍କ ଦଳ ଏପରି ବଢ଼ିଲା ଯେ ବାପୁଜୀ ଲାଟନଙ୍କ ଠାରୁ ଗହଳିରେ ଅନ୍ତର ହୋଇଗଲେ । ଟୋକାମାନେ ଟେକାପଥର ମାଡ଼ କଲେ । ସେତିକିବେଳେ ପୁଲିସର ବଡ଼ ସାହେବଙ୍କ ପତ୍ନୀ (Mrs. Alexander) ସେ ବାଟେ ଯାଉଥିଲେ । ସେ ବାପୁଜୀଙ୍କ ପାଖକୁ ଦୌଡ଼ି ଯାଇ ଛତା ଟେକି ଆବରଣ କରି ରଖିଲେ । ଏ ଭିତରେ କେହି ପୁଲିସିରେ ଖବର ଦେଇ ଥିବାରୁ ପୁଲିସି ସୁପରିନ୍‌ଟେଣ୍ଡେଣ୍ଟ ଫଉଜ ଧରି ଆସି ବାପୁଜୀଙ୍କୁ ନେଇ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇ ଦେଲେ । ‘‘ଯାହାକୁ ରଖିବେ ଅନନ୍ତ କି କରେ ତାକୁ ବଳବନ୍ତ’’ । ଅନେକ ଗୋରା ବାପୁଜୀଙ୍କ ଜୀବନକୁ ବିପଦରୁ ରକ୍ଷା କରି ଅଛନ୍ତି । ଏଣୁ ଗୋରା ଜାତି ମାତ୍ରେ ନିନ୍ଦନୀୟ ବୋଲି ବାପୁଜୀ କେବେ କହନ୍ତି ନାହିଁ । ଗ୍ରାମର ଜଣେ ନରହତ୍ୟା କଲେ ଗ୍ରାମର ପ୍ରତ୍ୟେକ ଅଧିବାସୀ ନରଘାତକ ନୁହେଁ । କେତେ ଜଣ ବଙ୍ଗାଳୀ ସହାନୁଭୂତିର ପ୍ରତିଶ୍ରୁତି ଦେଲେ ନାହିଁ ବୋଲି ସବୁ ବଙ୍ଗାଳୀ ନିର୍ମମ ନୁହନ୍ତି ।

 

ରୁସ୍ତମଜୀଙ୍କ ଘରେ ପହଞ୍ଚିଲେ । ଘର ଭିତରେ ସବୁ ଶାନ୍ତିପୂର୍ଣ୍ଣ ଥାଏ । କିନ୍ତୁ ଗୋରାମାନେ ଘର ଚାରିପଟେ ଜମା ହୋଇ ରହି ଥାଆନ୍ତି । ‘‘ଗାନ୍ଧୀ କାହିଁ, ଗାନ୍ଧୀ କାହିଁ’’ ରଡ଼ି କରୁ ଥାଆନ୍ତି । ପୁଲିସି ସାହେବ ମି: ଆଲେକଜାଣ୍ଡାର ପହଞ୍ଚି ଗଲେ । ସେ ଜନତାକୁ ନ ଧମକାଇ ହସ କୌତୁକରେ ତା’ଙ୍କ ମନ ଭୁଲାଉ ଥାଆନ୍ତି । ଏଣେ ବାପୁଜୀଙ୍କ ପାଖକୁ ଖବର ପଠାଇଲେ, ‘‘ଲୁଚିକରି ଏ ଘରୁ ଖସି ନ ଗଲେ ନିଜ ଜୀବନ, ବନ୍ଧୁଙ୍କ ଘର ଓ ସମ୍ପତ୍ତି ବିପନ୍ନ ହେବ । ’’ ବାପୁଜୀ ଅଗତ୍ୟା ଛଦ୍ମ ବେଶରେ ଥାନାକୁ ଚାଲିଗଲେ । ପୁଲିସି ସାହେବ ପଳାୟନ ଜାଣି ପାରି ଜନତାକୁ କହିଲେ, ‘‘ତୁମର ଶିକାର ଖସି ଗଲାଣି, ସତ ନ ମଣିଲେ ଦୁଇଜଣ ପ୍ରତିନିଧି ବାଛ । ସେ ମୋ ସଙ୍ଗରେ ଘର ଭିତରକୁ ଯାଇ ଖୋଜିବେ ।’’ ଦୁଇଜଣ ପ୍ରତିନିଧି ଗଲେ । ଖୋଜି ଖୋଜି ବାପୁଜୀଙ୍କୁ ପାଇଲେ ନାହିଁ । ଗହଳ ଭାଙ୍ଗିଗଲା । ଏ ଭିତରେ ମି: ଚେମ୍ବରଲେନ ଆକ୍ରମଣକାରୀଙ୍କ ବିରୋଧରେ ମକଦ୍ଦମା କରିବା ପାଇଁ ବାପୁଜୀଙ୍କ ପାଖକୁ ତାର କରି ଥାଆନ୍ତି । ମି: ଏସକମ୍ ମଧ୍ୟ ମକଦ୍ଦମା କରିବା ପାଇଁ ପ୍ରବର୍ତ୍ତାଇଲେ । କିନ୍ତୁ ବାପୁଜୀ ମକଦ୍ଦମା କରିବାକୁ ଆଦୌ ମଙ୍ଗିଲେ ନାହିଁ । ସେ କହିଲେ, ‘‘ଜନତାର କି ଅପରାଧ ? ଆଫ୍ରିକାର ଗୋରାମାନଙ୍କ ଦୁର୍ବ୍ୟବହାର ମୁଁ ଭାରତରେ ପ୍ରଚାର କରିଅଛି ବୋଲି ରଟାଇ ଦେବାରୁ ଜନତା ଉତ୍ତ୍ୟକ୍ତ ହୋଇ ଉଠିଲେ, ଅଥଚ ମୁଁ ସେଠାରେ କିଛି ଅତିରଞ୍ଜିତ କରି କହିନାହିଁ । ଏଠାରେ ସଭାସମିତିମାନଙ୍କରେ ଯାହା ଯାହା କହୁଥିଲି ତାହା ସେଠାରେ କହିଥିଲି । ଜନତାଙ୍କୁ ମତାଇବା ପାଇଁ ଯେଉଁମାନେ ମିଛ ଖବର ରଟାଇଲେ ସେମାନେ ଅପରାଧୀ । ଏ ନିରାଟ ସତ୍ୟ ଲୋକେ ଯେତେବେଳେ ବୁଝିବେ ସେତେବେଳେ ଅନୁତାପ କରିବେ-।’ ସାହେବ ଅବାକ୍ । କ୍ରମଶଃ ଖବର କାଗଜମାନଙ୍କରେ ସତ୍ୟ ପ୍ରକାଶ ପାଇଲା, ଜନତା ଶାନ୍ତ ହେଲା । ଦୁଇ ଚାରିଦିନ ଉତ୍ତାରେ ବାପୁଜୀ ଥାନା ଛାଡ଼ି ରୁସ୍ତମଜୀଙ୍କ ଘରକୁ ଆସିଲେ । କିପରି ସୂକ୍ଷ୍ମ ବିଚାରରେ ବାପୁଜୀ ଉତ୍ତର ଦେଇଥିଲେ ତାହା ବିଚାର କରିବା ଉଚିତ । ସତ୍ୟ ତାହାଙ୍କ ହୃଦୟରେ ପ୍ରକାଶ ପାଇଥିଲା ବୋଲି ସେ ଏପରି ଉତ୍ତର ଦେଇ ପାରିଥିଲେ । ସାଧାରଣ ଲୋକ ହୃଦୟରେ ଏହା ପ୍ରକାଶ ପାଇ ନ ଥାନ୍ତା । ସେ ମକଦ୍ଦମା କରିଥାଆନ୍ତେ । ଜନତା ବେଶୀ ଉତ୍ତ୍ୟକ୍ତ ହୋଇ ଥାଆନ୍ତେ ।

 

ଘରଟି ବନେଇବାକୁ ହେଲେ କାଠ, ବାଉଁଶ, ଲଇ ପ୍ରଭୃତି ଅନେକ ଉପକରଣ ଲୋଡ଼ା ହୁଏ । ସେପରି ଜୀବନକୁ ମହତ୍ କରିବାକୁ ହେଲେ ବିନୟ, ବ୍ରହ୍ମଚର୍ଯ୍ୟ ପ୍ରଭୃତି ଅନେକ କଥା ମାନି ଚଳିବାକୁ ହୁଏ । ବାପୁଜୀ ଆଫ୍ରିକାରେ ବୁଅର ଯୁଦ୍ଧରେ ଭାରତୀୟ ସ୍ୱେଚ୍ଛାସେବକ ବାହିନୀ ଘେନି ଇଂରେଜ ସରକାରଙ୍କୁ ସାହାଯ୍ୟ କଲେ । ଇଂରେଜମାନେ ସେତେବେଳେ ବୁଝିଥିଲେ ଯେ ଭାରତୀୟମାନଙ୍କ ଠାରେ ବୀରତ୍ୱ ଅଛି । ବାପୁଜୀ ଆଫ୍ରିକା ଛାଡ଼ି ୧୯୦୧ ସାଲର କଂଗ୍ରେସ ବୈଠକ କଲିକତାରେ ବସିବା ପୂର୍ବରୁ ଭାରତକୁ ଫେରିଥିଲେ । ଫେରିବା ବେଳେ ବହୁମୂଲ୍ୟର ଉପହାର ତାହାଙ୍କୁ ଅନେକ ମିଳିଥିଲା । କିନ୍ତୁ ଗୋଟିଏ ସଙ୍ଗରେ ନ ଆଣି ସବୁଗୁଡ଼ିକ ସାଧାରଣ ହିତକର କାର୍ଯ୍ୟରେ ବ୍ୟୟିତ ଦେବା ନିମନ୍ତେ ସେ ସେଠାରେ ଦାନ କରି ଆସିଥିଲେ । ନିର୍ଲୋଭ ପଣ ଏଠାରେ ମୂର୍ତ୍ତିମନ୍ତ ହେଲାପରି ଲାଗୁଅଛି । ସେ ଭାରତକୁ ଆସି କଂଗ୍ରେସରେ ଯୋଗ ଦେବାପାଇଁ କଲିକତା ଆସିଲେ । ସେତେବେଳେ ତାଙ୍କଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କଂଗ୍ରେସର ନେତା ଥିଲେ । ସେମାନେ କେବଳ ବାକ୍‌ପଟୁ ଥିଲେ । କଂଗ୍ରେସ ସେତେବେଳେ ଏକପ୍ରକାର ବିଳାସର ଅନୁଷ୍ଠାନ କହିଲେ ଚଳେ । କିନ୍ତୁ ବାପୁଜୀ ମୁଣ୍ଡର ଝାଳ ତୁଣ୍ଡରେ ପକାଇ ଆଫ୍ରିକାରେ ବହୁ ଖଟି ଖଟି ଆସିଥିଲେ ମଧ୍ୟ ତାହାଙ୍କୁ କଂଗ୍ରେସ ବୈଠକରେ ଉଚ୍ଚ ଆସନ ଦେବା ଦୂରର କଥା । ଦକ୍ଷିଣ ଆଫ୍ରିକାର ଅବସ୍ଥା ସମ୍ବନ୍ଧରେ ବକ୍ତୃତା ଦେବା ପାଇଁ ପାଞ୍ଚ ମିନିଟରୁ ଅଧିକ ସମୟ ଦିଆଯାଇ ନ ଥିଲା । ଅଥଚ ଅନ୍ୟାନ୍ୟ ବକ୍ତାମାନେ ଘଣ୍ଟାକରୁ ଅଧିକକାଳ ବକି ଯାଉଥିଲେ-। ତଥାପି ବାପୁଜୀ ଅଭିମାନକୁ ତିଳେମାତ୍ର ସ୍ଥାନ ଦେଇ ନାହାନ୍ତି । ଅଭିମାନ ଥିଲେ ଜ୍ୟେଷ୍ଠ ବ୍ୟକ୍ତି ପ୍ରତି ବିନୟ ଆଚରିବା ନୀତି ଛାଡ଼ି ନିଜର ଗୌରବ ପ୍ରତିଷ୍ଠା ପାଇଁ ଲଢ଼ି ଥାଆନ୍ତେ । ତାହା କରିଥିଲେ ତାହାଙ୍କଠାରେ ମହା-ମାନବିକତାର ବିକାଶ ଅସମ୍ଭବ ହୋଇ ଥାଆନ୍ତା । ବଣରେ ମାଳତୀ ଫୁଟିଲେ ଭ୍ରମର ନିକଟରେ ଅବଶ୍ୟ ଗନ୍ଧ ପହଞ୍ଚିବ । ନିଜର ଗୁଣ ବିକାଶରେ ଯେ ଲାଗିଥିବ ସେ ଆତ୍ମ-ପ୍ରତିଷ୍ଠା ପାଇଁ ଆକୁଳ ହେବ କାହିଁକି ? ‘‘କର୍ମଣ୍ୟେ ବାଧିକାରସ୍ତେ ମାଫଳେଷୁ କଦାଚନ’’ –ଏହି ନୀତି ଧରି ଫଳକୁ ଅପେକ୍ଷା ନକରି ବାପୁଜୀ କାମ କରୁଥିଲେ । ଛିଦ୍ର ଉଣ୍ଡି ଆତ୍ମ-ପ୍ରତିଷ୍ଠାର ଅଭିଳାଷ ତାହାଙ୍କ ମନରେ ପ୍ରବେଶ କରିବାକୁ ଅବସର ପାଉ ନ ଥିଲା ।

 

ଜଗତରେ ଆଲୁଅ ଅନ୍ଧାର ଅଛି । ଗୁଣ ନିନ୍ଦୁକ ଯେପରି ଅଛନ୍ତି, ଗୁଣ ଗ୍ରାହକ ମଧ୍ୟ ସେପରି ଅଛନ୍ତି । ଶବର ମୋତିର ମୂଲ୍ୟ ନ ଜାଣିଲେ ମୋତିର ମୂଲ୍ୟ ନାହିଁ ବୋଲି କହିବାକୁ ହେବ ନାହିଁ । ଗୋଖଲେ ବାପୁଜୀଙ୍କ ଗୁଣ ଚିହ୍ନିଥିଲେ । ବାପୁଜୀ ବୋମ୍ବେଇରେ କଂଗ୍ରେସକୁ କିପରି ସଜାଡ଼ିବେ–ଏ ଇଚ୍ଛା ତାଙ୍କ ହୃଦୟରେ ଜାଗି ଉଠିଥିଲା । ସେ ବାପୁଜୀଙ୍କୁ କହିଲେ । ମାତ୍ର ବାପୁଜୀ ଯାଇ ରାଜକୋଟରେ ବାରିଷ୍ଟରି କଲେ । ଏ ସମୟରେ ତାଙ୍କ ପୁଅ ମଣିଲାଲଙ୍କର କଳାଜ୍ୱର ହେଲା-। ଡାକ୍ତର ଅଣ୍ଡା ଓ ମାଂସର ସୁରୁଆ ପଥ୍ୟର ବ୍ୟବସ୍ଥା ଦେଲେ । ସେଥିରେ ବାପୁଜୀଙ୍କର ମନ ମାନିଲା ନାହିଁ । କାରଣ, ନିଜେ ମାଂସ ଖାଇବେ ନାହିଁ ବା ପିଲାଙ୍କୁ ଖୁଆଇବେ ନାହିଁ ବୋଲି ସଂକଳ୍ପ କରିଥିଲେ । ଏଣୁ ନିଜେ ଚିକିତ୍ସକ ହେଲେ । କେବଳ ପାଣିମିଶା ଦୁଧ ଓ ଫଳରସ ଖାଇବାକୁ ଦେଇ ପୁଅକୁ ଜ୍ୱରରୁ ମୁକ୍ତ କଲେ । ଅନାହାରରେ ଶିବଙ୍କୁ ଅନୁସରଣ କଲେ ଅନେକ କଠିନ ରୋଗ ମୁକ୍ତ ହୁଏ ବୋଲି ଆମ ଦେଶରେ ଶୁଣାଯାଏ । ବାପୁଜୀ ନିଜ ଜୀବନରେ ଅନୁଭବ କରିଥିଲେ । ମଧ୍ୟେ ମଧ୍ୟେ ଅନାହାର କଲେ ପାଶବିକ ବୃତ୍ତିର ଶକ୍ତିମଧ୍ୟ ଊଣା ପଡ଼େ । ‘‘ସର୍ବ ଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ’’–କଥାକୁ ବିଶ୍ୱାସ କରି ଚଳିଲେ ଭଗବାନ ମନୁଷ୍ୟକୁ ସୁବୁଦ୍ଧି ଦେଇ ତାହାକୁ ବିପଦରୁ ଉଦ୍ଧାର କରନ୍ତି । ଭଗବାନଙ୍କଠାରେ ଦୃଢ଼ ବିଶ୍ୱାସ ଜନ୍ମିଲେ ମନୁଷ୍ୟ ସହଜରେ ଆତ୍ମ-ନିର୍ଭରଶୀଳ ହୋଇପାରେ ।

 

ରାଜକୋଟ ଛାଡ଼ି ବାପୁଜୀ ବୋମ୍ବେଇରେ ରହି ଏଥର ବାରିଷ୍ଟରି କଲେ । ଏ ସମୟରେ ଆଫ୍ରିକାରୁ ଡକରା ଆସିଲା । କାରଣ, ସତେବେଳେ ଚେମ୍ବରଲେନ ସାହେବ ବିଲାତରୁ ଦକ୍ଷିଣ ଆଫ୍ରିକାକୁ ଆସୁଥିଲେ । ବାପୁଜୀ ଗଲେ ତାଙ୍କୁ ଭାରତୀୟମାନଙ୍କ ଗୁହାରି ଜଣାଇବେ । ବାପୁଜୀ ଦକ୍ଷିଣ ଆଫ୍ରିକାରେ ଯାଇ ପହଞ୍ଚିଲେ । କିନ୍ତୁ ଚେମ୍ବରଲେନ୍ ଗୋରାମାନଙ୍କୁ ସନ୍ତୁଷ୍ଟ କରି ସେମାନଙ୍କଠାରୁ ସାଢ଼େ ତିନିକୋଟି ପାଉଣ୍ଡ ଦାନ ନେବାକୁ ଆସିଥିଲେ । ସେ ଗୁହାରି ଶୁଣନ୍ତେ କିପରି ? ଉତ୍ତର ଦେଲେ, ‘‘ହଁ ତୁମର ଦାବି ଯଥାର୍ଥ, ଅସୁବିଧା ଦୂର କରିବାକୁ ସାଧ୍ୟମତେ ଚେଷ୍ଟା କରିବି, ମାତ୍ର ଉପନିବେଶରେ ସ୍ୱାୟତ୍ତ ଶାସନ । ସାମ୍ରାଜ୍ୟ-ଶାସନ ତହିଁରେ ହସ୍ତକ୍ଷେପ କରି ପାରେ ନା । ଏଣୁ ଏଠାରେ ରହିବାକୁ ଇଚ୍ଛା ଥିଲେ ଆପଣମାନେ ଗୋରାମାନଙ୍କୁ ସନ୍ତୁଷ୍ଟ କରିବାକୁ ମଧ୍ୟ ଚେଷ୍ଟା କରିବେ ।’’ ଚେମ୍ବରଲେନ୍ ସତ କଥା କହିଥିଲେ । ‘‘ଜୋର ଯାର ମୂଲକ ତା’ର’’ କଥାକୁ ସିଧା ନ କହି ଟିକିଏ ବଙ୍କାରେ କହିଥିଲେ । ଯାହାହେଉ ସେ ନିତାନ୍ତ ମନ୍ଦ ପ୍ରକୃତିର ଲୋକ ନ ଥିଲେ, ତାହାଙ୍କ କଥାରେ ଆତ୍ମା ବା ସତ୍ତ୍ୱ-ଗୁଣର ଏବଂ ଜଡ଼ ପ୍ରକୃତି ବା ତମୋଗୁଣ ପ୍ରକାଶ ପାଇଥିଲା । ଦାବି ଯଥାର୍ଥ ବୋଲି ସ୍ୱୀକାର କରିବା ସତ୍ତ୍ୱ-ଗୁଣର ନିଦର୍ଶନ । ପ୍ରତିକାରର ଉପାୟ ନାହିଁ କହିବା ତମୋ-ଗୁଣର ପ୍ରଭାବ । ଏହି ଦ୍ୱନ୍ଦ୍ୱ ଶକ୍ତିର ଅଧୀନ ନୋହି କେବଳ ସତ୍ତ୍ୱ-ଗୁଣକୁ ଯେ ଆଶ୍ରୟ କରେ ଜଗତରେ ସେ ଏକା ମହତ୍ ହୁଏ ।

 

ବୁଅର ଯୁଦ୍ଧବେଳେ ଭାରତରୁ ଓ ଲଙ୍କାରୁ ଯେତେ କର୍ମଚାରୀ ଓ ସିପାହୀ ଯାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଟ୍ରାନ୍‌ସଭାଲରେ ଘର କରି ରହିଥିଲେ । ଯୁଦ୍ଧରେ ଟ୍ରାନ୍‌ସଭାଲ ଛାରଖାର ହୋଇଥିବାରୁ ଦେଶ ସଜାଡ଼ିବା ଉଦ୍ଦେଶ୍ୟରେ ସେଠାରେ ଏମାନଙ୍କୁ ରହିବା ନାଇଁ ଅନୁମତି ଦିଆ ଯାଇଥିଲା । ଏଥିରେ ଦୟା ବା ଅନୁଗ୍ରହର ଚିହ୍ନ ନ ଥିଲା । ଚେମ୍ବରଲେନ ସେଠାକୁ ଯିବାର କଥା ଥିଲା । ସେଠାରେ ଭାରତୀୟମାନଙ୍କ ଦୁଃଖ ଚେମ୍ବରଲେନଙ୍କୁ ଜଣାଇବାର କଥା । ବିନାନୁମତିରେ ସେଠାରେ କେହି ପ୍ରବେଶ କରି ପାରିବେ ନାହିଁ ବୋଲି ଯୁଦ୍ଧ ଉତ୍ତାରୁ ଗୋଟିଏ ଆଇନ ହୋଇଥିଲା । ବାପୁଜୀ କୌଣସି ମତେ ଅନୁମତି ଯୋଗାଡ଼ କରି ସେଠାରେ ଯାଇ ପହଞ୍ଚିଲେ । କିନ୍ତୁ ସେଠାକାର ହାକିମ ଚେମ୍ବରଲେନ୍‌ଙ୍କ ସହିତ ଦେଖା କରିବାକୁ ଅନୁମତି ଦେଲେ ନାହିଁ । ଏଥିରେ ଭାରତୀୟମାନେ ବଡ଼ ଅପମାନ ବୋଧ କଲେ । କିନ୍ତୁ ବାପୁଜୀ ଅପମାନ ବୋଧ ନ କରି ମି: ଗଡ଼ଫ୍ରେ ସାହେବଙ୍କୁ ପ୍ରତିନିଧିରୂପେ ପଠାଇବା ପାଇଁ ପରାମର୍ଶ ଦେଇଥିଲେ । ଅସମୟରେ ମହାପ୍ରଭୁ ଗଧ ପାଦ ଧରିଥିଲେ । ଅପମାନରେ ଦ୍ୱାର କିଳି ଘର ଭିତରେ କାନ୍ଦିଲେ ଲାଭ କଅଣ ? ଯଦି ଭାରତୀୟମାନଙ୍କ ଦୁଃଖ ଜଣାଇ ଦିଆ ନ ଯାଏ ତେବେ ସେମାନଙ୍କର କିଛି ଅଭିଯୋଗ ନାହିଁ ବୋଲି ଚେମ୍ବରଲେନ୍ ବୁଝି ଯିବେ ।

 

‘‘କ୍ରୋଧାଦ୍‍ ଭବତି ସମ୍ମୋହ ସମ୍ମୋହାତ୍ ସ୍ମୃତି-ବିଭ୍ରମଃ ।

ସ୍ମୃତିନାଶାଦ୍ ବୁଦ୍ଧିନାଶୋ ବୁଦ୍ଧିନାଶାତ୍ ପ୍ରଣଶ୍ୟତି ।’’

 

କ୍ରୋଧ ଜନ୍ମିଲେ ଅନ୍ଧାର ଦିଶେ । ଅନ୍ଧାର ଦିଶିଲେ ଯେଉଁ ସବୁ ଜ୍ଞାନ ମନରେ ଥାଏ ତାହା ଆଉ ଦେଖା ଯାଏ ନାହିଁ । ପୂର୍ବ ଜ୍ଞାନ ମନରେ ନ ପଡ଼ିଲେ ବୁଦ୍ଧିର ବିଚାର ଶକ୍ତି ରହେ ନାହିଁ । ପୂର୍ବେ କେବେ ବାଘ ଦେଖିଥିବାର ମନେ ନ ପଡ଼ିଲେ ବାଘର ଲକ୍ଷଣ ସମ୍ବନ୍ଧରେ ଜ୍ଞାନ ଆସିବ କାହୁଁ-? ଲକ୍ଷଣ-ଜ୍ଞାନ ନ ଆସିଲେ ଏବେ ଗୋଟିଏ ବାଘ ଦେଖି ଏହା ବାଘ ବୋଲି ବୁଦ୍ଧିରେ ବିଚାର କରିବା କିପରି ? ବୁଦ୍ଧିରେ ବିଚାର କରି ନ ପାରିଲେ ସର୍ବନାଶ ଘଟେ । ଏଣୁ ସର୍ବତ୍ର କ୍ରୋଧ ଛାଡ଼ିବା ଉଚିତ । ବାପୁଜୀ ଯାହା ପଢ଼ିବା ବେଳେ ସତ୍ୟ ବୋଲି ମନେ କରୁଥିଲେ ତାହାକୁ ପାଳିବାକୁ ଯତ୍ନଶୀଳ ଥିଲେ । ଏଣୁ କ୍ରୋଧକୁ ହୃଦୟରେ ସ୍ଥାନ ଦେଉ ନ ଥିଲେ ।

 

ବାପୁଜୀ ବର୍ତ୍ତମାନ ଟ୍ରାନ୍‌ସଭାଲରେ ରହି ଭାରତୀୟମାନଙ୍କ ଦୁର୍ଦ୍ଦଶା ମୋଚନ କରିବା ପାଇଁ ମନ ବଳାଇଲେ । ସେଠାରେ ବାରିଷ୍ଟରି କରିବା ପାଇଁ ଅନୁମତି ସଂଗ୍ରହ କଲେ । ଉତ୍ତମରୂପେ ଗୀତା ପଢ଼ିଲେ । ତାହାଙ୍କର ଆତ୍ମ-ଦୃଷ୍ଟି ବଢ଼ିଲା । ଏଥିପୂର୍ବରୁ ମଧ୍ୟେ ମଧ୍ୟେ ତାହାଙ୍କ ହୃଦୟରେ ସ୍ୱାର୍ଥର ରେଖାପାତ ହେଉଥିଲା । ସ୍ତ୍ରୀ-ପୁତ୍ରଙ୍କର ଭବିଷ୍ୟତ୍ ଚିନ୍ତା କରି ସେ ଦଶହଜାର ଟଙ୍କାକୁ ଜୀବନ ବୀମା କରିଥିଲେ । ବର୍ତ୍ତମାନ ବୁଝିଲେ ଯେ ଈଶ୍ୱରଙ୍କ ଉପରେ ନିର୍ଭର ନକରି ଭବିଷ୍ୟତ ଚିନ୍ତାରେ ଘାଣ୍ଟି ହେବା ନିଷ୍ପ୍ରୟୋଜନ । ସେ ଜୀବନ ବୀମା ବନ୍ଦ କରି ଦେଲେ ‘‘ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂବ୍ରଜ’’–ଏହି ବାଣୀ ତାହାଙ୍କ ହୃଦୟ ତନ୍ତ୍ରୀରେ ସଦା ବାଜି ଉଠିଲା ।

 

ଟ୍ରାନ୍‌ସଭାଲରେ ପଶିବା ପାଇଁ ଅନୁମତି ଦେବାଲାଗି ଗୋଟିଏ ଛାଡ଼ ବିଭାଗ ଥିଲା । ଏହି ବିଭାଗର କର୍ମଚାରୀମାନଙ୍କର କେନ୍ଦ୍ର ଜୋହାନ୍‌ସବର୍ଗରେ ଥିଲା । ସେମାନେ ଭାରତୀୟ, ଚୀନବାସୀ ଓ ଅନ୍ୟାନ୍ୟ କଳା ଲୋକଙ୍କୁ ରକ୍ଷା କରିବା ତେଣିକି ଥାଉ, ସେମାନଙ୍କୁ ପେଷିବାରେ ଲାଗିଥିଲେ । ଟ୍ରାନ୍‌ସଭାଲକୁ ପଶିବାକୁ ଯେଉଁମାନଙ୍କର ଅଧିକାର ଥିଲା ସେମାନଙ୍କୁ ଅନୁମତି ମିଳୁ ନ ଥିଲା । ଯେଉଁମାନଙ୍କର ଅଧିକାର ନ ଥିଲା ସେମାନଙ୍କ ଠାରୁ ଟ ୧୫୦୦ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇ ସେମାନଙ୍କୁ ଛାଡ଼-ବିଭାଗ ଅନୁମତି ଦେଉଥିଲା । ଏହାର ପ୍ରତିକାର କରିବା ପାଇଁ ବାପୁଜୀ ଲାଗି ଗଲେ । ସେ ପ୍ରଥମେ ପ୍ରମାଣ ସଂଗ୍ରହରେ ଲାଗି ଗଲେ । ପ୍ରମାଣ ମିଳିବାରୁ ପୁଲିସି-କମିଶନରଙ୍କ ପାଖକୁ ଗଲେ । ସେ ବିଚରା ବଡ଼ ଭଦ୍ରଲୋକ । ସମସ୍ତ କଥା ମନ ଦେଇ ଶୁଣିଲେ । ପ୍ରମାଣ ନେଲେ । ସାକ୍ଷୀ ଇଜାହାର ନିଜ ହାତରେ ଲେଖି ନେଲେ ଏବଂ ବାପୁଜୀଙ୍କ କଥାରେ ବିଶ୍ୱାସ କଲେ । କିନ୍ତୁ ଗୋରା ଲୋକଙ୍କୁ ଦଣ୍ଡ ଦିଆଇବା କାଠିକର କଥା ଥିଲା । ତଥାପି ଅପରାଧୀମାନଙ୍କୁ ଗିରଫ୍‍ କରିବା ପାଇଁ ଲେଶ୍‍ମାତ୍ର ତ୍ରୁଟି କରିବେ ନାହିଁ ବୋଲି ପୁଲିସି-କମିଶନର ଜବାବ ଦେଇ ଥିଲେ ।

 

ଛାଡ଼ ବିଭାଗର କର୍ମଚାରୀମାନଙ୍କର ଗୁପ୍ତଚର ଥିଲେ । ବାପୁଜୀ ଅଫିସଘର ପାଖରେ ବୁଲି ବୁଲି ସବୁ କଥା ଉଣ୍ଡୁ ଥାଆନ୍ତି । ବାପୁଜୀ ପୁଲିସି-କମିଶନରଙ୍କ ପାଖକୁ ଯିବା ଆସିବା କଥା ଜାଣି ଛାଡ଼-ବିଭାଗର କର୍ମଚାରୀମାନଙ୍କୁ ଗୁପ୍ତଚରମାନେ କହୁଥିଲେ । ଦୁଇଜଣ କର୍ମଚାରୀଙ୍କୁ ଗିରଫ କରିବା ପାଇଁ ହୁକୁମ ବାହାରି ଥିଲା । ସେଥିରୁ ଜଣେ ଫେରାର ହେଲେ ମଧ୍ୟ ସେ ଧରା ହୋଇ ଆସିଲା । ଦୁଇ ଜଣଙ୍କର ବିଚାର ହେଲା । ଜୁରିମାନେ ସେମାନଙ୍କୁ ଖଲାସ ଦେଲେ । କିନ୍ତୁ ଦୋଷ ପଦାରେ ପଡ଼ି ଯାଇଥିବାରୁ ସରକାର ସେମାନଙ୍କୁ ଆଉ ଚାକିରି ଦେଲେ ନାହିଁ । ଏଣୁ ଲାଞ୍ଚ ନେବାଟା ଊଣା ପଡ଼ିଲା ଓ ବାପୁଜୀଙ୍କ ପ୍ରତିଷ୍ଠା ବଢ଼ି ଯାଇଥିଲା । ଉକ୍ତ ଦୁଇ ଜଣ କର୍ମଚାରୀ ଚାକିରି ହରାଇ ବାପୁଜୀଙ୍କ ସାହାଯ୍ୟ ଲୋଡ଼ିଲେ ଓ ତାଙ୍କ ସାହାଯ୍ୟରେ ମୁନିସିପାଲିଟିରେ ଚାକିରି ପାଇଲେ-। ଫଳରେ ବାପୁଜୀ ଅନ୍ୟାନ୍ୟ କର୍ମଚାରୀଙ୍କ ଶ୍ରଦ୍ଧା ଓ ଭକ୍ତି ଭାଜନ ହେଲେ । ଏଠାରେ ବାପୁଜୀ ବୁଝିଥିଲେ ଯେ, ସାଧୁ କାମ ପ୍ରତି ଆଦର ଓ ପାପ କାମ ପାଇଁ ଘୃଣା କରିବା ଉଚିତ । କିନ୍ତୁ ପାପୀକୁ ଘୃଣା କରିବା ଉଚିତ ନୁହେଁ । ପାପୀକି ଘୃଣା କଲେ ତାହାକୁ ସୁପଥକୁ ଫେରାଇ ଆଣିବ କିପରି ? କେବଳ ଗୋଟିଏ ଘଟଣାରୁ ନୁହେଁ । ଅନେକ ଘଟଣାରୁ ବାପୁଜୀ ବୁଝିଥିଲେ ଯେ, କାହାରି ସହିତ କୌଣସି ସମୟରେ କଳହ ହେଲେ ମଧ୍ୟ କଳି ବେଳ ଗଡ଼ି ଗଲେ ତାହା ପାସୋରି ଦେବା ଉଚିତ । ନିଜ ସ୍ତ୍ରୀଙ୍କ ସହିତ ତାହାଙ୍କର ଅନେକ ସମୟରେ କଳି ଲାଗୁଥିଲା । ପର ମୁହୂର୍ତ୍ତରେ ମିଳିମିଶି ଯାଉଥିଲେ । ଏହା ଯଦି ପରିବାରରେ ଘଟୁଥାଏ ତେବେ ତାହା ସବୁ କ୍ଷେତ୍ରରେ ସମ୍ଭବପର ନୋହିବ କାହିଁକି ? ସତ୍ୟ ଦେଶକାଳପାତ୍ର-ଭେଦ ମାନେ ନାହିଁ । ଏଣୁ ସତ୍ୟକୁ ଜୀବନରେ ସବୁ କ୍ଷେତ୍ରରେ ବାପୁଜୀ ପରୀକ୍ଷା କରୁଥିଲେ ।

 

ବାପୁଜୀ ନିଜ ସ୍ତ୍ରୀଙ୍କର ଶିକ୍ଷକ ରୂପେ କାର୍ଯ୍ୟ କରି ତାହାଙ୍କୁ ଅନେକ ପ୍ରକାର ଦଣ୍ଡ ଦିଅନ୍ତି-। କିନ୍ତୁ ସ୍ତ୍ରୀ ସବୁ ସହି ଯିବାରୁ ବାପୁଜୀଙ୍କ ମନରେ ପରେ ଅନୁତାପ ଆସେ । ଏହିପରି ଅନେକ ଅନୁଭବରେ ବୁଝିଥିଲେ ଯେ, ମାଡ଼ ଖାଇ ପ୍ରତିହିଂସାର ଉପାୟ ନ ପାଞ୍ଚିଲେ ଯଥାର୍ଥ ମନୁଷ୍ୟତାର ବିକାଶ ଘଟେ । ଏଣୁ ହିଂସା ବହି ଅନ୍ୟାୟର ପ୍ରତିରୋଧ କରିବା ଅପେକ୍ଷା ଅହିଂସାରେ କରିବା ଶ୍ରେୟସ୍କର ।

 

ବାପୁଜୀ ଦକ୍ଷିଣ ଆଫ୍ରିକାରେ ଥିବାବେଳେ ଖ୍ରୀଷ୍ଟୀୟାନ ମୁସଲମାନ ପ୍ରଭୃତି ନାନାପ୍ରକାର ସମ୍ପ୍ରଦାୟର ଲୋକଙ୍କ ସହିତ ବନ୍ଧୁତା କରିଥିଲେ । ବୁଅର ଯୁଦ୍ଧ ଲାଗିବା ବେଳେ ନିଜ ଘରେ ଜାଗା ନ ଥିଲେ ମଧ୍ୟ ଜୋହାନ୍‌ସବର୍ଗରୁ ଆଗତ ଦୁଇଜଣ ଇଂରେଜଙ୍କୁ ନିଜ ଘରେ ଆଶ୍ରୟ ଦେଇ ଥିଲେ । ସେଥିମଧ୍ୟରୁ ଜଣେ ମି: କିଚିନ୍‌ । ଏ ଦୁହେଁ ରହିବା ଫଳରେ ବାପୁଜୀଙ୍କ ସ୍ତ୍ରୀ ବହୁତ ହଇରାଣ ଭୋଗିଥିଲେ । ନିଜ ପରିବାରର ଲୋକ ଭଳି ଏହି ଦୁଇ ଇଂରେଜ ବନ୍ଧୁ ବାପୁଜୀଙ୍କ ଘରେ ଥିଲେ । ଘର ଭିତରର ଚାଲିଚଳନ ଭାରତୀୟ ଢଙ୍ଗର ଥିଲେ ମଧ୍ୟ ଇଂରେଜ ବନ୍ଧୁମାନେ କିଛି ଅସୁବିଧା ଭୋଗି ନାହାନ୍ତି । ତତ୍ପରେ ବାପୁଜୀ ଜଣେ ଟାଇପିଷ୍ଟ ଲୋଡ଼ା କଲେ । କୁମାରୀ ଡିକ୍‌ ନାମ୍ନୀ ଜଣେ ସ୍କଟଲାଣ୍ଡବାସିନୀ ମିଳିଗଲେ । ସେ ଅଳ୍ପଦିନ ମଧ୍ୟରେ ବାପୁଜୀଙ୍କ ଝିଅ ବା ଭଉଣୀ ପରି ହୋଇ ଗଲେ । ସେ ବିବାହିତା ହୋଇ ଯିବା ପରେ ମଧ୍ୟ ବାପୁଜୀଙ୍କ ସମ୍ପର୍କ ତୁଟାଇ ନ ଥିଲେ । ତତ୍ପରେ କୁମାରୀ ଶ୍ଳେସନ୍‍ ଟାଇପ୍ କରିବା ପାଇଁ ରହିଲେ । ସେ ଚାକିରି କରି ଅର୍ଥୋପାର୍ଜନ କରିବା ପାଇଁ ରହି ନ ଥିଲେ–କେବଳ ଅଭିଜ୍ଞତା ଅର୍ଜନ କରିବା ପାଇଁ ରହିଥିଲେ । ବାପୁଜୀଙ୍କ ଆଦର୍ଶରେ ସେ ଏପରି ମୁଗ୍‌ଧ ହୋଇ ପଡ଼ିଥିଲେ ଯେ, ସେ କହିଥିଲେ, ‘‘ଦରମା ନେବା ପାଇଁ ମୁଁ ଆପଣଙ୍କ ପାଖକୁ ଆସି ନାହିଁ । ଆପଣଙ୍କ ଆଦର୍ଶ ମୋତେ ଭଲ ଲାଗେ ବୋଲି ମୁଁ ଆପଣଙ୍କ ପାଖକୁ କାମ କରିବାକୁ ଆସେ ।’’ ଆଫ୍ରିକାରେ ସତ୍ୟାଗ୍ରହ ଆନ୍ଦୋଳନ ଚାଲିବା ବେଳେ ଏହି କୁମାରୀ ବହୁତ ସାହାଯ୍ୟ କରିଥିଲେ । ଏହିପରି ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସଂସ୍ପର୍ଶରେ ଆସିଲେ ମଧ୍ୟ ବାପୁଜୀ କାହାରି ଆଚାର ବ୍ୟବହାରକୁ ଘୃଣା କରୁ ନ ଥିଲେ କିମ୍ବା ଅନୁକରଣ କରୁ ନ ଥିଲେ । ହିନ୍ଦୁର ଆଚାର ବ୍ୟବହାର ଓ ସରଳ ଜୀବନ ଯାପନ ପ୍ରଣାଳୀକୁ ଅକ୍ଷୁର୍ଣ୍ଣ ରଖିଥିଲେ । ଏଥିପାଇଁ ସମସ୍ତେ ମୁଗ୍ଧ ହେଉଥିଲେ । ‘‘ସ୍ୱଧର୍ମେ ନିଧନୋ ଶ୍ରେୟଃ ପରଧର୍ମୋ ଭୟାବହଃ ।’’

 

ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ପ୍ରତି ଅନ୍ତ୍ୟଜ ବା ଅସ୍ପୃଶ୍ୟ ଅର୍ଥରେ ‘କୁଲି’ ଆଖ୍ୟା ଦିଆ ହୋଇଥିଲା । କୁଲିମାନେ ଯେଉଁଠାରେ ରହୁ ଥିଲେ ତାହାକୁ ‘କୁଲିବସ୍ତି’ କହୁ ଥିଲେ । ଜୋହାନ୍‌ସବର୍ଗରେ ମଧ୍ୟ ଗୋଟିଏ କୁଲିବସ୍ତି ଥିଲା । କିନ୍ତୁ ଅନ୍ୟତ୍ର କୁଲି ବସ୍ତିରେ ପ୍ରଜାଙ୍କର ଯେପରି ସ୍ଥିତିବାନ୍‍ ସ୍ୱତ୍ୱ ଥିଲା ଜୋହାନ୍‌ସବର୍ଗର କୁଲିବସ୍ତିରେ ସେପରି ନ ଥିଲା । ଭାରତୀୟମାନେ ୧୧ ବର୍ଷର ମିଆଦ ପଟା ଖଣ୍ଡେ ଖଣ୍ଡେ ପାଇଥିଲେ । ଲୋକ ସଂଖ୍ୟା ବଢ଼ୁଥିଲା । କିନ୍ତୁ ବସ୍ତିର ଆୟତନ ବଢ଼ୁ ନ ଥିଲା । ଏଣୁ ବସ୍ତିଟି ଲୋକରେ ଖୁନ୍ଦି ହୋଇ ଯାଇଥିଲା । ଲୋକଙ୍କ ସ୍ୱାସ୍ଥ୍ୟରକ୍ଷା ପାଇଁ ମ୍ୟୁନିସିପାଲିଟି କିଛି ଯତ୍ନ କରୁ ନ ଥିଲା । ଭଲ ରାସ୍ତା ତିଆରି କରାଇବା କିମ୍ବା ଆଲୁଅ ଦେବାପାଇଁ ମ୍ୟୁନିସିପାଲିଟିର ଆଦୌ ନଜର ନ ଥାଏ । କେବଳ ପାଇଖାନାଟାମାନ ସଫା କରାଇ ଦିଏ । କାରଣ ଲୋକଙ୍କ ମଙ୍ଗଳ ପ୍ରତି ସେମାନଙ୍କର ଆସ୍ଥା ନ ଥିଲା । ଲୋକମାନେ ସ୍ୱାସ୍ଥ୍ୟରକ୍ଷାର ବିଧି ସମ୍ବନ୍ଧରେ ସହଜେ ଅଜ୍ଞ ଥିଲେ । ଏଣୁ ବସ୍ତିଟି ଅସ୍ୱାସ୍ଥ୍ୟକର ହୋଇ ଥିଲା । ମ୍ୟୁନିସିପାଲିଟି ଅବସ୍ଥାର ଉନ୍ନତି କରିବା ପାଇଁ ନ ବିଚାରି ବସ୍ତିଟି ଏକାବେଳକେ ଉଠାଇ ଦେବା ପାଇଁ ସ୍ଥିର କରିଥିଲା । ସେଥିପାଇଁ ସ୍ଥାନୀୟ ଶାସନ-ସଭାରୁ ହୁକୁମ ଆଣିଥିଲେ । କ୍ଷତିପୂରଣ ପାଇବା ପାଇଁ ବାସିନ୍ଦାମାନଙ୍କର ଦାବି ଥିଲା । ଦଖଲ-ଦାବି ଶୁଣିବା ପାଇଁ ଗୋଟିଏ କଚେରି ମଧ୍ୟ ଖୋଲା ହୋଇଥିଲା । ମ୍ୟୁନିସିପାଲିଟି ଯାହା କ୍ଷତିପୂରଣ ଯାଚୁ ଥିଲା ତାହାଠାରୁ ଅଧିକ ପାଇବା ପାଇଁ ଯଦି ହାକିମ ବିବେଚନା କରୁଥିଲେ,ତେବେ ମକଦ୍ଦମା-ଖର୍ଚ୍ଚ ପ୍ରଜା ନ ସହି ମ୍ୟୁନିସିପାଲିଟି ସହୁଥିଲା । ବାପୁଜୀ କୁଲିମାନଙ୍କ ପାଇଁ ମକଦ୍ଦମା ଲଢ଼ିଲେ । ପ୍ରତ୍ୟେକ ମକଦ୍ଦମା ପାଇଁ ଟ ୧୫୦ଙ୍କା ଓ ମ୍ୟୁନିସିପାଲିଟିରୁ ଖର୍ଚ୍ଚ ପାଇଲେ ସେତକ ଅଧିକା ନେବା ପାଇଁ ଚୁକ୍ତି କରିଥିଲେ । ଏପରି ସତୁରିଟି ମକଦ୍ଦମା ଲଢ଼ି କେବଳ ଗୋଟିକରେ ହାରିଥିଲେ । କିନ୍ତୁ ଯାହା ଟଙ୍କା ପାଇଥିଲେ ସେଥିରୁ ଟ ୨୬୦୦ ଙ୍କା ଉଡ଼ି ଯାଇଥିଲା । କାରଣ; ‘‘ଇଣ୍ଡିଆନ ଓପିନିୟନ’’ (ଭାରତୀୟ ମତ) ନାମରେ ଖଣ୍ଡିଏ କାଗଜ ବାହାରୁ ଥିଲା । ତାହାର ଖର୍ଚ୍ଚ ବାପୁଜୀ ଚଳାଉ ଥିଲେ । ସେତେବେଳେ ସେଠାରେ ଭାରତୀୟମାନେ ତାହାଙ୍କୁ ଭାଇ ନାମରେ ଡାକୁ ଥିଲେ ।

 

ମ୍ୟୁନିସିପାଲିଟି କୁଲିବସ୍ତି ଦଖଲ ପାଇଲେ ମଧ୍ୟ କୁଲିମାନଙ୍କୁ ବସ୍ତିରୁ ତଡ଼ି ଦିଆାଯାଇ ନ ଥିଲା । କାରଣ, କ୍ଷତିପୂରଣ ଦେବା ଉତ୍ତାରୁ ବାସ କରି ରହିବା ପାଇଁ କୁଲିମାନଙ୍କୁ–ମ୍ୟୁନିସିପାଲିଟି ଜାଗା ଦେବାର କଥା ଥିଲା । ମ୍ୟୁନିସିପାଲିଟି ଜାଗା ନ ଦେବାରୁ କୁଲିମାନେ ବସ୍ତି ଛାଡ଼ି ଯାଇ ନ ଥିଲେ । କ୍ଷତିପୂରଣ ଦେଇ ଥିବାରୁ ମ୍ୟୁନିସିପାଲିଟି ବସ୍ତି ପ୍ରତି ମଧ୍ୟ ଯଥେଷ୍ଟ ଅବହେଳା କରିଥିଲା । ଫଳରେ ବସ୍ତି ଅଧିକତର ଅସ୍ୱାସ୍ଥ୍ୟକର ହୋଇ ପଡ଼ିଥିଲା । ସେତିକିବେଳେ ସୁନା ଖଣିରେ ସଂଘାତିକ ପ୍ରକାରର ମହାମାରୀ ରୋଗର ସଞ୍ଚାର ହେଲା । ବସ୍ତିର କେତେକ କୁଲି ସେଠାରେ କାମ କରୁଥିଲେ । ସେଥିମଧ୍ୟରୁ ତେଇଶିଜଣ ରୋଗରେ ଆକ୍ରାନ୍ତ ହୋଇ ବସ୍ତିକୁ ଆସିଲେ । ବାପୁଜୀ ସମ୍ୱାଦ ପାଇବା ମାତ୍ରେ ସାଇକେଲରେ ସେଠାକୁ ଚାଲି ଯାଇଥିଲେ । ଡାକ୍ତର ଉଇଲିୟମ ଗଡ଼ଫ୍ରେ ସେଠାରେ ବାରିଷ୍ଟରି କରୁଥିଲେ । ସେ ମଧ୍ୟ ସାହାଯ୍ୟ କରିବା ପାଇଁ ଗଲେ । ଗୋଟିଏ ଖାଲି ଘରର ଚାବି ଭାଙ୍ଗି ତହିଁରେ ସବୁ ରୋଗୀଙ୍କୁ ରଖା ଯାଇଥିଲା । ରୋଗୀଙ୍କି ଜଗି ଜଗି ଓ ଶୁଶ୍ରୂଷା କରି ବାପୁଜୀ ସେଠାରେ ରାତି କାଟିଥିଲେ । ଚାବି ଭାଙ୍ଗି ଖାଲି ଘର ଅଧିକାର କରିଥିବାରୁ-ମ୍ୟୁନିସିପାଲିଟି ବାପୁଜୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ତତ୍ପରେ ଗୋଟିଏ ଶୂନ୍ୟ ଗୋଦାମ ଘର ବାପୁଜୀଙ୍କୁ ଛାଡ଼ି ଦେଇଥିଲେ । ଦୟାଶୀଳ ଭାରତୀୟମାନଙ୍କ ଦାନରେ ଖଟ ପ୍ରଭୃତି କିଣା ହୋଇ ସେଠାରେ ଗୋଟିଏ ଛୋଟ ଡାକ୍ତରଖାନା ଖୋଲା ହୋଇଗଲା । ଜଣେ ଧାତ୍ରୀ ରହିଲେ । ରୋଗୀମାନଙ୍କୁ ବ୍ରାଣ୍ଡି ଖୁଆଇବାର ବ୍ୟବସ୍ଥା ହେଲା । କିନ୍ତୁ ତିନିଜଣ ରୋଗୀ ଖାଇବାକୁ ରାଜି ହେଲେ ନାହିଁ । ଧାତ୍ରୀ ନିଜେ ପାନେ ବ୍ରାଣ୍ଡି ପିଇ ଶୁଶ୍ରୂଷାକାରୀମାନଙ୍କୁ ପାନେ ପାନେ ପିଇବା ପାଇଁ ଉପଦେଶ ଦେଲେ । କିନ୍ତୁ ବାପୁଜୀ ପ୍ରଭୃତି ପିଇଲେ ନାହିଁ । ଯେଉଁ ରୋଗୀମାନେ ଖାଇବାକୁ ନାରାଜ ଥିଲେ, ଅଗତ୍ୟା ସେମାନଙ୍କ ପାଇଁ ପୃଥକ୍ ଚିକିତ୍ସାର ବ୍ୟବସ୍ଥା ହେଲା । ବାପୁଜୀ ତିନିଜଣଙ୍କୁ ମାଟିଚିକିତ୍ସା କରି ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ବଞ୍ଚାଇ ପାରିଥିଲେ । ଅନ୍ୟାନ୍ୟ ସମସ୍ତେ ପ୍ରାୟ ମରି ଯାଇଥିଲେ । ଧାତ୍ରୀଟି ମଧ୍ୟ କିଛିଦିନ ଉତ୍ତାରେ ମହାମାରୀ ରୋଗରେ ପ୍ରାଣ ହରାଇ ଥିବା ଶୁଣା ଯାଇଥିଲା । ବାପୁଜୀ ପ୍ରଭୃତି ଅନ୍ୟ ଶୁଶ୍ରୂଷାକାରୀମାନେ ଶୁଶ୍ରୂଷା କରିବା ଦିନିତକ ଅଳ୍ପାହାର କରି ରହି ଥିବାରୁ ସେମାନଙ୍କର କିଛି ଅନିଷ୍ଟ ଘଟି ନାହିଁ । ସେ ଯାହା ହେଉ ମନପ୍ରାଣ ଢାଳି କୌଣସି ସାଧୁ କର୍ମ କରିବା ପାଇଁ ସଂକଳ୍ପ କଲେ ସାହାଯ୍ୟରେ ଅଭାବ ଘଟେ ନାହିଁ ।

 

‘‘ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ସ୍ତଥୈବ ଭଜାମ୍ୟହଂ ।’’ ଯେ ଯେପରି କାମ କରିବାକୁ ମନ ବଳାଏ, ସେ ସେପରି ବୁଦ୍ଧି ଭଗବାନଙ୍କଠାରୁ ପାଏ । ଭଗବାନ୍‍ କେବଳ ବୁଦ୍ଧି ଦିଅନ୍ତି । ବୁଦ୍ଧି ଅନୁସାରେ ମନୁଷ୍ୟ ସୁଖ-ଦୁଃଖ ଭୋଗ କରେ । ଦୁଃଖ ପାଇଁ ଭଗବାନ ଦାୟୀ ନୁହନ୍ତି । ‘‘ନିଜ ଅର୍ଜିଲା କର୍ମମାନ । ଭୁଞ୍ଜଇ ପ୍ରାଣୀ ସାବଧାନ ।’’

 

ମହାମାରୀ ବ୍ୟାପିବା ସମୟରେ ଗରମ ସ୍ୱରରେ ଚିଠିମାନ ଲେଖି ଖବର କାଗଜରେ ବାପୁଜୀ ପ୍ରକାଶ କରିଥିଲେ । ଏଥିରେ ମ୍ୟୁନିସିପାଲିଟିର ଅବହେଳା ବର୍ଣ୍ଣନା କରିଥିଲେ । ଚିଠି ପଢ଼ି ହେନେରୀ ପୋଲକ୍‌ ଓ ରେଭରେଣ୍ଡ ଡୋକ୍ ବାପୁଜୀଙ୍କ ପ୍ରତି ଆକୃଷ୍ଟ ହେଲେ । ସେ ଦିନଠାରୁ ସେମାନେ ବନ୍ଧୁ ହେଲେ । ମି: ଅରକର୍ଟ ଉଏଷ୍ଟ ବାପୁଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ‘ଇଣ୍ଡିୟାନ ଓପିନିୟାନ୍‌’ କାଗଜର ସମ୍ପାଦକତ୍ୱ ଗ୍ରହଣ କରିଥିଲେ ।

 

ମ୍ୟୁନିସିପାଲିଟି ଭାରତୀୟମାନଙ୍କ ପ୍ରତି ଅବହେଳା କରୁଥିଲା । କିନ୍ତୁ ଗୋରାମାନଙ୍କ ସ୍ୱାସ୍ଥ୍ୟ-ରକ୍ଷା ଲାଗି ଅଜସ୍ର ଟଙ୍କା ଢାଳି ଦେଉଥିଲା । ବାପୁଜୀ ମ୍ୟୁନିସିପାଲିଟିର ଗୋରାମାନଙ୍କ ପ୍ରତି ଯେଉଁ ଯତ୍ନ ଥିଲା ତାହାକୁ ନିଜ ଚିଠିରେ ପ୍ରଶଂସା କରିଥିଲେ । ସେ ସତ୍ୟର ଉପାସକ ଥିବାରୁ ଯାଥାର୍ଥ ସମାଲୋଚନା କରିଥିଲେ । ଧଳା ସଙ୍ଗେ କଳା ଥିଲେ ଚିତ୍ତାକର୍ଷକ ହୁଏ–କେବଳ କଳା ବା ଧଳାର ସୌନ୍ଦର୍ଯ୍ୟ କେହି ବୁଝେ ନାହିଁ । ଖାଲି ଦୋଷ ଦେଖାଇ ଥିଲେ ତାହାଙ୍କ ଚିଠି କାହାରି ହୃଦୟଗ୍ରାହୀ ହୋଇ ନ ଥାଆନ୍ତା । ତୁଳନାମୂଳକ ହୋଇ ଥିବାରୁ ଅନେକଙ୍କର ପ୍ରାଣକୁ ସ୍ପର୍ଶ କରିଥିଲା ।

 

ସହରର କିଛି ଦୂରରେ ତମ୍ବୁ ପକାଇ ଘର କରା ଗଲା । ବସ୍ତିରୁ କୁଲିମାନେ ଯାଇ ସେଠାରେ ବାସ କଲେ । ବସ୍ତିଟି ପୋଡ଼ାଇ ଦିଆ ଗଲା । ତତ୍ପରେ ବାପୁଜୀ ମି: ଉଏଷ୍ଟଙ୍କଠାରୁ ଚିଠି ପାଇଲେ ଯେ ‘ଇଣ୍ଡିଆନ ଓପିନିୟନ୍‌’ କାଗଜର ଅବସ୍ଥା ଶୋଚନୀୟ । ଏଣୁ ବାପୁଜୀ ନେଟାଲ ଯାତ୍ରା କଲେ । ଗଲା ବେଳେ ରସ୍‌କିନ୍‌ ସାହେବଙ୍କ ଲେଖା ‘ଅନ୍‌ଟୁ ଦିସ୍‌ ଲାଷ୍ଟ’ ନାମକ ବହି ଖଣ୍ଡିକ ପୋଲକ୍ ସାହେବ ତାହାଙ୍କୁ ଦେଇ ଥିଲେ । ତାହାକୁ ପଢ଼ି ବାପୁଜୀଙ୍କର ମନକୁ ବଡ଼ ଆନନ୍ଦ ଲାଗିଥିଲା । ତହିଁର ସାରକଥା :–

 

(୧)

ସମସ୍ତଙ୍କ ମଙ୍ଗଳରେ ନିଜର ମଙ୍ଗଳ ।

(୨)

ଭଣ୍ଡାରିର କାମର ମୂଲ୍ୟ ଯେତିକି ଓକିଲର କାମର ମୂଲ୍ୟ ସେତିକି । କାରଣ, ନିଜ ନିଜ ବୃତ୍ତିରେ ଜୀବିକା ନିର୍ବାହ କରିବା ପାଇଁ ସମସ୍ତଙ୍କର ସମାନ ଅଧିକାର ଅଛି ।

(୩)

ଶ୍ରମିକ ଅର୍ଥାତ୍ ଚଷା ବା କାରିଗରର ଜୀବନ ଯାତ୍ରା ଅନୁକରଣରେ ଜୀବନ କଟାଇବା ସମସ୍ତଙ୍କର ଉଚିତ ।

 

ନେଟାଲରେ ପହଞ୍ଚି ରସ୍‌କିନଙ୍କ ଉପଦେଶ ଅନୁସରଣ କରି ମଫସଲ ଗ୍ରାମକୁ ଛାପାଖାନା ଉଠାଇ ନେଇ ଗୋଟିଏ ଆଶ୍ରମ ଖୋଲିବା ପାଇଁ ବ୍ୟବସ୍ଥା କରା ଗଲା । ସେଠାରେ ଅଳ୍ପ ବେତନରେ କର୍ମଚାରୀମାନେ ଚଳିବେ । ଛାପାଖାନାର ଖର୍ଚ୍ଚ ବେଶୀ ହେବ ନାହିଁ । ଜାଗା କିଣା ହେଲା । ଛପାଖାନା ଉଠାଇ ନିଆ ଗଲା । ସେ ଅନୁଷ୍ଠାନର ନାମ ହେଲା ‘ଫିନିକ୍‌ସ ଆଶ୍ରମ ।’ ଏହି ଆଶ୍ରମରେ ପ୍ରଥମ ଦିନ କାଗଜ ଛପାଇବାରେ ବାପୁଜୀଙ୍କୁ ବଡ଼ କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ଆତ୍ମନିର୍ଭରଶୀଳତାରେ ଆନନ୍ଦ ଅନୁଭବ କରୁଥିବାରୁ ବାପୁଜୀଙ୍କୁ ଏ କଠିନ ପରିଶ୍ରମ ଅକିଞ୍ଚିତ୍‍କର ହୋଇ ଥିଲା । ପରିଶ୍ରମକୁ ଯେ ଓହରି ଯାଏ ତାହାଠାରେ ମନୁଷ୍ୟତା ବିକାଶ ପାଏ ନାହିଁ ।

 

ବାପୁଜୀଙ୍କ ଫିନିକ୍‌ସ ଆଶ୍ରମଟି କ୍ରମଶଃ ଗୋଟିଏ କ୍ଷୁଦ୍ର ଗ୍ରାମରେ ପରିଣତ ହୋଇଥିଲା-। ସେଠାରେ କଳା, ଗୋରା ପ୍ରଭୃତି ବିଭିନ୍ନ ଜାତିର ଲୋକ ନିଜ ନିଜ ପରିବାର ଘେନି ବାସ କରୁ ଥିଲେ । ସେମାନଙ୍କ ମଧ୍ୟରେ ପରସ୍ପର ଅକୃତ୍ରିମ ମୈତ୍ରୀ ଓ ସ୍ୱଚ୍ଛତା ଥିଲା । ଭାରତର ପଲ୍ଲୀ ଗ୍ରାମଗୁଡ଼ିକ ଆଜି ଯଦି ସେପରି ଆଦର୍ଶରେ ଗଢ଼ା ହୋଇ ପାରନ୍ତା ତେବେ ଭାରତ ଆଜି ସ୍ୱର୍ଗରେ ପରିଣତ ହୁଅନ୍ତା । ମୈତ୍ରୀ ଓ ସ୍ୱଚ୍ଛତାରେ ଯଥାର୍ଥ ସୁଖ ମିଳେ । ଟଙ୍କା ପଇସା ବା ବିଳାସ ମନୁଷ୍ୟକୁ ଯଥାର୍ଥ ସୁଖ ଦିଏ ନାହିଁ ।

 

କିଛିଦିନ ଉତ୍ତାରେ ନେଟାଲରେ ଜୁଲୁ-ବିଦ୍ରୋହ ଉପସ୍ଥିତ ହେଲା । ସଙ୍ଗେ ସଙ୍ଗେ ବାପୁଜୀ ଲାଟସାହେବଙ୍କୁ ଚିଠି ଲେଖି ଜଣାଇ ଦେଲେ ଯେ ଅନୁମତି ଦେଲେ ସେ (ବାପୁଜୀ) ସ୍ୱେଚ୍ଛାସେବକ ଘେନି ବିଦ୍ରୋହ-ସ୍ଥଳରେ ସରକାରଙ୍କୁ ସାହାଯ୍ୟ କରିବେ । ଲାଟ ସାହେବଙ୍କ ଠାରୁ ସଙ୍ଗେ ସଙ୍ଗେ ଅନୁମତି ଆସିଗଲା । ଏଥି ପୂର୍ବରୁ ବାପୁଜୀଙ୍କ ପିଲାପିଲି ଜୋହାନ୍‌ସବର୍ଗ ଯାଇଥିଲେ-। ବାପୁଜୀ ଘରର କିଛି ଉପକରଣ ସହିତ ସେମାନଙ୍କୁ ଫିନିକ୍‌ସ ଆଶ୍ରମକୁ ପଠାଇ ଦେଲେ । ଅବଶିଷ୍ଟ ଉପକରଣ ପୋଲକ ସାହେବଙ୍କ ଘରେ ରଖି ଦେଇ ଭଡ଼ା ନେଇଥିବା ଘରଟି ଛାଡ଼ି ଦେଲେ । ସ୍ୱେଚ୍ଛାସେବକ ତିଆରି ଥିଲେ । ତହିଁରୁ ଚବିଶ ଜଣ ଘେନି ବାପୁଜୀ ବିଦ୍ରୋହ ସ୍ଥଳକୁ ଯାତ୍ରା କଲେ । ସେଠାରେ ପହଞ୍ଚି ଦେଖିଲେ ଯେ, ଏହା ପ୍ରକୃତ ଗୋଟାଏ ବିଦ୍ରୋହ ନୁହେଁ । ଜଣେ ଜୁଲୁ-ସର୍ଦ୍ଦାର ନିଜ ସଂପ୍ରଦାୟର ଲୋକଙ୍କୁ ନୂଆ ଖଜଣା ନ ଦେବା ପାଇଁ ଉପଦେଶ ଦେଇଥିଲେ । ଫଳରେ ଖଜଣା ଅସୁଲ କରିବାକୁ ଯାଇଥିବା ଜଣେ ସର୍ଜେଣ୍ଟକୁ ଜୁଲୁ ସଂପ୍ରଦାୟର ଲୋକେ ବର୍ଚ୍ଛାରେ ମାରି ଦେଇ ଥିଲେ । ସେ ଯାହା ହେଉ ରଣକ୍ଷେତ୍ରରେ ପହଞ୍ଚି ବାପୁଜୀ ଶୁଣିଲେ ଯେ ଆହତ ଜୁଲୁମାନଙ୍କ ସେବା ଶୁଶ୍ରୂଷା କରିବାକୁ ତାହାଙ୍କୁ ପଡ଼ିବ । ଶୁଣି ଖୁସି ହେଲେ । ସେଠିକାର ଡାକ୍ତର ବାପୁଜୀଙ୍କୁ ସ୍ୱାଗତ ଜଣାଇ ଥିଲେ । ଆହତ ଜୁଲୁମାନଙ୍କ ଘା ଗୁଡ଼ିକ ପଚି ଯାଉଥିଲା । ଗୋରା ସ୍ୱେଚ୍ଛାସେବକମାନେ ସେମାନଙ୍କ ସେବା ନିଜେ କରିବା ଦୂରେ ଥାଉ ବାପୁଜୀ ଯେପରି ସେବା ନ କରନ୍ତି ସେଥି ପାଇଁ ମନା କରୁ ଥିଲେ । ବାପୁଜୀଙ୍କର ଓ ତାଙ୍କ ସ୍ୱେଚ୍ଛାସେବକମାନଙ୍କର ଘା ଧୋଇ ପଟି ବାନ୍ଧିବାରେ ଅଭିଜ୍ଞତା ଥିଲା । ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ନିର୍ବାହ କରି ନେଲେ । ଯେଉଁ ଗୋରାମାନେ ସେବା କରିବା ପାଇଁ ମନା କରୁଥିଲେ ସେମାନଙ୍କ ସହିତ ତାହାଙ୍କର ଘନିଷ୍ଟ ବନ୍ଧୁତା ଜନ୍ମିଗଲା । ଏହା ଛଡ଼ା ସୈନିକ ବିଭାଗର କର୍ମଚାରୀମାନଙ୍କ ସଙ୍ଗେ ମଧ୍ୟ ପରିଚୟ ହୋଇଗଲା । ସେଥି ସଙ୍ଗେ ସଙ୍ଗେ ବହୁ ମୂଲ୍ୟ ତଥ୍ୟ ମଧ୍ୟ ସଂଗ୍ରହ କରିଥିଲେ । କେତେକ ଜୁଲୁଙ୍କୁ କେବଳ ତୁଚ୍ଛା ସନ୍ଦେହରେ ନିର୍ମମ ପ୍ରହାର କରି ସୈନିକମାନେ ଜଖମ କରି ଦେଇଥିଲେ । ସରକାରଙ୍କ ପକ୍ଷର ଲୋକ ବୋଲି ଚିହ୍ନାଯିବା ପାଇଁ ହୁଦା ଥିଲେ ମଧ୍ୟ ଏପରି କେତେକ ଜୁଲୁଙ୍କୁ ସୈନ୍ୟମାନେ ଗୁଳି ଚୋଟରେ ଆଘାତ କରିଥିଲେ । ଏହି ପୈଶାଚିକ କାଣ୍ଡର ପ୍ରମାଣ ପାଇ ବାପୁଜୀଙ୍କର ମନ ଯୁଦ୍ଧ ପ୍ରତି ତିକ୍ତ ହୋଇ ଯାଇଥିଲା । ଏଣୁ ସର୍ବଦା ସେ ଯୁଦ୍ଧ-ବନ୍ଦ ପାଇଁ ମତ ଦେଉଥିଲେ ।

 

ଜୁଲୁ-ବିଦ୍ରୋହ ବେଳେ ନିଜ ଆତ୍ମାର ପ୍ରକୃତି ବୁଝିବା ପାଇଁ ସେ ଯଥେଷ୍ଟ ସୁବିଧା ପାଇଥିଲେ । ସେଠାରେ ସେ ବୁଝିଥିଲେ ଯେ, ଆତ୍ମ-ସଂଯମ ପଶୁଠାରେ ନାହିଁ–କେବଳ ମନୁଷ୍ୟଠାରେ ଅଛି । ଆତ୍ମ-ସଂଯମ ଯୋଗୁଁ ମନୁଷ୍ୟ ପଶୁଠାରୁ ଶ୍ରେଷ୍ଠ । ବ୍ରହ୍ମଚର୍ଯ୍ୟ ଆତ୍ମ-ସଂଯମର ପ୍ରଧାନ ଅବଲମ୍ବନ । ଯଦି ସେ ବ୍ରହ୍ମଚର୍ଯ୍ୟ ବ୍ରତ ଗ୍ରହଣ କରି ନ ଥାଆନ୍ତେ ଏବଂ ନିଜ ସ୍ତ୍ରୀଙ୍କର କୌଣସି ସନ୍ତାନ-ପ୍ରସବର କାଳ ନିକଟ ବୋଲି ତାହାଙ୍କ ମନ ଉତ୍କଣ୍ଠିତ ହେଉ ଥାଆାନ୍ତା ତେବେ ସେ ସେବା-କାର୍ଯ୍ୟ କରି ପାରି ନ ଥାଆନ୍ତେ । ଘର ସେବା ଛାଡ଼ି ପର ସେବା କରନ୍ତେ କିପରି ? ପର ସେବା ନ କଲେ ଆତ୍ମାର ପ୍ରକୃତି ବୁଝିବା ମଧ୍ୟ କଠିନ । ଏଣୁ ହିନ୍ଦୁ ଶାସ୍ତ୍ରରେ ବ୍ରହ୍ମଚର୍ଯ୍ୟକୁ ଉଚ୍ଚ ସ୍ଥାନ ଦିଆ ଯାଇଅଛି । ଏହିପରି ନାନା ଅଭିଜ୍ଞତା ଲାଭ ଓ ଆତ୍ମଦର୍ଶନ ଉତ୍ତାରେ ଜୁଲୁ-ବିଦ୍ରୋହ ଶାନ୍ତ ହେଲା । ସେ ଫିନିକ୍‌ସ ଆଶ୍ରମକୁ ଫେରି ଗଲେ । ଲାଟ ସାହେବ ତାହାଙ୍କ ସେବାରେ ପ୍ରଂଶସା କରି ଧନ୍ୟବାଦ ଦେଇ ଚିଠି ପଠାଇଲେ । ଏ ସମୟରେ ଇଉରୋପରେ passive resistance ବା ନିଷ୍କ୍ରିୟ ପ୍ରତିରୋଧ ସମ୍ବନ୍ଧରେ ଆଲୋଚନା ହେଉଥାଏ । କିନ୍ତୁ ସେଠାରେ ଏହାର ଅର୍ଥ ଯେପରି ଭାବରେ ଗ୍ରହଣ କରା ଯାଉଥାଏ, ପରିଣାମରେ ନିଷ୍କ୍ରିୟ ପ୍ରତିରୋଧ ହିଂସାଯୁଦ୍ଧ ବୋଲି ବୁଝା ଯାଉଥାଏ । ଏ ଅର୍ଥ ବାପୁଜୀଙ୍କ ମନକୁ ପାଇଲା ନାହିଁ । ଇଂରେଜି Passive resistanceର ନାମ ଭାରତୀୟ ଭାଷାରେ କିପରି ରୂପାନ୍ତର କରା ଯାଇପାରେ ତାହା ବାପୁଜୀ ଚିନ୍ତା କଲେ । ନିଜେ ସ୍ଥିର କରି ନ ପାରିବାରୁ ଯେ ଏହାକୁ ତର୍ଜମା କରି ପାରିବ ତାହାକୁ ପୁରସ୍କାର ଦିଆଯିବ ବୋଲି ସମ୍ୱାଦପତ୍ରରେ ଘୋଷଣା କଲେ । ମଦନଲାଲ ଗାନ୍ଧୀ ‘ସଦାଗ୍ରହ’ (ସତ୍‌+ଆଗ୍ରହ) ବୋଲି ତର୍ଜମା କରି ପୁରସ୍କାର ପାଇଲେ । ସାଧୁ କାମ ପ୍ରତି ଆଗ୍ରହକୁ ସଦାଗ୍ରହ କହନ୍ତି । ବାପୁଜୀ ପୁରସ୍କାର ଦେଇ ସାରି ତର୍ଜମାକୁ ଆହୁରି ସ୍ପଷ୍ଟତର କରି ସତ୍ୟାଗ୍ରହ ନାମ ଦେଲେ । ଏହି ନାମ ଅଦ୍ୟାବଧି ଚଳୁଅଛି ଓ ଭବିଷ୍ୟତରେ ଚଳୁଥିବ । କଥାରେ ଅଛି–‘‘ପାଞ୍ଚ ଆତ୍ମା ପରମେଶ୍ୱର’’ । ପାଞ୍ଚ ଜଣଙ୍କର ସାଧୁ ବିଚାରକୁ ଈଶ୍ୱରଙ୍କ ବିଚାର କୁହାଯାଇ ପାରେ । ‘ସଦାଗ୍ରହ’ ଶବ୍ଦ ପାଇବାରୁ ତାହାକୁ ‘ସତ୍ୟାଗ୍ରହ’ କରାଯାଇ ପାରିଲା । ଏହିପରି ବିଭିନ୍ନ ମହାତ୍ମାଙ୍କ ବୁଦ୍ଧି ପ୍ରୟୋଗରେ ପୃଥିବୀରେ ସଭ୍ୟତାର ବିକାଶ ଘଟୁଅଛି ।

 

ଫିନିକ୍‌ସ ଆଶ୍ରମରେ ଯେଉଁମାନେ ଥିଲେ ସେମାନେ କିଛି କିଛି ଭୂମି ନେଇ କୃଷି-କାର୍ଯ୍ୟ ମଧ୍ୟ କରୁଥିଲେ । ସେଠାରେ ବାପୁଜୀ ଗୋଟିଏ ବିଦ୍ୟାଳୟ ମଧ୍ୟ ଖୋଲିଥିଲେ । ଏଥିରେ ହିନ୍ଦୁ, ମୁସଲମାନ, ପାର୍ସି, ଖ୍ରୀଷ୍ଟୀୟାନ ପ୍ରଭୃତି ସବୁ ସମ୍ପ୍ରଦାୟର ବାଳକ ବାଳିକାମାନେ ପଢ଼ୁ ଥିଲେ । କିନ୍ତୁ ସେଠାରେ ଶିକ୍ଷକ ଅଭାବ ଥିଲେ । ବାହାରୁ ଶିକ୍ଷକ ଆଣି ବେତନ ଦେବା ପାଇଁ ଅର୍ଥ-ବଳ ନ ଥିଲା । ତହିଁରେ ପୁଣି ମଫସଲ ଜାଗାରେ ରହି ଶିକ୍ଷକତା କରିବାକୁ କେହି ରାଜି ହେଉ ନ ଥିଲେ । ଏଣୁ ବାପୁଜୀଙ୍କୁ ଶିକ୍ଷକତା କରିବାକୁ ପଡ଼ିଥିଲା । ସେ ଛାତ୍ରମାନଙ୍କ ଚରିତ୍ର ଗଢ଼ିବା ପାଇଁ ବିଶେଷ ନଜର ଦେଇ ଥିଲେ । ପିଲାମାନେ ନିଜର ଦୈନିକ କାର୍ଯ୍ୟକ୍ରମ ମଧ୍ୟରେ ଶିକ୍ଷାଲାଭ କରୁଥିଲେ । ପିଲାମାନେ ନିଜ ହାତରେ ରାନ୍ଧି ଶିଖୁଥିଲେ । ନିଜେ ନିଜେ ପାଇଖାନା ସଫା ମଧ୍ୟ କରୁଥିଲେ । ବଗିଚା କାମ ମଧ୍ୟ କରୁଥିଲେ । ଏହିପରି ଅକ୍ଷର-ଶିକ୍ଷା, ଶରୀର-ଗଠନ, ଜୀବନ-ନିର୍ବାହର ଉପାୟ ପ୍ରଭୃତି ଏକ ସଙ୍ଗରେ ସବୁ ଚାଲିଥାଏ । କୃଷିରେ ଶାରୀରିକ ପରିଶ୍ରମ ଲୋଡ଼ା ହୁଏ । ଫୁଲ, ଫଳ ଉତ୍ପାଦନ କଲେ ମନରେ ଆନନ୍ଦ ଆସେ । ଏଣୁ ଏହା ଚରିତ୍ର-ଗଠନରେ ଅନୁକୂଳ । ଅଳସଜୀବନ ବହି ଯେଉଁ ବିଦ୍ୟାଭ୍ୟାସ ତହିଁରେ ଚରିତ୍ର-ଗଠନର ସୁବିଧା ଆଦୌ ନାହିଁ । ଗଛ-ଲଗାଇ ଫୁଲ-ଫଳ ଉତ୍ପାଦନ କରିବାରେ ମନରେ ଯେଉଁ ଆନନ୍ଦ ଆସେ କ୍ରିକେଟ-ଫୁଟବଲ ପ୍ରଭୃତି ଖେଳରେ ମନରେ ସେପରି ଆନନ୍ଦ ଆସେ ନାହିଁ । ଜୀବନରେ ଅନୁଭବ କରିଥିବାରୁ ବାପୁଜୀ କୃଷିକୁ ଅକ୍ଷର-ଶିକ୍ଷା ସଙ୍ଗେ ସଂପୃକ୍ତ କରିବା ପାଇଁ ଉପଦେଶ ଦେଉଥିଲେ ।

 

ବାପୁଜୀଙ୍କ ହୃଦୟରେ ଅସୀମ ପ୍ରେମ ଥିଲା । ସେହି ପ୍ରେମରେ ପୃଥିବୀର ସମଗ୍ର ମାନବ ଜାତି କିପରି ଏକ ପରିବାରର ଅନ୍ତର୍ଗତ ବୋଲି ବୁଝିବେ, ତାହା ତାହାଙ୍କର ପ୍ରଧାନ ଲକ୍ଷ୍ୟ ଥିଲା । ଯେ ଇଚ୍ଛା ସେ ଶାସକ ହେଉ, ସେ ପୃଥିବୀରେ ପରସ୍ପର ସ୍ନେହ ପ୍ରତିଷ୍ଠା କରୁଁ–ଏହାହିଁ ତାହାଙ୍କର ମତ ଥିଲା, ଏକୁଟିଆ ରହିବା ମନୁଷ୍ୟର ସ୍ୱଭାବ ନୁହେଁ । ସେପରି କୌଣସି ଜାତି ଅନ୍ୟ ଜାତି ଠାରୁ ପୃଥକ୍‍ ରହି ନ ପାରେ । ଏହା ବୁଝି ଇଂରେଜମାନେ ଏ ଦେଶରୁ ଚାଲି ଯାଆନ୍ତୁ ବୋଲି ସେ କହୁ ନ ଥିଲେ । ଏଣୁ ଇଂରେଜ ଜାତିର ବିପଦ ପଡ଼ିଲେ ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ଥିଲେ-। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଇଂରେଜମାନେ କ୍ରମଶଃ ପ୍ରେମର ମର୍ଯ୍ୟାଦା ବୁଝିବେ ଓ ଶୋଷଣନୀତି ପରିହାର କରିବେ ।

 

ଆଫ୍ରିକାରେ ସତ୍ୟାଗ୍ରହ ସରିବା ଉତ୍ତାରେ ୧୯୧୪ ସାଲରେ ବିଲାତ ବାଟେ ଭାରତକୁ ଫେରିବା ପାଇଁ ଯାତ୍ରା କଲେ । ମହାସମର ଆରମ୍ଭର ସମ୍ଭାବନା ସେ ମେଡିରାଠାରେ ଶୁଣିଥିଲେ । ଅଗଷ୍ଟ ଚାରି ତାରିଖରେ ଯୁଦ୍ଧ ଘୋଷଣା କରା ଯାଇଥିଲା । ସେତେବେଳେ ଦେଶପ୍ରାଣ ଗୋଖଲେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପ୍ୟାରିସ୍‌ ଯାଇଥିଲେ । ଯୁଦ୍ଧ ଲାଗିବାରୁ ସେ ସେଠାରେ ଅଟକି ଯାଇଥିଲେ । ଯୁଦ୍ଧରେ କର୍ତ୍ତବ୍ୟ କଅଣ, ଏ ବିଷୟରେ ଅନେକ ଭାରତୀୟଙ୍କ ସହିତ ବାପୁଜୀ ବିଲାତରେ ଆଲୋଚନା କରିଥିଲେ । ଗୋଟିଏ ସଭା ଡକା ହୋଇଥିଲା । ତହିଁରେ ବାପୁଜୀ ନିଜର ମତ ପ୍ରକାଶ କରିଥିଲେ । ଅନେକ ଆପତ୍ତି ଉଠିଲା । ଅନେକେ କହିଲେ, ‘‘ଇଂରେଜମାନେ ପ୍ରଭୁ, ଆମେ ଦାସ, ଏପରି ଅବସ୍ଥାରେ ଦାସ ପ୍ରଭୁ ସହିତ ସହଯୋଗିତା କରି ନ ପାରେ ।’’ କିନ୍ତୁ ବାପୁଜୀ ବୁଝିଥିଲେ ଯେ, ଦୋଷ ଶାସନ-ପଦ୍ଧତିର ନୁହେଁ; ଯେଉଁମାନେ ଶାସନ ଚଳାଇବାକୁ ଭାରତକୁ ଯାଉ ଅଛନ୍ତି ସେମାନଙ୍କ ବ୍ୟକ୍ତିଗତ ଦୋଷରୁ ଶାସନରେ ଦୋଷ ଘଟୁଅଛି । ଏଣୁ ସେ ସ୍ୱେଚ୍ଛାସେବକ ଆହ୍ୱାନ କରିଥିଲେ । ଭାରତର ସବୁ ପ୍ରଦେଶର ଓ ସବୁ ସମ୍ପ୍ରଦାୟର କେତେ କେତେ ଲୋକ ସ୍ୱେଚ୍ଛାସେବକ ହେବା ପାଇଁ ରାଜି ହୋଇଥିଲେ ।

 

ଭାରତୀୟମାନଙ୍କୁ ସ୍ୱେଚ୍ଛାସେବକ ରୂପେ ଗ୍ରହଣ କରି ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ନିମନ୍ତେ ବାପୁଜୀ ଲର୍ଡ କ୍ରୁଶ୍‍ଙ୍କ ପାଖକୁ ଚିଠି ଲେଖିଥିଲେ । ଲର୍ଡ କ୍ରୁଶ୍‌ ପ୍ରଥମେ ଟିକିଏ ସନ୍ଦେହ କରି ପରେ ରାଜି ହୋଇଥିଲେ ଓ ଧନ୍ୟବାଦ ଦେଇ ବାପୁଜୀଙ୍କ ପାଖକୁ ଉତ୍ତର ଦେଇଥିଲେ । ଆହତମାନଙ୍କୁ କିପରି ଶୁଶ୍ରୂଷା କରିବାକୁ ହେବ ତାହା ଡାକ୍ତର ବ୍ୟାଣ୍ଟଲି ସ୍ୱେଚ୍ଛାସେବକମାନଙ୍କୁ ଶିଖାଇଲେ । ଛଅ ସପ୍ତାହରେ ପ୍ରାଥମିକ ଶିକ୍ଷା ସରି ଯାଇଥିଲା । ପରୀକ୍ଷା ହେଲା । ଜଣକ ଛଡ଼ା ସମସ୍ତେ ପାସ୍ କରିଗଲେ । ସେତେବେଳେ ବିଲାତର ଆବାଳ-ବୃଦ୍ଧ-ବନିତା ଦେଶକୁ ଆସନ୍ନ-ବିପଦରୁ ଉଦ୍ଧାର କରିବା ପାଇଁ ଲାଗି ଯାଇଥିଲେ ।

 

ଯୁଦ୍ଧରେ ସାହାଯ୍ୟ କରୁଥିବା କଥା ଦକ୍ଷିଣ ଆଫ୍ରିକାରେ ପହଞ୍ଚି ଗଲା । ଅହିଂସା-ନୀତି ସହିତ ଯୁଦ୍ଧରେ ସାହାଯ୍ୟ କରିବା ନୀତି କିପରି ଖାପ ଖାଉଛି ? ଏକଥା ପୋଲକ ପଚାରି ଚିଠି ଲେଖିଲେ । ଡକେଇତମାନଙ୍କ ସେବା କଲେ ତହିଁରେ ମଧ୍ୟ ପାପ ଅଛି । ହିଂସା-ନୀତି ଧରିଥିବା ସୈନିକମାନଙ୍କୁ ସେବା କରିବା ଉଚିତ ନୁହେଁ ବୋଲି ବାପୁଜୀ ଜାଣିଥିଲେ । କିନ୍ତୁ ତାଙ୍କର ବିଶ୍ୱାସ ଥିଲା ଯେ, ଦାସ୍ୟ-ଭକ୍ତିରେ ଶାସକ ପ୍ରଭୁଙ୍କର ମନୋଭାବ ବଦଳାଇ ଦେଇ ପାରିବେ । ଅନ୍ୟ ଉପାୟରେ ଯୁଦ୍ଧରୁ ନିବୃତ୍ତ କରାଇବା ପାଇଁ ଯାହାର ବଳ ନାହିଁ ସେ ଆଉ କଅଣ କରି ପାରେ ?

 

ସ୍ୱେଚ୍ଛାସେବକ ହୋଇ ସେବା କଲେ ମଧ୍ୟ ସେତେବେଳେ ସେ ଛୋଟିଆ ସତ୍ୟାଗ୍ରହ କରିବାକୁ ପାଶୋରି ନ ଥିଲେ । ଶିକ୍ଷକ ଶିକ୍ଷା ଦେବାବେଳେ ସ୍ୱେଚ୍ଛା-ସେବକମାନଙ୍କ ଉପରେ ହାକିମି କରିବା ପାଇଁ ପ୍ରବୃତ୍ତ ହୋଇଥିଲେ । ତାହାର ପ୍ରତିବାଦ କରି ବାପୁଜୀ ଅନଶନ ବ୍ରତ କରିଥିଲେ । ଚଉଦ ଦିନ ଉପବାସ ଉତ୍ତାରେ ଦେହରେ ବଳ ଆସିଛି କି ନାହିଁ ଏପରି ସମୟରେ ଡ୍ରିଲ୍‌ ଶ୍ରେଣୀରେ ତାହାଙ୍କୁ ଯୋଗ ଦେବାକୁ ପଡ଼ିଥିଲା । ଦୁଇ ମାଇଲ ବାଟ ଚାଲି ଡ୍ରିଲ୍‌ ପଡ଼ିଆକୁ ଯାଉଥିବାରୁ ତାହାଙ୍କର ପାର୍ଶ୍ୱ-ବେମାରି [Plurisy] ହୋଇଥିଲା । କ୍ରମଶଃ ସେ ଆରୋଗ୍ୟ ଲାଭ କରି ଭାରତକୁ ଫେରିଲେ । ବୋମ୍ୱେଇରେ ତାହାଙ୍କୁ ଉପଯୁକ୍ତ ରୂପେ ଅଭ୍ୟର୍ଥନା କରାଯାଇ ଥିଲା । ବଣରେ ମାଳତୀ ଫୁଟିଥିଲେ ମଧ୍ୟ ଦୂରକୁ ଗନ୍ଧ ଚହଟୁ ଥିଲା । ସୁଦୂର ଆଫ୍ରିକାରେ ରହି ବାପୁଜୀ ଯେଉଁ କାମ କରୁଥିଲେ ତାହା ଭାରତବର୍ଷରେ ଆଉ କାହାକୁ ଅଜଣା ନ ଥିଲା ।

 

ବାପୁଜୀ ବୋମ୍ୱେଇରେ ପହଞ୍ଚିବା ପୂର୍ବରୁ ତାହାଙ୍କର ଫିନିକ୍‌ସ ଦଳଟି ଭାରତରେ ପହଞ୍ଚି ଥିଲେ । ଆଣ୍ଡ୍ରୁଜ୍‌ ସାହେବ ସେମାନଙ୍କୁ ଶାନ୍ତିନିକେତନରେ ରଖାଇଥିଲେ । ବାପୁଜୀ ସେମାନଙ୍କୁ ଭେଟିବା ପାଇଁ ବ୍ୟଗ୍ର ହୋଇପଡ଼ିଲେ । ଶାନ୍ତିନିକତେନକୁ ଆସୁ ଆସୁ ବାଟରେ ପୁନାରେ ଉତୁରି ଗୋଖ୍‍ଲେଙ୍କ ସଙ୍ଗେ ଦେଖା କରିବାକୁ ଯାଇଥିଲେ । କାରଣ, ତାହାଙ୍କୁ ଗୁରୁ ମଣି ଭକ୍ତି କରୁଥଲେ । ଗୁରୁ ମଧ୍ୟ ବାପୁଜୀଙ୍କ ପ୍ରତି ଅଗାଧ ସ୍ନେହଅଜାଡ଼ି ଦେଇଥିଲେ । ଗୁଜୁରାଟଠାରେ ଗୋଟିଏ ଆଶ୍ରମ ଖୋଲିବେ ବୋଲି ବାପୁଜୀ ପ୍ରକାଶ କରିବାରୁ ଗୋଖ୍‌ଲେ ଆନନ୍ଦିତ ହୋଇ ବ୍ୟୟଭାର ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେଠାରୁ ବାପୁଜୀ ଶାନ୍ତିନିକତେନକୁ ଆସିଥିଲେ । ସେଠାରେ ମଧ୍ୟ ଉପଯୁକ୍ତରୂପେ ଅଭ୍ୟର୍ଥନା ପାଇଥିଲେ । ସେଠାରେ ସେ ଗୋଖ୍‌ଲେଙ୍କ ପରଲୋକ ସମ୍ୱାଦ ପାଇ ପୁନା ଯାତ୍ରା କଲେ ।

 

ଦକ୍ଷିଣ ଆଫ୍ରିକାରେ ସତ୍ୟାଗ୍ରହ ଚଳାଇବା ଦିନୁ ବାପୁଜୀ ଜାହାଜରେ ଓ ରେଲଗାଡ଼ିରେ ତୃତୀୟ ଶ୍ରେଣୀରେ ଯାତାୟାତ କରୁଥିଲେ । ଏଣୁ ତୃତୀୟ ଶ୍ରେଣୀର ଯାତ୍ରୀଙ୍କ ଅସୁବିଧା ନିଜେ ଅନୁଭବ କରୁଥିଲେ । କିନ୍ତୁ ଶାନ୍ତି-ନିକେତନରୁ ପୁନାକୁ ଫେରିବା ବେଳେ ବର୍ଦ୍ଧମାନଠାରେ ତୃତୀୟ ଶ୍ରେଣୀର ଟିକଟ କିଣିବା ପାଇଁ ଓ ଗାଡ଼ିରେ ଚଢ଼ିବାପାଇଁ ସେ ଯେଉଁ କଷ୍ଟ ଅଙ୍ଗରେ ନିଭେଇ ଥିଲେ ତାହା ସେ ଆଜୀବନ ପାସୋରି ନ ଥିଲେ । ଆରାମ-ଚୌକିରେ ବସି ଦେଶଭକ୍ତ ହୋଇଥିଲେ ସେ କଦାପି ଆତ୍ମ-ଦୃଷ୍ଟି ଲାଭ କରି ପାରି ନ ଥାଆନ୍ତେ । ଏଣୁ ଖାଲି ଘରେ ବସି ବହି ପଢ଼ିଲେ କୌଣସି ଜ୍ଞାନ ଜନ୍ମେ ନାହିଁ । ସଂକୀର୍ଣ୍ଣତା ଛାଡ଼ି ପୃଥିବୀର ଯାବତୀୟ ସଂପ୍ରଦାୟର ଲାକଙ୍କ ସଙ୍ଗେ ମିଶି ସମଦର୍ଶୀ ହେଲେ ଯଥାର୍ଥ ଜ୍ଞାନ ଉପୁଜେ । ବାପୁଜୀ ଭକ୍ତି ପାଇବା ପାଇଁ କଲ୍ୟାଣ ଯାଚି ବୁଲୁ ନ ଥିଲେ । ପରର ଦୁଃଖ ବୁଝିବା ପାଇଁ ତାହାଙ୍କର ଅନ୍ତର କାନ୍ଦୁଥିଲା ଓ ଦୁଃଖ ଦୂର କରିବା ପାଇଁ ପ୍ରାଣରୁ ଉତ୍ତେଜନା ଉଠୁଥିଲା । ଏଥିପାଇଁ ସମସ୍ତଙ୍କ ଆତ୍ମା ତାହାଙ୍କଠାରେ ବାନ୍ଧି ହେବାପାଇଁ ସ୍ୱତଃ ବ୍ୟଗ୍ର ହୋଇ ଉଠୁଥିଲା । ଏହି ବ୍ୟଗ୍ରତାକୁ ଯଥାର୍ଥ ଭକ୍ତି କହନ୍ତି ।

Image

 

Unknown

ମହାତ୍ମ ଜୀବନର ପଥେ

 

‘‘ଈଶ୍ୱରଃ ସର୍ବଭୂତାନାଂ ହୃଦ୍‌ଦେଶେଽର୍ଜୁନ ! ତିଷ୍ଠତି ।

ଭ୍ରାମୟନ୍‌ ସର୍ବଭୂତାନି ଯନ୍ତ୍ରାରୂଢ଼ାନି ମାୟୟା ।’’

 

ଈଶ୍ୱର ସକଳ ପ୍ରାଣିଙ୍କର ହୃଦୟରେ ବାସ କରନ୍ତି । କୁମ୍ଭାର ଚକରେ ବସାଇ ହାଣ୍ଡିକି ବୁଲାଇଲା ପରି ସବୁ ଜୀବଙ୍କୁ ପିଣ୍ଡ-ଯନ୍ତ୍ରରେ ବସାଇ ମାୟାରେ ବୁଲାଉ ଅଛନ୍ତି । ଯେ ଶରୀରର ସୁଖ ଲୋଡ଼ିବ ସେ ମାୟାରେ ପଡ଼ି ଘାଣ୍ଟି ହେବ । ଯେ ଈଶ୍ୱରଙ୍କୁ ଲୋଡ଼ିବ ସେ ଆନନ୍ଦ ଉପଭୋଗ କରିବ । ଏଣୁ ଇନ୍ଦ୍ରିୟର ପ୍ରେରଣାକୁ ଏଡ଼ି ଅନ୍ତରର ପ୍ରେରଣା ଅନୁସାରେ କାର୍ଯ୍ୟ କଲେ ବ୍ୟକ୍ତିଗତ ଆତ୍ମା ମହତ୍‌ ଆତ୍ମା ସଙ୍ଗେ ଯୋଗସୂତ୍ରରେ ଏକ ହୁଏ । ପଶୁ-ଜୀବନରେ ଜୀବପ୍ରତି ଦୟା କରିବା ପାଇଁ ଅନ୍ତରରୁ ପ୍ରେରଣା ଆସେ ନାହିଁ । ମନୁଷ୍ୟ ଜୀବନରେ ଆସେ । ସେ ପ୍ରେରଣା ଅନୁସାରେ କାମ କରିବା ପାଇଁ ମନୁଷ୍ୟର ବୀରତ୍ୱ ଥିବା ଉଚିତ । ବୀରତ୍ୱ ଦେଖାଇ ଦୁଃଖିର ଦୁଃଖ ଦୂର କରିବା ପାଇଁ ସତତ ତତ୍ପର ହେଉଥିବାରୁ ବାପୁଜୀ ମହାତ୍ମାରେ ପରିଣତ ହୋଇଗଲେ ।

 

ମହାତ୍ମାଜୀ ସର୍ବଦା ଅନ୍ତରର ପ୍ରେରଣା ଅନୁସାରେ କାର୍ଯ୍ୟ କରୁଥିଲେ । ପ୍ରେରଣାନୁସାରେ ସଂକଳ୍ପ କରୁଥିବାରୁ ତାହାକୁ କାର୍ଯ୍ୟରେ ପରିଣତ ନ କରିବା ପର୍ଯ୍ୟନ୍ତ ଛାଡ଼ୁ ନ ଥିଲେ । କିନ୍ତୁ ଗୋଟିଏ ସଂକଳ୍ପ ରକ୍ଷା କରିପାରି ନ ଥିବାରୁ ସେ ନିଜେ ଅନୁତପ୍ତ ହୋଇ ଅଛନ୍ତି । କ୍ଷୀର ଖାଇଲେ କାମାଶକ୍ତି ବଢ଼େ । ପୁଣି ଫୁକା ପ୍ରଥାରେ ଗଉଡ଼ମାନେ ଗାଈଠାରୁ ଶେଷ କ୍ଷୀର ବିନ୍ଦୁ ଚିପୁଡ଼ୁ ଥିବାରୁ କ୍ଷୀର ପ୍ରତି ତାହାଙ୍କର ଘୃଣା ଆସିଥିଲା । ଏଣୁ କ୍ଷୀର ଖାଇବେ ନାହିଁ ବୋଲି ସେ ସଂକଳ୍ପ କରିଥିଲେ । କିନ୍ତୁ ଭାରତକୁ ଫେରି ଅହମଦାବାଦଠାରେ ଆଶ୍ରମ ଖୋଲିବାର କେତେଦିନ ଉତ୍ତାରେ ସେ ଅର୍ଶ ରୋଗାକ୍ରାନ୍ତ ହେଲେ । ରୋଗରୁ ମୁକ୍ତ ହେବା ପାଇଁ ଚିକିତ୍ସକମାନେ କ୍ଷୀର-ପଥ୍ୟର ବ୍ୟବସ୍ଥା କଲେ । ନାନା ବିଚାରରେ ସଂକଳ୍ପର ମଧ୍ୟମ ପନ୍ଥା ସ୍ଥିର ହେଲା ଓ ଛେଳି-କ୍ଷୀର ଖାଇଲେ । ଏହାକୁ ମଧ୍ୟ ଆମେ ଅନ୍ତରର ପ୍ରେରଣା କହିପାରୁ । ପରର ଉପକାର କରିବାକୁ ହେଲେ ଶରୀରକୁ ବଞ୍ଚାଇବାକୁ ହେବ । ସେଥିପାଇଁ ଅନ୍ତରରୁ ପ୍ରେରଣା ଆସିଲା । ସେ ଛେଳି-କ୍ଷୀର ଖାଇଲେ । କିନ୍ତୁ ଛେଳି-କ୍ଷୀର ନ ଖାଇ ଆରୋଗ୍ୟ-ଲାଭ କରି ପାରି ଥାଆନ୍ତେ କି ନାହିଁ ତାହା ସେ ପରୀକ୍ଷା କରି ପାରିଲେ ନାହିଁ ବୋଲି ଅନୁତପ୍ତ ହୋଇ ଅଛନ୍ତି । ସଂକଳ୍ପର ଏପରି ନଗଣ୍ୟ ବ୍ୟତିକ୍ରମ ପାଇଁ ସେ ଅନୁତପ୍ତ ହେଲେ । ଏଥିରୁ ତାହାଙ୍କ ମହାତ୍ମା-ଜୀବନର ଆଦର୍ଶ ଅନାୟାସରେ ଉପଲବ୍‌ଧି କରିପାରୁ ।

 

‘‘ବିପଦି ଧୈର୍ଯ୍ୟ ମଥାଭ୍ୟୁଦୟେ କ୍ଷମା,

ସଦସି ବାକ୍‌ପଟୁତା ଯୁଧି ବିକ୍ରମଃ

ଯଶସି ରୁଭିରୁଚିବ୍ୟସନଂ ଶ୍ରୁତୌ

ପ୍ରକୃତିସିଦ୍ଧମିଦଂହି ମହାତ୍ମନାଂ ।’’

 

ବିପଦ ବେଳେ ଧୈର୍ଯ୍ୟ ଧବିବ । ସମ୍ପଦ କାଳରେ କ୍ଷମା ଆଚରିବ । ସଭାରେ ଶ୍ରୋତାମାନଙ୍କୁ ମୁଗ୍‌ଧ କରିବାଭଳି କହିବା ପାଇଁ କ୍ଷମତା ଥିବ । ଯୁଦ୍ଧରେ ବିକ୍ରମ ପ୍ରକାଶ କରିବ । ଯଶରେ ରୁଚି ଅର୍ଥାତ ସାଧୁକର୍ମ କରିବା ପାଇଁ ସର୍ବଦା ଆଗ୍ରହ ଥିବ । ସର୍ବଦା ଶାସ୍ତ୍ର-ଚର୍ଚ୍ଚା କରୁଥିବ । ଏ ସମସ୍ତ ଗୁଣ ମହାତ୍ମାମାନଙ୍କର ଅଭ୍ୟାସଗତ । ଆଫ୍ରିକାରେ ନିଜେ କେତେଥର ମାଡ଼ ଖାଇଲେ ମଧ୍ୟ ଥରେ ସୁଦ୍ଧା ନିଜହାତ କାହା ଉପରକୁ ଟେକି ନାହାନ୍ତି । ଜର୍ମାନୀ ସହିତ ଇଂରେଜମାନଙ୍କର ଯୁଦ୍ଧ ଲାଗିଲାବେଳେ ଅନେକ ଭାରତୀୟ ଭାରତର ଅଭ୍ୟୁଦୟ ମଣି ଇଂରେଜଙ୍କ ବିଦ୍ରୋହୀ ହେଲେ-। କିନ୍ତୁ ମହାତ୍ମାଜୀ ଇଂରେଜଙ୍କୁ ସାହାଯ୍ୟ କଲେ । ଏହାଠାରୁ ବଳି ଆଉ କି କ୍ଷମା ଅଛି ? ତାହାଙ୍କ ବକ୍ତୃତା ଯେ ଶୁଣିଛି ବା ସମ୍ୱାଦପତ୍ରରୁ ପଢ଼ିଛି ତାହାର ମଧୁରତା ସେ ଚାଖିଛି । ଅସ୍ତ୍ରଧାରୀର ସମ୍ମୁଖକୁ ବିନାସ୍ତ୍ରରେ ଲଢ଼ିବା ପାଇଁ ଆଗଭର ହେବା ବିକ୍ରମର ଚରମ ସୀମା । ସାଧୁ କର୍ମରେ ତ ଜୀବନ ଭରପୁର । ଶାସ୍ତ୍ର-ପାଠ ମଧ୍ୟ ତଦନୁରୂପ ।

 

‘‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ

ନ ଚୈନଂ କ୍ଳେଦୟନ୍ତ୍ୟାପୋ ନ ଶୋଷୟତି ମାରୁତଃ ।’’

 

ଆତ୍ମା ଶସ୍ତ୍ରରେ ଛିଣ୍ଡେ ନାହିଁ । ଅଗ୍ନିରେ ପୋଡ଼େ ନାହିଁ । ଜଳରେ ବୁଡ଼େ ନାହିଁ, ପବନରେ ଶୁଖେ ନାହିଁ । ସଂସାରରେ କର୍ମ କରି ଅଭିଜ୍ଞତାରେ ଉକ୍ତ ବିଶ୍ୱାସ ଯେତିକି ଦୃଢ଼ତର ହୁଏ ମନୁଷ୍ୟ ଜନ-ସେବା ପ୍ରତି ତେତିକି ଆକୃଷ୍ଟ ହୁଏ । ଏଥିରେ ଶରୀରର ଲକ୍ଷଣ ଲୁଚି ଯାଇ କେବଳ ଆତ୍ମାର ଲକ୍ଷଣ ପ୍ରକାଶ ପାଏ । ଶୁଦ୍ଧ ଆତ୍ମାର ଲକ୍ଷଣ ଯେ ପ୍ରକାଶ କରିପାରେ ସେ ମହାତ୍ମା ।

 

ମହାତ୍ମାଜୀ ଭାରତକୁ ଫେରି ଆସି ୧୯୧୫ ସାଲ ମେ ମାସ ୨୫ ତାରିଖରେ ଅହମଦାବାଦଠାରେ ସତ୍ୟାଗ୍ରହ-ଆଶ୍ରମ ପ୍ରତିଷ୍ଠା କରିଥିଲେ । ଅହମଦାବାଦର କେତେକ ବନ୍ଧୁ ଆଶ୍ରମର ଖର୍ଚ୍ଚ ଚଳାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ସେଠାରେ ମହାତ୍ମାଜୀ ଗୃହଶିଳ୍ପ ଓ ସୂତାକଟାର କେନ୍ଦ୍ର ଖୋଲିଥିଲେ । ଆଶ୍ରମବାସୀଙ୍କ ପାଇଁ ନିୟମାବଳୀ ଓ ବ୍ରତବିଧି ମଧ୍ୟ ସେ ନିରୂପଣ କରି ଦେଇଥିଲେ । ହିନ୍ଦୁମାନଙ୍କ ଅସ୍ପୃଶ୍ୟତା-ଆଚରଣ ତାହାଙ୍କର ଚିରକାଳ ଚକ୍ଷୁଶୂଳ ଥିଲା । ଏଣୁ ଅସ୍ପୃଶ୍ୟ ଜାତିର ପରିବାରଟିଏ ଆଶ୍ରମରେ ରଖିବା ପାଇଁ ତାହାଙ୍କର ଏକାନ୍ତ ଆଗ୍ରହ ଥାଏ । ଏ ସମୟରେ ଅମୃତଲାଲ ଠକ୍କର ବାପା ଗୋଟିଏ ପରିବାର ପଠାଇ ଦେଲେ । ଏ ପରିବାର ରହିବା ହେତୁରୁ ବନ୍ଧୁମାନେ କେହି ସାହାଯ୍ୟ କଲେ ନାହିଁ । କିନ୍ତୁ ମହାତ୍ମାଜୀ ନିରାଶ ହେଲେ ନାହିଁ । ଆର୍ଥିକ ଅନାଟନରେ ମଧ୍ୟ ଲକ୍ଷ୍ୟପଥ ଧରିଥିବାରୁ ଜଣେ ଶେଠ୍‌ ଆସି ଟ୧୩୦୦ଙ୍କାର ନୋଟ୍‍ ଦେଇଗଲେ-। ତର୍କ ବିତର୍କରେ ଆପଣାକୁ ନିୟୋଜିତ ନ କରି ନିରବ ହୋଇ ସାଧୁକର୍ମ କରୁଥିବାରୁ ଅହମଦାବାଦରେ ଅସ୍ପୃଶ୍ୟତା କ୍ରମଶଃ ଶିଥିଳ ହୋଇ ପଡ଼ିଲା ।

 

ଆଶ୍ରମରେ ବାସ କରି ମହାତ୍ମାଜୀ କ୍ରମଶଃ ଭାରତର ରାଜନୈତିକ ସମସ୍ୟାରେ ଗୋଡ଼ ବଢ଼ାଇଲେ । ଭାରତରୁ ଦକ୍ଷିଣ ଆଫ୍ରିକାକୁ ଯେଉଁ କୁଲି ପାଞ୍ଚବର୍ଷ ବା ତହିଁରୁ ଅଳ୍ପ ସମୟ ପାଇଁ ଚୁକ୍ତି ଲେଖିଦେଇ ଯାଉଥିଲା ତାହାକୁ ଇଡ଼େନଗ୍ରେଡ଼ କୁଲି କୁହାଯାଉଥିଲା । ଏମାନେ ନେଟାଲକୁ ଗଲେ ସେଠାରେ ଏମାନଙ୍କ ଉପରେ ଟ୪୫ଙ୍କା ଲେଖାଏଁ ଟିକସ ବସା ହେଉଥିଲା । ୧୯୧୪ ସାଲରେ ‘ଗାନ୍ଧି-ସୁଟ୍‌’ ରଫାନାମାରେ ଏ ଟିକସ ଅସୁଲ ବନ୍ଦ ହୋଇଥିଲା । ମାତ୍ର ଭାରତରୁ କୁଲି ଯାଉଥିଲେ-

 

ଭାରତରୁ କୁଲି ଯିବା ପ୍ରଥାକୁ ବନ୍ଦ କରିବା ପାଇଁ ୧୯୧୬ ସାଲରେ ବଡ଼ଲାଟଙ୍କ ସଭାରେ ମାଲବ୍ୟଜୀ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ । କିନ୍ତୁ ବଡ଼ଲାଟ ଲର୍ଡ ହାଡ଼ିଞ୍ଜ କହିଲେ ଯେ କୁଲି ନେବାପାଇଁ ସରକାରରୁ ଅନୁମତି ଦିଆ ଯାଇଅଛି । ଯଥା ସମୟରେ ଏ ପ୍ରଥା ଉଠାଇ ଦିଆଯିବ । କିନ୍ତୁ ମହାତ୍ମାଜୀ ଏପରି ଅନିଶ୍ଚିତ ବିଶ୍ୱାସରେ ସନ୍ତୁଷ୍ଟ ହେଲେ ନାହିଁ । ଆନ୍ଦୋଳନ ଚଳାଇବା ପାଇଁ ପ୍ରସ୍ତୁତ ହେବାକୁ ବସିଲେ । ଏ ସମୟରେ ବଡ଼ଲାଟ ଜବାବ ଦେଲେ– ‘‘ଅବଶେଷରେ ନିଶ୍ଚୟ ଉଠିଯିବ । ’’

 

୧୯୧୭ ସାଲରେ ପ୍ରଥା ଉଠାଇ ଦେବା ପାଇଁ ମାଲବ୍ୟଜୀ ବଡ଼ଲାଟଙ୍କ ସଭାରେ ଗୋଟିଏ ଆଇନର ଖସଡ଼ା ଉପସ୍ଥାପିତ କରିଥିଲେ । କିନ୍ତୁ ଲର୍ଡ ଚେମସ୍‌ପୋର୍ଡ଼ ତାହା ସଭାରେ ବିଚାର କରାହେବା ପାଇଁ ଅନୁମତି ଦେଇ ନ ଥିଲେ । ମହାତ୍ମାଜୀଙ୍କୁ ସୁଯୋଗ ମିଳିଗଲା । ଦେଶସାରା ଆନ୍ଦୋଳନ କରିବା ପାଇଁ ଉପଯୁକ୍ତ ମୁହୂର୍ତ୍ତ କାହିଁକି ? ନିଜେ କାହାର ଦୋଷ ଦେଖି ତାହା ତାର ଆଗରେ କହିଲେ ତହିଁରେ ନିଜ ଅହଙ୍କାରର ପରିଚୟ ମିଳେ । କିନ୍ତୁ ଅନ୍ୟ ଜଣେ ଯଦି ଜଣକର ଅନ୍ୟାୟ ଆଚରଣ ନିନ୍ଦା କରୁଥିବାବେଳେ ତାହାକୁ ସମର୍ଥନ କଲେ ତହିଁରେ ଅହଙ୍କାରର ସତ୍ତା ପ୍ରକାଶ ପାଏ ନାହିଁ ।

 

ମହାତ୍ମାଜୀ ଚାରିଆଡ଼େ ବୁଲି ସଭା ସମିତି କରି ଜନମତ ଲାଟସାହେବଙ୍କଠାକୁ ପଠାଇଲେ । ଗୋଟିଏ ମହିଳା-ଡେପୁଟେସନ ମଧ୍ୟ ବଡ଼ଲାଟଙ୍କ ପାଖକୁ ଯାଇଥିଲା । ବଡ଼ଲାଟ ଏମାନଙ୍କୁ ଉତ୍ସାହଜନକ ଜବାବ ଦେଇଥିଲେ । ଏଣେ ମହାତ୍ମାଜୀଙ୍କ ପଛରେ ଗୁପ୍ତ ପୁଲିସ ଲାଗି ଥାଆନ୍ତି । କିନ୍ତୁ ମହାତ୍ମାଜୀଙ୍କର କୌଣସି କଥା ଲୁଚାଚୋରା ନ ଥାଏ । କିଏ କଣ କରିବ ? ମାତ୍ର ରେଳଗାଡ଼ିରେ ବୁଲିବାବେଳେ ପ୍ରତି ଷ୍ଟେସନରେ ପୁଲିସମାନେ ମହାତ୍ମାଜୀଙ୍କୁ ଟିକିଟ ମାଗିବାରୁ ଡବାରେ ବସିଥିବା ଅନ୍ୟ ଯାତ୍ରୀମାନେ ପୁଲିସଙ୍କ ଉପରେ ବିରକ୍ତ ହେଉଥିଲେ । ଯାହାହେଉ ତୃତୀୟ ଶ୍ରେଣୀର ଡବାରେ ଛିଡ଼ା ହୋଇ ଅନେକ ସମୟରେ ଭ୍ରମଣ କରିଛନ୍ତି । ଅନ୍ୟ ଯାତ୍ରୀମାନେ ଲମ୍ବ ହୋଇ ଶୋଇଥିଲେ ମଧ୍ୟ ସେମାନଙ୍କୁ ଉଠାଇ ନିଜେ ବସିବା ପାଇଁ ସ୍ଥାନ ଯୋଗାଡ଼ କରୁ ନ ଥିଲେ । ଏହିପରି କଷ୍ଟରେ ଆନ୍ଦୋଳନ କରିବା ଫଳରେ କୁଲି ନେବା ପ୍ରଥା ଉଠିଗଲା ବୋଲି ବଡ଼ଲାଟ ଘୋଷଣା କରିଥିଲେ ।

 

ଦକ୍ଷିଣ ଆଫ୍ରିକାରେ ମହାତ୍ମାଜୀ ଦରିଦ୍ର-ନାରାୟଣଙ୍କର ଯେଉଁ ସେବା କରିଥିଲେ, ତାହା ଭାରତର କେତେକ ନେତୃସ୍ଥାନୀୟ ଲୋକେ ଜାଣିଥିଲେ । ଆଫ୍ରିକାରୁ ଫେରିଥିବା ପଶ୍ଚିମ ଭାରତର କୁଲିମାନେ ମଧ୍ୟ ପଲ୍ଲୀଗ୍ରାମରେ ତାହାଙ୍କ ଗୁଣ ଗାନ କରୁଥିଲେ । କିନ୍ତୁ ଭାରତର ପଲ୍ଲୀବାସିମାନେ ତାହାଙ୍କର କୌଣସି କାର୍ଯ୍ୟକଳାପ ଦେଖି ନ ଥିଲେ । କୌଣସି ଆନ୍ଦୋଳନରେ ପଲ୍ଲୀବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ଦୂର ହୋଇପାରେ ବୋଲି କାହାରି ଧାରଣା ନ ଥିଲା । ଓକିଲକୁ ଟଙ୍କା ଦେଇ ମାମଲା ଲଢ଼ିବା ଛଡ଼ା ପଲ୍ଲୀବାସିମାନେ ଅନ୍ୟ ପ୍ରତିକାରର ଉପାୟ ଥିବା କଥା ଆଦୌ ଜାଣି ନ ଥିଲେ । ବିହାରର ଚମ୍ପାରଣରେ ୧୯୧୭ ସାଲ ଯାଏ ନୀଳକୋଠି ପ୍ରଚୁର ଥିଲା ଓ ସାହେବମାନେ କୋଠିଗୁଡ଼ିକର ମାଲିକ ଥିଲେ । ସେମାନେ ତିନିକାଠିଆ ପ୍ରଥା ଚଳାଇଥିଲେ । ମାଣକ କୋଡ଼ିଏ କାଠା । ଯେଉଁ ପ୍ରଜାର କାଠା ଜମି ଥାଏ ତହିଁରୁ ତିନି କାଠାରେ ସେ ନୀଳ ଚାଷ କରିବାକୁ ବାଧ୍ୟ ହେଉଥିଲା । ଏହିପରି କୋଡ଼ିଏ ଭାଗ ଜମିରୁ ତିନିଭାଗ ଜମିରେ ନୀଳ ଚାଷ ହେଉଥିବାରୁ ଏହି ପ୍ରଥାକୁ ତିନିକାଠିଆ କହୁଥିଲେ । ଏହି ପ୍ରଥା ଯୋଗୁଁ ପ୍ରଜାମାନେ ବହୁତ କଷ୍ଟ ଭୋଗ କରୁଥିଲେ ।

 

ଚମ୍ପାରଣର ପ୍ରଜାଙ୍କ ଦୁଃଖ ଶୁଣିବାରୁ ମହାତ୍ମାଜୀ ସେମାନଙ୍କ ଦୁଃଖ ବୁଝିବା ପାଇଁ ସେଠାକୁ ଗଲେ । ସେତେବେଳେ ସେଠାର ଲୋକେ କଂଗ୍ରସର ନାମ ଶୁଣି ନ ଥାଆନ୍ତି । ଲାଲ ପଗଡ଼ି ଦେଖିଲେ ଭୟରେ ଥରହର ହେଉ ଥାଆନ୍ତି । କିନ୍ତୁ ନୀଳ କୋଠିର ସାହେବମାନେ ମହାତ୍ମାଜୀଙ୍କ କ୍ଷମତା ଜାଣିଥିଲେ । ସେ ସେଠାରେ ଆନ୍ଦୋଳନ ଆରମ୍ଭ କଲେ ସେମାନଙ୍କ ଲାଭରେ ବାଧା ପଡ଼ିବାର ଆଶଙ୍କା ଜନ୍ମି ଯାଇଥିଲା । ଚମ୍ପାରଣରୁ ବାହାରି ଯିବା ପାଇଁ କମିଶନର ସାହେବ ମହାତ୍ମାଜୀଙ୍କ ପାଖକୁ ନୋଟିସ ପଠାଇଲେ । ମହାତ୍ମାଜୀ ଲେଖି ଦେଲେ, ‘‘ମୁଁ ଅନୁସନ୍ଧାନ କରିବାପାଇଁ ଚମ୍ପାରଣକୁ ଆସିଅଛି । ଅନୁସନ୍ଧାନ ନ ସରିଲେ ମୁଁ ଛାଡ଼ି ଚାଲିଯାଇ ପାରିବି ନାହିଁ । ଏଣୁ ହୁକୁମ ମାନିବି ନାହିଁ ।’’ହୁକୁମ ନ ମାନି ଅନୁସନ୍ଧାନରେ ଲାଗିବାରୁ ଗିରଫ ହେଲେ । ସେ କାହିଁକି ହୁକୁମ ମାନିଲେ ନାହିଁ ? ସେ ସରକାରଙ୍କ ବିରୁଦ୍ଧରେ ପ୍ରଜାଙ୍କୁ ମତାଇ ଗୋଳମାଳ ସୃଷ୍ଟି କରୁ ନ ଥିଲେ ବା ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ନ ଥିଲା । ପିତା ପୁତ୍ରକୁ ଭାତ ଖାଇବାକୁ ଅଯଥା ମନା କଲେ ପୁତ୍ର ସେପରି ମନା ଶୁଣେ ନାହିଁ । କମିଶନର ନୁ ବୁଝି ନ ବିଚାରି ଆଦେଶ ଦେଲେ ତାହାକୁ ଶିରୋଧାର୍ଯ୍ୟ କରିବା ପାଇଁ ମହାତ୍ମାଙ୍କ ଅନ୍ତର ମନା କଲା । ଅନ୍ତରର ପ୍ରେରଣା ଅନୁସାରେ ସେ କାର୍ଯ୍ୟ କରୁ ଥିବାରୁ ହୁକୁମ ମାନିବାକୁ ରାଜି ହେଲେ ନାହିଁ । ଗିରଫ ହେବାରୁ ବହୁତ ମଙ୍ଗଳ ହେଲା । ସେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଜାଗରଣ ଦେଖାଗଲା । ଏଥର ହଜାର ହଜାର ଲୋକ ଜମା ହେଲେ । ମହାତ୍ମାଜୀଙ୍କୁ କଚେରିକୁ ନିଆଗଲା । କିନ୍ତୁ ଅପରାଧୀର ବିଚାର ହେଲା ନାହିଁ । ଅପରାଧ ତ ନ ଥିଲା, କି ବିଚାର କରନ୍ତେ ? ବିଚାର ବନ୍ଦ ରହିବାରୁ ମହାତ୍ମାଜୀ ଗୋଟିଏ ଲିଖିତ ଜବାବ ଦାଖଲ କଲେ :–

 

‘‘ମୁଁ ଏଭଳି କୌଣସି କାର୍ଯ୍ୟ କରିନାହିଁ, ଯାହା ପାଇଁ ଫୌଜଦାରୀ କାର୍ଯ୍ୟ ବିଧି ଆଇନର ୧୪୪ ଧାରା ମୋ’ ଉପରେ ପ୍ରୟୋଗ କରାଯାଇପାରେ । ବୃଥାରେ ଏ ସ୍ଥାନର ସରକାର ଓ ମୋ ମଧ୍ୟରେ ମତଭେଦର ଗୋଟିଏ ପ୍ରଶ୍ନ ଉଠିଅଛି । ମୁଁ ଦେଶର ଓ ଜନସାଧାରଣଙ୍କ ସେବା କରିବା ପାଇଁ ଏଠାକୁ ଆସିଅଛି । ଏଠାର ଲୋକମାନେ ଡାକିବାରୁ ଏଠାକୁ ଆସିଲି । ଲୋକେ କହନ୍ତି ଯେ, ଏଠାର ନୀଳ କୋଠିର ମାଲିକମାନେ ତାହାଙ୍କ ପ୍ରତି ଭଲ ବ୍ୟବହାର କରୁ ନାହାନ୍ତି । ଲୋକଙ୍କଠାରୁ, ନୀଳକୋଠିର ମାଲିକମାନଙ୍କଠାରୁ ଓ ସରକାରଙ୍କଠାରୁ କଥାଟା ଭଲରୂପେ ବୁଝିବା ପାଇଁ ମୁଁ ଏଠାକୁ ଆସିଅଛି । ମୁଁ ଆସିବାରୁ କୌଣସି ପ୍ରକାରର ଶାନ୍ତିଭଙ୍ଗ ଘଟି ନାହିଁ ବା ଘଟିବାର ଆଶଙ୍କା ନାହିଁ । ଆଇନ ମାନିବା ସମସ୍ତଙ୍କର କର୍ତ୍ତବ୍ୟ । ମୁଁ ମଧ୍ୟ ମାନିବାକୁ ଇଚ୍ଛା କରୁଥିଲି । କିନ୍ତୁ ବୁଝି ପାରିଲି ଯେ, ଅଯଥା ହୁକୁମ ମାନିଲେ ମୁଁ ଯେଉଁ କାମ କରିବାକୁ ଆସିଛି ତାହା କରି ପାରିବି ନାହିଁ । ଏଣୁ ଇଚ୍ଛା କଲେ ମଧ୍ୟ ଫେରି ଯାଇ ପାରିଲି ନାହିଁ । ଭାରତର ଶାସନ-ପଦ୍ଧତି ଯେପରି ଜଟିଳ ହୋଇଅଛି ତହିଁରେ କାହା ପାଇଁ ଆତ୍ମସମ୍ମାନ ସୂଚକ ନିରାପଦ ପନ୍ଥା ମୋତେ ଦିଶୁ ନାହିଁ । ଏଣୁ ଆଇନ-ଅମାନ୍ୟ ପାଇଁ ଯେଉଁ ଶାସ୍ତି ଦିଆଯିବ ତାହାକୁ ବିନା ପ୍ରତିବାଦରେ ଗ୍ରହଣ କରିବାକୁ ରାଜି ଅଛି ।

 

ଦଣ୍ଡର ଲାଘବ ହେବ ବୋଲି ମୁଁ ଏ କୈଫିୟତ୍‌ ଲେଖୁ ନାହିଁ । କର୍ତ୍ତୃପକ୍ଷଙ୍କ ପ୍ରତି ସମ୍ମାନ ଅଭାବରୁ ହୁକୁମ ଅମାନ୍ୟ କଲି ବୋଲି ଯେଉଁ ଧାରଣା ଜନ୍ମିଅଛି ତାହା ଦୂର କରିବା ପାଇଁ ଏ କୈଫିୟତ୍‌ ଲେଖିଲି । ଅନ୍ତରର ନିର୍ଦ୍ଦେଶ ମହତ୍ତର ବିଧି । ସେ ବିଧି ଅନୁସାରେ ମୁଁ ହୁକୁମ ଅମାନ୍ୟ କରିଛି । ’’

 

ଏ କୈଫିୟତ୍‌ ପାଇବା ଉତ୍ତାରେ ମୋକଦ୍ଦମା ଉଠାଇ ନିଆଗଲା । ଛୋଟଲାଟଙ୍କ ସଙ୍ଗେ ମହାତ୍ମାଜୀଙ୍କର ଦେଖା ହେଲା । ଅନୁସନ୍ଧାନର କାର୍ଯ୍ୟ ଚାଲିଲା । ସଙ୍ଗେ ସଙ୍ଗେ ଶିକ୍ଷାର ପ୍ରଚାର ପାଇଁ ମହାତ୍ମାଜୀ ସେଠାରେ ବିଦ୍ୟାଳୟ ଖୋଲିଲେ ଓ ଚିକିତ୍ସା ପାଇଁ ଔଷଧ-ବିତରଣର ବ୍ୟବସ୍ଥା କଲେ । ଏଥିରେ ଜନସାଧାରଣଙ୍କ ଦୃଷ୍ଟିକୁ ତାହାଙ୍କର ମହାନୁଭବତା ସ୍ପଷ୍ଟତର ରୂପେ ପ୍ରତିଭାତ ହେଲା । ନୀଳ କୋଠିର ମାଲିକଙ୍କ ଦୁର୍ବ୍ୟବହାର ମଧ୍ୟ ବନ୍ଦ ହେଲା ।

 

‘‘ସେବା ବିନୟ ଦାନ ଫଳେ । କିବା ଅସାଧ୍ୟ ମହୀତଳେ’’

 

ଚମ୍ପାରଣରେ ସେବା-କାର୍ଯ୍ୟ କରୁଥିବାବେଳେ ଅହମଦାବାଦର କଳର ମାଲିକ ଓ ଶ୍ରମଜୀବୀମାନଙ୍କ ମଧ୍ୟରେ ମଜୁରି ସମ୍ବନ୍ଧରେ ବିବାଦ ଚାଲିଲା । ମହାତ୍ମାଜୀଙ୍କୁ ସେଠାକୁ ଯିବାକୁ ପଡ଼ିଲା । କଳର ମାଲିକମାନଙ୍କୁ ଯେତେପ୍ରକାର ଅନୁନୟ ବିନୟ କଲେ ମଧ୍ୟ ସାଲିସିରେ ବିବାଦ ତୁଟାଇବା ପାଇଁ ସେମାନେ ରାଜି ହେଲେ ନାହିଁ । ଧର୍ମଘଟ କରିବା ପାଇଁ ମହାତ୍ମାଜୀ କୁଲିମାନଙ୍କୁ ଅଗତ୍ୟା ଉପଦେଶ ଦେଇଥିଲେ । ସେମାନଙ୍କୁ ସେ ବୁଝାଇ ଦେଇଥିଲେ :– (୧) କଦାପି ହିଂସା ବହିବା ଉଚିତ ନୁହେଁ, (୨) ଯେଉଁ କୁଲିମାନେ ଧର୍ମଘଟ କରିବାକୁ ନାରାଜ ସେମାନଙ୍କୁ କୌଣସି ପ୍ରକାରେ ହଇରାଣ କରିବାକୁ ହେବ ନାହିଁ, (୩) ଧର୍ମଘଟ ଚଳୁଥିବା ସମୟରେ ଧର୍ମଘଟକାରୀମାନେ ପେଟ ପୋଷିବା ପାଇଁ ଭିକ ମାଗିବେ ନାହିଁ । ଏବଂ (୪) ଯେତେ ଦିନ ଧର୍ମଘଟ ଚାଲିବ ଆପଣାର ଟାଣ ସର୍ବଦା ରଖିବାକୁ ହେବ ଓ ଅନ୍ୟ ସାଧୁ ଉପାୟରେ ରୋଜଗାର କରି ପେଟ ପୋଷିବାକୁ ହେବ ।

 

ଦୁଇ ସପ୍ତାହ ଧର୍ମଘଟ ଚାଲିବା ଭତ୍ତାରେ କୁଲିମାନଙ୍କର ଦମ୍ଭ ଭାଙ୍ଗି ଯାଉଥିବାର ସୂଚନା ମିଳିଲା । ଦିନେ ସକାଳେ ମହାତ୍ମାଜୀ ଗୋଟିଏ ସଭାରେ ସେମାନଙ୍କୁ କହିଲେ, ‘‘ନିଷ୍ପତ୍ତି ପାଇବା ପର୍ଯ୍ୟନ୍ତ ତୁମେମାନେ ମେଳ ଧରି ଧର୍ମଘଟ ନ ଚଳାଇଲେ ମୁଁ ଆହାର ଛୁଇଁବି ନାହିଁ ।’’ ଏଥର କୁଲିମାନଙ୍କ ମନରେ ନୂତନ ବଳ ଓ ଆଶା ଆସିଗଲା । ସେତେବେଳେ ଆଶ୍ରମର ଘର ତିଆରି ପାଇଁ ବାଲି ବୁହା ହେବାର ପ୍ରୟୋଜନ ଥିଲା । ଅନୁସୂୟା ବେନ୍‌, ଟୋକେଇରେ ବାଲି ମୁଣ୍ଡରେ ନିଜେ ବହିବାରୁ କଳର ଶ୍ରମଜୀବୀମାନେ ଆନନ୍ଦରେ ବାଲି ବୁହାଇ ପେଟ ପୋଷିବା ପାଇଁ ପଇସା ପାଇଲେ । ମହାତ୍ମାଜୀଙ୍କ ଆତ୍ମା ଅନ୍ୟର ଲୌହ-ଆତ୍ମା ପ୍ରତି ସ୍ପର୍ଶମଣିର କାର୍ଯ୍ୟ କିପରି କରିପାରୁଥିଲା, ତାହା ଏ ଘଟନାରୁ ବୁଝାଯାଏ । ଏ ଘଟନାର ଏକ ସପ୍ତାହ ଉତ୍ତାରେ ବିବାଦ ମେଣ୍ଟି ଯାଇଥିଲା ।

 

ନିଃଶ୍ୱାସ ମାରିବାକୁ ମହାତ୍ମାଜୀଙ୍କୁ କେତେବେଳେ ହେଲେ ତର ନ ଥାଏ । ଅହମଦାବାଦର କୁଲି ଆନ୍ଦୋଳନ ସରିଲା ବେଳକୁ ଖେଡ଼ାର ସତ୍ୟାଗ୍ରହ ଆରମ୍ଭ ହେବାର ଉପକ୍ରମ ହେଉଥାଏ । ଖେଡ଼ା ଜିଲାର ଫସଲ ନଷ୍ଟ ହୋଇ ଦୁର୍ଭିକ୍ଷର ଆଶଙ୍କା ଦେଖା ଯାଇଥାଏ । ସେ ବର୍ଷର ଖଜଣା ଅସୁଲ ଯେପରି ବନ୍ଦ ରହେ ସେଥିପାଇଁ ସେଠାର ପଟିଦାରମାନେ ସେଠାରେ ବିଚାର କରୁଥିଲେ । ମହାତ୍ମାଜୀ ଚାଷୀମାନଙ୍କ ଦୁର୍ଦ୍ଦଶା ଯେତେପ୍ରକାର ବୁଝାଇ ସରକାରଙ୍କୁ ଲେଖିଲେ ମଧ୍ୟ ସରକାର କିଛି ବୁଝିଲେ ନାହିଁ । ଏଣୁ ସେଠାର ରଇତମାନଙ୍କୁ ଘେନି ମହାତ୍ମାଜୀ ସତ୍ୟାଗ୍ରହ ଆରମ୍ଭ କଲେ । ସେଠାରେ ସେ ଲୋକଙ୍କୁ ବୁଝାଇ ଦେଇଥିଲେ ଯେ, ହାକିମ କରଦାତାଙ୍କ ପଇସାରୁ ବେତନ ପାଉଥିବାରୁ ସେ ଲୋକଙ୍କ ପ୍ରଭୁ ନୋହି ଚାକର ଅଟନ୍ତି । ସୁତରାଂ ସେମାନଙ୍କୁ ଡରିବାର କାରଣ ନାହିଁ । କିନ୍ତୁ ଡର ଛାଡ଼ିବା ସଙ୍ଗେ ସଙ୍ଗେ ହାକିମମାନଙ୍କ ପ୍ରତି ବିନୀତ ବ୍ୟବହାର କରିବା ଉଚିତ ।

 

ସତ୍ୟାଗ୍ରହ ଚାଲିଲା । ଗୋରୁ-ଗାଈ ନିଲାମ ହେଲେ । କିନ୍ତୁ କେହି ଜେଲ୍‍-ଦଣ୍ଡ ନ ପାଇବାରୁ ଲୋକଙ୍କ ଭିତରେ କୌଣସି ଚାଞ୍ଚଲ୍ୟ ଦେଖା ଗଲା ନାହିଁ । ଏଣୁ ଗୋଟିଏ ଜମିରେ ହୋଇଥିବା ପିଆଜ-କ୍ଷେତ ଯେତେବେଳେ ସରକାର କୋରଖରେ ଜବତ କଲେ ସେ କ୍ଷେତଟି ଉଠାଇ ଆଣିବାକୁ ମହାତ୍ମାଜୀ ମୋହନଲାଲ ପାଣ୍ଡେ ଓ ଅନ୍ୟ କେତେଜଣଙ୍କୁ କହିଲେ । ଫସଲ କୋରଖ କରିବା ଆଇନସଙ୍ଗତ ହେଲେ ମଧ୍ୟ ନୈତିକ ବିଚାରରେ ଏହା ଅନ୍ୟାୟଜନକ । ଏହା ବିଚାର କରି ମହାତ୍ମାଜୀ ଏପରି କାର୍ଯ୍ୟ କରିବାକୁ ଉପଦେଶ ଦେଇଥିଲେ । ଫଳରେ ପିଆଜ ଆଣିବା ଲୋକଙ୍କ ପ୍ରତି ଜେଲ୍‍ଦଣ୍ଡ ହେଲା । ସାଧାରଣ ଲୋକଙ୍କ ମନରୁ ଜେଲ୍‍ଦଣ୍ଡର ଭୟ ଛାଡ଼ିଗଲା । ସୁନା ଆପେ ଅଗ୍ନିକୁଣ୍ଡକୁ ଡେଇଁ ନିଜ ଜ୍ୟୋତିର ପରିଚୟ ଦେଲା । ଏହା ଉତ୍ତାରେ ଧନୀ ପ୍ରଜାମାନେ ଖଜଣା ଆଦାୟ ଦେବେ ଓ ଗରିବ ପ୍ରଜାଙ୍କଠାରୁ ଖଜଣା ଅସୁଲ ବନ୍ଦ ରହିବ, ଏହି ସର୍ତ୍ତରେ ଆନ୍ଦୋଳନ ବନ୍ଦ ହେଲା ।

 

ଜଗତରେ ସବୁ କ୍ଷେତ୍ରରେ ଦ୍ୱନ୍ଦ୍ୱ ଶକ୍ତି ଅଛି । ଗୋଟିଏ ଶକ୍ତି ବିଭିନ୍ନ ବସ୍ତୁରେ ଭେଦ-ଭାବ ସୃଷ୍ଟି କରି ସୃଷ୍ଟିର ବିଚିତ୍ରତା ଦେଖାଏ । ଅନ୍ୟ ଶକ୍ତି ସୃଷ୍ଟିର ବିଚିତ୍ରତା ମଧ୍ୟରେ ଏକତ୍ୱ ଦେଖାଏ । ବିଭିନ୍ନ ରଙ୍ଗ ବ୍ୟବହାର କରି ଚିତ୍ରକର ଜଣେ ମନୁଷ୍ୟର ଚିତ୍ର ଆଙ୍କିଦିଏ । ତହିଁରୁ ଗୋଟିଏ ରଙ୍ଗ ପ୍ରତି ଆମର ମନ ଆକୃଷ୍ଟ ହୁଏ ନାହିଁ । ସବୁ ରଙ୍ଗ ମିଶି ଜଣେ ମନୁଷ୍ୟର ଚିତ୍ର ହୋଇଥିବାରୁ ତାହା ଆମକୁ ପ୍ରୀତିକର ଲାଗେ । ଏଣୁ ବିଶ୍ୱର ବିଚିତ୍ରତା ମଧ୍ୟରେ ଯେ ଐକ୍ୟ ଉପଲବ୍ଧି କରି ବିଶ୍ୱର ବିଚିତ୍ରତା ଜଣକର ରୂପ ବୋଲି ବୁଝାଇ ଦିଏ ସେ ଜଗତରେ ମହାମାନବ । ପାର୍ଥକ୍ୟ ସମସ୍ତେ ବୁଝନ୍ତି । ଏକତ୍ୱ ହୃଦୟଙ୍ଗମ କରିବା ବଡ଼ କଠିନ । ମହାତ୍ମାଜୀ କଳା ଗୋରା ମଧ୍ୟରେ ପାର୍ଥକ୍ୟ-ବୃଦ୍ଧି ନ ରଖିବା ପାଇଁ ସରକାରଙ୍କ ସଙ୍ଗେ ଲଢ଼ୁଥିଲେ । ଏଥିପାଇଁ ଦକ୍ଷିଣ ଆଫ୍ରିକାରେ ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକତାର ପ୍ରୟୋଜନ ହୋଇଥିଲା ଏବଂ ସେଠାରେ ଅନାୟାସରେ ଐକ୍ୟ ଘଟାଇ ପାରିଥିଲେ । କିନ୍ତୁ ଭାରତରେ ଆସି ଦେଖିଲେ ଯେ ହିନ୍ଦୁମାନଙ୍କର କଂଗ୍ରେସ ଓ ମୁସଲମାନମାନଙ୍କର ଲିଗ୍‌ ଅନୁଷ୍ଠାନ ଗଢ଼ା ହୋଇ ସାରିଛି । ଏଣୁ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ଐକ୍ୟ ଆଣିବା ପାଇଁ ସେ ବାରମ୍ବାର ଯତ୍ନ କରୁଥିଲେ । ସେତେବେଳେ ଆଲି ଭାଇ (ମହମ୍ମଦ ଆଲି ଓ ସୌକତ ଆଲି) ଜେଲଖାନାରେ ଥିଲେ । ସେମାନଙ୍କ ମୁକ୍ତି ପାଇଁ ସେ ଚିଠି ଲେଖି ସରକାରଙ୍କ ସଙ୍ଗେ କଥାବାର୍ତ୍ତା ଚଳାଇଥିଲେ ।

 

ଇଉରୋପରେ ପ୍ରଥମ ସମର ଲାଗିଥିବାବେଳେ ବଡ଼ଲାଟ ଚେମସଫୋର୍ଡ ଭାରତର ନେତାମାନଙ୍କୁ ଡାକି ସୈନ୍ୟ-ସଂଗ୍ରହ ଲାଗି ଗୋଟିଏ ସମ୍ମିଳନୀର ଆୟୋଜନ କଲେ । ଏଥିରେ ଯୋଗ ଦେବା ପାଇଁ ମହାତ୍ମାଜୀ ବହୁ ବିଚାର କରି ରାଜି ହୋଇଥିଲେ । ସମ୍ମିଳନୀକୁ ଲୋକମାନ୍ୟ ତିଳକ, ଆଲିଭାଇ ଓ ଆନି-ବେସାନ୍ତଙ୍କୁ ଡକା ହୋଇ ନ ଥିଲା । ପୁଣି ସେତେବେଳେ ଇଂଲଣ୍ଡ ଇଟାଲୀ ସଙ୍ଗେ ଗୁପ୍ତ ସନ୍ଧି କରିଥିବା ସମ୍ୱାଦପତ୍ରରେ ପ୍ରକାଶିତ ହୋଇଥିଲା । ଏଥିପାଇଁ ସମ୍ମିଳନୀରେ ଯୋଗ ଦେଇ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ମହାତ୍ମାଜୀ ଦ୍ୱିଧା ବୋଧ କରୁଥିଲେ । ପରିଶେଷରେ ସୈନ୍ୟ ସଂଗ୍ରହରେ ଲାଗିଲେ । ସେତେବେଳେ ଅନେକ ଲୋକ ତାହାଙ୍କୁ ପ୍ରଶ୍ନ କରିଥିଲେ ଯେ, ଅହିଂସା-ନୀତି ଧରି ସେ ଯୁଦ୍ଧ କରିବା ପାଇଁ କିପରି ଲୋକଙ୍କୁ ପ୍ରବର୍ତ୍ତାଉ ଅଛନ୍ତି । ସରକାର ଏ ଦେଶର ଏପରି କିଛି ମଙ୍ଗଳ କରି ନାହିଁ ଯାହାଦ୍ୱାରା ଲୋକେ ସରକାରଙ୍କୁ ବିପଦବେଳେ ରକ୍ଷା କରିବା ପାଇଁ ଆଗଭର ହୋଇ ବାହାରି ପଡ଼ିବେ । ଉତ୍ତରରେ ମହାତ୍ମାଜୀ କହିଥିଲେ ଯେ ବ୍ରିଟିଶ୍‍ ଜାତି ଭାରତବାସୀଙ୍କ ଠାରୁ ଅସ୍ତ୍ରଶସ୍ତ୍ର ଛଡ଼ାଇନେବା ବଡ଼ କଦର୍ଯ୍ୟ ନୀତି । ବର୍ତ୍ତମାନ ସୁଯୋଗରେ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଲୋଡ଼ୁଁ କି ତାହା ତ୍ୟାଗ କରିବାକୁ ଇଚ୍ଛା କରୁଁ, ଏ କଥା ବୁଝାଇବା ପାଇଁ ହେବ । ଏହିପରି ଅସୁବିଧାରେ ପଡ଼ି କିଛି କିଛି ସୈନ୍ୟ ସଂଗ୍ରହ କଲେ । କିନ୍ତୁ ଖେଡ଼ାରେ ତାଙ୍କର ତୀବ୍ର ଅନୁଭୂତି ଜନ୍ମିଲା । ସତ୍ୟାଗ୍ରହ ଆନ୍ଦୋଳନ ବେଳେ ଯେଉଁ ଲୋକେ ଅସୀମ ସାହାଯ୍ୟ କରିଥିଲେ ସେମାନଙ୍କ ଠାରେ ମହାତ୍ମାଜୀଙ୍କ ପ୍ରତି ସହାନୁଭୂତିର ଚିହ୍ନ ଆଦୌ ଦେଖିବାକୁ ଏବେ ମିଳିଲା ନାହିଁ । ତତ୍ପରେ ବଡ଼ଲାଟଙ୍କ ପାଖକୁ ସେ ଚିଠି ଦେଲେ । ଚିଠିର ମର୍ମ ଏହା :–

 

‘‘ଆପଣ ଜାଣନ୍ତି, ମୁଁ ବହୁ ବିଚାର କରି ସମ୍ମିଳନୀରେ ଯୋଗ ଦେଇଥିଲି । ଆପଣଙ୍କ ପ୍ରତି ମୋର ଶ୍ରଦ୍ଧା ଥିବାରୁ ସମ୍ମିଳନୀରେ ମୁଁ ଯୋଗ ଦେଇ ପାରିଥିଲି । ଲୋକମାନ୍ୟ ତିଳକ, ଆଲିଭାଇ ଓ ଆନିବେସାନ୍ତଙ୍କୁ ଆମନ୍ତ୍ରଣ କରାଯାଇ ନ ଥିବାରୁ ସମ୍ମିଳନୀରେ ଯୋଗ ଦେବା ପାଇଁ ମୋର ମନ ବଳୁ ନ ଥିଲା । ସେମାନଙ୍କ ଭଳି ନେତାମାନଙ୍କୁ ଆମନ୍ତ୍ରଣ ନ କରିବା ସରକାରଙ୍କର ଭୁଲ୍ । ସେମାନଙ୍କୁ ଡାକିଲେ ସେମାନେ ଆସି ଯଦି ନିଜ ନିଜ ଉପଦେଶ ଦିଅନ୍ତି ତେବେ ସରକାରଙ୍କ ଭୁଲ୍ ସଂଶୋଧିତ ହୋଇପାରେ । ମୁଁ ଏହା ସଙ୍ଗେ କେତୋଟି ସ୍ୱତନ୍ତ୍ର ପ୍ରସ୍ତାବ ପଠାଉ ଅଛି । ସରକାର ଯେତେ ଶୀଘ୍ର ଏହାକୁ ଗ୍ରହଣ କରିବେ ସେତେ ଶୀଘ୍ର ମୁଁ ମୋର କର୍ତ୍ତବ୍ୟକୁ କାର୍ଯ୍ୟରେ ପରିଣତ କରିପାରିବି ବୋଲି ଆଶା କରୁଅଛି । ବ୍ରିଟିଶ୍‍ ସାମ୍ରାଜ୍ୟର ଅନ୍ୟାନ୍ୟ ଉପନିବେଶ ଭଳି ନିକଟରେ ସ୍ୱାୟତ୍ତଶାସନ ପାଇବୁ ବୋଲି ଆମେ ଆଶା ପୋଷିଅଛୁ ଏବଂ ଅଳ୍ପ ସମୟ ମଧ୍ୟରେ ପାଇବୁ ବୋଲି ଆଶା କରିବାରୁ ଆମର ଉତ୍ସାହ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ବଢ଼ିଅଛି । କଂଗ୍ରେସ ଓ ଲିଗ୍ ମିଳି ଶାସନର ଯେଉଁ ଖସଡ଼ା କରି ଅଛନ୍ତି ତାହାକୁ ଗ୍ରହଣ କରି ଅଳ୍ପଦିନ ମଧ୍ୟରେ ଶାସନ-ସଂସ୍କାର ହେବ ବୋଲି ଆପଣ ସୂଚନା ଦେଇ ଅଛନ୍ତି । ଏଣୁ ସମ୍ମିଳନୀର ଅନେକ ସଭ୍ୟ ସରକାରଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଲେ ।

 

‘‘ମୋର କ୍ଷମତା ଥିଲେ ଏ ବିପଦ ବେଳେ ସ୍ୱାୟତ୍ତଶାସନ ଦାବି ନ କରିବା ପାଇଁ ମୁଁ ମୋର ଦେଶ ଭାଇମାନଙ୍କୁ କହନ୍ତି ଏବଂ ସୁସ୍ଥ ସବଳ ପୁଅକୁ ସାମ୍ରାଜ୍ୟ ରକ୍ଷା ଲାଗି ବଳି ଦେବାପାଇଁ ଭାରତମାତାକୁ ପ୍ରବର୍ତ୍ତାନ୍ତି । ଏତକ କରି ପାରି ସାମ୍ରାଜ୍ୟରେ ଭାରତ ଅଧିକ ଆଦରର ପାତ୍ର ହୁଅନ୍ତା ଓ ଆଉ ଜାତିଗତ ଭେଦ ରହନ୍ତା ନାହିଁ । କିନ୍ତୁ ଭାରତର ଶିକ୍ଷିତ ସମାଜ ଆଉ ଗୋଟିଏ ପନ୍ଥା ଧରି ବସିଅଛି । ଭାରତର ଜନସାଧାରଣଙ୍କ ଉପରେ ଶିକ୍ଷିତ ସମାଜର ପ୍ରଭାବ ନାହିଁ ବୋଲି ଏବେ କୁହାଯାଇ ନ ପାରେ । ମୁଁ ଦକ୍ଷିଣ ଆଫ୍ରିକାରୁ ଫେରି ଭାରତର ରଇତମାନଙ୍କ ସଙ୍ଗରେ ଭଲରୂପେ ମିଶିଅଛି ଏବଂ ଦୃଢ଼ ଭାବରେ ଜଣାଇ ଦେଉଅଛି ଯେ ସ୍ୱାୟତ୍ତଶାସନ ପାଇବା ପାଇଁ ସେମାନଙ୍କର ପ୍ରବଳ ଇଚ୍ଛା ଜନ୍ମିଅଛି । କଂଗ୍ରେସର ଗତ ବୈଠକରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତକୁ ପୂର୍ଣ୍ଣ ସ୍ୱାୟତ୍ତଶାସନ ଦେବାର ପ୍ରସ୍ତାବକୁ ମୁଁ ସମର୍ଥନ କରିଥିଲି ।

 

‘‘ସ୍ୱାୟତ୍ତଶାସନ ଶୀଘ୍ର ମିଳିବାର ସୁସ୍ପଷ୍ଟ ଦୃଶ୍ୟ ଆଖି ଆଗରେ ନ ଦେଖିଲେ ଭାରତର ଲୋକେ ସନ୍ତୁଷ୍ଟ ହେବେ ନାହିଁ । ଏପରି ଅନେକ ଲୋକ ଭାରତରେ ଅଛନ୍ତି ଯେଉଁମାନେ ଏ ଉଦ୍ଦେଶ୍ୟ ସାଧନ ନିମନ୍ତେ ସମସ୍ତ ବଳି ଦେବା ପାଇଁ ପ୍ରସ୍ତୁତ ଅଛନ୍ତି । ଯେଉଁ ସାମ୍ରାଜ୍ୟରେ ସେମାନେ ଚରମ ଉନ୍ନତି ଲାଭ କରିବା ପାଇଁ ଆଶା ଓ ବାସନା ପୋଷି ଅଛନ୍ତି ସେହି ସାମ୍ରାଜ୍ୟ ପାଇଁ ସମାନ ଭାବରେ ତ୍ୟାଗ ସ୍ୱୀକାର କରିବା ଆବଶ୍ୟକ ବୋଲି ସେମାନେ ଉପଲବ୍ଧି କରିବାକୁ ମଧ୍ୟ ସଚେତ ଅଛନ୍ତି । ଅତଏବ ସେଥିରୁ ଜଣାଯାଏ ଯେ ସାମ୍ରାଜ୍ୟକୁ ଆସନ୍ନ-ବିପଦରୁ ରକ୍ଷା କରିବା ପାଇଁ ମନପ୍ରାଣ ଢାଳି ନିଷ୍ଠାପର ହୋଇ ଲାଗିଗଲେ ଚଞ୍ଚଳ ଲକ୍ଷ୍ୟ ସାଧିତ ହେବ । ଏ ମୂଳ ସତ୍ୟ ନ ବୁଝିଲେ ଆମ ଜାତିର ଆତ୍ମହତ୍ୟା ଘଟିବ । ଆମର ବୁଝିବା ଉଚିତ ଯେ, ସାମ୍ରାଜ୍ୟକୁ ରକ୍ଷା କଲେ ଆମେ ସ୍ୱାୟତ୍ତଶାସନ ପାଇ ପାରିବୁ ।

 

‘‘ଆଉ ଗୋଟିଏ କଥା ମୁଁ ନ ଲେଖି ରହି ପାରୁ ନାହିଁ । ଘର କଳି ତୁଟାଇବାକୁ ଆପଣ ଆମକୁ ଅନୁରୋଧ କରି ଅଛନ୍ତି । ଘର କଳି ଅଛି ବୋଲି ସରକାରୀ କର୍ମଚାରୀ ଯେତେ ଅନ୍ୟାୟ ଓ ଅତ୍ୟାଚାର କରୁଥିବେ ତାହା ସହିବାକୁ କହିଲେ ମୁଁ ରାଜି ହେବାକୁ ଅକ୍ଷମ । ଚମ୍ପାରଣର ଯୁଗବ୍ୟାପୀ ଅନ୍ୟାୟ ବିଚାରର ପ୍ରତିରୋଧ କରି ପ୍ରମାଣ କରି ଦେଇଚି ଯେ ବ୍ରିଟିଶ୍‍ ଜାତି ନ୍ୟାୟର ପକ୍ଷପାତୀ । ଖେଡ଼ା ଲୋକେ ସରକାରଙ୍କୁ ଗାଳି ଦେଉଥିଲେ । ଏବେ ସେମାନେ ଅନୁଭବ କଲେଣି ଯେ ସତ୍ୟ ପାଇଁ କଷ୍ଟ ସହିବାକୁ ପ୍ରସ୍ତୁତ ହେଲେ ପ୍ରକୃତ କ୍ଷମତା ଲୋକଙ୍କର-ସରକାରଙ୍କର ନୁହେଁ । ସରକାରଙ୍କ ପ୍ରତି ସେମାନଙ୍କର ଯେଉଁ କଟୁଭାବ ଥିଲା ତାହା ଚାଲି ଯାଇଅଛି । ସେମାନେ ବୁଝିଲେଣି ଯେ ଯେଉଁଠାରେ ଅନ୍ୟାୟ ଅଛି ସେଠାରେ ଶାନ୍ତିପୂର୍ଣ୍ଣ ସମ୍ମାନସୂଚକ ଆଇନ-ଅମାନ୍ୟକୁ ସରକାର ସହି ଯାଉ ଅଛନ୍ତି; ଏଣୁ ଲୋକଙ୍କ ମଙ୍ଗଳ ପାଇଁ ଏ ସରକାର । ଅତଏବ ଚମ୍ପାରଣ ଓ ଖେଡ଼ାର ଘଟନା ଯୁଦ୍ଧକୁ ମୋର ଗୋଟିଏ ଦାନ କୁହାଯାଇ ପାରେ । ସେଭଳି କାମ ବନ୍ଦ କରିବାକୁ କହିଲେ ତାର ଅର୍ଥ ମୋର ଜୀବନ ବନ୍ଦ କରିବା । ପଶୁବଳ ବଦଳରେ ଆତ୍ମବଳ ବା ପ୍ରେମବଳ ମୁଁ ଯଦି ଚଳାଇ ପାରେ ତେବେ ଏପରି ଗୋଟିଏ ଭାରତବର୍ଷ ଉପହାର ଦେଇପାରେ ଯେ ସମସ୍ତ ଅନ୍ୟାୟ ଅତ୍ୟାଚାର ପ୍ରତିରୋଧ କରି ପାରିବି । ସଦାବେଳେ ମୋ ଜୀବନରେ ତ୍ୟାଗ ଧର୍ମକୁ ପ୍ରକାଶ କରିବା ପାଇଁ ମୁଁ ନିଜକୁ ନିୟନ୍ତ୍ରିତ କରିବି ।

 

‘‘ଅବଶେଷରେ ମୁସଲମାନ ରାଜ୍ୟ ସମ୍ପର୍କରେ ସମ୍ରାଟଙ୍କ ମନ୍ତ୍ରୀମଣ୍ଡଳିଙ୍କୁ ଜଣାଇବା ପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଅଛି । ଆପଣ ଜାଣନ୍ତି ପ୍ରତ୍ୟେକ ମୁସଲମାନ ଏ ବିଷୟରେ କିପରି ତତ୍ତ୍ୱ ନେଉ ଅଛନ୍ତି । ମୁଁ ହିନ୍ଦୁ ହେଲେ ମଧ୍ୟ ସେମାନଙ୍କ ଲକ୍ଷ୍ୟ-ସାଧନରେ ଅନାସ୍ଥା ପ୍ରକାଶ କରି ନ ପାରେ । ସେମାନଙ୍କ ଦୁଃଖ ଆମର ଦୁଃଖ ହେବ । ସେସବୁ ରାଜ୍ୟର ଦାବି ଓ ପୂଜା ସ୍ଥାନ ସମ୍ପର୍କରେ ମୁସଲମାନ ମନୋଭାବ ପ୍ରତି ଆପଣଙ୍କର ଚିନ୍ତାଶୀଳ ବିଚାର ଉପରେ ତଥା ସ୍ୱାୟତ୍ତଶାସନ ପାଇଁ ଭାରତର ଦାବି ପ୍ରତି ନ୍ୟାୟପୂର୍ଣ୍ଣ ବ୍ୟବହାର ଉପରେ ସାମ୍ରାଜ୍ୟର ମଙ୍ଗଳ ନିର୍ଭର କରେ । ମୁଁ ଇଂରାଜୀ ଜାତିକୁ ଭଲ ପାଏ ଏବଂ ପ୍ରତ୍ୟେକ ଭାରତୀୟ ପ୍ରାଣରେ ଇଂରେଜଙ୍କ ପ୍ରତି ଶ୍ରଦ୍ଧା କିପରି ଜାଗରିତ ହେବ ସେଥିପାଇଁ ଏ ଚିଠିଖଣ୍ଡ ଲେଖିଲି ।’’

 

ମନୁଷ୍ୟର ସ୍ୱଭାବ ତାହାର କଥାରୁ ଜଣାପଡ଼େ । ଏଥିପାଇଁ ସାହିତ୍ୟକୁ ଜାତିର ପ୍ରତିବିମ୍ୱ କହନ୍ତି । କାରଣ, ସାହିତ୍ୟରେ ଜାତିର ଅନେକ ଲୋକ ନିଜ ନିଜ ଦୃଷ୍ଟି ଅନୁସାରେ ଜାତିର ସ୍ୱଭାବ ଚିତ୍ରଣ କରି ଥାଆନ୍ତି । କୌଣସି ମନୁଷ୍ୟର ଯଦି ଲେଖାବଳୀ ଥାଏ, ତେବେ ସେହି ଲେଖାବଳୀ ଲେଖାକୁ ମାପିବା ପାଇଁ ଯଥାର୍ଥ ମାପକାଠି । ମହାତ୍ମାଜୀଙ୍କର ଅନେକ ଲେଖା ଅଛି । ପ୍ରତ୍ୟେକ ଲେଖାରେ ତାହାଙ୍କ ମହାନୁଭବତା ପ୍ରକାଶ ପାଏ । ଉପରେ ଯେଉଁ ଚିଠିର ମର୍ମ ଦିଆଗଲା ତହିଁରେ ସତ୍ୟ ଯେପରି ପୂରି ରହିଅଛି; ସରଳତା, ବିଶ୍ୱପ୍ରୀତି ପ୍ରଭୃତି ଅନେକ ସାଧୁଗୁଣ ମଧ୍ୟ ସେପରି ଅଭିବ୍ୟକ୍ତ ହୋଇଅଛି । ସଙ୍ଗେ ସଙ୍ଗେ ସରକାରଙ୍କୁ ଯଥାର୍ଥ ଉପଦେଶ ଦେଇ ଅଛନ୍ତି । ଭାଷାରେ ଚିତ୍ତର ତୀବ୍ରତା ଆଦୌ ନାହିଁ ।

 

ଊନବିଂଶ ଶତାଦ୍ଦୀର ଶେଷ ଦଶକରେ କାଇଜର ଉଇଲିୟମ ଜର୍ମାନୀର ସିଂହାସନ ଆରୋହଣ କରି ସାମ୍ରାଜ୍ୟ ବିସ୍ତାର ପାଇଁ ଆୟୋଜନ କରୁଥିଲେ । ତାହା ପୂର୍ବରୁ ବିସ୍‌ମାର୍କ ମନ୍ତ୍ରୀ ଥିବାବେଳେ ଖଣ୍ଡ ଖଣ୍ଡ ଜର୍ମାନୀ ଦେଶକୁ ଏକତ୍ରିତ କରି ତାହାକୁ କ୍ଷମତାଶାଳୀ କରିଥିଲେ । ଜର୍ମାନୀ, ଅଷ୍ଟ୍ରିୟା ଓ ଇଟାଲୀ ମଧ୍ୟରେ ଯୁଦ୍ଧ ବେଳରେ ପରସ୍ପର ସାହାଯ୍ୟ ପାଇ ବିସ୍‌ମାର୍କ ଗୋଟିଏ ସନ୍ଧି ବାନ୍ଧି ପାରିଥିଲେ । କିନ୍ତୁ ସାମ୍ରାଜ୍ୟ ବଢ଼ାଇବା ପାଇଁ ବିସ୍‌ମାର୍କଙ୍କର ଆଦୌ ଇଚ୍ଛା ନ ଥାଏ । କାଇଜର ସାମ୍ରାଜ୍ୟ ବିସ୍ତାରର ଅଭିଳାଷ ପୋଷି ତୁରସ୍କ ସଙ୍ଗରେ ସନ୍ଧି କଲା ଓ ନିଜର ଲୌହବଳ ବଢ଼ାଇଲା । ଏଣୁ ବ୍ରିଟିଶ୍‍ ଜାତି ଆତଙ୍କିତ ହେଲେ । ସେମାନେ ଫ୍ରାନ୍ସ ଓ ରୁଷିଆ ସହିତ ଯୁଦ୍ଧବେଳେ ପରସ୍ପର ସାହାଯ୍ୟ କରିବା ପାଇଁ ଗୋଟିଏ ସନ୍ଧି ମଧ୍ୟ କରିଥିଲେ । ନୌବଳ ବଢ଼ାଇବାର କାରଣ ମଧ୍ୟ ଜର୍ମାନୀକୁ ପଚାରିଥିଲେ । ଜର୍ମାନୀର ଶକ୍ତି ପରୀକ୍ଷା ସମୁଦ୍ରରେ ହେବ ବୋଲି କାଇଜର ଉତ୍ତର ଦେଇଥିଲା । ଏଥିରୁ ବ୍ରିଟିଶ୍‍ଜାତି ତରକି ପାରିଥିଲେ ଯେ, ବ୍ରିଟେନ୍‌ ସଙ୍ଗେ ଯୁଦ୍ଧ କରିବା ପାଇଁ ଜର୍ମାନୀ ପ୍ରସ୍ତୁତ ହେଉଅଛି । ଏଣୁ ସାମ୍ରାଜ୍ୟ ରଖିବାର ଲୋଭ ନିଜର ନାହିଁ ବୋଲି ପୃଥିବୀରେ ସେମାନେ ପ୍ରଚାର କରୁଥିଲେ । ଭାରତବାସୀ ଉପଯୁକ୍ତ ହେଲେ ଭାରତର ଶାସନଭାର ସେମାନଙ୍କ ହସ୍ତରେ ଅର୍ପଣ କରିବେ ବୋଲି ସେମାନେ ମଧ୍ୟ କହୁଥିଲେ ।

 

ଶାସନ ପରିଚାଳନାରେ ସାହାଯ୍ୟ ଲାଭ ପାଇଁ ଇଂରେଜମାନେ ଆମଙ୍କୁ ଇଂରେଜୀ ଭାଷା ଶିଖାଇବାକୁ ଆରମ୍ଭ କରିଥିଲେ । ଏ ଦେଶର ଲୋକେ ଇଂରେଜୀ ଭାଷା ଶିଖିବାରୁ ପାଶ୍ଚାତ୍ୟ ଦେଶର ସାହିତ୍ୟ ପଢ଼ି ସ୍ୱାଧୀନତାର ମୂଲ୍ୟ ବୁଝି ପାରିଥିଲେ । ଏଣୁ ଦଳେ ଶିକ୍ଷିତ ବ୍ୟକ୍ତି କଂଗ୍ରେସ ଗଢ଼ିଥିଲେ । ଆଉ ଦଳେ ବିପ୍ଳବର ସୂତ୍ରପାତ କରୁଥିଲେ । କିନ୍ତୁ ଦେଶର ଜନସାଧାରଣଙ୍କ ନିକଟରେ ସ୍ୱାଧୀନତାର ନାମଗନ୍ଧ ପ୍ରବେଶ କରିପାରୁ ନ ଥିଲା । ଜନସାଧାରଣଙ୍କ ସାହାଯ୍ୟ ବିନା ସ୍ୱାଧୀନତା ଲାଭ କରିବା ଅସମ୍ଭବ । କିନ୍ତୁ ବିପ୍ଳବୀମାନେ ଗୋପନରେ ଆନ୍ଦୋଳନ ଚଳାଇ ଥିବାରୁ ଜନସାଧାରଣଙ୍କ ମଧ୍ୟରେ କୌଣସି କଥା ପ୍ରଚାର କରିପାରୁ ନ ଥିଲେ । ମହାତ୍ମାଜୀ ସତ୍ୟ ଓ ସେବାଦ୍ୱାରା ଜନସାଧାରଣଙ୍କ ହୃଦୟରେ ସ୍ୱାଧୀନତା ଲାଭ କରିବାର ଆଶା ସଞ୍ଚରିତ କରାଇ ଥିଲେ । ସେଥି ସଙ୍ଗେ ସଙ୍ଗେ କିପରି ନିର୍ଭୀକ ହେବାକୁ ହୁଏ ତାହାର ଆଦର୍ଶ ମଧ୍ୟ ଦେଖାଇ ଦେଉଥିଲେ । ଯୁଦ୍ଧ ଲାଗିଗଲା । ବ୍ରିଟିଶ୍‍ ଜାତି କେବଳ ବଚନରେ ଦାତା-ପଣ ଦେଖାଇଲେ । ମହତ୍ମାଜୀଙ୍କ ଉପଦେଶ ଆଦୌ ଗ୍ରହଣ କଲେ ନାହିଁ । ଏ ଦେଶର ସ୍ୱାଧୀନତା-ଆନ୍ଦୋଳନକୁ ବିନାଶ କରିବା ପାଇଁ ରାଉଲଟ ଆଇନ ପ୍ରଣୟନ କଲେ ।

 

ରାଉଲଟ କମିଟିର ପ୍ରସ୍ତାବ ସମ୍ୱାଦ-ପତ୍ରରେ ପ୍ରକାଶିତ ହେବା ମାତ୍ରେ ଶଙ୍କରଲାଲ ବାଙ୍କର ଓ ଉଆମର ସୋଭନି ତାହାର ପ୍ରତିରୋଧ କରିବା ପାଇଁ ମହାତ୍ମାଜୀଙ୍କୁ କହିଥିଲେ । ମହାତ୍ମାଜୀ ଅହମଦାବାଦ ଗଲେ । ସେଠାରେ ବଲ୍ଲଭଭାଇଙ୍କ ସଙ୍ଗେ ଦେଖା ହେଲା । ରାଉଲଟ କମିଟିର ପ୍ରସ୍ତାବକୁ ପ୍ରତିରୋଧ କରିବା ଉଚିତ ବୋଲି ମହାତ୍ମାଜୀ ବଲ୍ଲଭଭାଇଙ୍କୁ ଜଣାଇ ଦେଇଥିଲେ । ତତ୍ପରେ ଗୋଟିଏ ଛୋଟିଆ ସଭା ଡକା ହୋଇଥିଲା । ଏହି ସଭାରେ ସ୍ଥିର ହେବା ଅନୁସାରେ ‘ସତ୍ୟାଗ୍ରହ-ପ୍ରଭା’ ନାମରେ ଗୋଟିଏ ସ୍ୱତନ୍ତ୍ର ଅନୁଷ୍ଠାନ ଗଢ଼ା ହୋଇଥିଲା । ବିଶିଷ୍ଟ ସଭ୍ୟମାନେ ବମ୍ୱେଇର ଅଧିବାସୀ ଥିବାରୁ ତାହାର କାର୍ଯ୍ୟାଳୟ ବମ୍ୱେଇରେ ରଖା ଯାଇଥିଲା ।

 

ରାଉଲାଟ କମିଟିର ପ୍ରସ୍ତାବକୁ ପ୍ରତିରୋଧ କରି ଦେଶରେ ଆନ୍ଦୋଳନ ଲାଗିବା ବେଳେ ପ୍ରସ୍ତାବକୁ ଆଇନରେ ପରିଣତ କରିବା ପାଇଁ ସରକାର ଦୃଢ଼ ସଂକଳ୍ପ ହୋଇଗଲେ । ଆଇନର ପାଣ୍ଡୁଲିପି ଆଲୋଚନା କରିବା ପାଇଁ ବଡ଼ଲାଟଙ୍କ ସଭାକୁ ମହାତ୍ମାଜୀ ଥରେ ମାତ୍ର ଯାଇଥିଲେ । ସେତେବେଳେ ଶ୍ରୀନିବାସ ଶାସ୍ତ୍ରୀଜୀ ପାଣ୍ଡୁଲିପିର ପ୍ରତିବାଦ କରି ଯେଉଁ ବକ୍ତୃତା ଦେଇଥିଲେ ତାହା ଯେପରି ଓଜସ୍ୱିନୀ ସେପରି ପ୍ରାଣସ୍ପର୍ଶୀ ମଧ୍ୟ ହୋଇଥିଲା । ମହାତ୍ମାଜୀ ମଧ୍ୟ ବହୁ ଅନୁନୟ-ବିନୟ କରି ବଡ଼ଲାଟଙ୍କୁ କହିଥିଲେ । କିନ୍ତୁ ଶୁଣିଲେ ମଧ୍ୟ ବଡ଼ଲାଟଙ୍କର ନିଦ ଭାଙ୍ଗିଲା ନାହିଁ । ଚେଇଁ ଶୋଇବ ଯିଏ ତାକୁ ଉଠେଇବ କିଏ? ଯୁଦ୍ଧ ଲାଗିଥିବାରୁ ସରକାର ଆପଣା ସ୍ୱଭାବ ଟିକିଏ ଘୋଡ଼ାଇ ରଖିଥିଲେ । ଯୁଦ୍ଧ ସରିଗଲା । ଏଥର ନିଜ ରୂପ ଦେଖାଇବାକୁ ଡରନ୍ତେ କାହିଁକି ?

 

ମହାତ୍ମାଜୀ ଏହି ପାଣ୍ଡୁଲିପି ଯେପରି ଆଇନରେ ପରିଣତ ହୋଇ ନ ପାରେ ତାହାର ଉପାୟ ସ୍ଥିର କରିବା ପାଇଁ ଅସୁସ୍ଥ ଶରୀରରେ ମାନ୍ଦ୍ରାଜ ଗଲେ । ସେଠାରେ ଶ୍ରୀଯୁକ୍ତ ରାଜଗୋପାଳଚାରୀଙ୍କ ଗୃହରେ ଅତିଥି ହୋଇଥିଲେ । କିପରି ପ୍ରତିରୋଧ କରିବାକୁ ହେବ ତାହା ସେଠାରେ ଗୋଟିଏ କ୍ଷୁଦ୍ର ସଭାରେ ବିଚାର କରୁଥିଲେ । ସେତିକିବେଳେ ଖବର ପାଇଲେ ଯେ, ପାଣ୍ଡୁଲିପି ଆଇନରେ ପରିଣତ ହୋଇଗଲା । ଏ ଆଇନ କିପରି ଅମାନ୍ୟ କରିବାକୁ ହେବ ତାହା ଚିନ୍ତା କରି ସ୍ଥିର କରିବା ବଡ଼ କଠିନ ବ୍ୟାପାର ଥିଲା । ଚିନ୍ତାରେ ମହାତ୍ମାଜୀଙ୍କୁ ରାତିରେ ନିଦ ହେଲା ନାହିଁ । ଶେଷରେ ସ୍ୱପ୍ନରେ କାହାରି ଠାରୁ ଶୁଣିବା ଭଳି ଅନୁଭବ କଲେ ଯେ ଏ ଆଇନର ପ୍ରତିବାଦ ସ୍ୱରୂପ ଭାରତବାସୀ ଗୋଟିଏ ଦିନ ହରତାଳ ପାଳିବା ଉଚିତ । ଏହିଦିନ ପ୍ରତ୍ୟେକ ଭାରତବାସୀ ଦୈନିକ କାର୍ଯ୍ୟ ବନ୍ଦ କରି ଉପବାସ ପାଳିବେ ଓ ମନ୍ଦିରକୁ ଯାଇ ପ୍ରାର୍ଥନା କରିବେ । ଏହାକୁ ଯୋଗ-ଲବ୍‌ଧ ଜ୍ଞାନ ବୋଲି ଆମର ବୁଝିବା ଉଚିତ । ଚିତ୍ତ ଶୁଦ୍ଧ ରଖି ଗଭୀର ଚିନ୍ତା କଲେ କଠିନ ସମସ୍ୟା ସମାଧାନ କରିବାର ପ୍ରକୃଷ୍ଟ ଉପାୟ ଆପେ ଆପେ ଦେଖାଯାଏ ।

 

ମହାତ୍ମାଜୀ ଆଇନର ପ୍ରତିରୋଧ କରିବା ପାଇଁ ହରତାଳ ପାଳିବା କଥା ଶ୍ରୀଯୁକ୍ତ ରାଜଗୋପାଳଚାରୀଙ୍କୁ କହିଲେ । ସେ ତାହା ପସନ୍ଦ କଲେ । ୧୯୧୯ ସାଲର ମାର୍ଚ୍ଚ ମାସର ୩୦ ତାରିଖ ହରତାଳ ପାଳିବା ପାଇଁ ପ୍ରଥମେ ଧାର୍ଯ୍ୟ ହେଲା । ପରେ ଏପ୍ରିଲ ୬ ତାରିଖକୁ ଏହିଦିନ ଘୁଞ୍ଚାଇ ଦିଆ ହୋଇଥିଲା । କିନ୍ତୁ ଦିଲ୍ଲୀରେ ଦିନ ଘୁଞ୍ଚିବା ସମ୍ୱାଦ ପହଞ୍ଚି ପାରି ନ ଥିବାରୁ ୩୦ ତାରିଖ ଦିନ ସେଠାରେ ହରତାଳ ପାଳନ କରା ଯାଇଥିଲା । ସେଠାରେ ହିନ୍ଦୁ ମୁସଲମାନ ହରତାଳ ପାଳିବା ପାଇଁ ମିଶି ଯାଇଥିଲେ । ବକ୍ତୃତା ଦେବା ପାଇଁ ସ୍ୱାମୀ ଶ୍ରଦ୍ଧାନନ୍ଦଙ୍କୁ ମୁସଲମାନମାନେ ମସଜିଦକୁ ଆମନ୍ତ୍ରଣ କରିଥିଲେ । ୬ ତାରିଖ ଦିନ ହରତାଳ ପାଳିବାରେ ଉପସ୍ଥିତ ହେବା ପାଇଁ ବମ୍ୱେଇରୁ ମହାତ୍ମାଜୀଙ୍କୁ ଡକରା ଆସିଲା । ସେଠାକୁ ସେ ଗଲେ; ହରତାଳ ମହାସମାରୋହରେ ପାଳନ କରାଗଲା । ସେଠାରେ ଲୁଣଟିକସର ଆଇନ ନ ମାନିବା ପାଇଁ ମହାତ୍ମାଜୀ ପ୍ରଥମେ ସ୍ଥିର କଲେ । ସେତେବେଳକୁ ମହାତ୍ମାଜୀଙ୍କ ‘ହିନ୍ଦୁସ୍ୱରାଜ’ ଓ ‘ସର୍ବୋଦୟ’ ନାମକ ଦୁଇଖଣ୍ଡି ବହି ସରକାର ବାଜ୍ୟାପ୍ତ କରିଥିଲେ । ମହାତ୍ମାଜୀ ତାହାକୁ ଛପାଇ ବିକିଲେ । କିନ୍ତୁ ସରକାର ଆପତ୍ତି କଲେ ନାହିଁ । ସେଥିରୁ ଯାହା ମିଳିଲା ତାହା ଆଇନ ଅମାନ୍ୟ କାର୍ଯ୍ୟରେ ଲାଗିବା ପାଇଁ ରଖା ଗଲା-

 

ଦିଲ୍ଲୀ ଓ ଅମୃତ ସହରରୁ ମହାତ୍ମାଜୀଙ୍କ ପାଖକୁ ଆମନ୍ତ୍ରଣ ଆସି ଥିଲା । ଏପ୍ରିଲ ୭ ତାରିଖ ଦିନ ସେ ଯାତ୍ରା କଲେ । ୮ ତାରିଖ ଦିନ ମଥୁରାଠାରେ ସମ୍ୱାଦ ପାଇଲେ ଯେ ତାହାଙ୍କୁ ଗିରଫ କରିବା ପାଇଁ ସରକାର ସ୍ଥିର କରି ଅଛନ୍ତି । ପଲୁଆଲ ଷ୍ଟେସନରେ ପହଞ୍ଚିବା ପୂର୍ବରୁ ତାହାଙ୍କ ଉପରେ ଏକ ନୋଟିସ ଜାରି ହୋଇଥିଲା । ତହିଁରେ ଲେଖାଥିଲା ଯେ, ତାହାଙ୍କ ଉପସ୍ଥିତିରେ ଶାନ୍ତିଭଙ୍ଗର ଆଶଙ୍କା ଥିବାରୁ ପଞ୍ଜାବ ଭିତରକୁ ପଶିବା ପାଇଁ ତାହାଙ୍କୁ ମନା କରା ଯାଇଅଛି । ମହାତ୍ମାଜୀ ମାନିଲେ ନାହିଁ । କାହିଁକି ମାନନ୍ତେ ? ତାହାଙ୍କ ଉପସ୍ଥିତିରେ କୌଣସିଠାରେ ଶାନ୍ତିଭଙ୍ଗ ଘଟେ ନାହିଁ ବା ଘଟିବାର ସମ୍ଭାବନା ନ ଥାଏ । ଏହି ଆତ୍ମବିଶ୍ୱାସ ଯୋଗୁଁ ସେ ନିର୍ଭୀକ ହୋଇ ଥାଆନ୍ତି । କିନ୍ତୁ ସରକାର କେବଳ ସ୍ୱାର୍ଥ-ରକ୍ଷା ଲାଗି ନାନା କୂଟନୀତି ପ୍ରୟୋଗ କରୁଥାଆନ୍ତି-। ତଥାପି ସରକାର ଜାଣି ଥାଆନ୍ତି ଯେ କଂସାରି ଘରର ପାରାକୁ କୁଲା ଢାଉଁ ଢାଉଁ କଲେ ଅନିଷ୍ଟ ଛଡ଼ା ଇଷ୍ଟ କଦାପି ନାହିଁ ।

 

ପଲୁଆଲ ଷ୍ଟେସନରେ ଗାଡ଼ି ପହଞ୍ଚିଲା । ପୁଲିସ ସେଠାରେ ମହାତ୍ମାଜୀଙ୍କୁ ଗାଡ଼ିରୁ ଉତ୍ତାରି ଦେଲା । ଦିଲ୍ଲୀରୁ ଆସୁଥିବା ଗୋଟିଏ ଗାଡ଼ିର ତୃତୀୟ ଶ୍ରେଣୀରେ ବସାଇ ମହାତ୍ମାଜୀଙ୍କୁ ମଥୁରା ନିଆ ହେଲା । ସେଠାରୁ ବମ୍ୱେଇ ଯାଉଥିବା ଗାଡ଼ିରେ ତାହାଙ୍କୁ ମଧୁପୁର ଷ୍ଟେସନକୁ ନିଆ ହେଲା । ଲାହୋରରୁ ଆସୁଥିବା ଡାକ ଗାଡ଼ିରେ ଆସି ଇନ୍‌ସ୍ପେକ୍ଟର ବାଉରିଂ ସାହେବ ସେଠାରେ ପହଞ୍ଚିଲେ । ସେ ନିଜ ସଙ୍ଗରେ ଗୋଟିଏ ପ୍ରଥମ ଶ୍ରେଣୀ ଡବାରେ ମହାତ୍ମାଜୀଙ୍କୁ ଚଢ଼ାଇ ଆଳାପ କରିବାକୁ ଲାଗିଲେ । ପଞ୍ଜାବର ଲାଟ ଓତାୟରଙ୍କ ଗୁଣ ଗାନ କରି ମହାତ୍ମାଜୀଙ୍କ ପ୍ରତି ଲାଟସାହେବଙ୍କର କୌଣସି ବ୍ୟକ୍ତିଗତ ବିଦ୍ୱେଷ ନାହିଁ ବୋଲି ବାଉରିଂ ସାହେବ କହିଥିଲେ । ସହଜରେ ବୁଝିବାକୁ ହେଲେ ବିଶ୍ୱାମିତ୍ରଙ୍କ ତପସ୍ୟା ଭଙ୍ଗପାଇଁ ସେ ମେନକାର ବେଶ ପିନ୍ଧି ଆସିଥିଲେ । ବାଉରିଂ ପଞ୍ଜାବ ସୀମା ନ ଡେଇଁବା ପାଇଁ ମହାତ୍ମାଜୀଙ୍କୁ କହିଥିଲେ । ନିଜ ଇଚ୍ଛାରେ ଫେରି ଯିବେ ନାହିଁ ବୋଲି ମହାତ୍ମାଜୀ ଉତ୍ତର ଦେଇଥିଲେ । ଆଇନ ପ୍ରୟୋଗ କରିବେ ବୋଲି ବାଉରିଂ କହିଥିଲେ ।

 

ସୁରାଟରେ ଗାଡ଼ି ପହଞ୍ଚିଲା । ବାଉରିଂ ଆଉ ଜଣେ ପୁଲିସ କର୍ମଚାରୀଙ୍କ ଜିମାରେ ମହାତ୍ମାଜୀଙ୍କୁ ଛାଡ଼ିଲେ । ସେ ବମ୍ୱେଇ ପହଞ୍ଚାଇ ଦେଇ ‘‘ଆପଣ ଏଥର ମୁକ୍ତି’’ ବୋଲି କହିଥିଲେ । କିନ୍ତୁ ସେତେବେଳକୁ ମହାତ୍ମାଜୀଙ୍କ ଗିରଫ ଶୁଣି ଅନେକ ସ୍ଥାନରେ ଜନତା ଉତ୍ତେଜିତ ହୋଇ ପଡ଼ିଥିଲେ । ବୋମ୍ୱେଇରୁ ମହାତ୍ମାଜୀ ମେରିନ୍‌ଲାଇନ୍‌ ଷ୍ଟେସନକୁ ଯାଇଥିଲେ । ସେଠାରେ ସେ ରେବାଶଙ୍କର ଜାବେରୀଙ୍କ ଘରେ ଅତିଥି ହୋଇଥିଲେ । ସଙ୍ଗେ ସଙ୍ଗେ ଖବର ପାଇଥିଲେ ଯେ, ପାଇଧୁନୀଠାରେ ଲୋକେ ଉତ୍ତେଜିତ ହୋଇ ଅଛନ୍ତି । ଶୁଣିବା ମାତ୍ରେ ମହାତ୍ମାଜୀ ସେଠାକୁ ଯାତ୍ରା କଲେ । ସେଠାରେ ଗୋଟିଏ ଶୋଭାଯାତ୍ରା ବାହାରୁ ଥିଲା । ‘ବନ୍ଦେ ମାତରଂ’ ଓ ‘ଆଲ୍ଲାହୋ ଆକବର’ ଧ୍ୱନି ଆକାଶ ଫଟାଇ ଦେଉଥିଲା । ଦଳେ ଅଶ୍ୱାରୋହୀ ପୁଲିସ ଥିଲେ ଏବଂ ଟେକା ପଥର ମଧ୍ୟ ବୃଷ୍ଟି ହେଉଥିଲା । ଜନତାକୁ ଶାନ୍ତ କରାଇବାକୁ ମହାତ୍ମାଜୀ ଯତ୍ନ କଲେ । ସେଠାରୁ ସେ କମିଶନରଙ୍କ ପାଖକୁ ଯାଇ ଶାନ୍ତିଭଙ୍ଗ କଥା ଆଲୋଚନା କରିଥିଲେ । ସେଠାରେ ବାଉରିଂ ମଧ୍ୟ ଥିଲେ । ସେଠାରେ କମିଶନର କହିଲେ, ଆପଣଙ୍କ ଉପଦେଶ ସହଜରେ ଲୋକେ ମାନନ୍ତି । ଆମେ ଆଦ୍ୟରୁ ସାବଧାନ ନୋହିଥିଲେ ଅବସ୍ଥା ଆମ କ୍ଷମତାର ବହିର୍ଭୂତ ହୋଇ ପଡ଼ି ଥାଆନ୍ତା । ଆଇନ ଅମାନ୍ୟ କରିବା କଥା ଲୋକେ ଶୀଘ୍ର ପସନ୍ଦ କରନ୍ତି । କିନ୍ତୁ ପ୍ରକୃତି ଲୋକଙ୍କୁ ଶାନ୍ତ ରଖାଇ ଦିଏ ନାହିଁ ।

 

ମହାତ୍ମାଜୀ କହିଲେ, ‘‘ଏଠାରେ ଆପଣଙ୍କ ସହିତ ମୋର ମତଭେଦ ଅଛି । ହିଂସାପ୍ରବଣ ହେବା ମନୁଷ୍ୟର ସ୍ୱଭାବ ନୁହେଁ । ଶାନ୍ତ ରହିବା ମନୁଷ୍ୟର ସାଧାରଣ ସ୍ୱଭାବ ।’’ ଏହିପରି ଆଲୋଚନା ସଙ୍ଗେ ସଙ୍ଗେ ସେତେବେଳକୁ ପଞ୍ଜାବର ଅମୃତ ସହର ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଉତ୍ତେଜନା ଫଳ କମିଶନର ସାହେବ ମହାତ୍ମାଜୀଙ୍କୁ କହିଲେ । ମହାତ୍ମାଜୀ ଉତ୍ତର ଦେଲେ, ମୋତେ ଯଦି ପଞ୍ଜାବ ଯିବାକୁ ମନା କରାଯାଇ ନ ଥାଆନ୍ତା ତେବେ ସେଠାରେ ଶାନ୍ତିଭଙ୍ଗ ଘଟି ନ ଥାଆନ୍ତା ।’’ କିପରି ଖାଣ୍ଟି ସତ୍ୟ ମହାତ୍ମାଜୀଙ୍କ ହୃଦୟରୁ ବାହାରୁଥିଲା ତାହା ବୁଝିବା ସହଜ ନୋହିଲେ ମଧ୍ୟ ପ୍ରାଣସ୍ପର୍ଶୀ । ଯାହା ପଢ଼ିଲେ ବା ଶୁଣିଲେ ଚିରକାଳ ପାଇଁ ହୃଦୟରେ ଅଙ୍କିତ ହୋଇ ରହେ ତାହାକୁ ସତ୍ୟ କହନ୍ତି ।

 

ମହାତ୍ମାଜୀ ଅହମଦାବାଦର ନିଜ ଆଶ୍ରମକୁ ଫେରିଗଲେ । ସେଠାରେ ଅନୁସୂୟା ବେନଙ୍କୁ ଲୋକେ ଭକ୍ତି କରୁଥିଲେ । ସେ ଧରା ହୋଇ ଅଛନ୍ତି ବୋଲି କେହି ରଟାଇ ଦେଇ ଥିବାରୁ ଅହମଦାବାଦରେ କୁଲିମାନେ ପାଗଲ ହୋଇ ଯାଇଥିଲେ । ନିକଟବର୍ତ୍ତୀ ଅଞ୍ଚଳରେ ଜଣେ ସରକାରୀ କର୍ମଚାରୀ ଖୁଣ୍‌ ହୋଇଥିଲେ । ଏଣୁ ଅହମଦାବାଦରେ ସାମରିକ ଆଇନ ଜାରି ହୋଇଥିଲା । ଷ୍ଟେସନରେ ପହଞ୍ଚିବା ମାତ୍ରେ ଜଣେ ପୁଲିସ କର୍ମଚାରୀ ମହାତ୍ମାଜୀଙ୍କୁ କମିଶନରଙ୍କ ପାଖକୁ ନେଇ ଯାଇଥିଲା । ଗୋଳମାଳ ପାଇଁ ତାଙ୍କ ଆଗରେ ମହାତ୍ମାଜୀ ଦୁଃଖ ପ୍ରକାଶ କରିଥିଲେ-। ସାମରିକ ଆଇନ ଜାରି କରିବାର ପ୍ରୟୋଜନ ନ ଥିଲା ଓ ଶାନ୍ତି ଫେରାଇ ଆଣିବାକୁ ଯଥାସାଧ୍ୟ ଚେଷ୍ଟା କରିବେ ବୋଲି ମହାତ୍ମାଜୀ କମିଶନରଙ୍କୁ କହିଲେ । ସାବରମତୀ-ଆଶ୍ରମ ପଡ଼ିଆରେ ଗୋଟିଏ ସାଧାରଣ ସଭା କରିବା ପାଇଁ ଅନୁମତି ମଧ୍ୟ ମାଗି ଆଣିଲେ । ସଭା ହେଲା-। ମହାତ୍ମାଜୀ ଅହିଂସା ନୀତି ଲୋକଙ୍କୁ ବୁଝାଇ ଦେଲେ । ନିଜେ ତିନିଦିନ ଉପବାସ କରି ଶାନ୍ତିଭଙ୍ଗ ହୋଇଥିବାରୁ ପ୍ରାୟଶ୍ଚିତ କରିବେ ବୋଲି ଲୋକଙ୍କୁ ଶୁଣାଇ ଦିନେ ଉପବାସ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ । ଏହାଛଡ଼ା ଦଙ୍ଗାରେ ଯୋଗ ଦେଇ ଅପରାଧ କରିଥିବା ଲୋକମାନଙ୍କୁ ଅପରାଧ ସ୍ୱୀକାର କରିବା ପାଇଁ ବୁଝାଇ ସେମାନଙ୍କ ଅପରାଧ କ୍ଷମା କରିବା ନିମନ୍ତେ ସରକାରଙ୍କୁ ମଧ୍ୟ କହିଥିଲେ । କିନ୍ତୁ ସରକାର ସେ କଥା ଆଦୌ ଶୁଣିଲେ ନାହିଁ । ଯାହାହେଉ ମହାତ୍ମାଜୀ ସତ୍ୟାଗ୍ରହ ବନ୍ଦ କରିବା ନିମନ୍ତେ କହିଲେ । ଏଥିରେ ଅନେକ ଲୋକ ବିରକ୍ତ ହେଲେ । ସେମାନଙ୍କ ମତରେ ସତ୍ୟାଗ୍ରହରେ ସବୁ ଜାଗାରେ ଶାନ୍ତି ରକ୍ଷା କରିବା ଅସମ୍ଭବ-। କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ଶାନ୍ତି ରକ୍ଷା ନ କଲେ ସତ୍ୟାଗ୍ରହ ବଞ୍ଚି ରହିବା ଅସମ୍ଭବ । ସତ୍ୟ ଓ ଶାନ୍ତି ଏକାଧାରରେ ମହାତ୍ମାଜୀଙ୍କ ଠାରେ ଠୁଳ ହୋଇଥିବାରୁ ତାହାଙ୍କ ଇଙ୍ଗିତରେ ସତ୍ୟାଗ୍ରହ ରୁଦ୍ରମୂର୍ତ୍ତି ଧାରଣ କରୁଥିଲା । ଯେଉଁ ଉପାଦାନରୁ ଯାହାର ଜନ୍ମ ତାହାଠାରେ ସେହି ଉପାଦାନର ଗୁଣଥାଏ । କ୍ଷୀରରୁ ଦହି ଜାତ ହେଲେ କ୍ଷୀରର ଗୁଣ ମଧ୍ୟ ଦହିରେ ଥାଏ । ନ ରହିଲେ ଦହିର ସତ୍ତା ମଧ୍ୟ ରହିବ ନାହିଁ । ଅହିଂସା ନ ଥିଲେ ସତ୍ୟାଗ୍ରହ ପ୍ରକାଶ ଘଟେ ନାହିଁ । ସତ୍ୟ ଯେଉଁ ପ୍ରତିରୋଧରେ ନାହିଁ ତାହାକୁ ସତ୍ୟାଗ୍ରହ କୁହାଯାଇ ନ ପାରେ । ସତ୍ୟ ପାଇଁ ଅହିଂସାରେ ଯେ ପ୍ରାଣ ଦାନ କରେ ତାହା ପ୍ରତି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ସହାନୁଭୂତି ଜାଗରିତ ହୁଏ । ଏହା ଯେଉଁମାନେ ବୁଝନ୍ତି ନାହିଁ ସେମାନେ ଅହିଂସା ନୀତିରେ ସତ୍ୟାଗ୍ରହ ପ୍ରତିଷ୍ଠିତ ବୋଲି ବିଶ୍ୱାସ କରି ପାରୁ ନ ଥିଲେ । କିନ୍ତୁ ମହାତ୍ମାଜୀଙ୍କ ବିଶ୍ୱାସ ଅଟଳ ଥିଲା । ସେ ଶାସ୍ତ୍ରର ନୀତିକୁ କେବଳ ଅନ୍ଧ ଭାବରେ ଅନୁସରଣ କରୁ ନ ଥିଲେ । ନିଜେ ସତ୍ୟ ଓ ଅହିଂସାର ପଥ ଅନୁସରଣ କରୁ ଥିବାରୁ ତାହାଙ୍କ ହୃଦୟରୁ ଯେଉଁ ଆନ୍ଦୋଳନ ଜନ୍ମ ଲଭିଥିଲା, ତାହା କ୍ରମଶଃ ଶାଖା ଓ ପ୍ରଶାଖା ମେଲି ମହାରଣ୍ୟର ପରିଣତ ହୋଇ ଅତ୍ୟାଚାର ତାପରେ ଦଗ୍ଧ ମରୁଭୂମିରେ ଅଗଣିତ ପ୍ରାଣୀଙ୍କୁ ଆଶ୍ରୟ ଦାନ କରୁଥିଲା । ଏଣୁ ମହାତ୍ମାଜୀ ସତ୍ୟ ଓ ଅହିଂସାରେ ଅଟଳ ବିଶ୍ୱାସ ରଖି ଶାନ୍ତିଭଙ୍ଗର ଆଶଙ୍କା ଜାତ ହେଲେ ସତ୍ୟାଗ୍ରହ ବନ୍ଦ କରି ଦେଉଥିଲେ ।

 

ଅହମଦାବାଦ ଠାରୁ ଅଳ୍ପଦିନ ଉତ୍ତାରେ, ସେ ନଦିଆଦ ଗଲେ । ସେଠାରେ ସେ ଶୁଣିଲେ ଯେ ଆଇନ ଅମାନ୍ୟରେ ଶାନ୍ତିଭଙ୍ଗ କରି ଖେଡ଼ା ଜିଲାର ବହୁତ ଲୋକ ଗିରଫ ହୋଇ ଅଛନ୍ତି । ଉପଯୁକ୍ତ ଶିକ୍ଷା ଦେବା ପୂର୍ବରୁ ଲୋକମାନଙ୍କୁ ଆଇନ ଅମାନ୍ୟ କରିବା ପାଇଁ କହିବା ତାହାଙ୍କର ହିମାଳୟ ସମାନ ପ୍ରକାଣ୍ଡ ଭୁଲ୍‍ ହୋଇଅଛି ବୋଲି ସେ ସେଠାରେ ହୃଦୟଙ୍ଗମ କରିଥିଲେ । ସେଠାରେ ସାଧାରଣ ସଭାରେ ନିଜ ଭୁଲ୍ ସ୍ୱୀକାର କରିବାରୁ ଅନେକ ଲୋକ ତାହାଙ୍କୁ ଥଟ୍ଟା କରିଥିଲେ । ସେମାନେ ଜାଣନ୍ତି ନାହିଁ ଯେ, ମହାନୁଭବ ବ୍ୟକ୍ତି ଛଡ଼ା ଅନ୍ୟ ଲୋକ ଦୋଷ ସ୍ୱୀକାର କରିବାକୁ କୁଣ୍ଠିତ ହୁଅନ୍ତି । ଅନେକ ଲୋକ ନିଜର ଦୋଷ ବୁଝିଲେ ମଧ୍ୟ ସ୍ୱୀକାର କରିବା ଦୂରେ ଥାଉ ତାହାକୁ ଘୋଡ଼ାଇବା ପାଇଁ ନାନା ପ୍ରକାର ମିଥ୍ୟା ଆଶ୍ରୟ ନେଇ ଥାଆନ୍ତି । ଅହଙ୍କାର ଯେଉଁମାନଙ୍କର ଥାଏ ସେମାନେ ନିଜ ଦୋଷ ସ୍ୱୀକାର କରନ୍ତି ନାହିଁ । ନିଜ ହୃଦୟକୁ ମାପକାଠି କରି ତହିଁରେ ମହାତ୍ମାଙ୍କୁ ମାପିବାକୁ ପ୍ରୟାସ କଲେ, ସେମାନଙ୍କର ସେ ପ୍ରୟାସ ଅବଶ୍ୟ ବିଫଳ ହେବ । ସେଥିପାଇଁ ମହାତ୍ମାଜୀ କହି ଅଛନ୍ତି ପରର ଦୋଷକୁ ଛୋଟ ଓ ନିଜର ଦୋଷକୁ ବଡ଼ ଯେ ମନେ କରିପାରେ ସେ ଯଥାର୍ଥ ରୂପେ ଦୋଷ ତୁଳନା କରିପାରେ ।

 

ଦୁର୍ଜନ ଲୋକଙ୍କ ପାଇଁ ଆଇନ ପ୍ରଣୟନ କରା ଯାଇଅଛି । ଚୋରି ବିରୁଦ୍ଧରେ ଆଇନ ନ ଥିଲେ ମଧ୍ୟ ଚୋରି କରିବା ପାଇଁ ସାଧୁ ଲୋକର ପ୍ରବୃତ୍ତି ଜନ୍ମିବ ନାହିଁ । କିନ୍ତୁ ବିନା ଆଲୁଅରେ ସାଇକେଲ ଅନ୍ଧାରରେ ଚଳାଇଲେ ଦୋଷାବହ ବୋଲି ଯେଉଁ ଆଇନ ଅଛି ତାହାକୁ ଅମାନ୍ୟ କରିବାକୁ ସେ କୁଣ୍ଠିତ ହେବ ନାହିଁ । ଏ ବିଷୟରେ ବେଶୀ ସତର୍କ ହେବା ପାଇଁ ଉପଦେଶ ଦେଲେ ମଧ୍ୟ ତାହା ସେ ଗ୍ରହଣ କରିବା ସନ୍ଦେହଜନକ । କିନ୍ତୁ ଏଭଳି ଲୋକର ଆଇନ ଅମାନ୍ୟ କରିବା ଠାରୁ ସତ୍ୟାଗ୍ରହୀ ଆଇନ ଅମାନ୍ୟ କରିବା ପୃଥକ୍‌ । ସତ୍ୟାଗ୍ରହୀ ନିଜର ସ୍ୱାଧୀନ ଇଚ୍ଛାରେ ଓ ବିଚାରରେ ସମାଜର ଆଇନକୁ ମାନିଥାଏ । କାରଣ, ତାହା ମାନିବାକୁ ସେ ପବିତ୍ର କାର୍ଯ୍ୟ ମଣିଥାଏ-। ସମାଜର ଆଇନକୁ ଯେ ଯଥାର୍ଥ ରୂପେ ମାନିଥିବ ସମାଜର କେଉଁ ଆଇନ ହିତକର ଓ କେଉଁ ଆଇନ ଅନିଷ୍ଟକର ସେ ବିଚାର କରି ପାରିବ । ଯାହାର ସେ ବିଚାର ଅଛି ଆଇନ ଅମାନ୍ୟ କରିବା ପାଇଁ ତାହାର ଅଧିକାର ଅଛି । ଏ ସମସ୍ତ କଥା ଆଇନ ଅମାନ୍ୟ ସମ୍ୱନ୍ଧରେ ମହାତ୍ମାଜୀ ଆମ୍ଭଙ୍କୁ ବୁଝାଇ ଅଛନ୍ତି । ଏହାର ତାତ୍ପର୍ଯ୍ୟ କଅଣ ! ଯେଉଁ ଆଇନଟି ଅନିଷ୍ଟକର ତାହା ଅମାନ୍ୟ କରିବା ବିଧେୟ । କିନ୍ତୁ ହିଂସାରେ ଚାଳିତ ହେଲେ ଇଷ୍ଟନିଷ୍ଟ ଜ୍ଞାନ ରହେ ନାହିଁ । ହିତକର ଆଇନ ଅମାନ୍ୟ କରିବାକୁ ମଧ୍ୟ ପ୍ରବୃତ୍ତି ଜନ୍ମେ । ଏହାର ପରିଣାମ ନିଜ ପକ୍ଷରେ ଅନିଷ୍ଟକର ବୋଲି ଜ୍ଞାନ ମଧ୍ୟ ରହେ ନାହିଁ ।

 

ଏଣେ ଅହିଂସା ନୀତିରେ ସତ୍ୟାଗ୍ରହ ଆନ୍ଦୋଳନ ନିମନ୍ତେ ଦେଶକୁ ପ୍ରସ୍ତୁତ କରିବା ଲାଗି ମହାତ୍ମାଜୀ ଯେତିକି ଲାଗି ଥାଆନ୍ତି ତେଣେ ସରକାରଙ୍କ ନଗ୍ନ ଦମନ ନୀତିର ତାଣ୍ଡବ-ନୃତ୍ୟ ତେତିକି ବଢ଼ୁଥାଏ । ପଞ୍ଜାବ ଏ ନୃତ୍ୟର ପ୍ରଧାନ ରଙ୍ଗଭୂମି ଥିଲା । ସେଠାରେ ସାମରିକ ଆଇନ ନାମରେ ବେ-ଆଇନ ଶାସନ ଜାରି ହୋଇଥିଲା ବୋଲି କହିଲେ ଚଳେ । ଗୋଟି ଗୋଟି କରି ପଞ୍ଜାବର ସବୁ ନେତାଙ୍କୁ ଜେଲ୍ ଭିତରେ ପୂରାଇ ଦିଆ ଯାଇଥିଲା । ରାଜନୈତିକ ବନ୍ଦୀମାନଙ୍କ ବିଚାର ପାଇଁ ଅନେକ ବିଚାରାଳୟ ଖୋଲା ହୋଇଥିଲା । କିନ୍ତୁ ବିଚାର କରିବାର କ୍ଷମତା ଏମାନଙ୍କର ନ ଥିଲା । ଏମାନେ ଉପରିସ୍ଥ ଶାସକଙ୍କ ଯଥେଚ୍ଛାଚାର ହୁକୁମ କେବଳ ତାଲିମ କରୁଥିଲେ । ପ୍ରମାଣ ନ ଥିଲେ ମଧ୍ୟ ଅନେକ ଲୋକଙ୍କୁ ଦୋଷୀ ବୋଲି ଅଭିଯୁକ୍ତ କରି ଏହି ବିଚାରାଳୟମାନଙ୍କରେ ଦଣ୍ଡ ଦିଆଯାଉଥିଲା । ଜାଲିଆନାଓ୍ୱାଲାବାଗରେ ନିରୀହ ବାଳକ ବାଳିକା ଓ ସ୍ତ୍ରୀମାନଙ୍କୁ ହତ୍ୟା କରା ଯାଇଥିଲା । ବିଶେଷତଃ ଅମୃତ ସହରରେ ନିରୀହ ସ୍ତ୍ରୀ ପୁରୁଷଙ୍କୁ ଜିଆ ଭଳି ପେଟରେ ଘୁଷିଡ଼ିବା ଦଣ୍ଡ ଦିଆ ଯାଇଥିଲା । ସେତେବେଳେ ଅନେକ ବନ୍ଧୁ ପଞ୍ଜାବକୁ ଯିବା ପାଇଁ ମହାତ୍ମାଜୀଙ୍କୁ ଅନୁରୋଧ କଲେ । କିନ୍ତୁ ସେଠାକୁ ଯିବାକୁ ତା’ଙ୍କୁ ମନା ଥିଲା । ଯାଇଥିଲେ ସୀମା ନ ଡେଉଁଣୁ ତାହାଙ୍କୁ ଜେଲ୍‍ରେ ଭର୍ତ୍ତି କରିଦେଇ ଥାଆନ୍ତେ । ଏଥିରେ କି ଫଳ ହୋଇ ଥାଆନ୍ତା । ମହାତ୍ମାଜୀଙ୍କର ପଞ୍ଜାବ ଯିବାକୁ ଇଚ୍ଛା ଥାଏ । ବଡ଼ଲାଟଙ୍କ ପାଖକୁ ଅନୁମତି ପାଇଁ ଚିଠି ଲେଖୁ ଥାଆନ୍ତି । କିନ୍ତୁ ଅନୁମତି ମିଳେ ନାହିଁ । ତଥାପି ପଞ୍ଜାବରେ ଘଟୁଥିବା ଅତ୍ୟାଚାରର ପ୍ରତିକାର ଚିନ୍ତା କରୁ ଥାଆନ୍ତି । ଇତି ମଧ୍ୟରେ ‘ଇୟଙ୍ଗ ଇଣ୍ଡିଆ’ ନାମକ ଖଣ୍ଡିଏ ଇଂରେଜୀ ଓ ‘ନବଜୀବନ’ ନାମକ ଖଣ୍ଡିଏ ଗୁଜୁରାଟୀ କାଗଜ-ପରିଚାଳନାର ସୁଯୋଗ ପାଇଥିଲେ । ତହିଁରେ ଅହିଂସା-ନୀତି ଓ ସତ୍ୟାଗ୍ରହ ପ୍ରଚାର କରିବା ପାଇଁ ସୁବିଧା ମିଳିଲା । ଏପରି ସମୟ ଆସିଥିଲା, ଯେତେବେଳେ ପ୍ରତ୍ୟେକ କାଗଜ ପ୍ରାୟ ୪୦,୦୦୦ ଲେଖାଏଁ କଟୁଥିଲା ।

 

ପଞ୍ଜାବରେ ଆଇନ ଅମାନ୍ୟ ଫଳରେ ଯେଉଁ ଘଟନା ଘଟି ଗଲା, ସେଥି ନିମନ୍ତେ ସେଠାକାର ଲାଟସାହେବ ଓତାୟାର ମହାତ୍ମାଜୀଙ୍କୁ ଦାୟୀ କଲେ । ପଞ୍ଜାବର କେତେକ ଯୁବକ ମଧ୍ୟ ମହାତ୍ମାଙ୍କ ପ୍ରତି କ୍ରୋଧରେ ଜଳି ଉଠିଥିଲେ । ସେମାନଙ୍କ ମତରେ ସତ୍ୟାଗ୍ରହ ବନ୍ଦ କରି ନ ଥିଲେ ଜାଲିଆନାଓ୍ୱାଲାବାଗରେ ହତ୍ୟାକାଣ୍ଡ ଘଟି ନ ଥାଆନ୍ତା । ଯାହା ହେଉ ପଞ୍ଜାବର ଘଟନା ସଂପର୍କରେ ଭାରତ ସମ୍ୱାଦପତ୍ରମାନଙ୍କରେ ଭୀଷଣ ଆଲୋଚନା ହେଲା । ତଦନ୍ତ କରିବା ନିମନ୍ତେ ସରକାର ଗୋଟିଏ କମିଟି ବସାଇଲେ । ମହାତ୍ମାଜୀଙ୍କ ପରମ ବନ୍ଧୁ ଦୀନବନ୍ଧୁ ଆଣ୍ଡୃଜ ସାହେବ ପଞ୍ଜାବରେ ପହଞ୍ଚି ଗଲେ । ପଣ୍ଡିତ ମାଲବ୍ୟଜୀ ଓ ମୋତିଲାଲ ନେହରୁ ପଞ୍ଜାବ ଗଲେ । ବଡ଼ଲାଟଙ୍କ ଠାରୁ ଅନୁମତି ମିଳିବାରୁ ମହାତ୍ମାଜୀ ଗଲେ । ହଣ୍ଟର କମିଟି ପଞ୍ଜାବ ଘଟନା ତଦନ୍ତ କରିବା ପାଇଁ ସରକାର ନିଯୁକ୍ତ କରିଥିଲେ । କିନ୍ତୁ ଏହି କମିଟି ସଙ୍ଗେ ଅସହଯୋଗ କରି ମହାତ୍ମାଜୀ, ପଣ୍ଡିତ ମୋତିଲାଲ ନେହରୁ, ଦେଶବନ୍ଧୁ ସି: ଆର: ଦାସ, ଆବାସ୍‌ ତୟାବଜୀ ଓ ଏମ୍‌.ଆର.ଜୟକାରଙ୍କୁ ଘେନି ଗୋଟିଏ ବେସରକାରୀ କମିଟି ଗଢ଼ା ହେଲା । ମହାତ୍ମାଜୀ ମଫସଲରେ ଘର ଘର ବୁଲି ପ୍ରମାଣମାନ ସଂଗ୍ରହ କରିଥିଲେ । ସମସ୍ତ ତଦନ୍ତ କରିସାରି ପ୍ରମାଣ ସଂଗ୍ରହ କଲେ । ରିପୋର୍ଟ ଲେଖିବା ଭାର ମହାତ୍ମାଜୀଙ୍କ ଉପରେ ଲଦି ଦେଲେ । କାରଣ, ସେତେବେଳକୁ ସମସ୍ତେ ବୁଝି ଗଲେଣି ଯେ ଚୁମ୍ୱକରେ ପ୍ରାଣସ୍ପର୍ଶୀ ଭାଷାରେ ଯେ କୌଣସି ବିଷୟ ଲେଖିବା ପାଇଁ ମହାତ୍ମାଜୀଙ୍କର ଅସୀମ କ୍ଷମତା ଅଛି ।

 

ପଞ୍ଜାବର ତଦନ୍ତ ସରିଲା ବେଳକୁ ଖିଲାଫତ୍ ସମସ୍ୟାର ବିଚାର ପାଇଁ ଦିଲ୍ଲୀରେ ହିନ୍ଦୁ ଓ ମୁସଲମାନମାନେ ମିଳି ଗୋଟିଏ ସମ୍ମିଳନୀ କରୁଥିଲେ । ତୁରସ୍କ ଯୁଦ୍ଧରେ ଜର୍ମାନୀ ସହିତ ମିଶିଥିଲା । ଯୁଦ୍ଧ ସରିବା ଉତ୍ତାରୁ ଜର୍ମାନୀକୁ ଯେପରି ଖଣ୍ଡ ବିଖଣ୍ଡ କରା ଯାଇଥିଲା ସେପରି ଇଉରୋପରେ ଥିବା କେତେଗୁଡ଼ିଏ ମୁସଲମାନ ପ୍ରଦେଶ ତୁର୍କୀରୁ କାଢ଼ି ନିଆ ଯାଇଥିଲା । ସେଗୁଡ଼ିକୁ ତୁର୍କୀ ସହିତ ମିଶାଇବା ପାଇଁ ଖିଲାଫତ୍‌ ଆନ୍ଦୋଳନ ଚାଲିଥିଲା । ସେଥିପାଇଁ ଦିଲ୍ଲୀରେ ବସୁଥିବା ସମ୍ମିଳନୀରେ ଯୋଗ ଦେବାକୁ ମହାତ୍ମାଜୀଙ୍କୁ ନିମନ୍ତ୍ରଣ କରାଯାଇ ଥିଲା । ଖିଲାଫତ୍‌ ସମସ୍ୟା ସହିତ ଗୋ-ରକ୍ଷା ଓ ବ୍ରିଟିଶ୍‍ ସରକାର ଯୁଦ୍ଧରେ ଜିତିଥିବା ଉପଲକ୍ଷେ ଅନୁଷ୍ଠିତ ହେଉଥିବା ଶାନ୍ତି-ଉତ୍ସବରେ ଯୋଗ ଦେବା କଥା ବିଚାର କରିବା ପାଇଁ ମଧ୍ୟ ସ୍ଥିର ହୋଇଥିଲା । ମହାତ୍ମାଜୀ ଯୋଗ ଦେଇ କହିଥିଲେ ଖିଲାଫତ୍ ସମସ୍ୟା ଅସଲ । ସେଥିରେ ଅନ୍ୟାୟ ବିଚାର ହୋଇଥିବାରୁ ସେ ଅନ୍ୟାୟ ପ୍ରତିରୋଧ କରିବା ପାଇଁ ହିନ୍ଦୁମାନେ ମୁସଲମାନ ଭାଇମାନଙ୍କ ସହିତ କାନ୍ଧ ପକାଇ ଲଢ଼ିବେ । ଏଥି ସଙ୍ଗେ ଗୋ-ରକ୍ଷା ପ୍ରଶ୍ନ ଯୋଗ କରିବା ଉଚିତ ନୁହେଁ । ମୁସଲମାନମାନେ ହିନ୍ଦୁଭାଇମାନଙ୍କ ପ୍ରତି ଶ୍ରଦ୍ଧା ବହି ଯଦି ଗୋବଧ ବନ୍ଦ କରନ୍ତି ତେବେ ତାହା ସ୍ୱତନ୍ତ୍ର କଥା । ମହାତ୍ମାଜୀଙ୍କ କଥା ଯୁକ୍ତିଯୁକ୍ତ ବୋଲି ସମସ୍ତେ ସେଠାରେ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ବିଦେଶୀ ଦ୍ରବ୍ୟ ବର୍ଜ୍ଜନ ଓ ‘ନନ୍‌- କୋପରେଶନ’ ପ୍ରଭୃତିର କଥା ପ୍ରଥମେ ଉଠିଥିଲା ।

 

ଦିଲ୍ଲୀର ସମ୍ମିଳନୀ ଉତ୍ତାରେ ଅମୃତ ସହରରେ କଂଗ୍ରେସର ବୈଠକ ବସିଥିଲା । ସେତେବେଳକୁ ବିନା ବିଚାରରେ ଜେଲଦଣ୍ଡ ଭୋଗୁଥିବା ପଞ୍ଜାବର ନେତାମାନଙ୍କୁ ସରକାର ଖଲାସ ଦେଇଥିଲେ । ସେମାନେ କଂଗ୍ରେସରେ ଯୋଗ ଦେଇ ଥିବାରୁ ଆନନ୍ଦର ସୀମା ନ ଥିଲା । ତହିଁରେ ପୁଣି ‘ମଣ୍ଟଫୋର୍ଡ଼’ ଶାସନ-ସଂସ୍କାର ସମ୍ରାଟ୍‍ ଘୋଷଣା କରିଥିଲେ । ଏହାକୁ ଗ୍ରହଣ କରିବା ଉଚିତ କି ନା, ଏ ବିଷୟରେ ବିଚାର ହେଉଥିଲା । ଦେଶବନ୍ଧୁ ସି. ଆର. ଦାସ ଗ୍ରହଣ ନ କରିବା ପାଇଁ ସର୍ବଦା ମତ ଦେଉଥିଲେ । ଅନ୍ୟ କେତେକ ନେତା ଗ୍ରହଣ କରିବା ପାଇଁ ରାଜି ଥିଲେ । ନେତାମାନଙ୍କର ଏପରି ମତଭେଦ ମହାତ୍ମାଜୀଙ୍କୁ ଭଲ ଲାଗୁ ନ ଥିଲା । ଏଣୁ କଂଗ୍ରେସରୁ କିଛିଦିନ ପାଇଁ ଅନ୍ତର ହୋଇ ରହିବା ପାଇଁ ମହାତ୍ମାଜୀ ଭାବୁଥିଲେ । ତାଙ୍କ ମନକଥା ସେ ମାଲବ୍ୟଜୀଙ୍କୁ ଓ ମୋତିଲାଲଙ୍କୁ କହିଥିଲେ । କିନ୍ତୁ ସେମାନେ ମନା କଲେ । ସେମାନଙ୍କୁ ନିଜର ଗୁରୁଜନ ମଣୁଥିବାରୁ ମହାତ୍ମାଜୀ ସେମାନଙ୍କ ମନ ଭାଙ୍ଗି ପାରି ନ ଥିଲେ । ପ୍ରତ୍ୟେକ କ୍ଷେତ୍ରରେ ଅଧିକ ଅଭିଜ୍ଞ ବ୍ୟକ୍ତିମାନଙ୍କୁ ଗୁରୁସ୍ଥାନୀୟ ମଣି ସେମାନଙ୍କୁ ଭକ୍ତି କରିବା ପାଇଁ ଶ୍ରଦ୍ଧା ମହାତ୍ମାଜୀଙ୍କଠାରେ କିପରି ଥିଲା, ତାହାର ନିଦର୍ଶନ ଏଠାରେ ମିଳେ ।

Image

 

ମହାତ୍ମା ଜୀବନ

(ପ୍ରଥମ ଭାଗ)

 

ମହାତ୍ମାଜୀ କ୍ରମଶଃ ଜନପ୍ରିୟ ହୋଇ ପଡ଼ିଲେ । ଭାରତର କୌଣସି ଅଞ୍ଚଳରେ ବନ୍ୟା ବା ଅନାବୃଷ୍ଟି ଯୋଗୁଁ ଦୁର୍ଭିକ୍ଷ ପଡ଼ିଲେ ସେ ବୋମ୍ୱେଇ ପ୍ରଦେଶରୁ ଚାନ୍ଦା ସଂଗ୍ରହ କରି ସେହି ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳକୁ ସାହାଯ୍ୟ ପଠାଉ ଥିଲେ । ଓଡ଼ିଶାର ପୁରୀ ଜିଲାରେ ୧୯୨୦ ସାଲରେ ଦୁର୍ଭିକ୍ଷ ପଡ଼ିଥିଲା । ସେତେବେଳେ ଦୀନବନ୍ଧୁ-ଗୋପବନ୍ଧୁ ବିହାର ଓ ଓଡ଼ିଶାର ଛୋଟଲାଟଙ୍କ ଶାସନ-ସଭାର ସଭ୍ୟ ଥିଲେ । ସେଠାରେ ସେ ପୁରୀ ଜିଲାର ଦୁର୍ଭିକ୍ଷ ସମ୍ୱନ୍ଧରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଓଡ଼ିଶାର କମିଶନର ସାହେବ ପୁରୀ ଜିଲାରେ ଦୁର୍ଭିକ୍ଷ ପଡ଼ିନାହିଁ ବୋଲି ରିପୋର୍ଟ କରିଥିବାରୁ ଦୀନବନ୍ଧୁ-ଗୋପବନ୍ଧୁଙ୍କ କଥା ସରକାର ବିଶ୍ୱାସ କଲେ ନାହିଁ । ସେତେବେଳେ ପୁରୀରେ ଛୋଟଲାଟଙ୍କର ସ୍ୱାସ୍ଥ୍ୟ-ନିବାସ ଥିଲା । ସେଠାକୁ ଛୋଟଲାଟ ଗଲାବେଳେ ଦୀନବନ୍ଧୁ-ଗୋପବନ୍ଧୁ ତାହାଙ୍କୁ ଦୁର୍ଭିକ୍ଷ-ପୀଡ଼ିତ ଜନସାଧାରଣଙ୍କ କରୁଣ ଚିତ୍ର ଦେଖାଇ ଦେଇଥିଲେ । ଛୋଟଲାଟ ବାଧ୍ୟ ହୋଇ ପୁରୀର ଦୁର୍ଭିକ୍ଷ-ପୀଡ଼ା ସ୍ୱୀକାର କରିଥିଲେ । କିନ୍ତୁ ସରକାରଙ୍କ ତରଫରୁ କୌଣସିପ୍ରକାର ସାହାଯ୍ୟର ବ୍ୟବସ୍ଥା କରି ନ ଥିଲେ । ଦୀନବନ୍ଧୁ-ଗୋପବନ୍ଧୁ ଅଗତ୍ୟା ଭିକ୍ଷା-ଥାଳ ଘେନି ବୁଲିଥିଲେ । ଓଡ଼ିଶାର ଦୁର୍ଦ୍ଦଶା କ୍ରମଶଃ ମହାତ୍ମାଜୀଙ୍କ କର୍ଣ୍ଣଗୋଚର ହୋଇଥିଲା । ସେ ସେତେବେଳେ ଠକ୍କରଙ୍କୁ ପଠାଇ ଯଥାସାଧ୍ୟ ସାହାଯ୍ୟ କରିଥିଲେ । ଏହିପରି ବିଭିନ୍ନ ସାଧୁକର୍ମ କରି ମହାତ୍ମାଜୀ ଜନପ୍ରିୟ ହୋଇଥିଲେ । ନିଜର ଜନପ୍ରିୟତା ସମ୍ୱନ୍ଧରେ ଯେତେବେଳେ ଆତ୍ମବିଶ୍ୱାସ ଜନ୍ମିଲା ସେତେବେଳେ ସେ ନିଜ ଆବିଷ୍କୃତ ଅସହଯୋଗ ଆନ୍ଦୋଳନର ପନ୍ଥା କଂଗ୍ରେସ ବୈଠକରେ ପ୍ରସ୍ତାବ କରିବାକୁ ସାହସୀ ହେଲେ । ୧୯୨୦ ସାଲର ଡିସେମ୍ୱର ମାସର ନାଗପୁର ବୈଠକରେ ମହାତ୍ମାଜୀଙ୍କ ଅସହଯୋଗ ପ୍ରସ୍ତାବ ଗୃହୀତ ହୋଇଥିଲା-। ଏହି ସମୟରୁ ତାହାଙ୍କୁ ଭାରତବାସୀମାନେ ‘ମହାତ୍ମାଜୀ’ ଆଖ୍ୟା ଦେଇଥିଲେ । କିନ୍ତୁ ପ୍ରକୃତରେ କହିବାକୁ ଗଲେ ତାହାଙ୍କଠାରେ ଥିବା ମହାପୁରୁଷର ଗୁଣମାନ ଦକ୍ଷିଣ ଆଫ୍ରିକାରେ ପ୍ରକାଶିତ ହୋଇ ପଡ଼ିଥିଲା । ଅଜ୍ଞ ଭାରତ ତାହା ଚିହ୍ନି ପାରି ନ ଥିଲା । ୧୯୨୧ ସାଲରୁ ଭାରତର ଅଗଣିତ ନରନାରୀ ଯେତେବେଳେ ତାହାଙ୍କ ଅଙ୍ଗୁଳି-ସଙ୍କେତରେ ପରିଚାଳିତ ହେଲେ ସେତେବେଳେ ସେ ଭାରତର ମୁକୁଟବିହୀନ ସମ୍ରାଟ ବା ଈଶ୍ୱରଙ୍କ ଅବତାର କହିବାକୁ ହେବ । କେବଳ ଭାରତବାସୀ ନୁହନ୍ତି, ଅସହଯୋଗ-ଆନ୍ଦୋଳନର ଆରମ୍ଭ ଠାରୁ ପୃଥିବୀର ଅନ୍ୟାନ୍ୟ ମହାଦେଶରେ ଅଧିବାସୀଙ୍କ ଦୃଷ୍ଟି ମଧ୍ୟ ଏହି ଅବତାର-ପୁରୁଷଙ୍କ ଉପରେ ପଡ଼ିଥିଲା ।

 

ଦୀନବନ୍ଧୁ-ଦେଶବନ୍ଧୁଙ୍କ ଦରିଦ୍ର-ନାରାୟଣ ସେବା ଓଡ଼ିଶାବାସୀ ପାସୋରି ନାହାନ୍ତି । ଯେତେବେଳେ ପାସୋରିବେ ସେତେବେଳେ ଓଡ଼ିଆ ଜାତିର ମୃତ୍ୟୁ ଘଟିବ । ଓଡ଼ିଶାରେ ଏହି ମହାପୁରୁଷ ନାଗପୁର କଂଗ୍ରେସ ବୈଠକରୁ ଅସହଯୋଗ-ଆନ୍ଦୋଳନର ସ୍ରୋତର ଗୋଟିଏ ଶାଖାକୁ ଓଡ଼ିଶାକୁ ଆଣିଥିଲେ । ଏଣୁ ସେ ଉତ୍କଳର ଭଗୀରଥ, ମହାତ୍ମା ଓ ଅବତାର ପୁରୁଷ ।

 

ଅସହଯୋଗ ଆନ୍ଦୋଳନରେ କଂଗ୍ରେସର ରୂପ ବଦଳି ଗଲା । ବିଦ୍ୟାଳୟ ଛାଡ଼ିବା ପାଇଁ ଛାତ୍ରମାନଙ୍କୁ, ଓକିଲାତି ଛାଡ଼ିବା ପାଇଁ ଓକିଲମାନଙ୍କୁ ଓ ଚାକିରି ଛାଡ଼ିବା ପାଇଁ ସରକାରୀ କର୍ମଚାରୀମାନଙ୍କୁ କୁହାଗଲା । ହଜାର ହଜାର ଲୋକ ଆପଣା ଆପଣା ବ୍ୟବସାୟ ଛାଡ଼ି କଂଗ୍ରେସ ନୀତି ମାନି ଦେଶସେବା କରିବାକୁ ଅଣ୍ଟା ଭିଡ଼ି ଲାଗିଲେ । ଥାନା, ଜିଲା ଓ ପ୍ରାଦେଶିକ କଂଗ୍ରେସ କମିଟିମାନ ଗଢ଼ା ହେଲା । ସୂତାକଟା ଓ ଦରିଦ୍ର ସେବା ଏହି କମିଟିର ସଭ୍ୟମାନଙ୍କର ପ୍ରଧାନ କର୍ତ୍ତବ୍ୟ ବୋଲି ନିର୍ଦ୍ଧାରିତ ହୋଇଥିଲା । କଂଗ୍ରେସ ସହିତ ଜନଗଣଙ୍କର ଏହିପରି ସାକ୍ଷାତ୍‌ ସମ୍ୱନ୍ଧ ସ୍ଥାପିତ ହେଲା । ମହାତ୍ମାଜୀ ଭାରତର ପ୍ରତ୍ୟେକ ପ୍ରଦେଶର ଜିଲା, ଥାନା ଓ ଗ୍ରାମମାନ ବୁଲି ଲୋକଙ୍କ ଅବସ୍ଥା ସ୍ୱଚକ୍ଷୁରେ ଦେଖି ବୁଝିବାର ସୁଯୋଗ ପାଇଲେ । ୧୯୨୧ ସାଲର ମାର୍ଚ୍ଚ ମାସରେ ତାହାଙ୍କର ଉତ୍କଳ-ଲୀଳା ଆରମ୍ଭ ହୋଇଥିଲା । ସେ ଭଦ୍ରଖ, କଟକ, ପୁରୀ ଓ ବ୍ରହ୍ମପୁର ବୁଲି ଥିଲେ । ସବୁଠାରେ ସଭା ହୋଇଥିଲା ଓ ତାହାଙ୍କ ବକ୍ତୃତାର ସୁମଧୁର ବଂଶୀଧ୍ୱନି ବାଜି ଉଠିଥିଲା । ଇଂରେଜୀ ପାଠ ଛାଡ଼ିବା ପାଇଁ ସେ ଯେଉଁ ଉପଦେଶ ଦେଉଥିଲେ ଅନେକ ଲୋକ ସେତେବେଳେ ପ୍ରତ୍ୟେକ ପ୍ରଦେଶରେ ତାହାର ତୀବ୍ର ସମାଲୋଚନା କରୁଥିଲେ । ଇଂରେଜୀ ପାଠ ପଢ଼ି ତିଳକ, ରାମମୋହନ ରାୟ ଓ ସ୍ୱୟଂ ମହାତ୍ମାଜୀଙ୍କ ପରି ଲୋକ ଯଦି ଗଢ଼ି ଉଠନ୍ତି ତେବେ ସେ ପାଠକୁ ମନ୍ଦ ବୋଲି ବିବେଚନା କରିବାର କାରଣ କଅଣ ? ଏହାର ଉତ୍ତର ମହାତ୍ମାଜୀ ଖବର-କାଗଜରେ ପ୍ରକାଶ କରିଥିଲେ ମଧ୍ୟ କଟକର ସଭାରେ ତାହାଙ୍କୁ ପଚରା ଯାଇଥିଲା । ଏଥିରୁ ଜଣାଯାଏ ଯେ ପ୍ରଶ୍ନକାରକ ନିୟମିତରୂପେ ଖବରକାଗଜ ପଢ଼ୁ ନ ଥିଲେ । କେବଳ ନିଜର ଅହଙ୍କାର ଯୋଗୁଁ ପ୍ରଶ୍ନ କରୁଥିଲେ । ବିଶେଷତଃ ସେ ବୁଝି ନ ଥିଲେ ଯେ, ଅବତାର-ପୁରୁଷଙ୍କ ପ୍ରତି ଶ୍ରଦ୍ଧା ଓ ଭକ୍ତି ଦେଖାଇ ତାହାଙ୍କ ଉପଦେଶ ଅନୁସରଣ ନ କଲେ ତାହାକୁ ବୁଝିବା ଦୁରୂହ । ଶ୍ରଦ୍ଧା ଓ ଭକ୍ତି ହରାଇ ଭାରତର ଆଜି ଏ ଦୁର୍ଦ୍ଦଶା । ଶ୍ରଦ୍ଧା ଓ ଭକ୍ତିର ଅଭାବ ସମ୍ୱନ୍ଧରେ ଉତ୍କଳରେ ଯଥେଷ୍ଟ ପ୍ରମାଣ ଅଛି । ସାଧାରଣତଃ ଉତ୍କଳର ଅଲେଖ ଧର୍ମ ପ୍ରତି ଅନେକଙ୍କର ହୃଦୟରେ ତିକ୍ତଭାବ ଅଛି-। କିନ୍ତୁ ଶ୍ରଦ୍ଧାର ସହିତ ସେ ଧର୍ମର ତତ୍ତ୍ୱ ଜାଣିବା ପାଇଁ ଯେ ଇଚ୍ଛା କରିବ ସେ ତାହାର ଗଭୀରତା ବୁଝି ଅବାକ୍‌ ହେବ । ସେ ଧର୍ମଟି ବେଦର କୁମାରଙ୍କ ପ୍ରବର୍ତ୍ତିତ ଧର୍ମ । ସେହି କୁମାରଙ୍କୁ କାର୍ତ୍ତିକେୟ ରୂପେ ପୂଜା କରି ତାହାଙ୍କ ମତକୁ ଘୃଣା କରିବା ଅଜ୍ଞତା ଯୋଗୁଁ ଘଟୁଅଛି । ଅଜ୍ଞତା ଯୋଗୁଁ ଘୃଣା ଜାତ ହେଉଥିବାରୁ ହିନ୍ଦୁ ଶାସ୍ତ୍ରମାନଙ୍କରେ ଶ୍ରଦ୍ଧା ଓ ଭକ୍ତିକୁ ମାନବିକତାର ବିକାଶରେ ପ୍ରଥମ ସ୍ଥାନ ଦିଆ ଯାଇଅଛି । ପୁସ୍ତକଗତ ଜ୍ଞାନ ଯଥାର୍ଥ ଜ୍ଞାନ ନୁହେଁ । ଅନୁଭବସିଦ୍ଧ ଜ୍ଞାନ ଯଥାର୍ଥ ଜ୍ଞାନ । ଏଣୁ କେବଳ ଯୁକ୍ତିରେ ଯଥାର୍ଥ ଜ୍ଞାନ ଜନ୍ମି ନ ପାରେ । ଯେଉଁମାନେ ଅନୁଭବରେ ଜ୍ଞାନ ଅର୍ଜନ କରିବାର ଉପାୟ ଜାଣି ନ ଥିଲେ ସେମାନେ ମହାତ୍ମାଜୀଙ୍କୁ ସମାଲୋଚନା କରିବା ବିଚିତ୍ର କଥା ନୁହେଁ । ଶ୍ରଦ୍ଧା ଓ ଭକ୍ତି ମନୁଷ୍ୟକୁ ଈଶ୍ୱରଙ୍କ ସ୍ତରକୁ ଉଠାଇ ଦିଏ । ତାହାରି ବଳରେ ଗାନ୍ଧୀ ଅବତାର-ପୁରୁଷ ହୋଇ ପାରିଥିଲେ ।

 

୧୯୨୧ ସାଲରେ ଭାରତ ଭ୍ରମଣ କରିବା ପାଇଁ ବିଲାତରୁ ଯୁବରାଜ ଆସିଲେ । ସେତେବେଳକୁ କଂଗ୍ରେସର କାର୍ଯ୍ୟ ପ୍ରବଳ ଭାବରେ ଚାଲିଥାଏ । ଆଲି ଭାଇମାନେ ଜେଲଖାନାରୁ ଫେରି କଂଗ୍ରେସରେ ମିଶି ଥାଆନ୍ତି । ହିନ୍ଦୁ ଓ ମୁସଲମାନ ମଧ୍ୟରେ ଏକତା ଥାଏ । ସରକାର ଯୁବରାଜଙ୍କ ପାଇଁ ନାନା ଉତ୍ସବର ଅନୁଷ୍ଠାନ କରୁ ଥାଆନ୍ତି । ସେହି ସବୁ ଉତ୍ସବ ବାସନ୍ଦ କରିବା ପାଇଁ କଂଗ୍ରେସ ଜନସାଧାରଣଙ୍କୁ ଉପଦେଶ ଦେଉଥିଲା । ଯେଉଁଦିନ ଯେଉଁ ସହରକୁ ଯୁବରାଜ ଯିବେ ସେ ଦିନ ସେଠାରେ ଦୋକାନ ପ୍ରଭୃତି ବନ୍ଦ ରଖି ଲୋକେ ହରତାଳ ପାଳିବେ । କାରଣ, ଯୁବରାଜ ପଲ୍ଲୀବାସୀଙ୍କ ଦୁର୍ଦ୍ଦଶା ନ ଦେଖି ସହରର ଚିତ୍ର ଦେଖି ଦେଶକୁ ଯାଇ ଭାରତର ସୁଖ ସ୍ୱାଚ୍ଛନ୍ଦ୍ୟ ଗାଇ ବସିବେ । ଯୁବରାଜଙ୍କୁ ଏପରି ବାସନ୍ଦ କରିବା ସରକାର ସହିବେ କିପରି ? କଂଗ୍ରେସ କଥା ମାନି ଯଦି ଲୋକେ ଚଳିବେ ତେବେ ସରକାରଙ୍କ କ୍ଷମତା ଲୋପ ପାଇଲା ବୋଲି ଲୋକେ ମନେ କରିବେ । ଏଣୁ ବଡ଼ଲାଟ ଲର୍ଡ ରିଡିଙ୍ଗ୍ ଯୁବରାଜଙ୍କ ଉତ୍ସବ-ବାସନ୍ଦ ପ୍ରଚାର କରିବା ସ୍ୱେଚ୍ଛାସେବକମାନଙ୍କୁ ବେ-ଆଇନ ବୋଲି ଘୋଷଣା କଲେ । ସେତେବେଳେ ସାଧାରଣ ସ୍ୱେଚ୍ଛାସେବକମାନେ ଟିକିଏ ଦବି ଯାଇଥିଲେ । କିନ୍ତୁ ଦେଶବନ୍ଧୁ ଚିତ୍ତରଞ୍ଜନ ପ୍ରଭୃତି ନେତାମାନଙ୍କ ପତ୍ନୀ ଓ ଭଉଣୀ ପ୍ରଭୃତି ମହିଳାମାନେ ଯେତେବେଳେ ଯୁବରାଜଙ୍କ ଉତ୍ସବ ବାସନ୍ଦ କରିବା ପାଇଁ ପ୍ରଚାର କଲେ ଓ କାରାଦଣ୍ଡ ବରଣ କଲେ ସେତେବେଳେ ଦେଶରେ ଜାଗରଣ ତେଜି ଉଠିଲା । ମହିଳାମାନେ ଅବିଳମ୍ୱେ ମୁକ୍ତି ପାଇଲେ । ମାତ୍ର ଜାଗରଣର ହ୍ରାସ ଘଟିଲା ନାହିଁ । ଲକ୍ଷ ଲକ୍ଷ ଲୋକ କାରାଗୃହ ବରଣ କଲେ । ସରକାର ବାଛି ବାଛି କଂଗ୍ରେସକୁ ଜୀବନ ସର୍ବସ୍ୱ କରିଥିବା ବ୍ୟକ୍ତିମାନଙ୍କୁ କାରା-ଗୃହରେ ରଖି ଅନ୍ୟମାନଙ୍କୁ ଛାଡ଼ି ଦେଉଥିଲେ । କଲିକତାକୁ ଯୁବରାଜ ଆସିଥିଲେ । ସେଠାରେ ପୂରାମାତ୍ରାରେ ଲୋକେ ହରତାଳ ପାଳିଥିଲେ । ‘ଇଂଲିଶ୍‌ମ୍ୟାନ’ ନାମକ ସାହେବୀ ଖବର-କାଗଜର ସମ୍ପାଦକ ସେ ଦିନର ହରତାଳ ଦେଖି ସ୍ତମ୍ଭିତ ହୋଇଥିଲେ । ଗୋଟିଏ ବିଡ଼ି ବିକାଳି ପିଲା ଦୋକାନ ବନ୍ଦ କରି ଦୋକାନ-ମୁହଁରେ ବସିଥିଲା । ଉକ୍ତ ଖବର-କାଗଜର ପ୍ରତିନିଧି ଯାଇ ଟଙ୍କାକୁ ଗୋଟିଏ ବିଡ଼ି କିଣିବେ କହି ତାହାକୁ ବିଡ଼ିଟିଏ ମାଗିଥିଲେ । ପିଲାଟି ଉତ୍ତର ଦେଇଥିଲା ‘‘ଟଙ୍କେ ଛାଡ଼ି ଶହେଟଙ୍କା ଦେଲେ ମଧ୍ୟ ବିଡ଼ିଟିଏ ଦେବି ନାହିଁ । ’’ କହିବା ବାହୁଲ୍ୟ ଯେ, ମହାତ୍ମାଜୀ ପିଲାଟିର ହୃଦୟ ଅଧିକାର କରିଥିବାରୁ ସେ ଏପରି କହି ପାରିଥିଲା ।

 

ଅସହଯୋଗ-ଆନ୍ଦୋଳନରେ ଜନସାଧାରଣତଃ ଉତ୍ତେଜିତ ହୋଇ ଉଚ୍ଛୃଙ୍ଖଳ ହୋଇ ପଡ଼ିବାର ସମ୍ଭାବନା ସର୍ବଦା ଥାଏ । କାରଣ, ଅହିଂସା ଆନ୍ଦୋଳନର ଶକ୍ତି କଳିବା ସାଧାରଣ ମନୁଷ୍ୟର କ୍ଷମତାରେ ନାହିଁ । ଏହି ହେତୁରୁ ୧୯୨୧ ସାଲର ନଭେମ୍ୱର ମାସରେ ବୋମ୍ୱେଇର ଉତ୍ତେଜିତ ଜନତା ଟ୍ରାମ-ଗାଡ଼ି ପ୍ରଭୃତି ପୋଡ଼ି ଶାନ୍ତିଭଙ୍ଗ କରିଥିଲେ । ଏଣୁ ସେ ମାସ ୯ ତାରିଖରେ ମହାତ୍ମାଜୀ ଅନଶନ ଆରମ୍ଭ କରି ୧୬ ତାରିଖରେ ତାହା ଭଙ୍ଗ କରିଥିଲେ । ତତ୍ପରେ ୧୯୨୨ ସାଲର ପ୍ରାରମ୍ଭରେ ନିଜ ନେତୃତ୍ୱରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ଆଇନ ଅମାନ୍ୟ କରିବା ଆନ୍ଦୋଳନ ଆରମ୍ଭ କରୁଥିଲେ । କିନ୍ତୁ ଫେବୃଆରୀ ମାସରେ ଚୌରୀଚୌରାରେ ଉତ୍ତେଜିତ ଜନତା ଶାନ୍ତିଭଙ୍ଗ କରିବାରୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ସେ ବାଧ୍ୟ ହୋଇଥିଲେ । ସେତେବେଳକୁ ସବୁ ପ୍ରଦେଶର କଂଗ୍ରେସ-ନେତାମାନେ ପ୍ରାୟ ବନ୍ଦୀ ହୋଇ ସାରିଲେଣି । ଲୋକଙ୍କର ଭୟ ଛାଡ଼ି ଗଲାଣି । କିନ୍ତୁ ନିରୁପଦ୍ରବ ଆନ୍ଦୋଳନର ମୂଲ୍ୟ କେହି ବୁଝି ନ ଥିଲେ । ନିରୁପଦ୍ରବତାକୁ ଲକ୍ଷ୍ୟ ରଖି ଶାନ୍ତିଭଙ୍ଗବେଳେ ଆନ୍ଦୋଳନକୁ ବନ୍ଦ ନ ରଖୁଥିଲେ ଦେଶରେ ଅରାଜକତାର ଆଶଙ୍କା ଥିଲା । ଅରାଜକତା ଉପସ୍ଥିତ ହେଲେ ସରକାର କାରାଦଣ୍ଡ ପରିବର୍ତ୍ତରେ ପ୍ରାଣଦଣ୍ଡ ଦେଲେ କେହି ସରକାରଙ୍କୁ ନିନ୍ଦା କରନ୍ତେ ନାହିଁ । ପ୍ରାଣଦଣ୍ଡକୁ ବରଣ କରିବା ପାଇଁ ଅପରାଧ ଅର୍ଜିବା ପ୍ରଶଂସନୀୟ ନୁହେଁ । ସାଧୁକର୍ମ କରୁ କରୁ ପ୍ରାଣହାନି ଘଟିଲେ ଦୁଃଖର କଥା ନୁହେଁ ।

 

ମହାତ୍ମାଜୀ ଆଇନ-ଅମାନ୍ୟ ବନ୍ଦ ରଖିଲେ ମଧ୍ୟ ଅମଲାତନ୍ତ୍ର ସରକାର ତାହାଙ୍କୁ ୧୦ ତାରିଖ ମାର୍ଚ୍ଚ ମାସରେ ଗିରଫ କରି ୧୮ ତାରିଖରେ ୬ ବର୍ଷ କାରାଦଣ୍ଡର ଆଦେଶ ଦେଲେ । ତାହାଙ୍କର କାରାଦଣ୍ଡ ଭୋଗର ଅଳ୍ପକାଳ ଉତ୍ତାରେ ଅନ୍ୟାନ୍ୟ ନେତାମାନେ କାରାମୁକ୍ତ ହୋଇଥିଲେ-। ସେମାନଙ୍କ ମଧ୍ୟରୁ ଦେଶବନ୍ଧୁ ଚିତ୍ତରଞ୍ଜନ କଂଗ୍ରେସର ବୈଠକ ଗୟାରେ ବସିବା ବର୍ଷ (୧୯୨୨) କଂଗ୍ରେସର ନୂତନ କାର୍ଯ୍ୟ-ପନ୍ଥା ଗଢ଼ିଥିଲେ । ଅସହଯୋଗ ଆନ୍ଦୋଳନର ପୂର୍ବରୁ କଂଗ୍ରେସର ଦାବି ଶୁଣି ଭିକ୍ଷା-ଥାଳରେ ମୁଷ୍ଠିଭିକ୍ଷା ଦେଲାଭଳି ଯେଉଁ ଶାସନ-ସଂସ୍କାର ଦେଇଥିଲେ ତାହା ଗ୍ରହଣୀୟ ନୁହେଁ ବୋଲି ପ୍ରଥମେ ଦେଶବନ୍ଧୁ କହିଥିଲେ । ସେହି ଶାସନ-ସଂସ୍କାର ଅନୁସାରେ ଭାରତର କେନ୍ଦ୍ର ଓ ପ୍ରାଦେଶିକ ଶାସନ-ପରିଷଦମାନ ଗଢ଼ା ହୋଇ ଥିଲା । ତହିଁରେ ନରମଦଳର ଲୋକେ ସଭ୍ୟ ଥିଲେ । କଂଗ୍ରେସ ନେତାମାନେ ଏହି ଶାସନ-ପରିଷଦର ସଭ୍ୟ ହୋଇ ସରକାରଙ୍କୁ କିପରି ପ୍ରତିରୋଧ କରିବେ ତାହାର କାର୍ଯ୍ୟ-ପନ୍ଥା ଚିତ୍ତରଞ୍ଜନ ଓ ମୋତିଲାଲ ନିର୍ଦ୍ଦେଶ କରିଥିଲେ । ଦେଶବନ୍ଧୁ ସଭାପତି ହୋଇଥିଲେ ମଧ୍ୟ ଗୟା କଂଗ୍ରେସରେ ମତଭେଦର ସୃଷ୍ଟି ଘଟିଥିଲା । ଏଣୁ ଦେଶବନ୍ଧୁ ସ୍ୱରାଜ ଦଳ ଗଢ଼ିଥିଲେ । ଅନେକ କଂଗ୍ରେସ କର୍ମୀ ସ୍ୱରାଜ ଦଳରେ ମିଶି ଶାସନ-ପରିଷଦର ସଭ୍ୟ ହୋଇଥିଲେ । ସେହି ଅବସରରେ ଓଡ଼ିଶାର ଯୋଗ୍ୟ ସନ୍ତାନ ପଣ୍ଡିତ ନୀଳକଣ୍ଠ ଦାଶ କେନ୍ଦ୍ର-ପରିଷଦର ସଭ୍ୟ ହୋଇଥିଲେ । କଂଗ୍ରେସର ଏହି ଦଳଭେଦ ଥିବାବେଳେ ୧୯୨୪ ସାଲର ଫେବୃୟାରୀ ମାସରେ ଅବତାର ପୁରୁଷ କାରାମୁକ୍ତ ହେଲେ । ମନ୍ତ୍ରୋଚାରଣରେ ଅଦ୍ଭୁତ ଘଟନା ଘଟିବା ଭଳି ତାହାଙ୍କର ପଦେ କଥାରେ କଂଗ୍ରେସର ଦଳ ଭେଦ ଲୋପ ପାଇଥିଲା । ସେ କହିଥିଲେ–‘‘କଂଗ୍ରେସର ଅନ୍ୟ କାର୍ଯ୍ୟକାରୀ ନୀତି ନ ଥିବା ବେଳେ ଶାସନ-ପରିଷଦରେ ସରକାରଙ୍କୁ ପ୍ରତିରୋଧ କରିବା ମନ୍ଦ ହୋଇ ନାହିଁ । ’’

 

୧୯୨୪ ସାଲରେ ମହାତ୍ମାଜୀ ବେଲଗାଁଠାରେ ବସିଥିବା କଂଗ୍ରେସ ଅଧିବେଶନରେ ସଭାପତି ହୋଇଥିଲେ । ଏହାପରେ ସେ କଂଗ୍ରେସରୁ ଅବସର ଗ୍ରହଣ କରି ଚରଖା-ପ୍ରଚାରରେ ବ୍ରତୀ ହୋଇଥିଲେ ଓ ନିଖିଳ ଚରଖା-ସଂଘ ଗଠନ କରୁଥିଲେ । କର୍ମରେ ବ୍ୟାପୃତ ନ ରହିଲେ ଚିତ୍ତର ସ୍ଥିରତା ଜନ୍ମେ ନାହିଁ । ଚିତ୍ତ ସ୍ଥିର ନୋହିଲେ ଆତ୍ମ-ସଂଯମ ଜନ୍ମିବା ଅସମ୍ଭବ । ଏଣୁ ସେ ସୂତାକଟା ପ୍ରତି ସମସ୍ତଙ୍କର ଚିତ୍ତ ଆକର୍ଷଣ କରୁଥିଲେ । ଯେଉଁମାନେ ସୂତାକଟାରେ ଅଭ୍ୟସ୍ତ, ସୂତାକଟାରେ କିପରି ଚିତ୍ତଶୁଦ୍ଧି ଜନ୍ମେ ତାହା ସେମାନେ ଜାଣନ୍ତି । କଥାରେ ବୁଝାଇଲେ କେହି ସୂତାକଟାର ଉପକାରିତା ବୁଝିବେ ନାହିଁ ।

 

୧୯୨୫ ସାଲର ଜୁନ୍‌ ମାସରେ ଦେଶବନ୍ଧୁଙ୍କର ପରଲୋକ ହେଲା । ମହାତ୍ମାଜୀ ସେତେବେଳେ କଲିକତାରେ ଥିଲେ । ନିଜ କାନ୍ଧରେ ଦେଶବନ୍ଧୁଙ୍କର ମୃତ ପିଣ୍ଡକୁ ବହନ କରିଥିଲେ-। ତାହାଙ୍କ ସ୍ମୃତିରକ୍ଷା ପାଇଁ ଦଶ-ଲକ୍ଷ ଟଙ୍କା ଚାନ୍ଦା ଉଠାଇଥିଲେ । ଅଗଷ୍ଟ ମାସରେ କଂଗ୍ରେସର ସଭାପତି ପଦ ଛାଡ଼ିଦେବା ପାଇଁ ମନସ୍ଥ କରି ତାହା ମୋତିଲାଲ ନେହରୁଙ୍କୁ ଯାଚି ଥିଲେ । ସେ ଲେଖିଥିଲେ, ‘‘ଭାରତର ଶିକ୍ଷିତ ଲୋକେ ଏବେ କଂଗ୍ରେସ ଚଳାନ୍ତୁ । ମୁଁ ତାଙ୍କୁ ବାଧା ଦେବି ନାହିଁ । ମୁଁ ସାଧାରଣ ଲୋକଙ୍କ ଭାଗ୍ୟରେ ଆପଣା ଭାଗ୍ୟ ମିଶାଇ ଦେଇଅଛି ଇତ୍ୟାଦି ।’’ ଯେଉଁମାନେ ଦେଶ-ଲୋକଙ୍କ କୌଣସି ହିତ ନ କରି ଆରାମଚୌକିରେ ବସି ରାଜନୀତି ଚର୍ଚ୍ଚା କରୁଥିଲେ ସେମାନଙ୍କୁ ମହାତ୍ମାଜୀ କି ମଧୁର ଭାଷାରେ ଚେତାଇ ଥିଲେ ତାହା ବିଚାର କରିବା ଉଚିତ । ୧୯୨୫ ରୁ ୧୯୨୯ ସାଲ ମଧ୍ୟରେ ସେ ଗଠନମୂଳକ କାର୍ଯ୍ୟରେ ଆତ୍ମନିୟୋଗ କରିଥିଲେ ।

 

୧୯୨୮ ସାଲରେ କଲିକତାଠାରେ କଂଗ୍ରେସର ଅଧିବେଶନରେ ସେ ଏହି ମର୍ମରେ ପ୍ରସ୍ତାବ ଆଗତ କରିଥିଲେ ଯେ ବର୍ଷକ ମଧ୍ୟରେ ବ୍ରିଟିଶ୍‍ ସରକାର ଯଦି ନେହରୁ କମିଟିର ଶାସନ-ତନ୍ତ୍ର ଗ୍ରହଣ ନ କରନ୍ତି ତେବେ କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତା ପାଇଁ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିବ । ଶାସନ ଚଳାଇବା ପାଇଁ ଭାରତବାସୀ ଅଯୋଗ୍ୟ ବୋଲି ସରକାର ପ୍ରଚାର କରୁଥିବାରୁ ମୋତିଲାଲ ନେହରୁଙ୍କ ସଭାପତିତ୍ୱରେ କଂଗ୍ରେସ ତରଫରୁ ଗୋଟିଏ କମିଟି ଗଢ଼ା ହୋଇଥିଲା । ସେହି କମିଟିର ଗୋଟିଏ ଶାସନ ଖସଡ଼ା ତିଆରି କରିଥିଲେ । ସେହି ଖସଡ଼ା ଅନୁସାରେ ଶାସନ-ସଂସ୍କାର କରିବା ପାଇଁ ବ୍ରିଟିଶ୍‍ ସରକାରଙ୍କର ଆଗ୍ରହ ଦେଖା ନ ଯିବାରୁ କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତା ଦାବି କଲା । ଏହିପରି ବ୍ରିଟିଶ୍‍ ସରକାରଙ୍କର ମନୋଭାବ ଭାରତ ପ୍ରତି ଯେତିକି ଦାରୁଣ ହେଉଥାଏ କଂଗ୍ରେସର ଦାବି ତେତିକି ବଢ଼ୁଥାଏ ଓ ପ୍ରତିଜ୍ଞା ଦୃଢ଼ତର ହେଉଥାଏ ।

 

ଦେଶରେ ଯାହାର ଖ୍ୟାତି ବଢ଼େ ତାହାଠାରେ କୌଣସି ନା କୌଣସି ସଦ୍‌ଗୁଣ ଥାଏ । ମହୁମାଛି ଫୁଲରୁ ମହୁ ସଂଗ୍ରହ କଲାଭଳି ଯେ ଖ୍ୟାତନାମା ବ୍ୟକ୍ତିର ସାଧୁ ଗୁଣକୁ ଚିହ୍ନି ତାହାକୁ ଗ୍ରହଣ କରିବାରେ ସମର୍ଥ ହୁଏ ତାହାଠାରେ ଈଶ୍ୱରଙ୍କ ଅବତାର ସମ୍ଭବପର ହୁଏ । ଦୀନବନ୍ଧୁ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାରେ ବାଲ୍ୟକାଳରୁ ଜୀବନ ଉତ୍ସର୍ଗ କରିଥିଲେ । ଭାରତର ପ୍ରାଚୀନ ବ୍ରହ୍ମଚର୍ଯ୍ୟାଶ୍ରମର ଆଦର୍ଶରେ ଏ ଦେଶରେ ଶିକ୍ଷା-ବିସ୍ତାରର ପ୍ରୟୋଜନୀୟତା ବୁଝିପାରି ସେ ସତ୍ୟବାଦୀଠାରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ମହାତ୍ମାଜୀଙ୍କ ମନ୍ତ୍ରରେ ଦୀକ୍ଷିତ ହେବା ସଙ୍ଗେ ସଙ୍ଗେ ଉଚ୍ଚ ଇଂରାଜୀ ବିଦ୍ୟାଳୟକୁ ସେ ଜାତୀୟ ବିଦ୍ୟାଳୟରେ ପରିଣତ କରିଥିଲେ । ମହାତ୍ମାଜୀ ଯେତେବେଳେ ସତ୍ୟବାଦୀରେ ପଦାର୍ପଣ କରିଥିଲେ ସେତେବେଳେ ଦୀନବନ୍ଧୁ ଗୋପବନ୍ଧୁଙ୍କ ନିଷ୍ଠାପର ଦେଶ ସେବାରେ ମୁଗ୍ଧ ହୋଇ ଯାଇଥିଲେ । ୧୯୨୮ ସାଲର ଜୁନ୍‍ମାସର ୧୭ ତାରିଖରେ ଗୋପବନ୍ଧୁଙ୍କର ପରଲୋକ ହେଲା । ସେତେବେଳେ ‘ଇୟଙ୍ଗ ଇଣ୍ଡିଆ’ କାଗଜରେ ମହାତ୍ମାଜୀ ଦୀନବନ୍ଧୁ ଗୋପବନ୍ଧୁଙ୍କର ବହୁତ ଗୁଣ ଗାନ କରିଥିଲେ । ତାହା ତାହାଙ୍କ ପକ୍ଷରେ ସାଧାରଣ ମନୁଷ୍ୟର ସ୍ୱଭାବ ପରି । କିନ୍ତୁ ଓଡ଼ିଶା-ଜାଗରଣର ଆଦି ପିତା ମଧୁସୂଦନଙ୍କ ଜୋତା କାରଖାନା ଦେଖି ତାହାଙ୍କୁ ଭୂୟସୀ ପ୍ରଶଂସା କରିବାରେ ତାହାଙ୍କ ମହାନୁଭବତା ସ୍ପଷ୍ଟରୂପେ ପ୍ରକଟିତ ହୁଏ । ଓଡ଼ିଶାର ଆଦି ଜନ-ନେତା ମଧୁସୂଦନ ଦାଶ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ନ ଥିଲେ ମଧ୍ୟ ତାହାଙ୍କ ଗୁଣକୁ ଗ୍ରହଣ କରିବାରେ ସେ ତ୍ରୁଟି କରି ନ ଥିଲେ । ଗୁଣଗ୍ରାହକତା ମହାନୁଭବତାର ପ୍ରଧାନ ଲକ୍ଷଣ ।

 

ମହାତ୍ମା ଉତ୍କଳ ଭ୍ରମଣ କରିଥିଲେ । ଉତ୍କଳବାସୀଙ୍କ ଶୋଚନୀୟ ଅବସ୍ଥା ସେ ଚକ୍ଷୁରେ ଦେଖିଥିଲେ । ସେହି ଶୋଚନୀୟ ଦୃଶ୍ୟ ତାହାଙ୍କ ହୃଦୟକୁ ଏପରି ଆଘାତ କରିଥିଲା ଯେ ତାହା ଗଭୀର ଅନ୍ଧାରରେ ତାହାଙ୍କ ସ୍ମୃତି-ପଟରେ ଖୋଦିତ ହୋଇ ଯାଇଥିଲା । ୧୯୨୭ ସାଲର ସେପ୍ଟେମ୍ୱର ମାସରେ ମାନ୍ଦ୍ରାଜରେ ଗୋଟିଏ ସଭାରେ ଉତ୍କଳର କରୁଣ ଦୃଶ୍ୟ ସେ ବର୍ଣ୍ଣନା କରିଥିଲେ । Our sweetest songs are those that tell of saddest thoughts କରୁଣ ରସର ସଙ୍ଗୀତ ଶୁଣିବାକୁ ମନୁଷ୍ୟକୁ ପ୍ରୀତିକର ଲାଗେ । ପରର ଦୁଃଖ ଶୁଣି ତାହାପ୍ରତି ସମବେଦନା ପ୍ରକାଶ କରିବା ମାନବ-ଆତ୍ମାର ସ୍ୱଭାବ । ଏଣୁ କରୁଣ ରସର ସଙ୍ଗୀତ ତାହାଙ୍କୁ ମଧୁର ଲାଗେ । କିନ୍ତୁ କରୁଣ ରସର ସଙ୍ଗୀତ କିଏ ଗାଇ ପାରେ ? କରୁଣ ଦୃଶ୍ୟ ଦେଖି ତହିଁରେ ଯେ ଅଭିଭୂତ ହୋଇ ପାରେ ସେ କରୁଣ ରସର ଗୀତ ଗାଇ ପାରେ । ଯେ ଅଭିଭୂତ ନୋହିପାରେ ସେ ପାଷାଣ । ତାହାର ମୁଖରୁ ଭାଷା ସ୍ଫୁରିବା ଅସମ୍ଭବ ।

 

କଲିକତା କଂଗ୍ରେସର ଦାବି ଲାହୋର କଂଗ୍ରେସରେ ଗୃହୀତ ହେଲା । ସେ ଦିନଠାରୁ ପୂର୍ଣ୍ଣ ସ୍ୱାଧୀନତା ଭାରତର ଦାବି ବୋଲି ସମସ୍ତେ ଜାଣିଲେ । ୧୯୩୦ ସାଲର ଫେବୃଆରୀ ୨୬ ତାରିଖ ସ୍ୱାଧୀନତା-ଦିବସ ବୋଲି ଘୋଷିତ ହେଲା । ସ୍ୱାଧୀନତା-ଦିବସ ରୂପେ ପ୍ରତ୍ୟେକ ବର୍ଷ ଫେବୃଆରୀ ୨୯ ତାରିଖ ଦିନଟି ଭାରତର ସର୍ବତ୍ର ପାଳିତ ହେଲା । ମହାତ୍ମାଜୀ ମାର୍ଚ୍ଚ ମାସରେ ସରକାରଙ୍କୁ ଚରମ-ପତ୍ର ଲେଖି ସତ୍ୟାଗ୍ରହ ଆରମ୍ଭ କରିବାର ସଂକଳ୍ପ ଜଣାଇ ଦେଇ ଥିଲେ । ଏହା ପୂର୍ବରୁ ବାରଦୋଳିର କୃଷକମାନଙ୍କ ଭୂମିର ଖଜଣା ଅତ୍ୟଧିକ ଥିବାରୁ ସେଠାରେ ଖଜଣା ହ୍ରାସ ନିମନ୍ତେ ନିରୁପଦ୍ରବ ସତ୍ୟାଗ୍ରହ ଚଳାଇ ମହାତ୍ମାଜୀ କୃତକାର୍ଯ୍ୟ ହୋଇଥିଲେ । ସରକାରଙ୍କୁ ଚରମପତ୍ର ଦେବା ପୂର୍ବରୁ ବ୍ରିଟଶ୍‌ ସରକାର ଉପଲବ୍‌ଧି କରିଥିଲେ । ମଣ୍ଟଫୋର୍ଡ ଶାସନ-ସଂସ୍କାର ଦ୍ୱାରା ଭାରତର ଜାତୀୟତାବାଦୀମାନେ କୌଣସି ପ୍ରକାରେ ତୃପ୍ତ ରହିବେ ନାହିଁ । ଏଣୁ ନୂତନ ଶାସନ-ସଂସ୍କାର ପ୍ରବର୍ତ୍ତନ କରିବା ଉଦ୍ଦେଶ୍ୟରେ ଭାରତର ଅବସ୍ଥା ବିବେଚନା କରିବା ପାଇଁ ଗୋଟିଏ ସାଇମନ କମିଶନ ବ୍ରିଟିଶ୍‍ ସରକାର ନିଯୁକ୍ତ କରିଥିଲେ । କିନ୍ତୁ ତହିଁରେ କୌଣସି ଭାରତୀୟର ସ୍ଥାନ ନ ଥିଲା । ଏଥିରୁ ସ୍ପଷ୍ଟ ଜଣା ପଡ଼ୁଥିଲା ଯେ, ଭାରତକୁ ସ୍ୱାଧୀନତା ଦେବା ପାଇଁ ସରକାରଙ୍କର ଇଚ୍ଛା ନ ଥିଲା ।

 

ମହାତ୍ମାଜୀ ଭଲରୂପେ ଉପଲବ୍‌ଧି କରିଥିଲେ ଯେ, ପିଲା ନ କାନ୍ଦିଲେ ମାଆ ତାହାକୁ କ୍ଷୀର ଦିଏ ନାହିଁ । ବିଶ୍ୱରେ ପ୍ରକୃତିର ଏ ନିୟମ ଚଳି ଆସୁଥିବାରୁ ବିନା ଆନ୍ଦୋଳନରେ ସରକାର ନିଜର ଭାତହାଣ୍ଡି ଛାଡ଼ି ଦେବେ ବୋଲି ବିଶ୍ୱାସ କରିବା ଅଜ୍ଞତାର ପରିଚାୟକ । ଆନ୍ଦୋଳନ କ୍ରମାଗତ ଚଳୁଥିବାରୁ ସରକାରଙ୍କର ଟିକିଏ ଟିକିଏ ନିଦ ଭାଙ୍ଗୁଅଛି । ଆନ୍ଦୋଳନର ବହ୍ନି ପ୍ରଥମେ ମିଞ୍ଜି ମିଞ୍ଜି ଜଳୁ ଜଳୁ ଦିନେ ଏହା ପ୍ରବଳ ଶିଖା ବିସ୍ତାର କରିବ । ସେତେବେଳେ ବ୍ରିଟିଶ୍‌ ଜାତିର ସମ୍ପୂର୍ଣ୍ଣରୂପେ ନିଦ ଭାଙ୍ଗିବ । ଉତ୍ତେଜନାର କାର୍ଯ୍ୟ କ୍ଷଣିକ । ଅନ୍ତରର ପ୍ରେରଣାରୁ ଯେଉଁ କାର୍ଯ୍ୟରେ ଆତ୍ମନିୟୋଗ କରାଯାଏ ସେହି କାର୍ଯ୍ୟରେ ଅଧ୍ୟବସାୟର ଅଭାବ ଦେଖାଯାଏ ନାହିଁ । ଜନସାଧାରଣଙ୍କ ହୃଦୟରେ ସ୍ୱାଧୀନତା ସଂଗ୍ରାମ ପାଇଁ ଅନ୍ତରର ପ୍ରେରଣା ଜାଗରିତ କରିବାକୁ ଉପଯୁକ୍ତ ଅବସ୍ଥା ଓ ସୁବିଧା ଲୋଡ଼ା । ଯେତେବେଳେ କୌଣସି ଭାରତୀୟକୁ ସାଇମନ କମିଶନରେ ସ୍ଥାନ ଦିଆ ନ ଗଲା ସେତେବେଳେ ପ୍ରତ୍ୟେକ ଭାରତବାସୀ ସମ୍ବାଦପତ୍ରମାନଙ୍କରେ ସରକାରଙ୍କ ପ୍ରତି ନିଜ ନିଜ କଟୁ ମନୋଭାବ ବ୍ୟକ୍ତ କରିଥିଲେ । ଏହି ପରିସ୍ଥିତିରେ କମିଶନ ବର୍ଜନ କରିବା ପାଇଁ ମହାତ୍ମାଜୀ ପରାମର୍ଶ ଦେଲେ । କମିଶନ ୧୯୩୦ ସାଲର ଫେବୃଆରୀ ୩ ତାରିଖରେ ବୋମ୍ୱେଇରେ ଅବତରଣ କରିଥିଲେ । ସେଦିନ ସେଠାରେ ଭାରତର ଅସନ୍ତୋଷ ହରତାଳ-ପାଳନରେ ମୂର୍ତ୍ତିମନ୍ତ ହୋଇ କମିଶନକୁ ସମ୍ୱର୍ଦ୍ଧନା କରିଥିଲା ।

 

୧୯୩୦ ସାଲର ମାର୍ଚ୍ଚ ମାସର ୧୨ ତାରିଖରେ ୭୯ ଜଣ ସତ୍ୟାଗ୍ରହୀ ସଙ୍ଗରେ ଘେନି ସକାଳେ ୬ଟା ବାଜିବା ମୁହୂର୍ତ୍ତରେ ଲବଣ ଆଇନ-ଅମାନ୍ୟ କରିବା ପାଇଁ ମହାତ୍ମାଜୀ ପଦବ୍ରଜରେ ଦାଣ୍ଡି ନିକଟବର୍ତ୍ତୀ ସମୁଦ୍ର କୂଳକୁ ଯାତ୍ରା କରିଥିଲେ । ଏ ଦିନଟି ଭାରତର ଇତିହାସରେ ସୁବର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ । ସେଦିନ ଆତ୍ମବଳିର ଯେଉଁ ବହ୍ନି-କଣା ଦେଖାଗଲା ତାହା ଭାରତର ପ୍ରତ୍ୟେକ ପୁରପଲ୍ଲୀକୁ ଊଣା-ଅଧିକ କିଛି କିଛି ଶିଖା ବିସ୍ତାର କରିଥିଲା । ଏହି ଆନ୍ଦୋଳନର ଗତି-କାଳରେ ଅନେକଗୁଡ଼ିଏ ହତ୍ୟାକାଣ୍ଡ ଘଟି ଯାଇଥିଲା । ନେତାମାନେ ପୂର୍ବ ଆନ୍ଦୋଳନ ପରି କାରା-ଗୃହରେ ବିଶ୍ରାମ ନେଲେ । ତଥାପି ଜନସାଧାରଣ ଆନ୍ଦୋଳନରୁ ହଟୁ ନ ଥାଆନ୍ତି । ବିଦେଶୀ ଦ୍ରବ୍ୟ ବର୍ଜନ କରିବା ନୀତିକୁ ଲୋକେ ପ୍ରାୟ ପନ୍ଦରପଣ ମାନି ଚଳିଥିଲେ । ଏଣୁ ପୃଥିବୀରେ ଅବିଳମ୍ୱେ ଅର୍ଥନୈତିକ ସଙ୍କଟ ଉପସ୍ଥିତ ହୋଇଥିଲା । ଏ ମଧ୍ୟରେ ସାଇମନ କମିଶନ ଭାରତର ଅବସ୍ଥା ବିବେଚନା କରି ନୂତନ ଶାସନ-ପ୍ରଣାଳୀ ସମ୍ୱନ୍ଧରେ ଗୋଟିଏ ଚିତ୍ର ଆଙ୍କି ବ୍ରିଟିଶ୍‌ ସରକାରଙ୍କୁ ଦେଇଥିଲେ । କିନ୍ତୁ ଭାରତର ଅବସ୍ଥା ଏପରି ଗୁରୁତର ହୋଇଥିଲା ଯେ, ଭାରତର ନେତାମାନଙ୍କୁ ଡାକି ଗୋଲ୍‍ଟେବୁଲ ବୈଠକରେ ଶାସନ-ଖସଡ଼ା ତିଆରି କରିବାର ପ୍ରୟୋଜନୀୟତା ସରକାର ଉତ୍ତମରୂପେ ଉପଲବ୍‌ଧି କରିଥିଲେ । ମାତ୍ର ପ୍ରକୃତ ସ୍ୱାଧୀନତା ଦେବା ସେମାନଙ୍କର ଉଦ୍ଦେଶ୍ୟ ନ ଥିଲା । ଅଗ୍ନି ନିଭିଗଲେ ପୁଣି ତାକୁ ଲଗାଇବା ସମୟ ସାପେକ୍ଷ । ସ୍ୱାଧୀନତା ପାଇବା ଆଶାରେ ଆଶ୍ୱସ୍ତ ହୋଇ ଜାତୀୟତାବାଦୀ ନେତାମାନେ ଯଦି ଆନ୍ଦୋଳନ ଏବେ ବନ୍ଦ କରି ଦିଅନ୍ତି ତେବେ ସହସା ଆଉ ଆରମ୍ଭ କରି ପାରିବେ ନାହିଁ । ମହାତ୍ମାଜୀ ଆତ୍ମାର ନିର୍ଦ୍ଦେଶ ପାଉଥିବାରୁ ବ୍ରିଟିଶ୍‍ ଜାତିର କୂଟ ମନୋଭାବ ତାହାଙ୍କ ନିକଟରେ ଛପି ରହି ପାରୁ ନ ଥିଲା-। ସେ ବନ୍ଦୀଶାଳାରେ ଥିବାବେଳେ ଗୋଲ୍‌ଟେବୁଲ ବୈଠକକୁ ଯିବା ପାଇଁ ଭାରତର ନେତାମାନଙ୍କୁ ନିମନ୍ତ୍ରଣ ଆସିଲା । ଅନ୍ୟାନ୍ୟ ନେତାମାନେ ଗଲେ । କିନ୍ତୁ କଂଗ୍ରେସ ତରଫରୁ କେହି ଗଲେ ନାହିଁ । ତଥାପି ବ୍ରିଟିଶ୍‌ ସରକାରଙ୍କ ପ୍ରଧାନମନ୍ତ୍ରୀ ମାଗ୍‌ଡୋନାଲ୍‌ଡ଼ ସାହେବ କୌଶଳ ପ୍ରୟୋଗ କରିବାକୁ ତ୍ରୁଟି କଲେ ନାହିଁ । ଗୋଲ୍‍ଟେବୁଲର ପ୍ରଥମ ବୈଠକରେ ଏପରି ବିଚକ୍ଷଣ ଭାଷାରେ ଗୋଟିଏ ବକ୍ତୃତା ଦେଇଥିଲେ ଯେ, ଯହିଁରେ ବ୍ରିଟିଶ୍‍ ଜାତିର ଉଦ୍ଦେଶ୍ୟ ମହାକାଳ ଫଳ ପରି ସୁନ୍ଦରତର ହୋଇ ପାରିଥିଲା । କଂଗ୍ରେସର ନେତାମାନଙ୍କୁ ଦ୍ୱିତୀୟ ବୈଠକକୁ ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏପରି ବକ୍ତୃତା ସେ ଦେଇଥିଲେ । ସାପ୍ରୁ ଓ ଜୟକାର ବିଲାତରୁ ଫେରି ଆସି ଜେଲ୍‌ଖାନାରେ ମହାତ୍ମାଜୀଙ୍କ ସଙ୍ଗରେ ଦେଖା କଲେ ଓ ଦ୍ୱିତୀୟ ବୈଠକରେ ଯୋଗ ଦେବା ପାଇଁ ତାହାଙ୍କୁ ପ୍ରବର୍ତ୍ତାଇଲେ । ମହାତ୍ମାଜୀ ବ୍ରିଟିଶ୍‍ ଜାତିର ମନୋଭାବ ଜାଣି ଥିବାରୁ ସେ ସହଜରେ ରାଜି ହେଉ ନ ଥିଲେ । ସେତେବେଳକୁ ଲର୍ଡ ୟୁରୁୟିନ୍‍ ଭାରତର ବଡ଼ଲାଟ ଥିଲେ । ତାହାଙ୍କ ସଙ୍ଗରେ କେତେକଗୁଡ଼ିଏ ସର୍ତ୍ତରେ ୧୯୩୧ ସାଲରେ ମାର୍ଚ୍ଚ ମାସ ୪ ତାରିଖରେ ଚୁକ୍ତିପତ୍ର ସ୍ୱାକ୍ଷରିତ ହେବାରୁ ସେ ରାଜି ହୋଇଥିଲେ । ଏହା ଏକ ପ୍ରକାର ଦୁଇ ଯୁଦ୍ଧ-ବ୍ୟାପୃତ ଜାତି ମଧ୍ୟରେ ସନ୍ଧି-ପତ୍ର ପରି, ସାମାନ୍ୟ ଗୌରବର କଥା ନୁହେଁ । ଅହିଂସା-ଆନ୍ଦୋଳନରେ ପ୍ରବଳ ପରାକ୍ରାନ୍ତ ବ୍ରିଟିଶ୍‍ ଜାତି ଶାସିତ ଜାତି ସଙ୍ଗେ ସନ୍ଧି-ପତ୍ର ସ୍ୱାକ୍ଷର କରିଥିଲେ । ଦୁଃଖର କଥା, ଅନେକ କଂଗ୍ରେସ କର୍ମୀ ଅହିଂସା-ଆନ୍ଦୋଳନର ଗୁରୁତ୍ୱ ତଥାପି ବୁଝି ପାରିଲେ ନାହିଁ । ଏଣୁ ଭବିଷ୍ୟତରେ କେତେକ ନେତା କଂଗ୍ରେସର କାର୍ଯ୍ୟ ପନ୍ଥା ମାନି ଚଳି ନ ଥିଲେ ।

 

୧୯୩୧ ସାଲର ସେପ୍ଟେମ୍ୱର ୧୨ ତାରିଖରେ ମହାତ୍ମାଜୀ ଲଣ୍ଡନରେ ପହଞ୍ଚିଲେ । ସେଠାରେ ସେ ସନ୍ନ୍ୟାସୀର ଆହାର ପୋଷାକ ପରିତ୍ୟାଗ କରି ନ ଥିଲେ । ଗୋଲ୍‌ଟେବୁଲ ସଭାର ଦ୍ୱିତୀୟ ବୈଠକରେ ଯୋଗ ଦେଲେ । ସେ ଭାରତର ଦାବିକୁ ଏପରି ପ୍ରାଞ୍ଜଳ ଭାବରେ ବୁଝାଇ ଦେଇଥିଲେ ଯେ ତାହା ଅଯଥା ବୋଲି କହିବାକୁ କାହାର ସାମର୍ଥ୍ୟ ନ ଥିଲା । ଚେଇଁ ଶୋଇବା ଜାତିର ନିଦ ନ ଭାଙ୍ଗିଲେ କଅଣ ହେଲା ! ପୃଥିବୀର ଅନ୍ୟାନ୍ୟ ଜାତିଙ୍କର ଭାରତ ସମ୍ୱନ୍ଧରେ ସମ୍ପୂର୍ଣ୍ଣରୂପେ ଆଖି ଫିଟି ଯାଇଥିଲା । ସଭାର ନିରର୍ଥକତା ମହାତ୍ମାଜୀ ପୂର୍ବରୁ ଜାଣିଥିଲେ । ଅଯଥା ଏକଜିଦିଆ ସ୍ୱଭାବ ତାହାଙ୍କର ନ ଥିଲା । ଦ୍ୱିତୀୟ ବୈଠକରେ ଯୋଗଦେବାରୁ ଜଗତର ସମ୍ୱନ୍ଧରେ ତାହା ପ୍ରକଟିତ ହେଲା । ଯେ ସତ୍ୟର ଉପାସକ ସେ ଏକଜିଦିଆ ହେବ କାହିଁକି ? ଅନ୍ୟର କଥାରେ ସତ୍ୟତା ଅଛି କି ନାହିଁ ତାହା ପରୀକ୍ଷା କରିବା ପାଇଁ ସେ କଦାପି ସଙ୍କୁଚିତ ହେବ ନାହିଁ ।

 

ମହାତ୍ମାଜୀ ଫେରି ଆସିଲେ । ବାଟରେ ଇଟାଲୀର ଶାସକ ମୁସୋଲିନୀଙ୍କ ସଙ୍ଗେ ସାକ୍ଷାତ୍‌ କରିଥିଲେ । ୧୯୩୨ ସାଲର ଜାନୁଆରୀ ୪ ତାରିଖରେ ବୋମ୍ୱେଇର ମଣି ଭବନରେ ତାହାଙ୍କୁ ଗିରଫ୍‍ କରାଗଲା । ସଙ୍ଗେ ସଙ୍ଗେ ଅନ୍ୟ ନେତାମାନେ ମଧ୍ୟ ବନ୍ଦୀ ହେଲେ । କିନ୍ତୁ ଏଥର ବିପ୍ଳବ-ବହ୍ନି ପ୍ରବଳ ଆକାର ଧାରଣ କଲା ନାହିଁ । କାରଣ କଂଗ୍ରେସ ଛଡ଼ା ଭାରତର ଅନ୍ୟାନ୍ୟ ନେତାମାନଙ୍କର ଗୋଲ୍‌ଟେବୁଲ୍‌ ପ୍ରତି ବିଶ୍ୱାସ ଥିଲା । ନଗ୍ନ ଦମନର ତାଣ୍ଡବ-ଲୀଳାରେ ବିପ୍ଳବ-ବହ୍ନି ଉପଶମିତ ହେଲା ବୋଲି ସରକାର ସେତେବେଳେ ଭାବିଥିଲେ କି ନାହିଁ କହିବା କଠିନ । କାରଣ ବିପ୍ଳବ-ବହ୍ନି ପ୍ରବଳ ରୂପ ଧାରଣ ନ କଲେ ମଧ୍ୟ ଅବିରତ ମୃଦୁ ଭାବରେ ଜଳୁଥିଲା ।

 

ଅସଲ ଜାତୀୟତାବାଦୀ ନେତାମାନଙ୍କୁ କାରାଗୃହରେ ରଖି ଶାସନ-ସଂସ୍କାରର ବିଧି ପ୍ରଣୟନ କରିବାକୁ ସରକାର କୁଣ୍ଠିତ ହୋଇ ନ ଥିଲେ । ବିଧି ପ୍ରଣୟନ କଲାବେଳେ ହରିଜନମାନେ ଶାସନପରିଷଦକୁ ପୃଥକ୍‌ ସଭ୍ୟ ନିର୍ବାଚନ କରିବେ ବୋଲି ପ୍ରସ୍ତାବ ହେଉଥିଲା । ମହାତ୍ମାଜୀ ହରିଜନମାନଙ୍କ ହିତ ପାଇଁ ଆଜୀବନ ଖଟୁଥିଲେ । ସେମାନଙ୍କ ସେବା ପାଇଁ ଜୀବନ ଉତ୍ସର୍ଗ କରିବା କଂଗ୍ରେସର ନୀତି ହୋଇଥିଲା । ସବୁ ଜାଣି ଶୁଣି ସରକାର ହରିଜନମାନଙ୍କ ପାଇଁ ପୃଥକ୍‌ ସଭ୍ୟ ନିର୍ବାଚନର ବ୍ୟବସ୍ଥା କରୁଥିଲେ । କାରଣ ପାଣିରୁ ମାଛ ଅଲଗା ହେଲେ ବକର ଲାଭ-। ଭେଦ-ନୀତିରେ ନିଜର ଆଧିପତ୍ୟ ଭାରତରେ ଚିରସ୍ଥାୟୀ କରିବା ବ୍ରିଟିଶ୍‍ ଜାତିର ପ୍ରଧାନ ନୀତି ହୋଇଥିଲା । ସରକାରଙ୍କୁ ବନ୍ଦୀଶାଳାରୁ ମହାତ୍ମାଜୀ ସେପ୍ଟେମ୍ୱର ୧୨ ତାରିଖରେ ଜଣାଇ ଦେଇଥିଲେ ଯେ, ହରିଜନଙ୍କ ପାଇଁ ପୃଥକ୍‌ ସଭ୍ୟ ନିର୍ବାଚନର ବ୍ୟବସ୍ଥା କଲେ ସେ ଅନଶନରେ ପ୍ରାଣ ହରାଇବେ । ୨୧ ତାରିଖରେ ଉପବାସ ଆରମ୍ଭ କରି ୨୬ ତାରିଖରେ ତାହା ଭଙ୍ଗ କରିଥିଲେ । ସାମ୍ପ୍ରଦାୟିକ ବଣ୍ଟରାରେ ହିନ୍ଦୁ ସମ୍ପ୍ରଦାୟକୁ ବିଭକ୍ତ କରିବା ପାଇଁ ଯେଉଁ ବ୍ୟବସ୍ଥା ହେଉଥିଲା ତାହା ରଦ୍ଦ ହେଲା । ଏହାକୁ ପୁନା-ଚୁକ୍ତି କହନ୍ତି ।

 

୧୯୩୩ ସାଲର ମେ ୮ ତାରିଖରେ ଆତ୍ମଶୁଦ୍ଧି ଓ ସହକର୍ମୀମାନଙ୍କ ଅନ୍ତର ଶୁଦ୍ଧି ପାଇଁ ଅନଶନ ଆରମ୍ଭ କରିଥିଲେ । ସେ ଦିନ ତାହାଙ୍କୁ କାରାଗୃହରୁ ମୁକ୍ତି ଦିଆ ଯାଇଥିଲା । ଆଇନ ଅମାନ୍ୟ ମାସକ ପାଇଁ ସ୍ଥଗିତ ରହିଲା ବୋଲି ସେ ଘୋଷଣା କରିଥିଲେ । ତତ୍ପରେ ଉକ୍ତ ମାସ ୨୯ ତାରିଖରେ ଉପବାସ ଭଙ୍ଗ କରିଥିଲେ । ଜୁଲାଇ ୨୬ ତାରିଖରେ ସାବରମତୀ ଆଶ୍ରମ ସେ ଭାଙ୍ଗି ଦେଇଥିଲେ । ତାହାର କାରଣ ଖୋଜି ପାଇବା କଠିନ । କିନ୍ତୁ ସେହି ବର୍ଷ ଅଗଷ୍ଟ ପହିଲା ତାରିଖରେ ମହାତ୍ମା ଗାନ୍ଧୀ, ତାହାଙ୍କ ପତ୍ନୀ, ମହାଦେବ ଦେଶାଇ ଓ ସାବରମତୀ ଆଶ୍ରମର ଅନ୍ୟାନ୍ୟ କର୍ମୀ ସମେତ ୩୨ ଜଣଙ୍କୁ ଶେଠ ରଣଛୋଡ଼ଲାଲର ବଙ୍ଗଳାରେ ଗିରଫ କରାଯାଇ ସେମାନଙ୍କୁ ସାବରମତୀ ଜେଲକୁ ନିଆ ଯାଇଥିଲା । କାରଣ, ସମୂହ ଆଇନ ଅମାନ୍ୟରେ ଶାନ୍ତିଭଙ୍ଗ ଘଟୁଥିବାର ଜାଣି ସେ ବ୍ୟକ୍ତିଗତ ଆଇନ ଅମାନ୍ୟ ଘୋଷଣା କରିବାକୁ ପ୍ରସ୍ତୁତ ହେଉଥିଲେ । ସେ ସମ୍ପର୍କରେ କୟବା ଜିଲାର ରାମ ନାମ ସ୍ଥାନକୁ ଯାଇ ସେଠାର ଅଧିବାସୀମାନଙ୍କୁ ବ୍ୟକ୍ତିଗତ ଆଇନ ଅମାନ୍ୟ କରିବା ବିଧି ଶିଖାଇବାକୁ ସ୍ଥିର କରିଥିଲେ । ଗିରଫ ହେବା ଉତ୍ତାରୁ ପୁନାର ଜିଲା ମାଜିଷ୍ଟ୍ରେଟ ତାହାଙ୍କୁ ବିନାଶ୍ରମର ଏକବର୍ଷବ୍ୟାପୀ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

 

ଜେଲରେ ରହି ହରିଜନଙ୍କ ସେବା ପାଇଁ ମହାତ୍ମାଜୀ ସରକାରଙ୍କୁ କେତେଗୁଡ଼ିଏ ସୁବିଧା ମାଗିଥିଲେ । ମାତ୍ର ଯେଉଁ ସର୍ତ୍ତରେ ସରକାର ସୁବିଧା ଦେବେ ବୋଲି ରାଜି ହୋଇଥିଲେ ମହାତ୍ମାଜୀ ତାହା ଗ୍ରହଣ ନ କରି ଅଗଷ୍ଟ ୧୭ ତାରିଖରେ ଉପବାସ ଆରମ୍ଭ କରିଥିଲେ । ୨୩ ତାରିଖରେ ବିନା ସର୍ତ୍ତରେ ତାହାଙ୍କୁ ମୁକ୍ତି ଦିଆଗଲା । ନଭେମ୍ୱର ୭ତାରିଖରେ ହରିଜନଙ୍କ ଉନ୍ନତି ପାଇଁ ସମଗ୍ର ଦେଶ ଭ୍ରମଣ କରିଥିଲେ । ଏହି ସମୟରେ ସଂକୀର୍ଣ୍ଣଚେତା ଏକଶ୍ରେଣୀର ହିନ୍ଦୁ ତାହାଙ୍କ ପ୍ରାଣ ନାଶର ଚେଷ୍ଟା କରିଥିଲେ । ୧୯୩୪ ସାଲର ମେ ୧୪ ତାରିଖରେ ପଦବ୍ରଜରେ ଭ୍ରମଣ କରି ଅଗଷ୍ଟ ୭ ତାରିଖରେ ସତ୍ୟାଗ୍ରହ-ଆଶ୍ରମରେ ସାତଦିନ ବ୍ୟାପୀ ଅନଶନ ଆରମ୍ଭ କରିଥିଲେ । ଏତେଥର ଅନଶନ କରିବାର କାରଣ ଖୋଜି ସାଧାରଣ ମନୁଷ୍ୟ ଏହାକୁ ନିରର୍ଥକ ବୋଲି ଉଡ଼ାଇ ଦେଇ ଅଛି । ଶରୀର ଯେତିକି ସବଳ ଥାଏ ମନୁଷ୍ୟର ବିଚାର ଉପରେ ଇନ୍ଦ୍ରିୟର ବାଧା ତେତିକି ଥାଏ । ମଧ୍ୟେ ମଧ୍ୟେ ଉପବାସ କରି ଈଶ୍ୱରଙ୍କଠାରେ ଆତ୍ମ ସମର୍ପଣ କଲେ ଇନ୍ଦ୍ରିୟମାନଙ୍କ ପ୍ରଭାବ ନଷ୍ଟ ହୋଇ ବିଶୁଦ୍ଧ ବୁଦ୍ଧିର ବିକାଶ ଘଟେ । ଏଥିପାଇଁ ହିନ୍ଦୁ ଶାସ୍ତ୍ରରେ ଉପବାସର ବ୍ୟବସ୍ଥା ଅଛି । ମହାତ୍ମାଜୀ ଏହି ବ୍ୟବସ୍ଥାରୁ ଅନ୍ୟ ସତ୍ୟ ଅନୁସନ୍ଧାନ କରୁଥିଲେ । ସ୍ୱେଚ୍ଛାରେ ଶାରୀରିକ ଯନ୍ତ୍ରଣା ବରଣ କଲେ ଶତ୍ରୁର ତାହାଙ୍କ ପ୍ରତି ଯେଉଁ ଭ୍ରାନ୍ତ ଧାରଣା ଥିବ ତାହା ସହଜରେ ଦୂର ହୋଇ ପାରିବ । ଅଥବା ନିଜେ ଯଦି କାହାରି ଅନିଷ୍ଟ ପାଞ୍ଚିବା ପାଇଁ ଦୈବାତ୍‌ ଆକୃଷ୍ଟ ହୋଇ ପଡ଼ିଥିବେ ତେବେ ତାହା ଉପବାସଦ୍ୱାରା ସହଜରେ ବୁଝି ପାରିବେ । ବିଶେଷତଃ ଅନ୍ୟ ଲୋକଦ୍ୱାରା ଅତ୍ୟାଚାରିତ ହେଲାବେଳେ ଉପବାସଦ୍ୱାରା ଆତ୍ମକ୍ଳେଶ ନ ସହିଲେ ହୃଦୟରେ ପ୍ରତିହିଂସା ଜାଗିବା ସ୍ୱାଭାବିକ ।

 

୧୯୩୪ ସାଲର ସେପ୍ଟେମ୍ୱର ୨୬ ତାରିଖରେ ବୋମ୍ୱେଇଠାରେ କଂଗ୍ରେସର ଅଧିବେଶନରେ ମହାତ୍ମାଜୀ କଂଗ୍ରେସ ସହିତ ନିଜର ସମ୍ୱନ୍ଧ ପରିତ୍ୟାଗ କରିଥିଲେ । ତାହାଙ୍କର ଏହି ସିଦ୍ଧାନ୍ତରେ ସମଗ୍ର ଜାତି ସ୍ତମ୍ଭିତ ହୋଇ ଯାଇଥିଲା । ସେ କଂଗ୍ରେସକୁ ଯଥାର୍ଥ ଅନୁଷ୍ଠାନ ରୂପେ ଗଢ଼ି ତାହାକୁ ପରିଚାଳନା କରୁଥିଲେ । ସେ କଂଗ୍ରେସର ସମ୍ପର୍କ ତ୍ୟାଗ କଲେ ମୁକ୍ତି-ସଂଗ୍ରାମରେ ସମସ୍ତେ ନିରାଶ ହୋଇ ପଡ଼ିବେ । କିନ୍ତୁ ମୁକ୍ତି-ସଂଗ୍ରାମକୁ ଡରି ସେ କଂଗ୍ରେସ ସମ୍ପର୍କ ଛାଡ଼ୁ ନ ଥିଲେ-। ବ୍ରିଟିଶ୍‍ ସରକାରଙ୍କ ସଙ୍ଗେ ସାକ୍ଷାତ୍‌ ସଂଗ୍ରାମ କରିବା ଠାରୁ ଦେଶ-ସେବା କରିବା ପରୋକ୍ଷ ସଂଗ୍ରାମ ବଳବତ୍ତର ବୋଲି ବୁଝାଇ ଦେବାପାଇଁ ସେ କଂଗ୍ରେସର ସମ୍ପର୍କ ତ୍ୟାଗ କରିଥିଲେ ।

 

୧୯୩୫ ସାଲର ଜୁନ୍‌ ୬ତାରିଖରେ ମହାତ୍ମାଜୀ କୁୟେଟା ଯିବାପାଇଁ ବଡ଼ଲାଟଙ୍କୁ ଅନୁମତି ମାଗିଥିଲେ । ବଡ଼ଲାଟ ତାହାଙ୍କ ଅନୁରୋଧ ରକ୍ଷା କରି ନ ଥିଲେ । ୧୯୩୫ ସାଲକୁ ଗୋଲ୍‍ଟେବୁଲ୍‍ ପାଲାରେ ବ୍ରିଟିଶ୍‍ ସରକାର ପକ୍ଷରୁ ନିର୍ଦ୍ଧାରିତ ଶାସନ-ପଦ୍ଧତିର ସ୍ୱରୂପ ଭାରତକୁ ଆସି ଯାଇଥିଲା । ଏହା ଗ୍ରହଣୀୟ କି ନା, ଏ ବିଷୟରେ କଂଗ୍ରେସ ମହଲରେ ଅନେକ ବାଦାନୁବାଦ ଚାଲିଥିଲା । ଏହାକୁ ଗ୍ରହଣ କରି କଂଗ୍ରେସ ତରଫରୁ ବ୍ୟବସ୍ଥାପକ ସଭାମାନଙ୍କୁ ସଭ୍ୟମାନେ ୧୯୩୬ ସାଲରେ ନିର୍ବାଚିତ ହୋଇ ଗଲେ । କିନ୍ତୁ ମନ୍ତ୍ରିତ୍ୱ ଗ୍ରହଣ କରି ନ ଥିଲେ । କାରଣ, ଏହି ଶାସନ-ପଦ୍ଧତିରେ ମନ୍ତ୍ରୀମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବା କ୍ଷମତା ପ୍ରାଦେଶିକ ଲାଟସାହେବମାନଙ୍କୁ ଦିଆଯାଇଥିଲା । ଦୈନନ୍ଦିନ କାର୍ଯ୍ୟରେ ଲାଟସାହେବ ହସ୍ତକ୍ଷେପ କଲେ ମନ୍ତ୍ରୀମାନଙ୍କ ପକ୍ଷରେ ସ୍ୱାଧୀନ ଭାବରେ ଶାସନ ପରିଚାଳନା କରିବା କଷ୍ଟକର । ସ୍ୱାଧୀନ ଭାବରେ ପରିଚାଳନା କରି ନ ପାରିଲେ ଲାଟସାହେବଙ୍କର ହାତରେ କ୍ରୀଡ଼ା-ପୁତ୍ତଳିକା ହୋଇ ରହିବା ଦେଶାତ୍ମବୋଧର ପରିଚାୟକ ନୁହେଁ । ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ବଡ଼ଲାଟ ପ୍ରତିଶ୍ରୁତି ଦେଲେ କଂଗ୍ରେସ ମନ୍ତ୍ରିତ୍ୱ ଗ୍ରହଣ କରିବା ପାଇଁ ରାଜି ଥିଲା । କିନ୍ତୁ ଏପରି ପ୍ରତିଶ୍ରୁତି ଦେବା ପାଇଁ ବଡ଼ଲାଟଙ୍କର କ୍ଷମତା ଅଛି କି ନାହିଁ, ଏ ବିଷୟରେ ପ୍ରଶ୍ନ ଉଠିଥିଲା । ଏ ପ୍ରସଙ୍ଗରେ ୧୯୩୭ ସାଲର ଜୁଲାଇ ୬ ତାରିଖରେ ୱାର୍ଦ୍ଧାଠାରେ କଂଗ୍ରେସର କାର୍ଯ୍ୟ-ନିର୍ବାହିକା ସମିତିର ବୈଠକ ବସିବା ପୂର୍ବରୁ ମହାତ୍ମାଜୀ ଗୋଟିଏ ବିବୃତି ଦେଇଥିଲେ । ପ୍ରତିଶ୍ରୁତି ଦେବାପାଇଁ ବଡ଼ଲାଟଙ୍କର କ୍ଷମତା ଅଛି ବୋଲି ସେ ଏହି ବିବୃତିରେ ପ୍ରମାଣ କରି ଦେଇଥିଲେ । ସେତେବେଳେ କୂଟଭାଷାରେ ଲିପିବଦ୍ଧ ଶାସନ-ପଦ୍ଧତିର ଗୂଢ଼ ମର୍ମ ଗ୍ରହଣ କରିବାରେ ମହାତ୍ମାଜୀଙ୍କର ଅଦ୍ଭୁତ ବିଚକ୍ଷଣତା ଦେଖି ବିଲାତିର ରାଜନୀତିଜ୍ଞମାନେ ଚମତ୍କୃତ ହୋଇଥିଲେ । ବଡ଼ଲାଟ ବାଧ୍ୟ ହୋଇ ପ୍ରତିଶ୍ରୁତି ଦେଇଥିଲେ । ମହାତ୍ମାଜୀ ସମର୍ଥନ କରିବାରୁ ଜୁଲାଇ ୭ ତାରିଖରେ ମନ୍ତ୍ରିତ୍ୱ ଗ୍ରହଣ କରିବାର ପ୍ରସ୍ତାବ କଂଗ୍ରେସ ଗ୍ରହଣ କରିଥିଲା । ଏହି ଶାସନ ପଦ୍ଧତିରେ ମନ୍ତ୍ରୀଙ୍କ ହାତକୁ ଯେତିକି କ୍ଷମତା ଦିଆ ଯାଇଥିଲା, ତାହାରି ବଳରେ ଦେଶବାସୀଙ୍କର କିଛି ହିତସାଧନ କରି ପାରିଲେ ପୂରା ଶାସନ-କ୍ଷମତା ମନ୍ତ୍ରୀମାନେ ଯେପରି ହାସଲ କରନ୍ତି, ସେଥିପ୍ରତି ଜନସାଧାରଣ ଅବଶ୍ୟ ଲଢ଼ିବେ–ଏପରି ବିଶ୍ୱାସ ମହାତ୍ମାଜୀଙ୍କର ଥିଲା ବୋଲି ବୁଝାଯାଏ ।

 

ପ୍ରାଦେଶିକ ଲାଟସାହେବମାନେ ମନ୍ତ୍ରୀମାନଙ୍କ ଦୈନନ୍ଦିନ କାର୍ଯ୍ୟରେ ହସ୍ତକ୍ଷେପ କରି ପାରିବେ ନାହିଁ ବୋଲି ବଡ଼ଲାଟ ଯେତେବେଳେ ପ୍ରତିଶ୍ରୁତି ଦେଲେ ସେତେବେଳକୁ ଭାରତର ତଥା ସମଗ୍ର ପୃଥିବୀର ରାଜନୀତି କ୍ରମଶଃ ଗୁରୁତର ହେଉଥାଏ । ଆଲୋକର ପଛେ ପଛେ ଅନ୍ଧକାରର ଗତି ପ୍ରକୃତିର ନିୟମ । ନିରସ୍ତ୍ର ଅହିଂସା-ପରାୟଣ କଂଗ୍ରେସ କର୍ମୀମାନେ ଦେଶର ଆତ୍ମ-ମର୍ଯ୍ୟାଦା ଲାଗି ପ୍ରାଣ ଦେବା ପାଇଁ ଆଗ୍ରହ ବଳାଉ ଥିବାରୁ ଭାରତର ସଶସ୍ତ୍ର ବିପ୍ଳବୀମାନଙ୍କର ଦଳ ଓ ସାହସ ମଧ୍ୟ କ୍ରମଶଃ ବଢ଼ି ଯାଉଥିଲା । ଇଂରେଜ ଶାସନର ଦୁର୍ବ୍ୟବହାର ଆଉ ଲୁଚି ରହି ପାରୁ ନ ଥିଲା । ପ୍ରଥମ ମହାସମରରେ ପୃଥିବୀରେ ନ୍ୟାୟ ପ୍ରତିଷ୍ଠା କରିବା ବ୍ରିଟିଶ୍‌ ଜାତିର ଲକ୍ଷ୍ୟ ବୋଲି ଯେଉଁ ଘୋଷଣା କରା ଯାଇଥିଲା ତାହାର ନିରର୍ଥକତା କ୍ରମଶଃ ପ୍ରତିପାଦିତ ହେଉଥିଲା । ମହାସମରରେ କୌଣସି ପ୍ରକାରେ ବ୍ରିଟିଶ୍‍ ଜାତି ଜିତି ଜର୍ମାନୀ ପ୍ରତି ସୁବ୍ୟବହାର କରି ପାରି ନ ଥିଲେ । ଇଟାଲୀ ଓ ଜାପାନ ମଧ୍ୟ ଅସନ୍ତୁଷ୍ଟ ହୋଇଥିଲେ । ଆମେରିକା ବିରକ୍ତ ହୋଇ ଇଉରୋପରେ ଯୁଦ୍ଧ ଲାଗିଲେ କୌଣସି ଜାତିକୁ ସାହାଯ୍ୟ କରିବ ନାହିଁ ବୋଲି ମଧ୍ୟ ସ୍ଥିର କରିଥିଲା-। କିନ୍ତୁ ଏ ପରିସ୍ଥିତିର ସୁଯୋଗ ମହାତ୍ମାଜୀ ଆଦୌ ଲୋଡ଼ୁ ନ ଥିଲେ । କାରଣ, ଆତ୍ମନିର୍ଭରଶୀଳ ହେବା ମନୁଷ୍ୟର ଯଥାର୍ଥ ଧର୍ମ ବୋଲି ସେ ସର୍ବଦା ବିବେଚନା କରୁଥିଲେ । ସିଂହ କୂଅରେ ପଡ଼ିଥିବାବେଳେ ତାହା ଉପରକୁ ଟେକା ଫିଙ୍ଗିବା କାପୁରୁଷତା ଛଡ଼ା କିଛି ନୁହେଁ । କିନ୍ତୁ ସେତେବେଳକୁ ଭାରତର ଯୁବକ-ସମ୍ପ୍ରଦାୟ ସୁଭାଷବାବୁଙ୍କଠାରେ ଅସୀମ ଆସ୍ଥା ରଖିଥାଏ । ୧୯୩୮ସାଲରେ ସୁଭାଷବାବୁ କଂଗ୍ରେସର ସଭାପତି ନିର୍ବାଚିତ ହେଲେ । ସେ ସ୍ୱାସ୍ଥ୍ୟୋଦ୍ଧାର ପାଇଁ ଇଉରୋପରେ ରହି ଅଳ୍ପଦିନ ପୂର୍ବରୁ ଭାରତକୁ ଫେରି ଥାଆନ୍ତି । ଇଉରୋପର ପରିସ୍ଥିତି ତାହାଙ୍କୁ ଭଲରୂପେ ଜଣାଥାଏ । ଏଣୁ ହିଂସାମୂଳକ ବିପ୍ଳବ ପାଇଁ ଦେଶକୁ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କର ଏକାନ୍ତ ଅଭିଳାଷ ଥାଏ । କିନ୍ତୁ ମହାତ୍ମାଜୀ ତାହାଙ୍କୁ ସମର୍ଥନ କରନ୍ତି ନାହିଁ । ଅନ୍ୟତମ ପ୍ରଧାନ ନେତା ଜବାହାରଲାଲ ଉପଯୁକ୍ତ ପିତାର ଉପଯୁକ୍ତ ସନ୍ତାନ । ମହାତ୍ମାଜୀଙ୍କ ପ୍ରତି ତା’ଙ୍କର ଅଗାଧ ଭକ୍ତି ଥିବାରୁ ସେ ସୁଭାଷବାବୁଙ୍କୁ ସମର୍ଥନ କରି ପାରିଲେ ନାହିଁ । କିନ୍ତୁ ମହାତ୍ମାଜୀ ସୁଭାଷବାବୁଙ୍କୁ କୌଣସି ବାଧା ଦେଉ ନ ଥାଆନ୍ତି । ୧୯୩୯ ସାଲରେ ପଟ୍ଟାଭିସୀତାରାମାୟାଙ୍କୁ ହରାଇ ସୁଭାଷବାବୁ କଂଗ୍ରେସର ଦ୍ୱିତୀୟଥର ସଭାପତି ନିର୍ବାଚିତ ହେବାରୁ ମହାତ୍ମାଜୀ ବୁଝି ପାରିଥିଲେ ଯେ, ଦେଶ ବିପଥଗାମୀ ହେଉ ଅଛି । ପଟ୍ଟାଭିସୀତାରାମାୟା ହାରିବାର ଅର୍ଥ, ସେ ନିଜେ ହାରିବା କହି ମହାତ୍ମାଜୀ ପ୍ରକାରନ୍ତରେ କହିଥିଲେ ଯେ, ସୁଭାଷବାବୁଙ୍କ କ୍ରିୟାକଳାପ ଯେ ସମର୍ଥନ କରି ନ ଥିଲେ । ସୁଭାଷବାବୁଙ୍କ ସାହସ, ଦେଶହିତୈଷିତା ପ୍ରଭୃତି ଗୁଣକୁ ସେ ଭୂୟସୀ ପ୍ରଶଂସା କରି ଅଛନ୍ତି-। କିନ୍ତୁ ତାହାଙ୍କର ହିଂସାମୂଳକ ବିପ୍ଳବକୁ କଦାପି ସମର୍ଥନ କରି ନାହାନ୍ତି । ୧୯୩୯ ସାଲର ଏପ୍ରିଲ ୨୭ ତାରିଖରେ କଲିକତାରେ ବସିଥିବା ନିଖିଳ ଭାରତ କଂଗ୍ରେସ କମିଟିକୁ ମହାତ୍ମାଜୀ ଆସିଥିଲେ-। ଏଠାରେ ସୁଭାଷବାବୁଙ୍କ ସହିତ ମହାତ୍ମାଜୀଙ୍କ ମତଭେଦ ଆଲୋଚିତ ହେଲା ଓ ସୁଭାଷବାବୁ ସଭାପତି-ପଦରୁ ଅନ୍ତର ହେଲେ । ଏଥିରେ କେତେକ ବଙ୍ଗାଳୀ କ୍ଷୁବ୍ଧ ହେଲେ । କିନ୍ତୁ ସେମାନେ ଗଭୀର ଭାବରେ ଚିନ୍ତାକଲେ ବୁଝି ପାରିବେ ଯେ, ଏଥିରେ ମହାତ୍ମାଜୀଙ୍କର ଆଦୌ ଭ୍ରମ ନାହିଁ । ‘‘କର୍ମଣ୍ୟେ ବାଧିକାରସ୍ତେ ମା’ ଫଳେଷୁ କଦାଚନ’’ –ଏହି ଉପଦେଶକୁ ଭୁଲି ଦୋଷାଦୋଷ ବିଚାର କରିବା ଉଚିତ ନୁହେଁ । ସୁଯୋଗ ଯଦି ଆସିବାକୁ ଅଛି ତେବେ ଆପେ ଆପେ ଆମ କାର୍ଯ୍ୟର ଉପଯୁକ୍ତ ବେଳକୁ ଆସୁ । ଆମେ ସୁଯୋଗର ଦାସ ହୋଇ ତାହାକୁ ଅନାଇ ବସିବୁ କାହିଁକି ?

 

ପଣ୍ତିତ କୃପାସିନ୍ଧୁ ମିଶ୍ରଙ୍କର ପୁରୀ ଜିଲାର ଡେଲାଙ୍ଗ ଷ୍ଟେସନ ପାଖରେ ଗୋଟିଏ ସେବା କୁଟୀର ଥିଲା । ସେଠାରେ ୧୯୩୮ ସାଲର ମାର୍ଚ୍ଚ ମାସରେ ଉତ୍କଳର ଗାନ୍ଧୀ-ସେବା-ସଂଘର ସମ୍ମିଳନୀ ବସିଥିଲା । ସମ୍ମିଳନୀରେ ଯୋଗ ଦେଉଥିବା ପ୍ରତିନିଧିମାନଙ୍କ ରହିବା ଲାଗି ସେଠାରେ ତାଟିରେ କୁଟୀର ଗୁଡ଼ିଏ ତିଆରି କରା ଯାଇଥିଲା । ସେଥିରୁ ଗୋଟିକରେ ମହାତ୍ମାଜୀ ସାତଦିନ ବାସ କରିଥିଲେ । ଏହା ତାହାଙ୍କ ପକ୍ଷରେ ବିଚିତ୍ର କଥା ନୁହେଁ । କାରଣ, ଦକ୍ଷିଣ ଆଫ୍ରିକାରୁ ଆଶ୍ରମରେ ସରଳ ଜୀବନ ଯାପନ କରିବାକୁ ତାହାଙ୍କର ଶ୍ରଦ୍ଧା ବଳିଥିଲା ଓ ତହିଁରେ ସେ ଅଭ୍ୟସ୍ତ ହୋଇ ପଡ଼ିଥିଲେ । କିନ୍ତୁ ସମ୍ମିଳନୀ ସଙ୍ଗେ ବସିଥିବା ପ୍ରଦର୍ଶନୀରେ ସେ ଯେଉଁ ବକ୍ତୃତାଟି ଦେଇଥିଲେ ତହିଁରେ ତାଙ୍କର ଓଡ଼ିଶା-ପ୍ରୀତି ପ୍ରତି କଥାରେ ପ୍ରତିଧ୍ୱନିତ ହୁଏ ।

 

ଏହି ଡେଲାଙ୍ଗଠାରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କର ମହାତ୍ମାଜୀଙ୍କ ସହିତ ମତଭେଦ ଘଟେ । ଏହି ମତଭେଦ ପାଇଁ ଓଡ଼ିଶାର ବାୟୁମଣ୍ଡଳ ଛଡ଼ା ଅନ୍ୟ କେହି ଦାୟୀ ନୁହେଁ । ଓଡ଼ିଶାର ପ୍ରତ୍ୟେକ ସାଧୁ ଅନୁଷ୍ଠାନ ବା କର୍ମ ଜହ୍ନିଫୁଲ ପରି ଆୟୁଷ ପାଏ ଓ ସଞ୍ଜେ ଫୁଟି ସକାଳେ ଯାଏ । ପଣ୍ଡିତ ନୀଳକଣ୍ଠଙ୍କର ଯୌବନରେ ଯେଉଁ ତ୍ୟାଗ ଓ ସେବା ଦେଖା ଯାଇଥିଲା ସେତେବେଳକୁ ତାହା ନ ଥିଲା କେବଳ କାରା ବରଣକୁ ସେତେବେଳେ ସେ ତ୍ୟାଗ ମଣୁଥିଲେ । ପୁଣି ଅଗାଧ ପାଣ୍ଡିତ୍ୟ ଥାଇ ଆତ୍ମନିରୀକ୍ଷଣର ଅଭାବ ତାହାଙ୍କଠାରେ ଥିଲା । ବିପକ୍ଷ ଦଳ କେବଳ ଭକ୍ତି-ଗୁଣକୁ ଆଶ୍ରୟ କରି ପଣ୍ଡିତ ସହଜରେ ହଟାଇ ଦେଇଥିଲେ ।

 

କଂଗ୍ରେସକର୍ମୀ ବାବୁ ଗୋବିନ୍ଦ ମିଶ୍ରଙ୍କୁ ଅନେକ ଲୋକ ଜାଣିଥିବେ । ୧୯୧୪ ସାଲରେ ଦଶପଲ୍ଲାର ବିଦ୍ରୋହ ଉତ୍ତାରେ ସେ ବଡ଼ ସାହସରେ ଦଶପଲ୍ଲାରୁ ଚାଲି ଆସିଥିଲେ । ନ ଆସିଥିଲେ ଆଜି ସମ୍ଭବତଃ ସେ ଧନ ଦଉଲତରେ ଭାସୁ ଥାଆନ୍ତେ । ସେ କଲିକତା ଚାଲି ଯାଇ ସେଠାରେ ମାଟ୍ରିକ୍‍ ପରୀକ୍ଷାରେ ପାଶ୍‍ କରିଥିଲେ । ତତ୍ପରେ ସେ ମହାତ୍ମାଜୀଙ୍କ ସହିତ ଦେଖା କରିଥିଲେ । ଓଡ଼ିଶାର ଗଡ଼ଜାତ କାହାଣୀ ତାହାଙ୍କ ଠାରୁ ମହାତ୍ମାଜୀ ଶୁଣି ଏପରି ମର୍ମାହତ ହୋଇଥିଲେ ଯେ ବହୁକାଳ ପର୍ଯ୍ୟନ୍ତ ତାହାଙ୍କର ମନରୁ ସେ କାହାଣୀ ପାସୋରି ଯାଇ ନ ଥିଲା । ୧୯୩୫ ସାଲର ଶାସନ-ପଦ୍ଧତିରେ ଦେଶୀୟ ରାଜ୍ୟ ଓ ବ୍ରିଟିଶ୍‍ ପ୍ରଦେଶର ପ୍ରତିନିଧିମାନଙ୍କୁ ଘେନି କେନ୍ଦ୍ର ବ୍ୟବସ୍ଥାପକ ସଭା ଗଢ଼ା ହେବାର ବ୍ୟବସ୍ଥା ଥିଲା । କିନ୍ତୁ ଅଗ୍ନି ସଙ୍ଗେ ଘୃତର ସଂଯୋଗରେ କି ପରିଣାମ ଘଟିବ ତାହା କେହି ବିଚାର କରି ନ ଥିଲା । ଅଧିକାଂଶ ଦେଶୀୟ ରାଜ୍ୟରେ ଯଥେଚ୍ଛାଚାର ଶାସନ ଚାଲୁ ଥାଏ । ସେ ରାଜ୍ୟମାନଙ୍କରୁ ପ୍ରତିନିଧିମାନେ କେନ୍ଦ୍ର ସଭାକୁ ଯାଇ ବ୍ରିଟିଶ୍‍ ପ୍ରଦେଶର ପ୍ରତିନିଧିଙ୍କ ସହିତ ସହଯୋଗିତା କରିବା ଅସମ୍ଭବ ଥିଲା । ରାଜାମାନେ ଯଦି ନିଜ ନିଜ ରାଜ୍ୟରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ କରି ଥାଆନ୍ତେ ତେବେ ଆପତ୍ତି ନ ଥିଲା । ଏହି ଗଣତନ୍ତ୍ର ଶାସନର ପ୍ରତିଷ୍ଠା ପାଇଁ ଦେଶୀୟ ରାଜ୍ୟମାନଙ୍କରେ ଆନ୍ଦୋଳନର ସୂତ୍ରପାତ ହେଲା । ଓଡ଼ିଶାର ଦେଶୀୟ-ରାଜ୍ୟର ଆନ୍ଦୋଳନରେ ବାବୁ ଶାରଙ୍ଗଧର ଦାସ ଓ କୈଳାସ ଚନ୍ଦ୍ର ମହାନ୍ତିଙ୍କ ନାମ ବିଶେଷ ପରିମାଣରେ ଉଲ୍ଲେଖ ଯୋଗ୍ୟ । ଏଣେ ମୋଗଲବନ୍ଦୀରେ କଂଗ୍ରେସ ମନ୍ତ୍ରୀ ରହିବାରୁ ଗଡ଼ଜାତର ଆନ୍ଦୋଳନ ପକ୍ଷରେ ବିଶେଷ ସୁବିଧାଜନକ ହୋଇଥିଲା । ସେତେବେଳେ ତାଳଚେର ଓ ଢେଙ୍କାନାଳରେ ଅତ୍ୟନ୍ତ ଅତ୍ୟାଚାର ହୋଇ ଥିଲା । ଶ୍ରୀଯୁକ୍ତ ହରେକୃଷ୍ଣ ମହତାବଙ୍କୁ ଶାନ୍ତି ସ୍ଥାପନର ନାମ କହି ଢେଙ୍କାନାଳର ରାଜା ଅନ୍ୟ ଉଦ୍ଦେଶ୍ୟରେ ଡାକି ନେଇଥିଲେ । ମହତାବ ମହାଶୟ ଫେରିଲା ଉତ୍ତାରେ ସେଠାରେ ଯେଉଁ ପାଶବିକ ଅତ୍ୟାଚାର ହେଲା ତାହା ବର୍ଣ୍ଣନାତୀତ । ଏହି ଘଟଣା ମହାତ୍ମାଜୀଙ୍କ କାନରେ ଯେତେବେଳେ ବିଶ୍ୱନାଥ ବାବୁ ଓ ସାରଙ୍ଗଧର ବାବୁ ପକାଇଥିଲେ ସେତେବେଳେ ମହାତ୍ମାଜୀ ଯାହା କହିଥିଲେ ତହିଁରେ ମହାତ୍ମାଜୀଙ୍କର ମର୍ମବେଦନା ମଧ୍ୟ ସ୍ପଷ୍ଟରୂପେ ପ୍ରକାଶ ପାଇଥିଲା । ରାଜାଙ୍କ ପାର୍ଶ୍ୱଚରମାନେ କରିଥିବା ପାଶବିକ ଅତ୍ୟାଚାରର ପ୍ରତିକାର ପାଇଁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ତହିଁରେ ମଧ୍ୟ କିଛି ଫଳ ହୋଇଥିଲା । ସେ ସତ୍ୟବାଦୀ ବୋଲି ଜାଣି ସରକାର ମଧ୍ୟ ତାହାଙ୍କ କଥାକୁ ବିଶ୍ୱାସ କରୁ ଥିବାର ଏଥିରୁ ପ୍ରମାଣିତ ହୁଏ । ସରକାର ତାହାଙ୍କୁ ବାହାରେ ଶତ୍ରୁ ବୋଲି ମଣିଲେ ମଧ୍ୟ ଅନ୍ତରରେ ଭକ୍ତି କରୁଥିଲେ । ଯେଉଁ ମହାପୁରୁଷ ନିଜକୁ ଶତ୍ରୁ ମଣୁଥିବା ଲୋକର ହୃଦୟରେ ଆପଣା ପ୍ରତି ଭକ୍ତି ଜାଗରିତ କରାଇ ପାରେ ସେ ଏକା ଅବତାର-ପୁରୁଷ ।

 

୧୯୩୭ ସାଲର ଏପ୍ରିଲ ୧ ତାରିଖରେ ନୂତନ ଶାସନ-ତନ୍ତ୍ର ଭାରତରେ ପ୍ରବର୍ତ୍ତିତ ହେଲା । ସଙ୍ଗେ ସଙ୍ଗେ ରାଜନୈତିକ ବନ୍ଦୀମାନଙ୍କ ମୁକ୍ତି ପାଇଁ ତୁମୁଳ ଆନ୍ଦୋଳନ ଉପସ୍ଥିତ ହେଲା-। ଏଥିରେ ମହାତ୍ମାଜୀ ମଧ୍ୟ ଅଗ୍ରଣୀ ହୋଇଥିଲେ । ବନ୍ଦୀମାନଙ୍କ ମୁକ୍ତି ପାଇଁ ସେ ବଙ୍ଗଳାର ଲାଟସାହେବଙ୍କ ସଙ୍ଗେ ସାକ୍ଷାତ୍‌ କରି ତାହାଙ୍କୁ ଅନୁରୋଧ କରୁଥିଲେ । କାରାଗୃହରେ ରାଜନୈତିକ ବନ୍ଦୀମାନଙ୍କ ସହିତ ସାକ୍ଷାତ୍‌ ମଧ୍ୟ କରିଥିଲେ । ଏହାର ଫଳରେ ବଙ୍ଗଳାର ସରକାର ୧୧୦୭ ଜଣ ରାଜନୈତିକ ବନ୍ଦୀଙ୍କୁ ମୁକ୍ତି ପ୍ରଦାନ କରିଥିଲେ । ଏହିପରି ଆଜୀବନ ପରର ମଙ୍ଗଳ ପାଇଁ ସେ କର୍ମ କରି ପ୍ରତ୍ୟେକ କର୍ମରେ ପ୍ରାୟ ସଫଳକାମ ହେଉଥିଲେ । ସାଧାରଣ ମନୁଷ୍ୟ ପକ୍ଷରେ ଅସମ୍ଭବ କାର୍ଯ୍ୟ କରି ସଫଳକାମ ହେବା ମହାପୁରୁଷର ପ୍ରଧାନ ଲକ୍ଷଣ ।

 

୧୯୩୯ ସାଲର ମାର୍ଚ୍ଚ ମାସରେ ମହାତ୍ମାଜୀ ଦେଶୀୟ ରାଜ୍ୟ ରାଟକୋଟ ଘେନି ଅନଶନ କରିଥିଲେ । ସେଠାରେ ପ୍ରଜା ଆନ୍ଦୋଳନ ଲାଗିଥିଲା । ଶେଷରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଶାସକ ଠାକୁର ସାହେବଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା-। ଠାକୁର ସାହେବ ଚୁକ୍ତିଭଙ୍ଗ କରିବାରୁ ମହାତ୍ମାଜୀ ଅନଶନ କରି ଜୟୀ ହୋଇଥିଲେ ।

Image

 

Unknown

ମହାତ୍ମା-ଜୀବନ

(ଦ୍ୱିତୀୟ ଭାଗ)

 

୧୯୩୯ ସାଲ ସେପ୍ଟେମ୍ବର ମାସରେ ଇଉରୋପରେ ଯୁଦ୍ଧ ଘୋଷଣା କରାଯାଇଥିଲା-। ସେତେବେଳେ ପ୍ରଦେଶମାନଙ୍କର ଶାସନ ଭାର ଗ୍ରହଣ କରିଥିବା କଂଗ୍ରେସ ମନ୍ତ୍ରୀମାନଙ୍କର କର୍ତ୍ତବ୍ୟ ନିରୂପଣ କରିବା ବଡ଼ ବ୍ୟାପାର ଥିଲା । ଶାସନ କାର୍ଯ୍ୟରେ ଯେଉଁ ସରକାରଙ୍କ ସହିତ କଂଗ୍ରେସ ସହଯୋଗିତା କରୁଥିଲା, ଯୁଦ୍ଧ-ବିପଦରେ ସେହି ସରକାରଙ୍କୁ କଂଗ୍ରେସ ସାହାଯ୍ୟ ନ କରିବା ନିତାନ୍ତ ଅସଙ୍ଗତ କଥା । କିନ୍ତୁ ଆତ୍ମ-ସନ୍ତୋଷରେ କଂଗ୍ରେସ ଶାସନ କାର୍ଯ୍ୟରେ ସହଯୋଗିତା କରୁ ନ ଥିଲା । ପ୍ରଥମ ମହାସମରରେ ଭାରତ ବ୍ରିଟିଶ୍‍ ସରକାରଙ୍କୁ ସାହାଯ୍ୟ କରୁଥିଲା ଓ ବ୍ରିଟିଶ୍‌ ସରକାର ମଧ୍ୟ ହାତ ଛାଡ଼ି ଦେବେ ବୋଲି କହୁଥିଲେ । କିନ୍ତୁ ଯୁଦ୍ଧ ସରିବା ସଙ୍ଗେ ସଙ୍ଗେ ରାଉଲଟ ଆକ୍ଟର ତାଣ୍ଡବ ନୃତ୍ୟ ସରକାର ଭାରତରେ ଦେଖାଇ ଥିଲେ । ଏଣୁ ଏଥର ଯୁଦ୍ଧରେ ସରକାରାଙ୍କୁ ସାହାଯ୍ୟ କରିବା ପାଇଁ କାହାରି ଆଗ୍ରହ ନ ଥିଲା । ଯୁଦ୍ଧରେ ସରକାରଙ୍କର କି ଲକ୍ଷ୍ୟ ଅଛି, ତାହା ଜାଣିଲେ ଆମେ ଯୁଦ୍ଧ ପାଇଁ ସାହାଯ୍ୟ କରିବା ଉଚିତ କି ନା, ଏହା ବିଚାର କରିପାରିବୁ ବୋଲି କଂଗ୍ରେସ ବ୍ରିଟିଶ୍‍ ସରକାରଙ୍କୁ କହିଲା । କହିବା ବାହୁଲ୍ୟ ଯେ, ମହାତ୍ମାଜୀଙ୍କ ପରାମର୍ଶ ଅନୁସାରେ ବ୍ରିଟିଶ୍‌ ସରକାରଙ୍କୁ କଂଗ୍ରେସ ଏପରି କହି ପାରିଥିଲା । କିନ୍ତୁ ବ୍ରିଟିଶ୍‌ ସରକାର ଯୁଦ୍ଧର କୌଣସି ଲକ୍ଷ୍ୟ ଜଣାଇଲେ ନାହିଁ । ଏଣୁ ୧୯୩୯ ସାଲର ଅକ୍ଟୋବର ମାସର ୧୦ ତାରିଖରେ ମହାତ୍ମାଜୀଙ୍କ ସମର୍ଥନ ଅନୁସାରେ କଂଗ୍ରେସ କାର୍ଯ୍ୟନିର୍ବାହିକା ସଭା ପଦତ୍ୟାଗ କରିବା ପାଇଁ କଂଗ୍ରେସୀ ମନ୍ତ୍ରୀମାନଙ୍କୁ ନର୍ଦ୍ଦେଶ ଦେଲେ ।

 

ହୁଙ୍କାପିଟା କାମ ସଭ୍ୟ-ଯୁଗରେ ଚଳେ ନାହିଁ । ଜୋର ଯାର ମୂଲକ ତାର ନୀତି ଧରି ଏକ ଦେଶ ଅନ୍ୟ ଦେଶକୁ ଆକ୍ରମଣ କରିପାରେ ନାହିଁ । ଏକ ଦେଶ ଅନ୍ୟ ଦେଶ ବିରୋଧରେ ଯୁଦ୍ଧ ଘୋଷଣା କରିବା ପୂର୍ବରୁ ପ୍ରତି ପକ୍ଷର ଅନ୍ୟାୟାଚରଣ ପ୍ରଣାମ କରିବାକୁ ଦରକାର ହୋଇଥାଏ । ତାହାର ପ୍ରତିକାର ପାଇଁ ଯୁଦ୍ଧ ଘୋଷଣା କରାଗଲା ବୋଲି ଛଳନା କରାଯାଏ । ବିନା କାରଣରେ କାହାରି ସଙ୍ଗରେ କଳହ କରିବା ମନୁଷ୍ୟର ପ୍ରକୃତି ନୁହେଁ ବୋଲି ଆମେ ନିଜ ଜୀବନରେ ଉପଲବ୍ଧି କରୁଁ । କିନ୍ତୁ କାହାରି ସଙ୍ଗରେ କଳହରେ ବ୍ୟାପୃତ ହେଲାବେଳେ କାରଣଟିଏ ଖୋଳି ବାହାର କରିବାକୁ ପଡ଼େ । ବ୍ୟକ୍ତିଗତ ଜୀବନରେ ଯେପରି ଘଟେ, ଜାତି ଜୀବନରେ ସେପରି ଘଟେ । ପ୍ରକୃତିର ଏକ ନିୟମ ସବୁ କ୍ଷେତ୍ରରେ ସମାନ ପରିମାଣରେ କାର୍ଯ୍ୟ କରିଥାଏ । ସେହି ନିୟମ ଅନୁସାରେ କାହାରି ବ୍ୟକ୍ତିଗତ ଜୀବନ ବା ସାଧାରଣ ଅନୁଷ୍ଠାନ ପରିଚାଳିତ ନୋହିଲେ ତାହାର ପତନ ଘଟେ । ସେହି ନିୟମ ଅନୁସାରେ ମହାତ୍ମାଜୀ କଂଗ୍ରେସ ଅନୁଷ୍ଠାନକୁ ପରିଚାଳନା କରୁଥିଲେ । ଯୁଦ୍ଧବେଳେ ସାହାଯ୍ୟ ନ କଲେ ଇଂରେଜ ସରକାରଙ୍କର କଂଗ୍ରେସ ପ୍ରତିପକ୍ଷ ହେଲା । ପ୍ରତିପକ୍ଷ ଶାସନ କାର୍ଯ୍ୟରେ ସରକାରଙ୍କ ସଙ୍ଗେ ସହଯୋଗିତା କରିବା ଅସଙ୍ଗତ-। ଆମ ଦେଶର ରାଜନୀତିଜ୍ଞମାନେ ଏହି ନୀତିର ମର୍ମ ବୁଝନ୍ତି । କିନ୍ତୁ ସାଧାରଣ ଲୋକେ ବୁଝି ନ ପାରି ସରକାରଙ୍କ ସଙ୍ଗରେ ସହଯୋଗ କରୁ କରୁ ସୁବିଧା ଉଣ୍ଡି ତାହାଙ୍କର ବିରୁଦ୍ଧାଚରଣ କରିବା ଉଚିତ ବୋଲି ସେମାନେ ମତ ଦେଇ ଥାଆନ୍ତି ।

 

ଏହି ବର୍ଷ ମହାତ୍ମାଜୀ ଜିନ୍ନା ଓ ପଣ୍ଡିତ ନେହରୁଙ୍କ ସଙ୍ଗରେ ନଭେମ୍ବର ମାସର ୨ ତାରିଖରେ ହିନ୍ଦୁ ମୁସଲମାନ ଐକ୍ୟ ସମ୍ପର୍କରେ ଦିଲ୍ଲୀରେ ଅନେକ କଥା ଆଲୋଚନା କରିଥିଲେ । ୪ ତାରିଖରେ ଗୋଟିଏ ବିବୃତିରେ କହିଥିଲେ ଯେ–ଜିନ୍ନାଙ୍କୁ ତୁଷ୍ଟ କରିବା ଅସମ୍ଭବ । ଏହା କହିଥିଲେ ମଧ୍ୟ ଐକ୍ୟ ସାଧନ ସମ୍ପନ୍ଧରେ ସେ ବିଶ୍ୱାସ ହରାଇ ନ ଥିଲେ ଓ ସେ ସମ୍ବନ୍ଧରେ ଜୀବନର ଶେଷ ଦଶା ପର୍ଯ୍ୟନ୍ତ ସେ ଯତ୍ନ କରୁଥିଲେ । ଆଉ କିଛିକାଳ ନଶ୍ୱର ଦେହ ବହି ବଞ୍ଚି ରହିଥିଲେ ତାହାଙ୍କ ସ୍ୱପ୍ନ ବାସ୍ତବରେ ପରିଣତ ହୋଇ ପାରି ନ ଥାନ୍ତା ବୋଲି କେହି କେହି କହି ନ ପାରେ । ନଶ୍ୱର ଦେହ ତ୍ୟାଗ କଲେ ମଧ୍ୟ ତାହାଙ୍କ ଅବିନାଶୀ ଆତ୍ମା ଐକ୍ୟ ସ୍ଥାପନର ଯତ୍ନରୁ ବିରତ ହୋଇ ନାହିଁ ଓ ଅଳ୍ପଦିନ ମଧ୍ୟରେ ତାହାଙ୍କର ଚେଷ୍ଟା ଫଳବତୀ ହେବ ବୋଲି ଆମେ ମଧ୍ୟ ଆଶା କରୁଁ ।

 

୧୯୪୦ ସାଲର ଫେବୃଆରୀ ୨ ତାରିଖରେ ମହାତ୍ମାଜୀଙ୍କର କବୀନ୍ଦ୍ର ରବୀନ୍ଦ୍ରନାଥଙ୍କ ସଙ୍ଗେ ଶାନ୍ତି-ନିକେତନରେ ସାକ୍ଷାତ୍‌ ହୋଇଥିଲା । ପରସ୍ପରର ଅଗାଧ ସ୍ନେହ ଓ ଭକ୍ତି ଥିଲା । କବୀନ୍ଦ୍ର ଯେଉଁ ସତ୍ୟକୁ ଅନ୍ତରରେ ଉପଲବ୍ଧି କରୁଥିଲେ ଭାଷାରେ ତାହାକୁ ମୂର୍ତ୍ତିମନ୍ତ କରୁଥିଲେ । ମହତ୍ମାଜୀ ଅନ୍ତରର ସତ୍ୟକୁ କର୍ମରେ ମୂର୍ତ୍ତିମନ୍ତ କରୁଥିଲେ । ଏଣୁ ଉଭୟେ ସତ୍ୟର ସେବକ ଥିଲେ-। ପରସ୍ପର ଘନିଷ୍ଠତା ଜନ୍ମିବା ସ୍ୱାଭାବିକ । ହିଜିଳିର କାରା ଗୃହରେ ରାଜବନ୍ଦୀମାନଙ୍କ ଉପରେ ୧୯୩୧ ସାଲରେ କାରା ଗୃହର କର୍ତ୍ତୃପକ୍ଷ ଗୁଳି ବର୍ଷଣ କରିଥିଲେ । କବୀନ୍ଦ୍ର ଏହି ପାଶବିକ କାର୍ଯ୍ୟର ଘୋର ନିନ୍ଦା କରିଥିଲେ । ସେତେବେଳକୁ ମହାତ୍ମାଜୀ ବିଲାତରେ ଥିଲେ । କବୀନ୍ଦ୍ର ନିନ୍ଦା କରିଥିବାରୁ ପାଶବିକ କାଣ୍ଡର ଭୟାବହ ଚିତ୍ର ତାହାଙ୍କ ହୃଦୟରେ ଅନାୟାସରେ ଚିତ୍ରିତ ହୋଇଗଲା-। ସେଥିପାଇଁ ସେ କହିଥିଲେ ଯେ, ଯେଉଁ କାଣ୍ଡ ନିର୍ଜନତା ଭେଦ କରି କବୀନ୍ଦ୍ରଙ୍କ ଶାନ୍ତି ଭଙ୍ଗ କରି ପାରିଛି ତାହାର ଭୟାବହତା ସହଜରେ ଅନୁମେୟ । କବୀନ୍ଦ୍ରଙ୍କ ଶାନ୍ତି-ନିକେତନର ବିଶ୍ୱ-ଭାରତୀ ଅନୁଷ୍ଠାନର ଆର୍ଥିକ ସଂକଟ ଦୂର କରିବା ପାଇଁ ଦେଶବାସୀଙ୍କ ପ୍ରତି ଗୋଟିଏ ନିବେଦନ ମଧ୍ୟ ସେ ସମ୍ବାଦ-ପତ୍ରମାନଙ୍କରେ ପ୍ରକାଶ କରିଥିଲେ । ମହାତ୍ମାଜୀ କବି ନ ଥିଲେ । କିନ୍ତୁ ସତ୍ୟର ସେବକ ହୋଇଥିବାରୁ କବିର ଗୁଣ ବୁଝି ପାରିଥିଲେ ।

 

୧୯୪୦ ସାଲରେ ମାର୍ଚ୍ଚ ମାସରେ ରାମଗଡ଼ଠାରେ କଂଗ୍ରେସର ବୈଠକ ହେଉଥିଲା । ସେଠାରେ ୩ ତାରିଖରେ କଂଗ୍ରେସରେ ମହାତ୍ମାଜୀ ଗୋଟିଏ ବକ୍ତୃତା ଦେଇଥିଲେ । ୩୦ ତାରିଖରେ ହରିଜନ ପତ୍ରିକାରେ ଗୋଟିଏ ପ୍ରବନ୍ଧ ପ୍ରକାଶ କରିଥିଲେ । ଭାରତର ପ୍ରତ୍ୟେକ କଂଗ୍ରେସ କିମିଟିକୁ ସତ୍ୟାଗ୍ରହ କମିଟିରେ ପରିଣତ କରିବା ପାଇଁ ଉକ୍ତ ପ୍ରବନ୍ଧରେ ସେ ନିର୍ଦ୍ଦେଶ ଦେଇଥିଲେ । ସେଥି ସଙ୍ଗେ ସଙ୍ଗେ କେତେଗୁଡ଼ିଏ ସର୍ତ୍ତ ପାଳିବା ପାଇଁ ମଧ୍ୟ ସେ ନିର୍ଦ୍ଧାରଣ କରିଥିଲେ । ପ୍ରଥମ ସର୍ତ୍ତ ଏହି ଯେ, ଯେଉଁମାନେ ସତ୍ୟାଗ୍ରହୀ ହେବେ ସେମାନେ ପୂର୍ଣ୍ଣମାତ୍ରାରେ ଅହିଂସା ପରାୟଣ ହେବେ । ଦ୍ୱିତୀୟରେ ସତ୍ୟାଗ୍ରହୀମାନେ ଚରଖାରେ ସୂତା କାଟିବେ ଏବଂ ତୃତୀୟରେ ଜେଲଦଣ୍ଡ ଭୋଗିବା ପାଇଁ ସତ୍ୟାଗ୍ରହୀ ପ୍ରସ୍ତୁତ ରହିବ ।

 

କଂଗ୍ରେସର ୱାର୍ଦ୍ଧା ଓ ଦିଲ୍ଲୀ ପ୍ରସ୍ତାବ ଘେନି କଂଗ୍ରେସର କାର୍ଯ୍ୟନିର୍ବାହିକା ସମିତିର ଅନେକ ସଭ୍ୟଙ୍କର ୧୯୪୦ ସାଲରେ ମହାତ୍ମାଜୀଙ୍କ ସହିତ ମତଭେଦ ଘଟିଥିଲା । ବ୍ରିଟିଶ୍‍ ସରକାର କହୁଥିଲେ ଯେ, କଂଗ୍ରେସ ଅହିଂସା ନୀତି ଗ୍ରହଣ କରିଥିବାରୁ ଅନ୍ୟ ଜାତି ଆକ୍ରମଣ କଲେ କଂଗ୍ରେସ ଭାରତକୁ ରକ୍ଷା କରି ପାରିବ ନାହିଁ । ଏଣୁ ରାଜଗୋପାଳଚାରୀ ପ୍ରମୁଖ କେତେକ ନେତା କଂଗ୍ରେସର ନୂତନ ନୀତି ନିର୍ଦ୍ଧାରଣ କଲେ । ଏହି ନୀତି ଅନୁସାରେ ଆପଣା ଦେଶ ମଧ୍ୟରେ ଶାନ୍ତି ରକ୍ଷା ପାଇଁ ଅହିଂସା- ନୀତି ଅବଲମ୍ବନ କରିବାକୁ ହେବ ଓ ବହିରାକ୍ରମଣ ବେଳେ ଅସ୍ତ୍ର ଧାରଣ କରିବାକୁ ହେବ । ଏପରି ଅସାମଞ୍ଜସ୍ୟ ନୀତି ପସନ୍ଦ ନ କରିବାରୁ ମହାତ୍ମାଜୀଙ୍କୁ ଜୁନ୍‍ ମାସର ୨୧ ତାରିଖରେ କଂଗ୍ରେସରୁ ଅବ୍ୟାହତି ଦିଆ ହୋଇଥିଲା । ମହାତ୍ମାଜୀ ସ୍ୱାଧୀନ ଭାବରେ ନିଜର ମହାନ୍‌ ଆଦର୍ଶ ଅହିଂସା-ନୀତିରେ ଅନୁସରଣ କରିବା ପାଇଁ କଂଗ୍ରେସ ମଧ୍ୟ ସୁଯୋଗ ଦେଇଥିଲା ।

 

ଯେତେବେଳେ ମହାତ୍ମାଜୀ କଂଗ୍ରେସରୁ ଅବ୍ୟାହତି ପାଇଲେ ସେତେବେଳକୁ ଇଉରୋପର ଯୁଦ୍ଧରେ ଫ୍ରାନ୍ସର ପତନ ଘଟିଥିଲା । ଜାପାନ ଏସିଆ ମହାଦେଶରେ ବ୍ରିଟିଶ୍‍ ସାମ୍ରାଜ୍ୟ ଆକ୍ରମଣ କରିବାର ଆଶଙ୍କା ମଧ୍ୟ ଥାଏ । ଏଣୁ ଯୁଦ୍ଧକୁ ଭାରତର ସାହାଯ୍ୟ ବ୍ରିଟିଶ୍ ସରକାରଙ୍କର ଅତ୍ୟନ୍ତ ପ୍ରୟୋଜନୀୟ ହୋଇଥାଏ ଓ ସାହାଯ୍ୟ ମାଗୁ ଥାଆନ୍ତି । କିନ୍ତୁ ଭାରତର ସ୍ୱାଧୀନତାର ପ୍ରଶ୍ନ ଉଠିଲେ ଯୁଦ୍ଧ ଲାଗିଥିବା ବେଳେ ତାହା ବିଚାର କରିବାକୁ ଅବସର ନାହିଁ ବୋଲି କହିଲେ । ଜାପାନ ଆକ୍ରମଣର ଆଶଙ୍କା ଦେଖାଗଲାବେଳେ ଅହିଂସା-ନୀତିରେ ବହିରାକ୍ରମଣ ପ୍ରତିରୋଧ କରି ପାରିବ ନାହିଁ ବୋଲି କହିଲେ । ତେଣୁ କଂଗ୍ରେସ ନୀତି ବଦଳାଇଲା । ମହାତ୍ମାଜୀ ଅନ୍ୟ ଆପତ୍ତିର ଜବାବ ଦେଇଥିଲେ, ‘‘ଯୁଦ୍ଧବେଳେ ଭାରତର ସ୍ୱାଧୀନତା ମାଗି ସରକାରଙ୍କୁ ହଇରାଣ କରିବାକୁ ଆମର ଆଦୌ ଇଚ୍ଛା ନାହିଁ, ଯୁଦ୍ଧ ଉତ୍ତାରୁ କେତେ ବର୍ଷରେ ଭାରତକୁ ସ୍ୱାଧୀନତା ଦିଆଯିବ ସେତିକି କହିଲେ ଯୁଦ୍ଧକୁ ସାହାଯ୍ୟ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁଁ ।’’ ସ୍ୱାଧୀନତା ଦେବା ପାଇଁ ଇଚ୍ଛା ନ ଥିବାରୁ କେତେବର୍ଷ ଉତ୍ତାରେ ଦେବେ ତାହା ସରକାର କହନ୍ତି ନାହିଁ, ଦେଶର ନେତାମାନେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ନୋହିଲେ ପେଟ- ବିକଳରେ ଯେଉଁ ଭାରତୀୟ ଯୁଦ୍ଧରେ ଯୋଗ ଦେବ, ସେ ଜୀବନ ପଣ କରି ଯୁଦ୍ଧ କରିବ ନାହିଁ, ଏ କଥା ବ୍ରିଟିଶ୍‍ ସରକାରଙ୍କୁ ଜଣା ଥାଏ । ଏଣୁ ୧୯୪୦ ସାଲର ଅଗଷ୍ଟ ମାସରେ ବଡ଼ଲାଟଙ୍କ କାର୍ଯ୍ୟନିର୍ବାହିକା ଶାସନ-ସଭାରେ କେତେ ଜଣ ଭାରତୀୟଙ୍କୁ ସ୍ଥାନ ଦେଇ ଭାରତୀୟମାନଙ୍କ ମନ ଭୁଲାଇବା ପାଇଁ ସରକାର ଏକ ଘୋଷଣା କରିଥିଲେ ! ପୂର୍ବୋକ୍ତ ଦିଲ୍ଲୀ ସଭାରେ କଂଗ୍ରେସ ଘୋଷଣା କରିଥିଲା ଯେ, ବ୍ରିଟିଶ୍‍ ସରକାର ପୂର୍ଣ୍ଣ ସ୍ୱାଧୀନତାର ଯଦି ପ୍ରତିଶ୍ରୁତି ଦିଅନ୍ତି ଓ ତଦନୁଯାୟୀ ବ୍ୟବସ୍ଥା କରନ୍ତି ତେବେ କଂଗ୍ରେସ କେନ୍ଦ୍ରରେ ଓ ପ୍ରଦେଶରେ ଦେଶ-ରକ୍ଷାର ଦାୟିତ୍ୱ ଗ୍ରହଣ କରିବ ଏବଂ ଦେଶର ଆଭ୍ୟନ୍ତରୀଣ ଶାନ୍ତିର ବ୍ୟବସ୍ଥା କରିବ । ଜୁଲାଇ ମାସର ୨୮ ତାରିଖ ପୁନାରେ ନିଖିଳ ଭାରତ ରାଷ୍ଟ୍ରୀୟ ସମିତିର ଅଧିବେଶନରେ ଦିଲ୍ଲୀର ଉକ୍ତ ଘୋଷଣା ଅନୁମୋଦିତ ହୋଇଥିଲା । କିନ୍ତୁ ସରକାରଙ୍କ ଅଗଷ୍ଟ ଘୋଷଣାରେ ତାହାଙ୍କ ମନୋଭାବ ସ୍ପଷ୍ଟରୂପେ ପ୍ରକାଶ ପାଇବାରୁ ସେପ୍ଟେମ୍ବର ମାସର ୧୫ ତାରିଖ ବୋମ୍ବେଇରେ ନିଖିଳ ଭାରତ ରାଷ୍ଟ୍ର ସମିତିର ଅଧିବେଶନରେ କଂଗ୍ରେସର ଦିଲ୍ଲୀ ଘୋଷଣାକୁ ସମାଧିସ୍ଥ କରାଗଲା । ଏଣୁ ମହାତ୍ମାଜୀ ପୁଣି କଂଗ୍ରେସର ନେତୃତ୍ୱ ଗ୍ରହଣ କଲେ-

 

୧୯୪୦ ସାଲର ଅକ୍ଟୋବର ୧୩ ତାରିଖରେ କଂଗ୍ରେସର କାର୍ଯ୍ୟନିର୍ବାହିକା ସମିତିର ବୈଠକ ୱାର୍ଦ୍ଧାଠାରେ ବସିଥିଲା । ସେତେବେଳେ ସରକାର ଭାରତରୁ ଯୁଦ୍ଧ ପାଇଁ ଅର୍ଥ ଓ ସୈନ୍ୟ ସଂଗ୍ରହ କରୁଥିଲେ । ଏହାର ବିରୁଦ୍ଧରେ ପ୍ରଚାର କାର୍ଯ୍ୟ ଚଳାଇବାକୁ ସତ୍ୟାଗ୍ରହ ଚଳାଇବାର ସିଦ୍ଧାନ୍ତ କଂଗ୍ରେସରେ ହେଲା । କିନ୍ତୁ ଏହି ସତ୍ୟାଗ୍ରହକୁ ବ୍ୟାପକ ନ କରି ବ୍ୟକ୍ତିଗତ କରିବାକୁ ମହାତ୍ମାଜୀ ନିର୍ଦ୍ଦେଶ ଦେଲେ । ଜଣେ ଜଣେ ସତ୍ୟାଗ୍ରହୀ ବୁଲି ବୁଲି ଯୁଦ୍ଧକୁ କୌଣସିପ୍ରକାର ସାହାଯ୍ୟ ନ ଦେବାପାଇଁ ପ୍ରଚାର କଲେ । ସରକାର ଏହାକୁ ମଧ୍ୟ ବେ-ଆଇନ ଘୋଷଣା କରି ପ୍ରଚାରକମାନଙ୍କୁ ବନ୍ଦୀ କରିଥିଲେ । ମହାତ୍ମାଜୀ ନିଜେ ଯାହାକୁ ବାଛୁଥିଲେ ସେ ଏପରି ପ୍ରଚାର କାର୍ଯ୍ୟ କରି ବନ୍ଦୀ ହେଉଥିଲା । ପ୍ରଥମେ ସେ ଶ୍ରୀଯୁକ୍ତ ଭିନୋବା ବାଭେଙ୍କୁ ବାଛିଥିଲେ । ଏହି ଭିନୋବା ବାଭେ ୧୭ ତାରିଖରେ ଯୁଦ୍ଧ ବିରୋଧୀ ବକ୍ତୃତା ଦେଇ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାହାଙ୍କ ପଛେ ପଛେ କଂଗ୍ରେସର ଅନେକ ସଦସ୍ୟ ଯୁଦ୍ଧ ବିରୋଧୀ ବକ୍ତୃତା ଦେଇ ଦଣ୍ଡିତ ହେଲେ । ଏଣୁ ଭାରତର କେନ୍ଦ୍ର ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ସଦସ୍ୟମାନେ ଯୁଦ୍ଧ ବିରୁଦ୍ଧରେ ନିଜ ନିଜ ଅଭିମତ ପ୍ରକାଶ କରିଥିଲେ । ଏହାଦ୍ୱାରା ସମଗ୍ର ବିଶ୍ୱ ନିକଟରେ ଭାରତ ଯୁଦ୍ଧ ବିରୋଧୀ ବୋଲି ପ୍ରମାଣିତ ହୁଏ ।

 

୧୯୪୧ ସାଲର ଡିସେମ୍ବର ମାସରେ ଆମେରିକା ଓ ବ୍ରିଟିଶ୍‍ ସରକରଙ୍କ ବିରୁଦ୍ଧରେ ଜାପାନ ଯୁଦ୍ଧ ଘୋଷଣା କଲା । ଏଣୁ ଭାରତ-ସରକାର ବନ୍ଦୀ ସତ୍ୟାଗ୍ରହୀମାନଙ୍କୁ ମୁକ୍ତି ଦେଲେ । ଡିସେମ୍ବର ମାସର ୩୦ ତାରିଖରେ ବାଦ୍ଦୋଳାଠାରେ କଂଗ୍ରେସର କାର୍ଯ୍ୟନିର୍ବାହିକା ସମିତିର ଅଧିବେଶନ ବସିଥିଲା । ତହିଁରେ ମହାତ୍ମାଜୀଙ୍କୁ କଂଗ୍ରେସର ନେତୃତ୍ୱ ଅର୍ପଣ କରାଗଲା ।

 

୧୯୪୨ ସାଲ ଭାରତର ଇତିହାସରେ ଗୋଟିଏ ମହାସ୍ମରଣୀୟ ବର୍ଷ । ଇଉରୋପର ରଣ କ୍ଷେତ୍ରରେ ଜର୍ମାନୀ ସାଫଲ୍ୟମଣ୍ଡିତ ହେବା ସଙ୍ଗେ ସଙ୍ଗେ ଜାପାନ ସିଂଘାପୁର ଦଖଲ କରି ବର୍ମା ଭିତରକୁ ବିଜୟ ଅଭିଯାନ ଚଳାଇଥିଲା । ବ୍ରିଟିଶ୍‍ ଶକ୍ତି ସେତେବେଳେ ଟଳଟଳ ଅବସ୍ଥାରେ ପହଞ୍ଚିଲା । ଜାପାନ ପ୍ରଶାନ୍ତ ମହାସାଗରର ସମଗ୍ର ନୌ ଘାଟି କରତଳଗତ କରିଥିଲା । ବ୍ରିଟିଶ୍‍ ସରକାର ପ୍ରମାଦ ଗଣିଲେ । ଭାରତକୁ ରକ୍ଷା ନ କଲେ ତାହାଙ୍କ ଦେଶର ଭୋଗ ବିଳାସର ନିଦର୍ଶନ ରହିବ ନାହିଁ ବୋଲି ସେ ବୁଝି ପାରିଥିଲେ । ଏଣୁ ଯୁଦ୍ଧବେଳେ ଭାରତରୁ ଇଂରେଜ-ବିଦ୍ୱେଷ ବିଦୂରିତ ନୋହିଲେ ଭାରତ-ରକ୍ଷା କଠିନ ମଣି ଧୂର୍ତ୍ତ ନୀତି ଅବଲମ୍ବନ କରିବାକୁ ବାଧ୍ୟ ହୋଇଥିଲେ । ଭାରତୀୟମାନଙ୍କ ଚକ୍ଷୁରେ ଧୂଳି ପକାଇବା ନିମନ୍ତେ ଷ୍ଟାପୋର୍ଡ଼ କ୍ରିପ୍‌ସ ସାହେବଙ୍କ ହାତରେ ଶାସନ-ସଂସ୍କାରର କେତେଗୁଡ଼ିଏ ପ୍ରସ୍ତାବ ପଠାଇଲେ । ଏଥିପୂର୍ବରୁ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ଓ ଆମେରିକା ଯୁକ୍ତରାଷ୍ଟ୍ରର ସଭାପତି ମିଳି ଆଟଲାଣ୍ଟିକ ମହାସାଗରର ଜାହାଜରେ ରହି ଆଟଲାଣ୍ଟିକ ସନନ୍ଦ ପରିକଳ୍ପନା କରିଥିଲେ । ତହିଁରେ ଭାରତର ନାମଗନ୍ଧ ନ ଥିଲା । ଏହା ଭାରତ ପ୍ରତି ପ୍ରଯୋଜ୍ୟ କି ନା, ପ୍ରଶ୍ନ ଉଠିବାରୁ ପରାଧୀନ ଭାରତ ପ୍ରତି ଏହା ପ୍ରଯୋଜ୍ୟ ନୁହେଁ ବୋଲି ଚର୍ଚ୍ଚିଲ ସାହେବ କହିଥିଲେ । ପରିଶେଷରେ ଏପରି ସନନ୍ଦର କୌଣସି ଅସ୍ତିତ୍ୱ ନାହିଁ ବୋଲି ମଧ୍ୟ କୁହା ଯାଇଥିଲା । ବର୍ତ୍ତମାନ କ୍ରିପ୍‌ସ ସାହେବଙ୍କ ମହାକାଳ ଦେଖି କୌଣସି କୌଣସି ଭାରତୀୟ ମୁଗ୍ଧ ହୋଇ ଯାଇଥିଲେ । କିନ୍ତୁ ମହାତ୍ମାଜୀଙ୍କ ନେତୃତ୍ୱରେ କଂଗ୍ରେସର ଶୈଶବ ଅବସ୍ଥା ନ ଥିବାରୁ ତାହାର ସଦସ୍ୟମାନେ ତହିଁରେ ମୁଗ୍ଧ ହେଲେ ନାହିଁ । କ୍ରିପ୍‌ସ ସାହେବ ନିରାଶରେ ବାହୁଡ଼ିଲେ । ଜାପାନ ଦ୍ୱାର ମୁହଁରେ ଗୋଇଠା ମାରୁଥିବାରୁ ଭାରତ କ୍ରିପ୍‌ସ ପ୍ରସ୍ତାବ ଗ୍ରହଣ କଲା ନାହିଁ ବୋଲି ଚର୍ଚ୍ଚିଲ ସାହେବ କହିଲେ । ହିନ୍ଦୁ ମୁସଲମାନ ବିବାଦ ଭାରତର ସ୍ୱାଧୀନତା ପକ୍ଷରେ ଅନ୍ତରାୟ ବୋଲି ସରକାର କହୁଥିଲେ, ଜିନ୍ନା ମଧ୍ୟ ଭାରତରେ ମୁସଲମାନମାନଙ୍କ ପାଇଁ ୧୯୪୦ ସାଲରୁ ପାକିସ୍ଥାନ ଦାବି କରି ବସିଥିଲେ । କ୍ରିପସ୍‌ ସାହେବ ଚାଲିଯିବା ଉତ୍ତାରେ ମହାତ୍ମାଜୀ ନିଜର ହରିଜନ ପତ୍ରିକାରେ ଇଂରେଜ ସରକାରଙ୍କୁ ଗୋଟିଏ ସୁନ୍ଦର ପରାମର୍ଶ ଦେଲେ । ହିନ୍ଦୁ ମୁସଲମାନ ବିବାଦ ପାଇଁ ସରକାରଙ୍କର ମୁଣ୍ଡ ବଥାଇବାର ପ୍ରୟୋଜନ ନ ଥିଲା । ଭାରତକୁ ସ୍ୱାଧୀନତା ଦେଲା ଉତ୍ତାରୁ ଭାରତୀୟମାନେ ଆପଣା ଘର କଳି ନିଜେ ନିଜେ ତୁଟାଇ ପାରନ୍ତେ । ସରକାର ହିନ୍ଦୁ ମୁସଲମାନ ଉଭୟଙ୍କ ହାତରେ ଶାସନ-ଭାର ଛାଡ଼ିବାର ବାଟ ପାଉ ନ ଥିଲେ । କୌଣସି ଗୋଟିଏ ସମ୍ପ୍ରଦାୟ ହାତରେ ଭାରତର ଶାସନ ଭାର ଛାଡ଼ି ଦେଲେ ମଧ୍ୟ ଭାରତ ସନ୍ତୁଷ୍ଟ ରହନ୍ତା । ମୁସଲମାନମାନଙ୍କ ହାତରେ ଭାରତର ଶାସନ-ଭାର ଅର୍ପଣ କରି ‘‘ତୁମେ ଭାରତ ଛାଡ଼ି ପଳାଅ’’ ବୋଲି ମହାତ୍ମାଜୀ ଇଂରେଜ ସରକାରଙ୍କୁ ପରାମର୍ଶ ଦେଲେ । ତଥାପି ଇଂରେଜ ସରକାରଙ୍କୁ ସୁବୁଦ୍ଧି ଦିଶିଲା ନାହିଁ । ଯାହା ହେଉ, କିପରି ବିଚକ୍ଷଣତାର ସହିତ ସରକାରଙ୍କ ଆପତ୍ତିକୁ ମହାତ୍ମାଜୀ କାଟୁଥିଲେ ତାହା ଅନୁଧ୍ୟାନ କରିବା ଉଚିତ । ଯେଉଁ ଦେଶରେ ସରକାର ଯେତେ ଅନ୍ୟାୟ କଲେ ମଧ୍ୟ ତାହାକୁ ସମାଲୋଚନା କରିବା ପାଇଁ ପଚାଶବର୍ଷ ତଳେ କାହାରି ସାହସ ବଳୁ ନ ଥିଲା । ସେ ଦେଶରେ ଭାରତ ଛାଡ଼ ବୋଲି ସରକାରଙ୍କୁ କହିବା ଆଶ୍ଚର୍ଯ୍ୟରେ ବିଷୟ ନୁହେଁ କି ?

 

କବିବର ରାଧାନାଥ ଲେଖି ଅଛନ୍ତି :–

 

‘‘କିବା ଦୁଃଖୀରଙ୍କୀ କି କୋଟିପତିଏ

ଲାଲପଗଡ଼ିକି ନ ଡରନ୍ତି କିଏ ?’’

 

ଏ ଦେଶରେ ଲୋକେ ଲାଲପଗଡ଼ି ପିନ୍ଧୁଥିବା ସିପାହିକୁ ମଧ୍ୟ ଡରୁଥିଲେ, ସରକାରଙ୍କୁ ଡରିବା ବିଚିତ୍ର କଥା ନୁହେଁ । ମହାତ୍ମାଜୀଙ୍କ ନେତୃତ୍ୱରେ କଂଗ୍ରେସର ଆନ୍ଦୋଳନର ଲୋକଙ୍କ ହୃଦୟରୁ ସରକାରଙ୍କ ପ୍ରତି ସଞ୍ଚିତ ଭୟ କ୍ରମଶଃ ବିଦୂରିତ କରିଥିଲା, ଏ ବିଷୟରେ କେହି ତିଳେମାତ୍ର ସନ୍ଦେହ କରିବେ ନାହିଁ ।

 

୧୯୪୨ ସାଲରେ ଅଗଷ୍ଟ ମାସ ୮ ତାରିଖରେ ଭାରତର ଜାତୀୟ କଂଗ୍ରେସ ମହାତ୍ମାଜୀଙ୍କର ‘‘ଭାରତ ଛାଡ଼’’ ଯୁଗାନ୍ତକାରୀ ପ୍ରସ୍ତାବକୁ ବୋମ୍ବେଇଠାରେ ଗ୍ରହଣ କରିଥିଲା । କଂଗ୍ରେସର ସେ ଦିନର ଅଧିବେଶନ ଭାରତ ଜାତୀୟ ଜୀବନର ଇତିହାସରେ ସୁବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବେ । ସେଦିନ ବୋମ୍ବେଇର ବୃଷ୍ଟି-ବିଧୌତ ଗୋୟାଲିଅର ଟ୍ୟାଙ୍କ ନାମକ ସ୍ଥାନରେ କଂଗ୍ରେସର ଶିବିର ସ୍ଥାପିତ ହୋଇଥିଲା । ବହିରାକ୍ରମଣର ଛଳନାରେ ନାନାବିଧ ଦମନ ଆଇନର ଜାଲରେ ଭାରତବାସୀଙ୍କୁ ସରକାର ଛନ୍ଦି ନିର୍ଜୀବ କରି ରଖିଥିଲେ । କିନ୍ତୁ କଂଗ୍ରେସର ବୀରମାନେ ଶିବିରରେ ରୁଣ୍ଡ ହୋଇ ଉତ୍ସାହ ଭରା ବଦନରେ ସେନାପତିଙ୍କ ରଣ ସଙ୍କେତକୁ ପ୍ରତୀକ୍ଷା କରୁଥିଲେ । ଭସ୍ମ ତଳେ ଲୁକ୍କାୟିତ ବହ୍ନିକଣା ଶୁଷ୍କ ତୃଣ ଗଦାରେ ପ୍ରବଳ ଶିଖା ବିସ୍ତାର କଲାଭଳି ଜୀର୍ଣ୍ଣଶୀର୍ଣ୍ଣ ବୃଦ୍ଧ ବ୍ୟକ୍ତିଙ୍କ ହୃଦୟରୁ ସତ୍ୟ ଯୁଦ୍ଧର ମୃଦୁ ଗମ୍ଭୀର ମନ୍ତ୍ର-ଧ୍ୱନି ପ୍ରସରିଲା । ସେ ଜଣାଇ ଦେଲେ ଯେ, ସଂଗ୍ରାମ ଆରମ୍ଭ କରିବା ପୂର୍ବରୁ ଆପୋଷ ନିଷ୍ପତ୍ତିର ଶେଷଚେଷ୍ଟା ହିସାବରେ ନିଜ ଅଭିମତ ବିଦେଶୀଶାସକଙ୍କ ପ୍ରତିନିଧିଙ୍କୁ ଜଣାଇ ଦେବେ । ସମବେତ ବୀରଗଣ ‘‘ଏହା ଯଥାର୍ଥ’’ କହି ନିଜ ନିଜ ଆଶ୍ରୟ-ସ୍ଥାନକୁ ଗଭୀର ନିଶୀଥରେ ପ୍ରତ୍ୟାବର୍ତ୍ତନ କରିଥିଲେ । ଯେଉଁ ବୋମ୍ବେଇରେ କଂଗ୍ରେସର ଜନ୍ମ ଲଭିଥିଲା ସେହି ବୋମ୍ବେଇରେ ଆଜି କଂଗ୍ରେସର ଚରମ ବିକାଶ ଘଟିଲା । ଅଦୂରରେ ସାଗରର ଗର୍ଜନ ପର ପୀଡ଼ିତ ବିକ୍ଷୁବ୍ଧ ଭାରତର ମର୍ମବେଦନାର ସଙ୍ଗୀତ ଗାଉଥିଲା । ତାହାର ତରଙ୍ଗ-ଧ୍ୱନିରେ ଦୂର ଅତୀତର କରୁଣ-କାହାଣୀ ଜଣାଇ ଦେଉଥିଲା ପରା ! ଶାସକର ନାଗଫାଶ ବନ୍ଧନ ଭାରତ ପ୍ରତି ଦୃଢ଼ତର ହେଉଅଛି । ତାହାରି ସଙ୍ଗେ ତାଳ ରଖି ମୁକ୍ତି ସଂଗ୍ରାମ ଭୀଷଣତର ହେଉଅଛି । ଶକ୍ତିମାନର ଭ୍ରୂକୁଟିକୁ ତୁଚ୍ଛକରି ଚାଲିଛି-ଅହିଂସାର ଅବତାର ଓ ତାହାଙ୍କ ଅନୁଚର ବୃନ୍ଦଙ୍କର ଅଗ୍ରଗତି । ଆଜି ଭାରତମାତାର ଦୁର୍ବିଷହ ପାପର ଭାର ମୁଣ୍ଡରୁ ଉତ୍ତାରି ବିଶ୍ୱର ପ୍ରତ୍ୟେକ ମାନବ ଜାତିର ସମକ୍ଷରେ ଆତ୍ମମର୍ଯ୍ୟାଦା ରକ୍ଷା କରି ମୁଣ୍ଡଟେକି ଭାରତବାସୀ ଚାଲିବାର ପଥ କଂଗ୍ରେସ ଅଧିକାର କରିବ । ଏଣୁ ୧୯୪୨ ସାଲର ଅଗଷ୍ଟ ୮ ତାରିଖ ଦିନଟି ସ୍ମୃତି-ପଟରୁ ପୋଛିବା ପାଇଁ କେହି ସମର୍ଥ ହେବେ ନାହିଁ ।

 

କ୍ରିପସ୍‌ ସାହେବଙ୍କ ପ୍ରସ୍ତାବ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଥିବାରୁ କଂଗ୍ରେସ ପ୍ରତି ବ୍ରିଟିଶ୍‌ ଜାତି କ୍ରୁଦ୍ଧ ହୋଇ ପଡ଼ିଥିଲେ । ପୁଣି ମହାତ୍ମାଜୀଙ୍କ ଅହିଂସା-ଦଂଶନର ମର୍ମନ୍ତୁଦଜ୍ଜ୍ୱାଳା ସମ୍ବନ୍ଧରେ ପୂର୍ବରୁ ତାହାଙ୍କର ଅନୁଭୂତି ଥିଲା । ମହାତ୍ମାଜୀଙ୍କ ଆପୋସ-ନିଷ୍ପତ୍ତିର ପ୍ରସ୍ତାବ-ପତ୍ର ପହଞ୍ଚିବା ପୂର୍ବରୁ ଶାସକମାନେ ଧୈର୍ଯ୍ୟ ହରାଇ ବିଚଳିତ ହୋଇ ପଡ଼ିଥିଲେ । ଏଣୁ ଅଗଷ୍ଟ ୯ ତାରିଖରେ ସୂର୍ଯ୍ୟୋଦୟ ପୂର୍ବରୁ ନେତାମାନଙ୍କୁ ସେମାନେ ବନ୍ଦୀକରି ପକାଇ ଥିଲେ । ବନ୍ଦୀ ହେବା ବେଳେ ‘‘କରେଙ୍ଗେ ଇୟେ ମରେଙ୍ଗେ’’ ମନ୍ତ୍ରଟି (ମନ୍ତ୍ରଂ ସାଧୟେତ୍‌ ବା ଶରୀରଂ ପାତୟେତ୍‌ ଅର୍ଥାତ୍ କରିବି ବା ମରିବି) ମହାତ୍ମାଜୀ ଦେଶବାସୀଙ୍କୁ ଦେଇ ଗଲେ । ଖାଇବରଠାରୁ ମଣିପୁର ପର୍ଯ୍ୟନ୍ତ ବ୍ୟାପିଥିବା ହିମାଳୟର ପାଦ ଦେଶରୁ ଆରମ୍ଭ କରି କୁମାରିକା ପର୍ଯ୍ୟନ୍ତ ସମଗ୍ର ଭାରତରେ ପବନର ଝଙ୍କାରରେ ଏହି ମନ୍ତ୍ରଟି ଗର୍ଜି ଉଠିଲା । ଦେଶର ଜନସାଧାରଣ ପାଗଳ ପରି ମାତି ଉଠିଲେ । କଂଗ୍ରେସୀ, ସମାଜତନ୍ତ୍ରୀ, ପ୍ରଗତିବାଦୀ, ବିପ୍ଳବୀ ପ୍ରଭୃତି ଏକ ସ୍ୱରରେ ମନ୍ତ୍ର ଉଚ୍ଚାରଣ କଲେ । ଯାହାକୁ ଯେପରି ଦିଶିଲା ସେ ସେପରି ସଂଗ୍ରାମ ଚଳାଇଲା । ପ୍ରତ୍ୟେକେ ନିଜେ ନିଜେ ସୈନିକ ଓ ସେନାପତି । ଏହି ସଂଗ୍ରାମର ବିବରଣ ଉଲ୍ଲେଖ କରିବାର ଉପଯୁକ୍ତ ସ୍ଥାନ ଏଠାରେ ନାହିଁ । ସମସ୍ତେ ଜାଣନ୍ତି ଯେ, ଏହି ସଂଗ୍ରାମ ସରକାରଙ୍କୁ ବଡ଼ ବ୍ୟତିବ୍ୟସ୍ତ କରି ପକାଇଥିଲା । ସରକାରଙ୍କ ଚୂଡ଼ାନ୍ତ ସୈନ୍ୟ ଓ ଅସ୍ତ୍ରବଳ ସତ୍ତ୍ୱେ ମହାତ୍ମାଜୀ ୧୯୪୪ ସାଲର ମେ ୬ ତାରିଖରେ ମୁକ୍ତିଲାଭ କରି ବିପ୍ଳବ ସ୍ଥଗିତ କରିବା ପାଇଁ ନିର୍ଦ୍ଦେଶ ଦେବା ପର୍ଯ୍ୟନ୍ତ ଭାରତର କେତେକ ଥାନାରେ ବ୍ରିଟିଶ୍‍ ଶାସନ ସମୂଳେ ନଷ୍ଟ ହୋଇଥିଲା । ଉଡ଼ାଜାହାଜରେ ଆକାଶରୁ ଗୁଳି ବର୍ଷଣ କରି ଓ ଭାରତୀୟ ଲଳନାଙ୍କର ମାନମର୍ଯ୍ୟାଦା ନଷ୍ଟକରି ମଧ୍ୟ ବିପ୍ଳବ-ନିବାରଣରେ ସରକାର ସମର୍ଥ ହେଲେ ନାହିଁ । ଲୋକେ ମନୁଷ୍ୟ-ରଚିତ କୃତ୍ରିମ ଆଇନ ଭଙ୍ଗ କରୁଥିଲେ । ସରକାର ଈଶ୍ୱର-ନିର୍ଦ୍ଦେଶିତ ପବିତ୍ର ନିୟମ ଭଙ୍ଗ କରୁଥିଲେ । ରେ ଅଧମ ମାନବ ! ସ୍ୱାର୍ଥ-ବୁଦ୍ଧିରେ ତୁ କାହାକୁ କ୍ଷୁଦ୍ର ମଣ ନା । ପ୍ରତ୍ୟେକ ମନୁଷ୍ୟଠାରେ ଈଶ୍ୱରଙ୍କର ମହତୀ ଶକ୍ତିର ସମାବେଶ ଘଟିଅଛି । ସେ ଶକ୍ତି ସାଧନା ବଳରେ ଉଦ୍‌ବୁଦ୍ଧ ହେଲେ ପ୍ରଳୟର ଉତ୍ତାଳ-ତରଙ୍ଗର ଅଗ୍ରଗତିକୁ ଯେ କୌଣସି କ୍ଷୁଦ୍ର ଜୀବ ପ୍ରତିରୋଧ କରିପାରେ । ମାନବ ! ଜାଣି ଶୁଣି ତୁ ଅହଙ୍କାରରେ ଉନ୍ମତ୍ତ ହୋଇ ଅପରକୁ ତୁଚ୍ଛ ମଣୁ କାହିଁକି ? ଈଶ୍ୱର-ଭକ୍ତିର ଅଭାବରେ ସିନା !

 

ବ୍ରିଟିଶ୍‍ ସରକାର ଭାରତବାସୀଙ୍କ ପିଠିରେ ଓ ମନରେ ଆଘାତ ବସାଇ ସନ୍ତୁଷ୍ଟ ନ ଥିଲେ । ସେମାନଙ୍କ ପେଟକୁ ମଧ୍ୟ ମାରିଥିଲେ । ଦେଶର ସମସ୍ତ ଧାନ ଚାଉଳ ନିଜ ଭଣ୍ଡାରକୁ ନେଇ ଖାଦ୍ୟର ଅନାଟନ ମଧ୍ୟ ସୃଷ୍ଟି କରିଥିଲେ । ଲକ୍ଷ ଲକ୍ଷ ଲୋକଙ୍କର ପ୍ରାଣନାଶ ଘଟିଥିଲା । ତଥାପି ଝଡ଼ ତୋଫାନର ପର ମୁହୂର୍ତ୍ତରେ ନିର୍ମଳ ଆକାଶରେ ରମଣୀୟ ସୂର୍ଯ୍ୟ-ରଶ୍ମି ଉପଭୋଗ କରିବାର ଆଶା ବହି ଭାରତ ବଞ୍ଚି ରହିଥିଲା ।

 

୧୯୪୩ ସାଲର ଫେବୃଆରୀ ୧୦ ତାରିଖରେ ମହାତ୍ମାଜୀ ପୁନାର ବନ୍ଦୀଶାଳାରେ (ଆଗା ଖାଁ ପ୍ରାସାଦରେ) ଅନଶନ ଆରମ୍ଭ କରିଥିଲେ । ଏହି ସମୟରେ କେତେକ ସର୍ତ୍ତରେ ତାହାଙ୍କୁ ମୁକ୍ତି ଦେବା ପାଇଁ ଭାରତ ସରକାର ପ୍ରସ୍ତାବ କଲେ । ମାତ୍ର ମହାତ୍ମାଜୀ ତାହା ପ୍ରତ୍ୟାଖ୍ୟାନ କଲେ । ଅତଃପର ମାର୍ଚ୍ଚ ୩ ତାରିଖରେ ଏକୋଇଶ ଦିନ ବ୍ୟାପୀ ଅନଶନ କରିଥିଲେ । ମହାତ୍ମାଜୀ ହିଂସାମୂଳକ ବିପ୍ଳବ ସୃଷ୍ଟି କରିବା ପାଇଁ ଆୟୋଜନ କରୁଥିଲେ ବୋଲି ଭାରତ-ସରକାର ଅଭିଯୋଗ କରୁଥିଲେ । ଉପଯୁକ୍ତ ଅଦାଲତ ବସାଇ ଏହି ଅଭିଯୋଗରେ ଯଥାର୍ଥତା ବିଚାର କରିବା ନିମନ୍ତେ ଅନଶନ ଦ୍ୱାରା ସରକାରଙ୍କୁ ନିଜର ଦାବି ଜଣାଇ ଦେଇଥିଲେ । ୧୯୪୪ ସାଲର ଫେବୃଆରୀ ୨୨ ତାରିଖରେ ତାହାଙ୍କର ସହଧର୍ମିଣୀ ପୁନାର ପ୍ରାସାଦ କାରାରେ ପରଲୋକ ଗମନ କଲେ । ଏହି ଦିନଠାରୁ ଭାରତରେ ଇଂରେଜୀ ରାଜତ୍ୱର ଗତିପଥର ଇତିହାସ କ୍ରମଶଃ ଶିଥିଳ ହେବାକୁ ଲାଗିଲା ।

 

ଜାପାନର ବିଜୟ-ଅଭିଯାନ ପ୍ରତିହତ କରିବା ପାଇଁ ସିଙ୍ଘାପୁର ଠାରେ ଦୃଢ଼ ଦୁର୍ଗ ରଚନା କରି ତାହା ଶତ୍ରୁର ଦୁର୍ଭେଦ୍ୟ ଭାବି ଇଂରେଜ ସୈନ୍ୟବାହିନୀ ନିଶ୍ଚିନ୍ତ ଥିଲେ । ୧୯୪୨ ସାଲର ଫେବୃଆରୀ ୧୫ ତାରିଖରେ ଜାପାନର ପ୍ରଥମ ଆଘାତରେ ଏହି ଦୁର୍ଗ ଭାଙ୍ଗି ଯାଇଥିଲା । ଜାପାନ ନିକଟରେ ଅନେକ ଭାରତୀୟ ସୈନ୍ୟ ଆତ୍ମସମର୍ପଣ କରିଥିଲେ । ଜାପାନ ମୋହନ ସିଂହଙ୍କ ତତ୍ତ୍ୱାବଧାନରେ ଏହି ସୈନ୍ୟମାନଙ୍କୁ ରଖିଥିଲା । ଏହି ମୋହନ ସିଂହ ସେହି ସୈନ୍ୟମାନଙ୍କୁ ଘେନି ଭାରତୀୟ ଜାତୀୟବାହିନୀ ଗଠନ କରିଥିଲେ । ଭାରତର ସ୍ୱାଧୀନତା-ଲାଭ ପାଇଁ ଲଢ଼ିବା ଏହି ବାହିନୀର ଉଦ୍ଦେଶ୍ୟ ଥିଲା ।

 

ବଙ୍ଗ ବିପ୍ଳବର କର୍ମୀ ରାସବିହାରୀ ବୋଷ ଅନେକଦିନ ତଳୁ ଟୋକିଓରେ ଆଶ୍ରୟ ଗ୍ରହଣ କରିଥିଲେ । ତାହାଙ୍କ ପରାମର୍ଶ ଅନୁସାରେ ସିଙ୍ଘାପୁରର ବାହିନୀ ସୈନ୍ୟ ଓ ଜାପାନ ହାତରେ ବନ୍ଦୀ ମାଲୟ ପ୍ରଭୃତିର ସୈନ୍ୟମାନଙ୍କୁ ଘେନି ଆଜାଦ ହିନ୍ଦ୍ ଫୌଜ ନାମରେ ସୈନ୍ୟବାହିନୀ ଗଠିତ ହେଲା । କିନ୍ତୁ ରାସବିହାରୀ ବୋଷ ଓ ମୋହନ ସିଂହଙ୍କ ମଧ୍ୟରେ ମନୋମାଳିନ୍ୟ ଉପସ୍ଥିତ ହେଲା । ଜାପାନ ମୋହନ ସିଂହଙ୍କୁ ବନ୍ଦୀ କରିଥିଲା । ବନ୍ଦୀହେବା ପୂର୍ବରୁ ଛତ୍ରଭଙ୍ଗ ହେବା ନିମନ୍ତେ ମୋହନ ସିଂହ ଆଜାଦ ହିନ୍ଦ୍ ଫୌଜର ସୈନ୍ୟମାନଙ୍କୁ କହିଥିଲେ । ସେମାନେ ଛତ୍ରଭଙ୍ଗ ହେଲେ । ରାସବିହାରୀ ବୋଷ ସୈନ୍ୟ-ବାହିନୀ ପୁନର୍ଗଠନ କରିପାରିଲେ ନାହିଁ । ୧୯୪୩ ସାଲର ଜୁନ୍ ୨ ତାରିଖରେ ସୁଭାଷଚନ୍ଦ୍ର ବୋଷ ସିଂଘାପୁରଠାରେ ପହଞ୍ଚି ଥିଲେ । ୧୯୪୧ ସାଲର ଜାନୁଆରୀ ୨୬ ତାରିଖରେ ସୁଭାଷ ବାବୁ ଅକସ୍ମାତ୍ ତାଙ୍କର କଲିକତା ବାସ-ଭବନରୁ ଅଦୃଶ୍ୟ ହୋଇଥିଲେ । ସେତେବେଳେ ସରକାର ତାହାଙ୍କ ବିରୁଦ୍ଧରେ ଯୋଡ଼ିଏ ମାମଲା ଉପସ୍ଥାପିତ କରିଥିଲେ । ଶୁଣାଯାଏ, ଛଦ୍ମବେଶରେ ସେ ପେଶୱାର ବାଟେ ଯାଇ କାବୁଲରେ ପହଞ୍ଚି ସେଠାରୁ ଜର୍ମାନୀକୁ ଯାଇଥିଲେ । ଯାହା ହେଉ, ସୁଭାଷ ବାବୁ ସିଙ୍ଘାପୁରଠାରେ ପହଞ୍ଚି ଆଜାଦ ହିନ୍ଦ୍ ଫୌଜ ପୁନର୍ଗଠନ କରିଥିଲେ । ‘‘ଚଲୋ ଦିଲ୍ଲୀ’’ ମନ୍ତ୍ର ଗାଇ ସୁଭାଷ ବାବୁଙ୍କ ନିର୍ଦ୍ଦେଶ ଅନୁସାରେ ସୈନ୍ୟମାନେ ମଣିପୁରର ଅନେକସ୍ଥାନ ଅଧିକାର କରି ଭାରତର ଭିତରକୁ ପଶିବାକୁ ଚେଷ୍ଟା କଲେ । ଯେଉଁ ଭାରତୀୟ ସୈନ୍ୟ ଜାପାନ ନିକଟରେ ଆତ୍ମସମର୍ପଣ କରିଥିଲେ ସେମାନେ ମିତ୍ର ଶକ୍ତିକୁ ହଟାଇଲେ କିପରି ? ସେତେବେଳେ ଅନ୍ତରର ପ୍ରେରଣାରେ ଯୁଦ୍ଧ ନ କରି କେବଳ ହୁକୁମ ମାନି ଅସ୍ତ୍ର ଧରି ଛିଡ଼ା ହେଉଥିଲେ । ବର୍ତ୍ତମାନ ଜାତିର ସ୍ୱାଧୀନତା ଲାଭରେ ଆଶାରେ ପ୍ରାଣରେ ଉତ୍ସାହର ସଞ୍ଚାର ହୋଇଥିବାରୁ ସେମାନେ ଅସୀମ ଶକ୍ତି ଓ ସାହସରେ ବଳୀୟାନ୍ ହୋଇ ପଡ଼ିଥିଲେ । ଏଣୁ ବଳ ମନର ଅନ୍ତର୍ଗତ-ଶରୀରର ନୁହେଁ ।

 

ଆଜାଦ୍ ହିନ୍ଦ୍ ଫୌଜର ଅଗ୍ରଗତି ଦେଖି ଭାରତ ରକ୍ଷା ଅସମ୍ଭବ ମଣି ୧୯୪୪ ସାଲର ମେ ୬ ତାରିଖରେ ମହାତ୍ମାଜୀଙ୍କୁ ସରକାର ମୁକ୍ତି ଦେଲେ । ଏହା ଉତ୍ତାରେ ମହାତ୍ମାଜୀ ହିନ୍ଦୁ ମୁସଲମାନ ଐକ୍ୟ ସ୍ଥାପନ ପାଇଁ ପୁଣି ଜିନ୍ନାଙ୍କ ସଙ୍ଗେ ଆଲୋଚନା କରି ବ୍ୟର୍ଥକାମ ହେଲେ । ତତ୍ପରେ ୧୯୪୫ ସାଲରେ ଇଉରୋପ ମହାସମରର ଶାନ୍ତି ମେ ମାସରେ ଭାରତରେ ଘୋଷଣା କରା ଯାଇଥିଲା । ଜୁନ୍ ମାସରେ ସିମିଳାରେ ନେତୃ-ସମ୍ମିଳନୀ ବସିଥିଲା । ତହିଁରେ ଯୋଗଦେବା ପାଇଁ ବଡ଼ଲାଟ ୱାଭେଲ ମହାତ୍ମାଜୀଙ୍କୁ ଅନୁରୋଧ କରିଥିଲେ ଓ ସେ ଉକ୍ତ ସମ୍ମିଳନୀରେ ଯୋଗ ଦେଇଥିଲେ । କିନ୍ତୁ ପ୍ରତିକ୍ରିୟାଶୀଳ ଶକ୍ତିର ଚକ୍ରାନ୍ତରେ ତାହା ବ୍ୟର୍ଥ ହୋଇଥିଲା । ତତ୍ପରେ ମାସକ ଉତ୍ତାରେ ଜାପାନ ସହିତ ମିତ୍ର ଶକ୍ତିର ଯୁଦ୍ଧ ନିବୃତ୍ତ ଘୋଷଣା କରାଯାଏ । ଏହି ବର୍ଷ ଡିସେମ୍ବର-ମାସର ପହିଲା ତାରିଖରେ ମହାତ୍ମାଜୀ କଲିକତା ଆସିଥିଲେ । ସେଠାରେ ବଙ୍ଗଳାର ଲାଟ ଓ ଭାରତର ବଡ଼ଲାଟଙ୍କ ସଙ୍ଗେ ତାହାଙ୍କର ଦେଖା ହୋଇଥିଲା । ଏ ଭିତରେ ଅନ୍ୟାନ୍ୟ କଂଗ୍ରେସ କର୍ମୀମାନେ କାରାଦଣ୍ଡରୁ ମୁକ୍ତିଲାଭ କରିଥିଲେ ଏବଂ ବର୍ମା ଓ ମାଲୟରୁ ଧରାହୋଇ ଆସିଥିବା ଆଜାଦ୍ ହିନ୍ଦ୍ ଫୌଜର ସୈନିକଙ୍କର ବ୍ରିଟିଶ୍‍ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ଅପରାଧ ବିଚାର କରିବାର କଥା ହେଉଥାଏ । ଏ ସମ୍ବନ୍ଧରେ ସରକାର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହେବା ଫଳରେ ଗୁରୁତର ଅପରାଧୀ ଛଡ଼ା ଅନ୍ୟ ସୈନିକମାନେ ଖଲାସ ହେବା ସ୍ଥିର ହୋଇଗଲା । ଡିସେମ୍ବର ୧୮ ତାରିଖରେ ମହାତ୍ମାଜୀ ଶାନ୍ତି-ନିକେତନକୁ ଯାଇ ସେଠାରେ ଦୀନବନ୍ଧୁ ଆଣ୍ଡୃଜୁଙ୍କ ହାସପାତାଳର ଭିତ୍ତି-ପ୍ରସ୍ତର ସ୍ଥାପନ କରିଥିଲେ ।

 

୧୯୪୨ ସାଲର ଅଗଷ୍ଟ ଆନ୍ଦୋଳନ ମେଦିନୀପୁରରେ ଯେତେ ପ୍ରବଳ ହେଉଥିଲା, ସରକାରଙ୍କ ଦମନ- ଲୀଳା ତାହାଠାରୁ ଶତଗୁଣରେ ଭୀଷଣତର ହେଉଥିଲା । ତହିଁରେ ପୁଣି ଅକ୍ଟୋବର ମାସରେ ପ୍ରକୃତି ଦେବୀଙ୍କର ବାତ୍ୟା-ନୃତ୍ୟ ମେଦିନୀପୁରକୁ ଛାରଖାର କରି ପକାଇଥିଲା, ତଥାପି ସରକାରଙ୍କ ଶାସନତନ୍ତ୍ର ତମଲୁକ ଥାନାରେ ପୁନଃପ୍ରତିଷ୍ଠିତ ହୋଇ ପାରି ନ ଥିଲା । ମେଦିନୀପୁରର ଦୁର୍ଦ୍ଦଶା ଶୁଣି ୧୯୪୫ ସାଲର ଡିସେମ୍ବର ୨୫ ତାରିଖରେ ମହାତ୍ମାଜୀ କଲିକତାରୁ ମେଦିନୀପୁର ଭ୍ରମଣରେ ଯାତ୍ରା କରିଥିଲେ ।

 

କୌଣସି ସ୍ଥାନର ଲୋକଙ୍କର ଗୁରୁତର ଶୋଚନୀୟ ଦଶା ଶୁଣିଲେ ସେ ସ୍ଥାନକୁ ଯିବା ମହାତ୍ମାଜୀଙ୍କର ଅଭ୍ୟାସଗତ ହୋଇ ପଡ଼ିଥିଲା । ସେଠାରେ ପ୍ରାର୍ଥନା ସଭାର ଆୟୋଜନ କରି ଈଶ୍ୱରଙ୍କୁ ପ୍ରାର୍ଥନା କରୁ ଥିବାରୁ ଲୋକମାନଙ୍କର ମନରେ ବଡ଼ ଆଶ୍ୱାସନା ଜାତ ହେଉଥିଲା । ଈଶ୍ୱର-ପ୍ରାର୍ଥନା ମନର ଅଶାନ୍ତି ଦୂର କରିବାର ଯେ ଶ୍ରେଷ୍ଠତମ ଉପାୟ ତାହା ଅନୁଭବୀ ଛଡ଼ା ଅନ୍ୟ କେହି ବୁଝିବେ ନାହିଁ । ସେଥିପାଇଁ ପ୍ରାର୍ଥନାକୁ ମହାତ୍ମାଜୀ ମନୁଷ୍ୟର ଶ୍ରେଷ୍ଠତମ କର୍ତ୍ତବ୍ୟ ବୋଲି ପ୍ରାଚୀନ ଆର୍ଯ୍ୟ ଋଷିମାନଙ୍କ ପରି କହି ଅଛନ୍ତି । ଆମର ଦୁଃଖ ଦୂର କରିବା ପାଇଁ ନିଜେ କଷ୍ଟ ସହି ମହାତ୍ମାଜୀ ଅନ୍ୟ କେତେ କାର୍ଯ୍ୟ କରୁଥିଲେ । ସେ ସମସ୍ତ ଆମେ ପାସୋରି ଦେଇ ପାରୁ । କିନ୍ତୁ ଯେଉଁ ଈଶ୍ୱର-ପ୍ରାର୍ଥନା ସେ ଆମଙ୍କୁ ଦେଇ ଯାଇ ଅଛନ୍ତି ତାହାକୁ ପାସୋରିଲେ ଆମେ ସଦା ନରକ-ଯନ୍ତ୍ରଣା ଭୋଗୁ ଥିବୁ । ପ୍ରାର୍ଥନାଦ୍ୱାରା ମନୁଷ୍ୟର ଅହଙ୍କାର ଦୂର ହୋଇ ଆତ୍ମନିରୀକ୍ଷଣର ଶକ୍ତି ଜନ୍ମିଲେ ମନୁଷ୍ୟ ଶାନ୍ତି ସୁଖ ଭୋଗ କରିପାରେ । ଈଶ୍ୱରଙ୍କୁ ଧନଜନ ମାଗିବା ତାହାଙ୍କ ପ୍ରାର୍ଥନାର ଅର୍ଥ ନୁହେଁ । ଆମର ଜୀବନ- ନିୟନ୍ତା ରୂପେ ଅନ୍ୟ ଶକ୍ତି ଅଛି ବୋଲି ଚିନ୍ତାକରି ଅହଙ୍କାର ଦୂର କରିବା ତାହାଙ୍କ ପ୍ରାର୍ଥନାର ଅର୍ଥ ।

 

୧୯୪୬ ସାଲର ଜାନୁଆରୀ ୮ ତାରିଖରେ ମହାତ୍ମାଜୀ ଆସାମ ଭ୍ରମଣରେ କଲିକତାରୁ ଯାତ୍ରା କରିଥିଲେ । ୯ ତାରିଖରେ ଗୌହାଟୀରେ ଗୋଟିଏ ଜନସଭାରେ ସେ ବକ୍ତୃତା ଦେଇଥିଲେ । ଅଳ୍ପ କେତେ ମାସ ମଧ୍ୟରେ ଭାରତ ସ୍ୱାଧୀନତା ପାଇବ ବୋଲି ସେ ପ୍ରଥମେ ଏଠାରେ ପ୍ରକାଶ କରିଥିଲେ । ଏଥିରୁ ଜଣାଯାଏ, ଭାରତକୁ ସ୍ୱାଧୀନତା କେବେ ଦିଆ ଯିବ ତାହା ସରକାର ତାହାଙ୍କୁ କହି ଥିବାରୁ ସେ ବନ୍ଦୀଶାଳା ତ୍ୟାଗ କରିଥିଲେ । ନୋହିଲେ ୧୯୪୪ ସାଲରେ କଦାପି ସେ କାରା ତ୍ୟାଗ କରି ନ ଥାଆନ୍ତେ । ‘‘କରଙ୍ଗେ ଇୟେ ମରଙ୍ଗେ’’ ମନ୍ତ୍ର ଘେନି ଯେ ସାଧନା ଆରମ୍ଭ କରିଥିଲେ ସିଦ୍ଧି-ଲାଭ ପୂର୍ବରୁ ନିଶ୍ଚିନ୍ତ ରହିବା ତାହାଙ୍କ ପକ୍ଷରେ ଅସମ୍ଭବ ।

 

ଆସାମରୁ ଫେରି ଆସି ଜାନୁଆରୀ ୧୪ ତାରିଖରେ ମହାତ୍ମାଜୀ କଲିକତାର ସୋଦପୁର ଆଶ୍ରମରେ ପହଞ୍ଚି ଥିଲେ । ମାନ୍ଦ୍ରାଜରେ ଗୋଟିଏ ଶ୍ରମିକ ସଭାରେ ବକ୍ତୃତା ଦେବା ପାଇଁ ସୋଦପୁର ଠାରୁ ସେ ଫେବୃଆରୀ ପହିଲା ତାରିଖରେ ଯାତ୍ରା କରିଥିଲେ । ଏହା ଉତ୍ତାରେ କେନ୍ଦ୍ର ଓ ପ୍ରାଦେଶିକ ବ୍ୟବସ୍ଥାପକ ସଭାମାନଙ୍କୁ ସଭ୍ୟ ନିର୍ବାଚିତ ହୋଇଥିଲେ । ଏହି ନିର୍ବାଚନରେ କଂଗ୍ରେସ କର୍ମୀମାନେ ଆଶାନୁରୂପ ଜୟଲାଭ କରିଥିଲେ ।

 

ଇଉରୋପରେ ଶାନ୍ତି ସ୍ଥାପିତ ହେବା ସଙ୍ଗେ ସଙ୍ଗେ ବିଲାତରେ ପାର୍ଲିଆମେଣ୍ଟର ନୂତନ ସଭ୍ୟ ନିର୍ବାଚିତ ହୋଇଥିଲେ । ଅଧିକ ସଂଖ୍ୟାରେ ଶ୍ରମିକ ସଂଘର କର୍ମୀମାନେ ପାର୍ଲିଆମେଣ୍ଟର ସଭ୍ୟ ନିର୍ବାଚିତ ହେବାରୁ ସେଠାରେ ଶାସନ-ପରିଚାଳନାର ଭାର ଉକ୍ତ ସଭ୍ୟମାନଙ୍କ ହାତକୁ ଗଲା-। ଅଟଲି ସାହେବ ପ୍ରଧାନମନ୍ତ୍ରୀ ହେଲେ । ଭାରତର ରାଜନୈତିକ ସମସ୍ୟାର ସମାଧାନ ନିମନ୍ତେ ଲର୍ଡ ପେଥିକ ଲରେନ୍ସ ଓ ଷ୍ଟାପୋର୍ଡ କ୍ରିପ୍ସ ୧୯୪୬ ସାଲ ଅପ୍ରେଲ ମାସରେ ଭାରତକୁ ଆଗମନ କରିଥିଲେ । ନୂଆଦିଲ୍ଲୀଠାରେ କଂଗ୍ରେସ ଓ ମୁସଲମାନମାନଙ୍କ ଲିଗର ନେତାମାନଙ୍କ ସହିତ ଆଲୋଚନା କରି ଉଭୟ ଦଳର ପ୍ରତିନିଧିମାନେ ମିଶି କେନ୍ଦ୍ର ସରକାର କିପରି ଗଢ଼ି ଭାରତର ଭବିଷ୍ୟତ୍‍ ଶାସନ-ପଦ୍ଧତି ନିର୍ଦ୍ଧାରଣ କରିବେ ତହିଁର ପନ୍ଥା ପେଥିକ ଲରେନ୍ସ ଓ କ୍ରିପ୍ସ ଆବିଷ୍କାର କରୁଥିଲେ । ଏହାକୁ ଶାନ୍ତି ମିଶନ କହନ୍ତି । ସେତେବେଳେ ମହାତ୍ମାଜୀ ‘ହରିଜନ’ ପତ୍ରିକାରେ ଗୋଟିଏ ପ୍ରବନ୍ଧରେ ଲେଖିଥିଲେ ଯେ, ଏହି ମନ୍ତ୍ରୀ ମିଶନର ପ୍ରସ୍ତାବ ଘେନି ଭାରତବାସିମାନେ ଗର୍ବ ବୋଧ କରିପାରନ୍ତି । କାରଣ, ଏଥି ପୂର୍ବରୁ ଭାରତୀୟମାନଙ୍କ ମତ ନ ଲୋଡ଼ି ବ୍ରିଟିଶ୍ ସରକାର ଲଣ୍ଡନରେ ବସି ଭାରତର ଶାସନ ସଂସ୍କାରର ପ୍ରଣାଳୀ ନିରୂପଣ କରୁଥିଲେ । କଂଗ୍ରେସର ସଂଗ୍ରାମ-ଫଳରେ ତାହାଙ୍କର ମତିଗତି ଏବେ ବଦଳି ଯାଇଥିଲା । ମହାତ୍ମାଜୀ ଜୁନ୍ ମାସରେ ଉକ୍ତ ପତ୍ରିକାରେ ଆଉ ଗୋଟିଏ ପ୍ରବନ୍ଧ ପ୍ରକାଶ କରିଥିଲେ । ତୁହିଁରେ ଅବିଳମ୍ବେ ଭାରତରୁ ବ୍ରିଟିଶ୍ ସୈନ୍ୟ ଅପସାରଣ କରିବା ପାଇଁ ସେ ଦାବି କରିଥିଲେ ।

 

ଶାନ୍ତି ମିଶନ ଏକପ୍ରକାର ସଫଳକାମ ହୋଇଥିଲା । ହିନ୍ଦୁ ଓ ମୁସଲମାନ ମିଶି କେନ୍ଦ୍ର ସରକାର ଗଢ଼ା ହେବାର ସ୍ଥିର ହେଲା । କଂଗ୍ରେସ ଓ ଲିଗ୍ ଶାନ୍ତି ମିଶନର ପ୍ରସ୍ତାବରେ ରାଜି ହୋଇଗଲେ । କିଛିଦିନ ଉତ୍ତାରେ ଜିନ୍ନା ସାହେବ ନିଜର ଭ୍ରମ ବୁଝି ପାରିଥିଲେ । ସେ ଦାବି କରୁଥିବା ପାକିସ୍ଥାନ ଏ ପ୍ରସ୍ତାବରେ ଲାଭ କରିବାର ଆଶା ନ ଥିଲା । ଏଣୁ କେନ୍ଦ୍ର ସରକାରକୁ ନିଜ ଦଳରୁ ସଭ୍ୟ ପଠାଇବାକୁ ରାଜି ହେଲେ ନାହିଁ । କଂଗ୍ରେସ ତରଫରୁ ସଭ୍ୟ ନିର୍ବାଚିତ ହୋଇ ଅଗଷ୍ଟ ମାସରେ କେନ୍ଦ୍ର ସରକାର ଗଢ଼ା ହେଲା । ଜିନ୍ନା ସାହେବଙ୍କ ପାକିସ୍ଥାନ ଦାବିରେ କଲିକତାରେ ସାମ୍ପ୍ରଦାୟିକ ବିବାଦର ବୀଭତ୍ସ କାଣ୍ଡ ଘଟିଗଲା । ବଡ଼ଲାଟ ୱାଭେଲ ସାହେବ ଲିଗ୍ ସହିତ କଂଗ୍ରେସର ମିଳାମିଶାର ଚେଷ୍ଟା କଲେ । କଂଗ୍ରେସରୁ ପ୍ରେରିତ ସଭ୍ୟମାନଙ୍କ ଅସୁବିଧା ସୃଷ୍ଟି କରିବା ପାଇଁ କେତେ ଜଣ ସଭ୍ୟ ଲିଗ୍ ତରଫରୁ କେନ୍ଦ୍ର-ସରକାରକୁ ଗଲେ । ଭାରତରେ ସାମ୍ପ୍ରଦାୟିକ ହତ୍ୟାକାଣ୍ଡ ବଢ଼ିବାକୁ ଲାଗିଲା । ୧୯୪୬ ସାଲର ଅକ୍ଟୋବର ୧୦ ତାରିଖରେ ସାମ୍ପ୍ରଦାୟିକ ଦଙ୍ଗା ବଙ୍ଗ ପ୍ରଦେଶର ନୂଆଖାଲିରେ ଆରମ୍ଭ ହୋଇଥିଲା । କ୍ରମଶଃ ଏହା ଗୁରୁତର ଆକାର ଧାରଣ କରିଥିଲା । ନୂଆଖାଲିର ପରିସ୍ଥିତି-ସମ୍ବାଦ ପାଇ ମହାତ୍ମାଜୀ ବିଚଳିତ ହୋଇ ପଡ଼ିଥିଲେ । କେତେକ ମାସ ଉତ୍ତାରେ ଉପଦ୍ରୁତ ଅଞ୍ଚଳ ପରିଦର୍ଶନ କରିବା ଉଦ୍ଦେଶ୍ୟରେ ମହାତ୍ମାଜୀ ସୋଦପୁର ଆଶ୍ରମରେ ଆସି ପହଞ୍ଚି ଥିଲେ । ସେଠାରୁ ଏକ ସପ୍ତାହ ଉତ୍ତାରେ ନୂଆଖାଲି ଯାତ୍ରା କରିଥିଲେ । ବୃଦ୍ଧ ବୟସରେ ସେଠାରେ ପଦବ୍ରଜରେ ଗ୍ରାମ ଗ୍ରାମ ଘର ଘର ବୁଲି ଓ ପ୍ରାର୍ଥନା ସଭା ଅନୁଷ୍ଠାନ କରି ସେ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଯେପରି ଭାବରେ ସଖ୍ୟ ଓ ଶାନ୍ତି ପୁନଃ ପ୍ରତିଷ୍ଠା କରି ପାରିଥିଲେ ତାହା ଚିନ୍ତା କଲେ ତାହାଙ୍କ ଅସୀମ କ୍ଷମତାର ପରିଚୟ ମିଳେ । ଭାରତର ସ୍ୱାଧୀନତା ସମ୍ବନ୍ଧରେ ତାହାଙ୍କର ସ୍ଥିର ବିଶ୍ୱାସ ଜନ୍ମିଥିବାରୁ ବର୍ତ୍ତମାନ ହିନ୍ଦୁ ମୁସଲମାନ ଐକ୍ୟ ଆଣିବା କାର୍ଯ୍ୟରେ ସେ ବ୍ରତୀ ହୋଇଥିଲେ । ନୂଆଖାଲିରେ ସେ ପାକିସ୍ଥାନ ଦାବି ପ୍ରଥମେ ସ୍ୱୀକାର କରିଥିଲେ । ଆମେରିକାର ଯୁକ୍ତରାଷ୍ଟ୍ର ସ୍ୱାଧୀନତା ପାଇଲା ବେଳେ କେତେକ ରାଷ୍ଟ୍ର କେନ୍ଦ୍ର ସରକାରରେ ଯୋଗ ନ ଦେଇ ସ୍ୱାଧୀନ ହୋଇ ରହିଥିଲେ । କେନ୍ଦ୍ର ସରକାରରେ ଯୋଗ ଦେବାର ପ୍ରୟୋଜନୀୟତା ସେ ଗୁଡ଼ିକ କ୍ରମଶଃ ଉପଲବ୍ଧି କରିଥିଲେ । ସେପରି ଭାରତରେ ପାକିସ୍ଥାନ ବର୍ତ୍ତମାନ କେନ୍ଦ୍ର ସରକାରରୁ ସ୍ୱାଧୀନ ହୋଇ ରହିଲେ ମଧ୍ୟ ଭବିଷ୍ୟତରେ ଯୋଗ ଦେବାର ପ୍ରୟୋଜନୀୟତା ଉପଲବ୍ଧି କରି ପାରିବ । ଏପରି କଥା କହି ସେ ପାକିସ୍ଥାନର ଦାବିକୁ ସ୍ୱୀକାର କରିଥିଲେ । ବଳ ପ୍ରୟୋଗରେ ବ୍ରିଟିଶ୍ ଜାତି ଭାରତରେ ଟେକି ରହି ପାରିଲା ନାହିଁ । ଏ କଥା ଜାଣୁ ଜାଣୁ କାହାରି ଇଚ୍ଛା ବିରୁଦ୍ଧରେ ବଳ ପ୍ରୟୋଗ କରିବା ଆମର ଉଚିତ ନୁହେଁ ବୋଲି ଆମେ ବୁଝି ପାରୁନାହୁଁ । କିନ୍ତୁ ମହାତ୍ମାଜୀ ବହୁ ପୂର୍ବରୁ ବୁଝିଥିଲେ ଯେ ବଳ ପ୍ରୟୋଗରେ ଅନୁଷ୍ଠିତ କାର୍ଯ୍ୟ କ୍ଷଣିକ ।

 

ନୂଆଖାଲିରେ ଶାନ୍ତି ପ୍ରତିଷ୍ଠିତ ହେଲା ବେଳକୁ ବିହାରରେ ସାମ୍ପ୍ରଦାୟିକ ଦଙ୍ଗା ହୋଇ ଗଲା । ୧୯୪୭ ସାଲର ମାର୍ଚ୍ଚ ୧୨ ତାରିଖରେ ବିହାରର ଦଙ୍ଗାବିଧ୍ୱସ୍ତ ଅଞ୍ଚଳର ପରିବର୍ଶନ ସେ ଆରମ୍ଭ କରିଥିଲେ । ନୂଆଖାଲିରେ ହିନ୍ଦୁମାନେ ଯେପରି କ୍ଷତିଗ୍ରସ୍ତ ହୋଇଥିଲେ ବିହାରରେ ମୁସଲମାନମାନେ ତଦନୁରୂପ ହୋଇଥିଲେ । ଏଣୁ ଏଠାରେ ମୁସଲମାନମାନଙ୍କ ସେବା କରିବାପାଇଁ ମହାତ୍ମାଜୀଙ୍କୁ ସୁବିଧା ମିଳିଥିଲା । ଇତି ମଧ୍ୟରେ ୧୯୪୭ ସାଲର ଫେବୃଆରୀ ୨୦ ତାରିଖରେ ବ୍ରିଟିଶ୍ ସରକାର ୧୯୪୮ ସାଲର ଜୁନ୍‍ ମାସରେ ଭାରତ ସ୍ୱାଧୀନତା ପାଇବ ବୋଲି ଘୋଷଣା କରିଥିଲେ । ତତ୍ପରେ ମହାତ୍ମାଜୀ ପାକିସ୍ଥାନର ଦାବି ସ୍ୱୀକାର କରିଥିବାରୁ ୧୯୪୭ ସାଲର ଅଗଷ୍ଟ ୧୫ ତାରିଖରେ ଭାରତ ଓ ପାକିସ୍ଥାନ ନାମକ ଦିଓଟି ଡୋମିନିଅନ ହେବ ବୋଲି ଜୁନ୍ ମାସ ୩ ତାରିଖରେ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ମହାତ୍ମାଜୀ ପ୍ରଥମ ଘୋଷଣାରେ ବ୍ରିଟିଶ୍ ଜାତିର ସଦିଚ୍ଛା ଉପଲବ୍ଧି କରିଥିଲେ, ଦ୍ୱିତୀୟ ଘୋଷଣାରେ ଭାରତ ଛାଡ଼ି ଚାଲି ଯିବାର ପ୍ରସ୍ତାବରେ ସନ୍ତୁଷ୍ଟ ହୋଇଥିଲେ । ଭାରତ-ଭାଗ ବିଷୟକ ତୃତୀୟ ପ୍ରସ୍ତାବଟି ତାହାଙ୍କୁ ପ୍ରୀତିକର ହୋଇ ନ ଥିଲା । କାରଣ, ଏହି ଭାଗକୁ ଚିରସ୍ଥାୟୀ କରିବା ନିମନ୍ତେ କୌଣସି ବ୍ୟବସ୍ଥା କଲେ ତାହା ବଡ଼ ଅନିଷ୍ଟକର ହେବ । ଭାରତର ବିଭାଗକୁ ସେ ପାପ ବୋଲି ମନେ କରୁଥିଲେ । ସେ କେବେ ହେଲେ ହିନ୍ଦୁ ଓ ମୁସଲମାନ ପୃଥକ୍ ଜାତି ବୋଲି ମାନି ନାହାନ୍ତି । ଏକଜାତି ଧର୍ମର ପାର୍ଥକ୍ୟ ଯୋଗୁଁ ଦୁଇ ଭିନ୍ନ ସମ୍ପ୍ରଦାୟରେ ପରିଣତ ହୋଇଅଛି ବୋଲି ତାହାଙ୍କର ଏକାନ୍ତ ବିଶ୍ୱାସ ସର୍ବଦା ଥିଲା । ଧର୍ମର କାରଣରୁ ଭାରତ ବିଭକ୍ତ ହେଲେ ଭାରତରେ ଦୁର୍ଗତିର ସୀମା ରହିବ ନାହିଁ । ଭାରତରେ ଅନେକ ଧର୍ମ ଅଛି । କ୍ରମଶଃ ଧର୍ମର କାରଣରେ ଭାରତ ଅନେକ ଭାଗରେ ବିଭକ୍ତ ହୋଇପାରେ । ଏହା ଛଡ଼ା ଧର୍ମର ନାମରେ ଦୁର୍ବଳ ଶ୍ରେଣୀର ଉପରେ ଅତ୍ୟାଚାର ବଢ଼ିବାର ସମ୍ଭାବନା ଅଛି । କିନ୍ତୁ ମହାତ୍ମାଜୀ ଏପରି ଭାବିଲେ କଅଣ ହେବ ? ଇଂରେଜ ଜାତି ବହୁକାଳ ପୂର୍ବରୁ ଏ ଦେଶବାସୀଙ୍କ ରକ୍ତରେ ଭେଦବୁଦ୍ଧିର ବିଷ ପୂରାଇ ଦେଇଥିଲେ । ଏଣୁ ମହାତ୍ମାଜୀ ମହାଦେବଙ୍କ ପରି ଏ ସମସ୍ତ ବିଷ ନିଜେ ପାନ କରି ଦେଶବାସୀଙ୍କୁ ଭେଦବୁଦ୍ଧି-ବିଷରୁ ମୁକ୍ତ କରିବା ପାଇଁ ସଚେଷ୍ଟ ଥିଲେ ।

 

୧୯୪୭ ସାଲର ଅପ୍ରେଲ ମାସ ପହିଲା ତାରିଖରେ ଦିଲ୍ଲୀରେ ବସିଥିବା ଏସିଆ ମହା ସମ୍ମିଳନୀରେ ମହାତ୍ମାଜୀ ଏସିଆ ମହାଦେଶର ଗଠନ ସମ୍ବନ୍ଧରେ ଗୋଟିଏ ସାରଗର୍ଭକ ବକ୍ତୃତା ଦେଇଥିଲେ । ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା । ଐକ୍ୟ ସ୍ଥାପନ ନିମନ୍ତେ ମହାତ୍ମାଜୀ ନୂଆଦିଲ୍ଲୀରେ ଅପ୍ରେଲ ୫ ତାରିଖରେ ଚବିଶଘଣ୍ଟା ପାଇଁ ଅନଶନ କରିଥିଲେ । ବଡ଼ଲାଟଙ୍କ ଉଦ୍ୟମରେ ହିଂସାମୂଳକ ସାମ୍ପ୍ରଦାୟିକ କାର୍ଯ୍ୟର ନିନ୍ଦାକରି ମହାତ୍ମାଜୀ ଓ ଜିନ୍ନା ଗୋଟିଏ ଯୁକ୍ତ ଆବେଦନ ପତ୍ର ପ୍ରଚାର କରିଥିଲେ ।

 

ଏଥି ଉତ୍ତାରେ ନୂଆଦିଲ୍ଲୀଠାରେ ମେ ୬ ତାରିଖରେ ପୁନରାୟ ମହାତ୍ମାଜୀ ଓ ଜିନ୍ନାଙ୍କ ମଧ୍ୟରେ ସାକ୍ଷାତ୍ ସୁଯୋଗ ଘଟେ । ସେତେବେଳେ ମଧ୍ୟ ଜିନ୍ନା ନିଜର ଜିଦ୍ ଛାଡ଼ିଲେ ନାହିଁ । ଭାରତ ବିଭକ୍ତ ନୋହିଲେ ହିନ୍ଦୁ ମୁସଲମାନ ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେ କହିଲେ-। କିନ୍ତୁ ଭାରତ ବିଭାଗ ଅନିବାର୍ଯ୍ୟ ବୋଲି ମହାତ୍ମାଜୀ ସ୍ୱୀକାର କଲେ ନାହିଁ । ପ୍ରକୃତିର ନିୟମକୁ କେହି ଅନ୍ୟଥା କରି ନ ପାରେ । ପ୍ରତ୍ୟେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଶକ୍ତି ଅଛି । ଏକ ସତ୍ତ୍ୱ-ଶକ୍ତିର ବିକାଶ ପକ୍ଷରେ ତମଃ- ଶକ୍ତି ପ୍ରତିବନ୍ଧକ ସ୍ୱରୂପ ଛିଡ଼ା ହୁଏ । ସେ ପ୍ରତିବନ୍ଧକ ଲଙ୍ଘନ କରି ପାରିଲେ ଯଥାର୍ଥ ମନୁଷ୍ୟତାର ବିକାଶ ଘଟେ । ମହାତ୍ମାଜୀ ଶତ ଶତ ପ୍ରତିବନ୍ଧକ ଜୀବନରେ ଲଙ୍ଘନ କରିଅଛନ୍ତି । ଅନେକ ମୁସଲମାନ ମଧ୍ୟ ତାହାଙ୍କ ଅହିଂସା-ମନ୍ତ୍ରରେ ଦୀକ୍ଷିତ ହୋଇ ଅଛନ୍ତି । କିନ୍ତୁ ଜିନ୍ନା ମହାତ୍ମାଜୀଙ୍କ ପ୍ରବର୍ତ୍ତନାରେ ନିଜ ଜିଦ୍ ଛାଡ଼ି ପାରିଲେ ନାହିଁ । ‘‘ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର୍ଭବତି ତାଦୃଶୀ’’–ଏହି ନୀତି ଅନୁସାରେ ଚୋର ଚୋରି କରିବାକୁ ଭାବନା କରେ ଓ ସେଥିପାଇଁ କାର୍ଯ୍ୟକରି ସିଦ୍ଧିଲାଭ କରେ । ଆପଣାର ମନ ଅନୁରୂପ କର୍ମର ଫଳ ସମସ୍ତେ ଲାଭ କରନ୍ତି । ଭାବନାନୁସାରେ କାର୍ଯ୍ୟ କଲେ ଈଶ୍ୱର ସିଦ୍ଧି ଲାଭ କରାଇ ଦେଉଥିବା, ଗୀତାରେ ଉଲ୍ଲେଖ ଅଛି ବୋଲି ପୂର୍ବେ କୁହା ଯାଇଅଛି । ଏଣୁ ଜିନ୍ନା ନିଜ ଜିଦ୍ ଧରି ପାକିସ୍ଥାନ ପାଇଲେ । କିନ୍ତୁ ବ୍ରିଟିଶ୍ ସରକାର ଜିଦ୍ ଧରି ଭାରତ ରଖିପାରିଲେ ନାହିଁ । ଅସ୍ୱାଭାବିକ କାର୍ଯ୍ୟ-ସାଧନାରେ ଜିଦ୍ ଧରିବା ଶୋଭନୀୟ ନୁହେଁ । କାର୍ଯ୍ୟ ସିଦ୍ଧି ଘଟିଲେ ମଧ୍ୟ ସେ ସିଦ୍ଧି କ୍ଷଣିକ ଓ ଅନିଷ୍ଟକର । ମହାତ୍ମାଜୀଙ୍କର ଭାରତବାସିଙ୍କ ପାଇଁ ସ୍ୱାଧୀନତା-ଅର୍ଜନ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତେଣୁ ହିନ୍ଦୁ ମୁସଲମାନ ମଧ୍ୟରେ ଐକ୍ୟ ସ୍ଥାପନ ନିମନ୍ତେ ସାଧନା କରିବାକୁ ସେ ଉପଯୁକ୍ତ ଅବସର ପାଇ ନାହାନ୍ତି । ତାହାଙ୍କୁ ଯଥାର୍ଥ ଅବସର ମିଳିଥିଲେ ଜିନ୍ନାଙ୍କ ଜିଦ୍ ରହିବାର ସମ୍ଭାବନା ନ ଥିଲା ।

 

୧୯୪୭ ସାଲର ଅଗଷ୍ଟ ୧୫ ତାରିଖରେ ଭାରତ ସ୍ୱାଧୀନତା ଲାଭ କରିବ ଓ ଭାରତର ସର୍ବତ୍ର ସ୍ୱାଧୀନତା ଉତ୍ସବ ପାଳିତ ହେବ ବୋଲି ସ୍ଥିର ହୋଇଥିଲା । କିନ୍ତୁ ଏଥିପୂର୍ବରୁ କଲିକତାରେ ସାମ୍ପ୍ରଦାୟିକ ଦଙ୍ଗା ଲାଗି ରହିଥାଏ । ଐକ୍ୟ ସ୍ଥାପନ ନିମନ୍ତେ ମହାତ୍ମାଜୀ କଲିକତା ଆସି ବେଲିଆଘାଟରେ ଜଣେ ସନ୍ତାପିତ ମୁସଲମାନ ଗୃହରେ ଅବସ୍ଥାନ କଲେ । ବଙ୍ଗଳାର ଭୂତପୂର୍ବ ପ୍ରଧାନମନ୍ତ୍ରୀ ସୁରାବର୍ଦ୍ଦି ସାହେବ ମହାତ୍ମାଜୀଙ୍କର ଏହି ଅଭିଯାନରେ ସହଯୋଗିତା କରିଥିଲେ । ସ୍ପର୍ଶମଣିର ସଂଯୋଗରେ ଲୌହ ସ୍ୱର୍ଣ୍ଣ ପାଲଟିବା ଭଳି ମହାତ୍ମାଜୀଙ୍କ ଶାନ୍ତି-ଅଭିଯାନର ସମ୍ବାଦ ପ୍ରଚାରିତ ହେବା ମାତ୍ରେ ୧୪ ତାରିଖ ଅପରାହ୍ନରେ ଅଦ୍ଭୁତପ୍ରକାରେ ସହରର ସର୍ବତ୍ର ଶାନ୍ତି ପୁନଃ ପ୍ରତିଷ୍ଠିତି ହେଲା । ସିଦ୍ଧ ପୁରୁଷଙ୍କର ମୋହନ ମନ୍ତ୍ରର ପ୍ରୟୋଗରେ ଏ ମିଳନ ସମ୍ଭବପର ହେଲା ବୋଲି କଲିକତାର ଆବାଳବୃଦ୍ଧବନିତାଙ୍କ ମୁଖରୁ ଶୁଣା ଯାଉଥାଏ । ମିଳନର ଆନନ୍ଦ ସଙ୍ଗେ ମିଳିଗଲା-ସ୍ୱାଧୀନତାର ଉତ୍ସବ । କଲିକତାରେ ଏପରି ଦୃଶ୍ୟ କେହି କେବେ ଦେଖି ନ ଥିଲା । ଉତ୍‍ଫୁଲ୍ଲତାର ସ୍ରୋତରେ ସମସ୍ତେ ଭାସି ଯାଉଥିଲେ । ଏପରି କି, ଖାଇବା ପିଇବା କଥା ମଧ୍ୟ ମସସ୍ତେ ପାସୋରି ଦେଇଥିଲେ । ଘର ଭିତରେ ସେଦିନ କେହି ନ ରହି କି ଶିଶୁ, କି ବୃଦ୍ଧା, କି ଯୁବତୀ-ସଭିଏଁ ଦାଣ୍ଡରେ ବୁଲି ଆନନ୍ଦ ଉପଭୋଗ କରୁ ଥାଆନ୍ତି । ଦିନ ଗଲା, ରାତି ହେଲା, କିନ୍ତୁ ସହରରେ ରାସ୍ତାରୁ ଲୋକାରଣ୍ୟ ଉଣା ହେଲା ନାହିଁ । ପୂର୍ବ କେତେ ଦିନର ମେଘାଚ୍ଛନ୍ନ ଉତ୍ତାରେ ପ୍ରକୃତି ଦେବୀ ସେଦିନ ହସ ହସ ବଦନରେ ଆକାଶ ଅଳଙ୍କୃତ କରିଥିଲେ । କିନ୍ତୁ ବେଲିଆଘାଟରେ ତପସ୍ୱୀ ଜଣକ ଅପରିବର୍ତ୍ତନୀୟ ହୃଦୟରେ ଶାନ୍ତ ମୂର୍ତ୍ତି ଧାରଣ କରି ବସି ଥାଆନ୍ତି । କି ଆଶ୍ଚର୍ଯ୍ୟର କଥା ! ଯାହାଙ୍କ ତପସ୍ୟାର ସିଦ୍ଧିରେ କୋଟି କୋଟି ନରନାରୀଙ୍କ ହୃଦୟ ଆନନ୍ଦ-ବନ୍ୟାରେ ପ୍ଳାବିତ ହୋଇଅଛି ସ୍ୱୟଂ ସେହି ତପସ୍ୱୀଙ୍କ ହୃଦୟରେ ଆନନ୍ଦର ତରଙ୍ଗ ନାହିଁ କାହିଁକି ? ଆହା ! ଆମେ କି ଅଧମ ! ବୁଝିବାକୁ ଶକ୍ତି ନାହିଁ । ବୁଝିବାକୁ ଆମେ ମଧ୍ୟ ଚେଷ୍ଟା କରୁ ନାହୁଁ । ମହାତ୍ମାଜୀ ସାକ୍ଷାତ୍ ଅଦ୍ୱିତୀୟ ବ୍ରହ୍ମ । ତିଳେମାତ୍ର କ୍ଳେଶ ଅନୁଭବ ନ କରି ଶତ ଶତ ଯାତନାକୁ ଯେଉଁ ଉଦ୍ଦେଶ୍ୟରେ ମହାତ୍ମାଜୀ ବରଣ କରୁଥିଲେ ସେ ଉଦ୍ଦେଶ୍ୟ ସାଧିତ ହେଲା ଉତ୍ତାରୁ ତାହାଙ୍କ ହୃଦୟରେ ଆନନ୍ଦ ନାହିଁ । ସୁଖ ଓ ଦୁଃଖ ତାହାଙ୍କ ପକ୍ଷରେ ସମାନ । ଅହଙ୍କାର ତିଳ ମାତ୍ରାରେ ଥିଲେ ସେ ଉତ୍‍ଫୁଲ୍ଲ ନୋହି ରହିପାରି ନ ଥାଆନ୍ତେ । ତାହାଙ୍କ ହୃଦୟ ଅଧିକାର କରିବା ନିମନ୍ତେ ଅହଙ୍କାରକୁ ସେ ମୁହୂର୍ତ୍ତେ ସୁଯୋଗ ଦେଉ ନ ଥିଲେ । କୌଣସି ସାଧନାରେ ସିଦ୍ଧି ଲାଭ କରିବା ପୂର୍ବରୁ ଅନ୍ୟ ସାଧନାରେ ବ୍ରତୀ ହେବା ନିମନ୍ତେ ସେ ସ୍ଥିର କରି ନେଉଥିଲେ । ସ୍ୱାଧୀନତା ଲାଭ ଉତ୍ତାରୁ ଐକ୍ୟ-ସମସ୍ୟା ତାହାଙ୍କ ଚିତ୍ତ ଅଧିକାର କରିଥିଲା । ଏହିପରି ଅହଙ୍କାର ଦୂର କରିବାର ଉପାୟ ଓ ଅହଙ୍କାର ଶୂନ୍ୟତା ତାହାଙ୍କ ଠାରେ ଏକାଧାରରେ ଠୁଳ ହୋଇଥିଲା । ଏଣୁ ସେ ମହାମାନବ ବୋଲି ନ କହି ସାକ୍ଷାତ୍ ପରଂବ୍ରହ୍ମ କହିଲେ ତିଳେମାତ୍ର ଅତ୍ୟୁକ୍ତି ତହିଁରେ ରହିବ ନାହିଁ । ସେ କହିଥିଲେ–‘‘ମୋର ନଶ୍ୱର ଦେହ ଭସ୍ମୀଭୂତ ହେଲେ ମୋର କାର୍ଯ୍ୟରେ ବିଚାର ହେବ’’ । କିନ୍ତୁ କିଏ ବିଚାର କରିବ ? ତାହାଙ୍କ କାର୍ଯ୍ୟ ଅନନ୍ତ ସିନ୍ଧୁ । ତାହାକୁ କଳିବାକୁ ଶକ୍ତି କାହାର ଅଛି ?

 

୧୯୪୭ ସାଲର ସେପ୍ଟେମ୍ବର ପହିଲାରେ କଲିକତାରେ ପୁଣି ସାମ୍ପ୍ରଦାୟିକ ଦଙ୍ଗାର ସୂଚନା ଦେଖାଗଲା । ସଙ୍ଗେ ସଙ୍ଗେ ମହାତ୍ମାଜୀ ଅନଶନ ଆରମ୍ଭ କଲେ । ଶାନ୍ତି ଫେରି ନ ଆସିବା ପର୍ଯ୍ୟନ୍ତ ସେ ଅନଶନ କରିବେ ବୋଲି ଏଥର ପଣ କରିଥିଲେ । ମାତ୍ର ସହସା ୨୪ ଘଣ୍ଟା ମଧ୍ୟରେ ଶାନ୍ତି ଫେରି ଆସିଲା । ଏ ସମସ୍ତ ଦେଖୁ ଦେଖୁ ଆମେ ମହାତ୍ମାଜୀଙ୍କ କଥାରେ ଆଦୌ ଆସ୍ଥା ରଖୁନାହୁଁ । ସ୍ୱାଧୀନତାର ଉତ୍ସବକୁ ଭଗବତ୍ ପ୍ରାର୍ଥନାରେ ପର୍ଯ୍ୟବସିତ କରିବା ପାଇଁ ସେ ଉପଦେଶ ଦେଇଥିଲେ ମଧ୍ୟ ଆମେ ତାହା ଶୁଣି ନାହୁଁ । ଆମେ ଅହଙ୍କାରୀ, ଆମେ ପାପୀ । ତାହାଙ୍କ କଥାକୁ ଶୁଣିବୁ କିପରି ? ପାପୀ ମହାତ୍ମାଜୀଙ୍କ କାର୍ଯ୍ୟର ବିଚାର କରିବାକୁ କଦାପି ସମର୍ଥ ନୁହେଁ । ପାପୀର ଲେଖନୀ ଏଠାରେ ତାହାଙ୍କ କାର୍ଯ୍ୟ ବିଚାର କରୁଅଛି ବୋଲି ମନେ ନ କରିବା ପାଇଁ ଲେଖକ ପାଠକମାନଙ୍କୁ ଅନୁରୋଧ କରୁଅଛି । ତାହାଙ୍କ ଗୁଣର କଣା ମାତ୍ର ସ୍ମରଣ କରି ତରିବା ଆଶାରେ ଲେଖକ ଲେଖନୀ ଚଳାଉଅଛି ।

 

ଏହି ୧୯୪୮ ସାଲର ଜାନୁଆରୀ ୨୦ ତାରିଖରେ ନୂଆଦିଲ୍ଲୀରେ ହିନ୍ଦୁମୁସଲମାନମାନଙ୍କ ଐକ୍ୟ ସ୍ଥାପନ ପାଇଁ ଆହୂତ ପ୍ରାର୍ଥନା ସଭାରେ ବକ୍ତୃତା ଦେବାବେଳେ ତାହାଙ୍କ ଠାରୁ ଦଶ ଗଜ ଦୂରରେ ଗୋଟିଏ ଦେଶୀ ବୋମା ବିସ୍ଫୋରିତ ହୋଇଥିଲା । କିନ୍ତୁ ତିଳେମାତ୍ର ବିଚଳିତ ନୋହି ମହାତ୍ମାଜୀ ବକ୍ତୃତା ଦେବାରେ ଲାଗିଥିଲେ । ୧୯୩୪ ସାଲର ଜୁନ୍ ୨୫ ତାରିଖରେ ତାହାଙ୍କ ଉପରକୁ ମଧ୍ୟ ବୋମା ନିକ୍ଷେପ କରା ଯାଇଥିଲା । କିନ୍ତୁ ତାହାଙ୍କ ଜୀବନ ବ୍ୟାପୀ ଲକ୍ଷ୍ୟ ସିଦ୍ଧ ନୋହିଥିବାରୁ ସେ ବୋମାର ଲକ୍ଷ୍ୟ ଭ୍ରଷ୍ଟ ହୋଇଥିଲା । ଏବେ ୧୯୪୮ ସାଲର ଜାନୁଆରୀ ୩୦ ତାରିଖରେ ଅପରାହ୍ନ ୫ଟା ସମୟରେ ଆତତାୟୀର ଗୁଳିରେ ସେ ସହସା କୈବଲ୍ୟ ପ୍ରାପ୍ତ ହେବେ ବୋଲି କିଏ ଜାଣିଥିଲା ? ଓହୋ ! ସ୍ୱାଧୀନତାର ଆନନ୍ଦଠାରୁ ଶତଗୁଣେ ବଳବତୀ ଏ କି ଦାରୁଣ ଯାନ୍ତ୍ରଣା !

 

ରଘୁପତି ରାଘବ ରାଜାରାମ

ପତିତ ପାବନ ସୀତାରାମ ।

ମଙ୍ଗଳ ପରଶନ ରାଜାରାମ

ପତିତ ପାବନ ସୀତାରାମ ।

ଶୁଭ ଶାନ୍ତି ବିଧାୟକ ରାଜାରାମ

ପତିତ ପାବନ ସୀତାରାମ ।

ବରାଭୟ ଦାନରତ ରାଜାରାମ

ପତିତ ପାବନ ସୀତାରାମ ।

ନିର୍ଭୟ କର ପ୍ରଭୁ ରାଜାରାମ

ପତିତ ପାବନ ସୀତାରାମ ।

ଦୀନ ଦୟାଳୁ ରାଜାରାମ

ପତିତ ପାବନ ସୀତାରାମ ।

ରାଜା ରାମ, ଜୟ ସୀତାରାମ

ପତିତ ପାବନ ସୀତାରାମ ।

Image

 

ଆତ୍ମ-ଦର୍ଶନ

 

ପାର୍ଥିବ ରାଜନୈତିକ ସ୍ୱାଧୀନତା ଦେବାଲାଗି ମହାତ୍ମାଜୀ ଭାରତରେ ଅବତୀର୍ଣ୍ଣ ହୋଇ ନ ଥିଲେ । ଚିରନ୍ତନ ଆଧ୍ୟାତ୍ମିକ ସ୍ୱାଧୀନତାର ପଥ ବିଶ୍ୱବାସୀଙ୍କୁ ଦେଖାଇବା ଲାଗି ସେ ନରଦେହ ଧାରଣ କରିଥିଲେ । ସେହି ପଥର ନାମ–‘ଆତ୍ମ-ଦର୍ଶନ’ । ସେ କହି ଅଛନ୍ତି ‘‘ମୁଁ ଯାହା ଲାଭ କରିବାକୁ ଇଚ୍ଛାକରେ ଓ ଯାହାର ଅନୁସନ୍ଧାନରେ ୩୦ ବର୍ଷ ହେଲା ଲାଗିଅଛି ତାହା ଆତ୍ମଦର୍ଶନ, ଈଶ୍ୱର ସାକ୍ଷାତ୍କାର ଅଥବା ମୋକ୍ଷ । ଯାହା ଜଣକ ପକ୍ଷରେ ସମ୍ଭବ ତାହା ଅପରର ପକ୍ଷରେ ମଧ୍ୟ ସମ୍ଭବ । ଏଥିପାଇଁ ମୁଁ ନିଜର ସାଧନା କାହାରି ନିକଟରେ ଗୋପନ କରିନାହିଁ ।’’ ଏ ସମସ୍ତ କଥାର ଅର୍ଥ କଅଣ ? ମୋତେ ଜଣେ ଗାଳି ଦେଲେ ମୁଁ ଯଦି ଦୁଃଖ ଅନୁଭବ କରୁଥାଏ ତେବେ ମୁଁ କାହାକୁ ଗାଳି ଦେଲେ ସେ ମଧ୍ୟ ଦୁଃଖ ଅନୁଭବ କରିବ–ଏପରି ବିଚାରକରି କଥାରେ, ଲେଖାରେ ସଂଯତ ହେବାକୁ ଆତ୍ମଦର୍ଶନ କହନ୍ତି । ସେଥିପାଇଁ ସେ କହି ଅଛନ୍ତି, ‘‘ଯାହା ମୁଁ କହେ, ଯାହା ମୁଁ ଲେଖେ ତହିଁରେ ଏଭଳି ଆତ୍ମଦର୍ଶନ ପ୍ରତି ଲକ୍ଷ୍ୟ ରଖିଥାଏ’’ । ସଭିଙ୍କର ଆତ୍ମଦର୍ଶନର ସୁଯୋଗ ଘଟେ । କିନ୍ତୁ ତାହାକୁ ଧରି ରଖିବା ପାଇଁ ସମସ୍ତଙ୍କର ଶକ୍ତି ନ ଥାଏ । ଯାହା ସାଧାରଣ ଲୋକେ ଆତ୍ମାରେ ଦର୍ଶନ କରନ୍ତି ତାହା ସହସା ସେମାନଙ୍କ ଆତ୍ମାରେ ଲୀନ ହୋଇଯାଏ । ଯେ ଯାହାକୁ ଧରି ରଖିପାରେ ସେ ମହାତ୍ମାରେ ପରିଣତ ହୁଏ । ଲୋକ-ସେବାରେ ଆତ୍ମନିୟୋଗ କରି ତାହାକୁ ଧରି ରଖିବାର ସହଜ ପନ୍ଥା ସେ ଦେଖାଇ ଅଛନ୍ତି । ଏଠାରେ ବୁଦ୍ଧଦେବଙ୍କଠାରୁ ତାହାଙ୍କର ପାର୍ଥକ୍ୟ ଦେଖାଯାଏ । ବୌଦ୍ଧଧର୍ମ ନିଷ୍କ୍ରିୟ, ମହାତ୍ମା ଗାନ୍ଧୀଙ୍କର ଧର୍ମ ସକ୍ରିୟ । ଗୀତାର ଧର୍ମରେ ଅନ୍ୟାୟର ବିରୁଦ୍ଧରେ ହିଂସାର ଅସ୍ତ୍ର ଭଗବାନଙ୍କ ପ୍ରତି ଲକ୍ଷ୍ୟ ରଖି ଧାରଣ କରିବାକୁ ଉପଦେଶ ଦିଆ ଯାଇଅଛି । କିନ୍ତୁ ମହାତ୍ମା ଗାନ୍ଧୀଙ୍କ ଧର୍ମରେ ଅହିଂସାର ଅସ୍ତ୍ର ଧାରଣ କରିବା ସମର୍ଥିତ ହୋଇଅଛି । ହିଂସାର ଅସ୍ତ୍ର ସବୁ କ୍ଷେତ୍ରରେ ଧାରଣ କରିବା ସମ୍ଭବପର ନୁହେଁ । ଦୈନନ୍ଦିନ ଜୀବନରେ ହିଂସାର ଅସ୍ତ୍ର ଧାରଣ କଲେ ଜୀବନର ସୁଖ ଶାନ୍ତି ନଷ୍ଟ ହେବ ଓ ସମାଜର ଅସ୍ତିତ୍ୱ ମଧ୍ୟ ରହିବ ନାହିଁ । ପୁଅ ବା ଭାଇ କୌଣସି ଅପରାଧ କଲେ ତାହାର ପ୍ରାଣନାଶ କରିବା ପାଇଁ ଆତ୍ମାରୁ ନିର୍ଦ୍ଦେଶ ମିଳେ ନାହିଁ । ଏପରି ନିର୍ଦ୍ଦେଶ ମିଳୁଥିଲେ ଆଜି ପର୍ଯ୍ୟନ୍ତ ସମାଜର ଅସ୍ତିତ୍ୱ ରହି ନ ଥାଆନ୍ତା । କାରଣ ପୁଅ ଭାଇ ଶତ ଶତ ଅପରାଧ କଲେ ମଧ୍ୟ ମନୁଷ୍ୟ ତାହା ସମ୍ଭାଳି ରହେ । ସେମାନଙ୍କ ବିନାଶରେ ତତ୍ପର ହୁଏ ନାହିଁ । ପ୍ରକୃତିର ଏକପ୍ରକାର ନିୟମ ସବୁ କ୍ଷେତ୍ରରେ ଦେଖାଯାଏ, କିନ୍ତୁ ସାଧାରଣ ମନୁଷ୍ୟ ତାହା ବୁଝିପାରେ ନାହିଁ । ସେଥିପାଇଁ ବିନା ହିଂସାରେ ଶାସନ ଚଳିବ ନାହଁ ବୋଲି ଅନେକେ କହି ଥାଆନ୍ତି । ଯେଉଁମାନଙ୍କର ଆତ୍ମଦର୍ଶନ ଘଟି ନ ଥାଏ ସେମାନେ ଏପରି କହିବା ବିଚିତ୍ର ନୁହେଁ । ଆତ୍ମଦର୍ଶନ ଘଟିଲେ କେଉଁଠାରେ କେଉଁ ଅନ୍ୟାୟର ବିରୁଦ୍ଧରେ କିପରି ଅହିଂସାର ଅସ୍ତ୍ର ଧାରଣ କରିବାକୁ ହେବ, ତାହା ଆପେ ଦେଖା ଯିବ ମହାତ୍ମାଜୀଙ୍କର ଆତ୍ମଦର୍ଶନ ଥିବାରୁ ସ୍ଥଳ ବିଶେଷରେ ପ୍ରୟୋଗ କରିବା ଅହିଂସା ଅସ୍ତ୍ର ତାହାଙ୍କୁ ମିଳି ଯାଉଥିଲା । ନୋହିଲେ ଶକ୍ତିଶାଳୀ ସରକାରଙ୍କ ବିରୁଦ୍ଧରେ ସେ ସଂଗ୍ରାମ ଚଳାଇ ପାରି ନ ଥାନ୍ତେ । ଏ ସଂଗ୍ରାମରେ ହିଂସାର ଅସ୍ତ୍ର ବ୍ୟବହାର କରିବା ମଧ୍ୟ ଆଦୌ ସମ୍ଭବପର ନ ଥିଲା ।

 

ଆତ୍ମାକୁ ମହାତ୍ମାଜୀ ସତ୍ୟ, ଶିବ ଓ ସୁନ୍ଦର ରୂପେ ଉପଲବ୍ଧି କରିଥିଲେ । କିପରି ? ଇନ୍ଦ୍ରିୟ ସଂଯତ ହେଲେ ଓ ଅହଙ୍କାର ବିଦୂରିତ ହେଲେ ଅନ୍ତରର ପ୍ରେରଣା ସତ୍ୟ, ଶିବ ଓ ସୁନ୍ଦର ରୂପେ ପ୍ରତିଭାତ ହୁଏ । ବିବାହ କରିବା ନିମନ୍ତେ ସମସ୍ତଙ୍କ ଆତ୍ମାରୁ ପ୍ରେରଣା ଜନ୍ମେ । ସୁତରାଂ ଏହା ସତ୍ୟ, ଏହି ପ୍ରେରଣା ସମାଜର ମଙ୍ଗଳ ଓ ସୌନ୍ଦର୍ଯ୍ୟ ପାଇଁ । ସେଥିପାଇଁ ବିବାହକୁ ସେ ସମର୍ଥନ କରି ଅଛନ୍ତି । ସୌନ୍ଦର୍ଯ୍ୟ ସୃଷ୍ଟି କରିବା ପାଇଁ ମଧ୍ୟ ଅନ୍ତରରୁ ପ୍ରେରଣା ଆସେ । ସେଥିପାଇଁ ସେ ପରିଷ୍କୃତ ପରିଚ୍ଛନ୍ନ ହେବା ନିମନ୍ତେ ଓ ଉଦ୍ୟାନ ପ୍ରଭୃତି ପ୍ରସ୍ତୁତ କରି ଆଶ୍ରମର ଶୋଭା ବଢ଼ାଇବା ନିମନ୍ତେ ଉଦ୍‍ଯୋଗୀ ଥିଲେ । କିନ୍ତୁ ଆଧୁନିକ ରୁଚିର ବିଳାସ ସେ ପସନ୍ଦ କରୁ ନ ଥିଲେ-। ମହାପୁରୁଷଙ୍କ ଆବିଷ୍କୃତ ସତ୍ୟକୁ ଶାସ୍ତ୍ର-ଜ୍ଞାନର ନିକିତିରେ ତୁଳିଲେ ତାହାର ଗୁରୁତା କଳି ହୁଏ ନାହିଁ । ସେମାନଙ୍କ ଆଦର୍ଶ ଅନୁସରଣ କଲେ ତାହାଙ୍କ ଆବିଷ୍କୃତ ସଭ୍ୟର ସାରବତ୍ତା ଆମେ ବୁଝିବୁଁ ଅଥବା ଅଧିକ ସତ୍ୟ ଆମେ ଆବିଷ୍କାର କରି ପାରିବୁଁ । ସେଥିପାଇଁ ମହାତ୍ମାଜୀ କହି ଅଛନ୍ତି ଯେ, ତାହାଙ୍କ ଆବିଷ୍କୃତ ସତ୍ୟ ଚରମ ସତ୍ୟ ନୋହିପାରେ । ଯାହା ହେଉ, ସେ ଯେତେ କଥା କହି ଅଛନ୍ତି ସେଥି ମଧ୍ୟରୁ ନିମ୍ନଲିଖିତ କେତୋଟି କଥା ଆମର ସର୍ବଦା ମନେ ରଖିବା ଉଚିତ ।

 

(୧)

ସତ୍ୟର ପୂଜା କରିବା ପାଇଁ ଆମ ଜୀବନର ଅସ୍ତିତ୍ୱ ଅଛି । ସେଥିଲାଗି ଆମର ଅନ୍ତରରୁ ପ୍ରବୃତ୍ତି ଜନ୍ମେ ଓ ପ୍ରତିମୁହୂର୍ତ୍ତରେ ଶ୍ୱାସ ପ୍ରଶ୍ୱାସର କ୍ରିୟା ବହେ । ଯଦି ଆମେ ସତ୍ୟର ପୂଜା କରିପାରୁଁ, ତେବେ ଅନ୍ୟ ସମସ୍ତ ପ୍ରବୃତ୍ତି ଆମର ଅଧୀନରେ ରହିବ । ଅହିଂସା ଛଡ଼ା ସତ୍ୟକୁ ପୂଜା କରାଯାଇ ନ ପାରେ । ସତ୍ୟ ଓ ଅହିଂସା ଗୋଟିଏ ଟଙ୍କାର ଏ ପାଖ ସେ ପାଖ କହିଲେ ଚଳେ । ଅହିଂସା ଆଶ୍ରୟ କଲେ ସଂଯମ ମଧ୍ୟ ଆୟତ୍ତ ହୁଏ ।

(୨)

ସତ୍ୟର ସନ୍ଧାନ ପାଇଁ ନିର୍ଭୀକତା ମଧ୍ୟ ଲୋଡ଼ା ହୁଏ । ନିର୍ଭୀକତା ନ ଥିଲେ ଅହିଂସା ପାଳନ କରିବା ଅସମ୍ଭବ । ଈଶ୍ୱର ଲାଭର ପଥ ବୀର ପାଇଁ ଉନ୍ମୁକ୍ତ । ଭୀରୁ ପାଇଁ ମଧ୍ୟ ନୁହେଁ । ସତ୍ୟ ଏକା ହରି, ସତ୍ୟ ଏକା ରାମ, ସତ୍ୟ ଏକା ନାରାୟଣ ।

(୩)

ଅସ୍ପୃଶ୍ୟତା ହିନ୍ଦୁ ଧର୍ମର ଅଙ୍ଗ ନୁହେଁ । ହିନ୍ଦୁମାନଙ୍କର ଏହା ଗୋଟିଏ ଭ୍ରମ, ଗୋଟିଏ ପାପ-। ଏହି ପାପକୁ ଦୂର କରିବା ପ୍ରତ୍ୟେକ ହିନ୍ଦୁର ପରମ ଧର୍ମ ଓ କର୍ତ୍ତବ୍ୟ । ଯେଉଁ ହିନ୍ଦୁମାନେ ଏହାର ମର୍ମ ବୁଝନ୍ତି ସେମାନେ ଅନ୍ତତଃ ଏହି ଅସ୍ପୃଶ୍ୟତା ଦୂର କରି ସମସ୍ତଙ୍କୁ ଭାଇ ଭଉଣୀ ରୂପେ ଗ୍ରହଣ କରିବା ସେମାନଙ୍କ ପକ୍ଷରେ ପରମ ସେବା ।

(୪)

ବିନା କାରଣରେ ପ୍ରାଣ ଦାନ କଲା ଭଳି ଆମ ପ୍ରାଣ ଲକ୍ଷ୍ୟ ହୀନ ନୁହେଁ । ସ୍ୱାଧୀନତା ଅପେକ୍ଷା ଆମ ପ୍ରାଣର ମୂଲ୍ୟ ବେଶୀ, ଏହା ଆମେ ମନେ କରିବା ଉଚିତ । ପ୍ରୟୋଜନ ପଡ଼ିଲେ ପ୍ରାଣଦାନ କରିବାକୁ ହେବ ଓ ସେଥିପାଇଁ ଈଶ୍ୱର ଆମଙ୍କୁ ଆଶୀର୍ବାଦ କରିବେ । ବିନା କାରଣରେ ପ୍ରାଣ ବଳି ଦେବା ଉଚିତ୍‍ ନୁହେଁ ।

(୫)

ଅହିଂସା ଦୁର୍ବଳର ଅସ୍ତ୍ର ନୁହେଁ । ଏହା ସର୍ବାପେକ୍ଷା ଶକ୍ତିମାନର ଅସ୍ତ୍ର । ଅହିଂସାର ବଳ ମାଂସପେଶୀର ବଳ ନୁହେଁ ଏବଂ ଅହିଂସ-ଲୋକ ପକ୍ଷରେ ମାଂସପେଶୀର ବଳ ଲୋଡ଼ା ନାହିଁ, ହୃଦୟର ବଳ ତାହା ପକ୍ଷରେ ଅପରିହାର୍ଯ୍ୟ । ଯେ କୌଣସି ଜାତି କୌଣସି ନା କୌଣସି କାରଣରୁ ସ୍ୱାଧୀନତା ହରାଏ । ଏହି କାରଣ ଦୁର୍ବଳତା ଛଡ଼ା ଆଉ କିଛି ନୁହେଁ ।

 

ଏହିପରି ମହାତ୍ମାଜୀ ଅନେକ ଉପଦେଶ ଦେଇ ଅଛନ୍ତି । କେବଳ କଥାରେ ନୁହେଁ–ନିଜ ଜୀବନର କର୍ମ ମଧ୍ୟରେ ସେ ଗୁଡ଼ିକୁ ମୂର୍ତ୍ତିମନ୍ତ କରିଯାଇ ଅଛନ୍ତି । କିନ୍ତୁ ଆମେ ମୂଢ଼ ହୋଇ ଥିବାରୁ ସେ ଗୁଡ଼ିକୁ ବୁଝି ପାରୁ ନାହୁଁ । ସେ ଗୁଡ଼ିକୁ ବୁଝି ପାରିଲେ ଦେଶର ଶିଳ୍ପ ବାଣିଜ୍ୟର ଉନ୍ନତି ପାଇଁ ଯତ୍ନ କରିବା ଆମର ପ୍ରୟୋଜନ ନାହିଁ । ଆମେ ତାହାଙ୍କ ଉପଦେଶ ମାନି ଚଳିଲେ ପ୍ରକୃତ ମନୁଷ୍ୟତ୍ୱ ଲାଭ କରନ୍ତୁ । ମନୁଷ୍ୟତ୍ୱ ଲାଭ କଲେ ଅଚିରେ ଦେଶର କଲ୍ୟାଣ ସାଧିତ ହୁଅନ୍ତା । କିନ୍ତୁ ଦେଶର ଗତି ସେ ଦିଗକୁ ନାହିଁ । ହିଂସା ଓ ଅହଙ୍କାର ଦେଶରେ କ୍ରମଶଃ ବଢ଼ୁଅଛି । ଗୁଣ ବା ଚିହ୍ନୁଛି କିଏ ? ଗୁଣ ନ ଚିହ୍ନିଲେ ମନପ୍ରାଣ ଢାଳି କାର୍ଯ୍ୟ କରିବା ପାଇଁ କାହାରି ପ୍ରବୃତ୍ତି ଜନ୍ମିବ ନାହିଁ । ବହୁକାଳ ପରାଧୀନ ହୋଇ ରହି ଥିବାରୁ ଆଳସ୍ୟ ଆମ ରକ୍ତରେ ବଧିର ହୋଇଅଛି । ବିଦେଶୀ ଶାସକ ଯେଉଁ ଭେଦବୁଦ୍ଧିର ବୀଜ ଆମ ହୃଦୟରେ ପୋତି ଦେଇଥିଲେ ତାହା ବିଶାଳ ତରୁରେ ପରିଣତ ହୋଇଅଛି । ଦେଶରେ ଉପଯୁକ୍ତ ଶିକ୍ଷାର ପ୍ରଚାର ସହସା ନୋହିଲେ ଉକ୍ତ ଦୋଷମାନ ସହଜରେ ବିଦୂରିତ ହେବ ନାହିଁ । ସେଥିପାଇଁ ଉପଯୁକ୍ତ ଶିକ୍ଷା ଜାତିର ଉନ୍ନତିର ମୂଳ କାରଣରୂପେ ସବୁ ଦେଶରେ ସବୁ କାଳରେ ବିବେଚିତ ହୋଇଥାଏ । ସୁତରାଂ ଉପଯୁକ୍ତ ଶିକ୍ଷାର ପନ୍ଥା ନିର୍ଦ୍ଦେଶ କରିବା ପ୍ରଧାନ କର୍ତ୍ତବ୍ୟ । ପ୍ରାଚୀନ ଭାରତରେ ତ୍ୟାଗୀମାନଙ୍କ ହାତରେ ଶିକ୍ଷାଭାର ଥିଲା । ଯେତେ ଦିନ ସେପରି ତ୍ୟାଗବୀରମାନଙ୍କ ହାତକୁ ଆମ ଦେଶର ଶିକ୍ଷାଭାର ନ ଯାଇ ଧନ ଲୋଭୀ ବା ମର୍ଯ୍ୟାଦା ଲୋଭୀମାନଙ୍କ ହାତରେ ଆମ ଦେଶର ଶିକ୍ଷାଭାର ଅଛି ତେତେ ଦିନ ପର୍ଯ୍ୟନ୍ତ ଆମ ଶିକ୍ଷାର ଉନ୍ନତି ଅସମ୍ଭବ ।

Image